Unknown

 

 

 

 

 

 

 

 

 

 

 

ଅନ୍ୟତମା

ଗୋରାଚାନ୍ଦ ମିଶ୍ର

 

Dear Author of “Anyatama”

 

We cou।d not he।p thinking that this time too, you had read our innermost thought and had said the very words we wanted to hear.

 

Yours

Riha & Dinabandhu Das

Image

 

 

 

 

 

 

 

 

 

 

 

 

 

ମୋ ପ୍ରିୟ ନିନ୍ଦୁକମାନଙ୍କ ହାତରେ

 

“ନିଜକୁ କ୍ଷୟ କରି କରି ଯିଏ ଅକ୍ଷୟକୁ ଉପଲବ୍‍ଧି କରିପାରେ, ତାରି ନାଁ ରିନା, ସୁସ୍ନାତା ଓ ମୂର୍ଚ୍ଛନା, ଏ ବହିର ନାୟିକା, ଦୀନବନ୍ଧୁ ଦାସଙ୍କ ଶେଷ ବାନ୍ଧବୀ ।”

 

ବହିଟି ଛପା ସରିଗଲା, ହଠାତ୍ ମନେ ପଡ଼ିଲା, ସେ ଦିନ ମୃତ୍ୟୁକୁ ଭୟ କରି ନିଜକୁ ମାତୃତ୍ୱକୁ ବଂଚିତ କରିବା ପୂର୍ବରୁ ରିନାଦେବୀ ଦାସଙ୍କୁ ଏତକ ମଧ୍ୟ କହିଥିଲେ ?

 

“ମୃତ୍ୟୁକୁ ଭୟ କରୁଚ ? ଛି । କିହୋ ମୃତ୍ୟୁ ଅଛି ବୋଲି ତ ଆମେ ଅମୃତକୁ ଚାଖୁଚେ, କ୍ଷୟ ଅଛି ବୋଲି ତ, ଅକ୍ଷୟକୁ ଉପଲବ୍‍ଧି କରୁଚେ...ଇସ୍ପାତ, ପୁରୁଣା ହେଲେ ବି ହାତୁଡ଼ିର ଆଘାତ ସହିପାରେ । କିନ୍ତୁ ମାଟିର କଣ୍ଢେଇ ? ନିଆଁରେ ପୋଡ଼ି ପୋଡ଼ି ଯେତେ ଟାଣୁଆ କର ପଛେ, ଟିକିଏ ଆଘାତ ପାଇଲେ ଚୂରମାର ।”

Image

 

ଯୌବନଚୂଡ଼ାର ଠିକ୍ ଆରପଟେ ଘନୀଭୂତ ତେଜସ୍କ୍ରିୟ ଭଳି ଧ୍ଵଂସର ଅବଲୀଳା । ତାକୁଇ କୁହାଯାଏ ପୌଢ଼ତ୍ଵ ।

 

ଦେହ ଓ ମନ ଭିତରେ ଏଇ ପୌଢ଼ତ୍ଵରୁ ମେଞ୍ଚାଏ ଧରି ଜୀବନର ପାକସ୍ଥଳୀରେ ପାକଳି ଗଡ଼ଉଥିଲେ ଦୀନବନ୍ଧୁ ଦାସେ । ଦର୍ପଣରେ ମୁଁହକୁ ଦେଖୁଥିଲେ, ଏଡ଼େ ଏଡ଼େ ଫୁଲ୍‍କା ଗାଲ ଦିଇଟା କିଏ ନେଲା ? ବୟସ କ’ଣ ଏଡ଼େ ବେଗି ନେଇଯାଇ ପାରେ ? ଏତେ ବର୍ଷ ଧରି, ଏତେ ପ୍ରଳୟ ସୃଷ୍ଟି କରି, ଏତେ ହସ ହସି, ପ୍ରତିଭା, କାନନ, ବିଷ୍ଣୁ, କାଞ୍ଚନ, ତରଳିକା, ସାଗରିକା (ଆଉ ଗୁଡ଼ାକର ନାଁ ମନେ ପଡ଼ୁନି । ଶହେ କି ଦୁଇଶ’ ହେବେ ପରା) କାଇଁ କେହି ତ ନେଇ ପାରି ନ ଥିଲେ । ଖଣ୍ଡିଆ ଛୋଟ ଦର୍ପଣ ନେଇ ତ ସେ ଏତେ ସମୟ ଧରି ଦେଖୁଥିଲେ...ସିମିତି ଫୁଲ୍‍କା ଫୁଲ୍‍କା ଗାଲ, ଦେହର ପ୍ରତ୍ୟେକ ଅଂଶ କୁନ୍ଦିଲା ପରି । ଆଜି ଆଗରେ ଏଡ଼େ ବହଳ, ଏଡ଼େ ଲମ୍ବାଚଉଡ଼ା ବେଲଜିୟମ୍ ଦର୍ପଣ । ମୁହଁଟା ଏଡ଼େ ବୁଢ଼ା ବୁଢ଼ା, ପଶିଲା ପଶିଲା ଦେଖାଯାଉଚି କାହିଁକି ?

 

କ’ଣ ସେ ବୁଢ଼ା ହେଇଗଲେ ?

 

ଘୂର୍ଣ୍ଣାୟମାନ ଚୌକୀଟାକୁ ଦର୍ପଣ ପାଖରୁ ଘୂରେଇ ନେଲେ ସେ । ଆଗରେ ଖଣ୍ଡିଏ ଚିଠି । ତାଙ୍କର ଶୂନ୍ୟ ଆକାଙ୍‍କ୍ଷାକୁ ଏକ ଦୁର୍ନିବାର ମୋହରେ ଇମିତି ଖଣ୍ଡିଏ ଖଣ୍ଡିଏ ଚିଠି ଆବିଷ୍ଟା, ଆଲୋଡ଼ିତ କରି ରଖେ ତାଙ୍କୁ, ଚିଠିଟି ମାଇଁ ୱାଇଫ୍, ଅର୍ଥାତ୍ “ମୋ ସ୍ତ୍ରୀ”ଙ୍କର ହାତଲେଖା । ଦୀନବନ୍ଧୁ ଦାସେ ସ୍ତ୍ରୀ ବିଷୟ ଯାହାକୁ କହନ୍ତି—ମାଇଁ ୱାଇଫ୍ ଅମୁକ କରନ୍ତି, ମାଇଁ ୱାଇଫ୍ ଏତେ ପଢ଼ିଛନ୍ତି, ବନ୍ଧନକ୍ରିୟାରେ ସେ ଭାରି ପଟ୍ଟିୟାସୀ, ଗାନବତୀ, ନୃତ୍ୟବତୀ, କହୁ କହୁ ଯିମିତି ସୀମାଟପି ଯାଆନ୍ତି ସେ । ଇମିତି ବାଗେଇ ବନେଇ ଚୂନେଇ କଳ୍ପନାର ମସଲା ଦେଇ କହନ୍ତି ଯେ ‘ମାଇଁ ୱାଇଫ୍’ ବାରମ୍ବାର କହିବାଟା ଯେ ତାଙ୍କର ଏକ ବଡ଼ ଆଳୁଦୋଷ ଶ୍ରୋତାମାନେ ସହଜେ ଧରି ପାରନ୍ତି ନାଇଁ । ସେମାନେ ଅସଲ କଥାଟାକୁ ହଁ ଧରନ୍ତି... କଥାଟାକୁ ଧରେଇ ଦେଇ ଦୀନବନ୍ଧୁ ଦାସେ ମିଳେଇ ଯାଆନ୍ତି ନିବିଡ଼ ବାସ୍ତବତା ଭିତରେ । ଲୋକେ ତାଙ୍କୁ ଭୁଲିଯାଆନ୍ତି (ମାଇଁ ୱାଇଫ୍ ତ ବହୁତ ଦୂରରେ) କିନ୍ତୁ ତାଙ୍କ କଥାଟାକୁ ଭୁଲି ପାରନ୍ତି ନାଇଁ ।

 

ଲୋକେ କହନ୍ତି—ଦୀନବନ୍ଧୁ ଦାସେ ଭାରି ରୋଜଗାରୀ, ଅସମ୍ଭବ ବୋଲି ତାଙ୍କ ପାଖରେ କିଛି ନାଇଁ । ଚାରିପାଇସା ଯେ କୌଣସି ଉପାୟରେ ରୋଜଗାର କରିବା ତାଙ୍କ ଗୁଣ; ତେଣୁ ଭାଇ ବଡ଼ ଅଭାବ, ହାତରେ ପଇସାଟିଏ ନାଇଁ, ଘରେ ଚୁଲି ଲାଗିନି, ୱାଇଫ୍‍ର ଦେହ ଖରାପ, ବାପାଙ୍କର ଅବସ୍ଥା କାଏଲ୍, ଭାଇର ଦରମା ଦିଆ ଯାଇନାଇଁ ବୋଲି ଯେତେ ସେ କହି ହୁଅନ୍ତି, ଲୋକେ ଥଟ୍ଟାରେ ଉଡ଼େଇ ଦିଅନ୍ତି । କହନ୍ତି, “କିଓ । ଦୀନବନ୍ଧୁ ଦାସ ବୋଇଲେ ବଜାରରେ ନାଁ ଡାକ, ଘରେ ଭାତ ନାଇଁ ବୋଲି କହି ଯିଏ ଅଧସେର ରସଗୋଲା ବାକିଖାତାରେ ଗଡ଼େଇ ଟାକୁ ଟାକୁ ଚଳିଯାଏ, ତାକୁ କ’ଣ ଅଭାବ ?”

 

ସେଇ କଥାହିଁ ମାଇଁ ୱାଇଫ୍‍ଙ୍କ ଚିଠିରେ ଲେଖାଅଛି । “ମାଇଁ ୱାଇଫ୍”ଙ୍କ ଭଉଣୀର ବାହାଘର—ମାଇଁ ୱାଇଫ୍ ଶ୍ରୀମତୀ ସୁସ୍ନାତାଦେବୀ ବାପଘରେ । ଏଠୁ ଗଲାବେଳେ ଭଉଣୀପାଇଁ ନାନା ଦରବ ଧରି ଯାଇଥିଲେ—କହି ଯାଇଥିଲେ, ତୁମେ ନ ଗଲେ ନ ଚଳେ । ବେଦିରେ ସଢ଼ ବରଣ ହବ...ସଢ଼ୁ ଥାଉ ଥାଉ ସଢ଼ୁ ଥାନାରେ ଗୁଆ ରଖିବାଟାକୁ ଲୋକେ ବାହୁନିବେ । ତାଙ୍କ ମୁଣ୍ଡ ତଳକୁ ହୋଇଯିବ । ଘରେ ଫଟା ପାହୁଲା ନ ଥାଉ, ବାହାରେ ସାନ୍ ବଜାୟ ରଖିଲେ, ମାଇଁ ୱାଇଫ୍‍ଙ୍କ ମନ କୁଣ୍ଢେମୋଟ ହେବ । ଏଇ ସାନ୍ ବଜାୟ ରଖିବା ପାଇଁ ତ ତାଙ୍କ ବାକ୍ସରେ କେବେ ତାଲା ପଡ଼େ ନା । ରେଡ଼ିଓ ବାଜେ, ପଙ୍ଖା ଘୂରେ, ଇଲେକ୍‍ଟ୍ରୀ ଷ୍ଟୋଭ୍ ରେ ରୋଷେଇ ହୁଏ । ଆଠଟା ତରକାରୀ ହୁଏ । ଯିଏ ଯେତେବେଳେ ଆସୁ, ଅଭ୍ୟର୍ଥନା କରିବାପାଇଁ ଦୁଆର ଦିନରାତି ମେଲା ରହେ ।

 

ବଡ଼ ବଡ଼ ଦି’ଟା ମାଇପିଲୋକ ଆସି ଡାକନ୍ତି—କିଲୋ ସୁନି, କୁଆଡ଼େ ଗଲୁ କିଲୋ ! ସୁସ୍ନାତାକୁ ଏମାନେ ଡାକନ୍ତି ସୁନି ବୋଲି । ଦୀନବନ୍ଧୁ ଦାସଙ୍କ କିଟିମିଟିଆ ଅକ୍ଷର ଭଳି, କିଟିମିଟିଆ ନାଆଁଟା । ହେଇଥିବାରୁ ତାଙ୍କ ତୁଣ୍ଡରେ ଲେଉଟେନି । ସେ ଯୋଉଦିନ ଏ ଘରକୁ ବୋହୂ ହୋଇ ଆସିଲେ, ରତନୀବୋଉ ପ୍ରଥମେ ଆସି ପଚାରିଥିଲେ, କିଲୋ ବୋହୂ, ନାଁଟା ତୋର କ’ଣ ? ’

 

ମାଇଁ ୱାଇଫ୍ ମୃଦୁକଣ୍ଠରେ କହିଥିଲେ, ସୁସ୍ନାତା ।

 

ରତନୀବୋଉକୁ ଶୁଭୁଥିଲା ସୁନା ବୋଲି । ସୁନାରୁ ହୋଇଗଲା ସୁନି । ସୁନି ଘରେ ନ ଥାଇ ଯାଇଥାଆନ୍ତି ସିଲେଇ ସ୍କୁଲକୁ । ଛୁଟି ହୋଇ ଯାଇଥିଲେ ମଧ୍ୟ କ’ଣ ଗୋଟିଏ ଜିନିଷ ଛାଡ଼ି ଦେଇ ଆସିଥିବାରୁ ଦୌଡ଼ି ଦୌଡ଼ି ଯାଇଥିଲେ । ଦୌଡ଼ି ଦୌଡ଼ି ଆସିଲାବେଳକୁ ଘରେ ଗୋଠେ ମାଇକିନିଆକୁ ଦେଖି ସେ ଟିକିଏ ହଡ଼ବଡ଼େଇ ଗଲେ ।

 

ମାଇପିଙ୍କ ମଧ୍ୟରେ ରତନୀବୋଉଟିର ସୁନି ଉପରେ ବଡ଼ ଶରଧା । ନାନା କଥାରେ ତାଙ୍କର ତିଆରିବା ଗୁଣଟି ରହିଥାଏ । ତିଆରିବା ଭଳି କହନ୍ତି, କିଲୋ ଆସି ତିନି ଚାରି ବର୍ଷ ହେଲା ଘର ସଂସାର କଲୁଣି, ଘରକୁ ପୁଣି ବଡ଼ବୋହୂ, ଇମିତି ଲଙ୍ଗଳା ହେଲେ ଚଳିବ ? ଟୋକାଟା କିଛି କହୁନି ବୋଲି ସିନା, ଆଉ କିଏ ହୋଇଥିଲେ, ତୋର ଚୋପା ଛଡ଼େଇ ଦିଅନ୍ତାଣି । ହଇଲୋ, ଘରଟା ଠିଆ ମେଲା, ଟେବୁଲ ଉପରେ ପଇସା ପଡ଼ିଚି, ସିନ୍ଦୁକ ଗୁଡ଼ାକରେ ତାଲା ଦିଆ ହେଇନି...ଘର ତ ବୋଲି ଏଡ଼ିକି ଏଥିରେ ତୋର ଏଡ଼େ ଅଯତ୍ନ !

 

ଗେଲିବୋଉ କହନ୍ତି, ହଇଲୋ ନାନି, ବେଙ୍କ ବୋଲି କ’ଣ ଗୋଟେ ବାହାରିଚି ପରା ! ଟଙ୍କାକଉଡ଼ି, ସିଇଠି ଥିବ ମ ! ନଇଲେ... ।

 

ରତନୀବୋଉ ହାତକୁ ଛିଞ୍ଚାଡ଼ି ଦେଇ କହନ୍ତି, ଯାହା କହିଲୁ ! ହଇଲୋ, ଏ ଗୁଡ଼ାକ ବେଙ୍କରେ ଟଙ୍କା ରଖିବେ ? ମୁଁ ପରା ଏ ଘରେ ପୋକ । ନିଇତି ସକାଳ ପାହିଲେ ଏ ପରିବା-ବାଲାକୁ ଡାକ, ସେ ପରିବାବାଲାକୁ ଡାକ, ପରିବା ନାଇଁ ତ ମାଉଁସ ନେଇ ଆସ, ମାଉଁସ ନ ମିଳିଲା ତ ମାଛ ସେରେ ନେଇ ଆସ । ଏଗୁଡ଼ାକଙ୍କ ହାତରେ ପଇସା ରହିବ ? ଆମ୍ବୁଲ ଚାଟି ଲୁଣ ଲଙ୍କା ହେଣି ଏମାନେ ଭାତ ଖାଇବେ ? ଦେଖୁନ ଏମାନଙ୍କ ପସନ୍ଦ—ଏ ଟେବୁଲ୍କୁ ଦେଖିଲୁ ତ–ଏଇ ଉପରକୁ, ଦେଖ ଖାଲି: ବହି ଧନ ବୋଇଲେ ଏତିକି । ଆ ଦେଖିବୁ ଆ। ସୁନିର ମୁଣ୍ଡରୁ ଓଢ଼ଣା ଟାଣିଦେଇ କାନକୁ, ବେକକୁ, ହାତକୁ ଦେଖେଇ କହନ୍ତି, ଦେଖିଲୁ ତ, ସୁନା ଭରିଏ ବୋଲି ନାଇଁ । ହଇଲୋ ଏଗୁଡ଼ାକ ବେଙ୍କରେ ରଖିବେ ? ଟକଳାଗୁଡ଼ାକ ପରା, କିଛି ନ ଥିଲେ ଟଙ୍କାକୁ ରାନ୍ଧି ଖାଇଯିବେ ।

 

ସୁସ୍ନାତା ସେତେବେଳକୁ ଚୁଲିରେ ଚାହା ବସେଇ ସାରି ଥାଆନ୍ତି । ରତନୀବୋଉ, ଗେଲିବୋଉକୁ ଚା ଦି କପ ଦେଇ କହନ୍ତି, ଟିକିଏ ବସ ନାନୀ ! ରତନୀବୋଉ ଚା କପକୁ ଟିକିଏ ପାଟିକି ଲଗେଇ କହନ୍ତି, ହେଲେ ସୁନିହାତର ଚାହା କୁଉଠି ମିଳିବନି । ଯେତେବେଳେ ଆସେ ସୁନି ନ ଦେଲେ ବି ମୁଁ କହେ, କିଲୋ ଚାହା ବସେଇଲୁଟିକି ? ଖାଲି ଚାହା ନୁହେଁ, ଚାହା ସାଙ୍ଗକୁ ବିସ୍କୁଟ-। ସେତେବେଳକୁ ଦୁଇ ଚାରି ଖଣ୍ଡ ବିସ୍କୁଟ ଧରି ସୁସ୍ନାତା ପହଞ୍ଚି ସାରି ଥାଆନ୍ତି । ସୁସ୍ନାତା ହାତରୁ ରତନୀ ବୋଉ ବିସ୍କୁଟଗୁଡ଼ିକୁ ଚଟ୍‍କିନି ଧରି ନେଇ ଗେଲିବୋଉକୁ ଚାରି ଖଣ୍ଡରୁ ଖଣ୍ଡିଏ ଦିଅନ୍ତି, କହନ୍ତି—ଚାହା ବିସ୍କୁଟ ଖାଇବୁନିଟି ଜମା, ଅଭିଆସ ହେଇଯିବ । ତା ଛଡ଼ା ତୋ ପିଲାର ଦେହରେ ଯିବନି । ଜଣ ଜଣଙ୍କର ଦେଖିଚି, ଚାହା ଖାଇଲେ ପେଟ ମୋଡ଼େ, ଗରିଷ୍ଟ ହୁଏ, ଝାଡ଼ା ପତଳା ହୁଏ-। ମା’ର ପଥ୍ୟକୁ ନେଇ ପିଲାର ଦେହ ।

 

ଗେଲିବୋଉ ସେତେବେଳକୁ ଅଧା ଚା ପିଇ ସାରି ଥାଆନ୍ତି । ରତନୀବୋଉ କଥାରେ ଅଧା ରଖିଦେବା ମାତ୍ରେ ରତନୀବୋଉ କହନ୍ତି, ଖାଇଲୁଣିତ, ସବୁତକ ପିଇଦେ । ଅଇଁଠା କରି ଦେଲୁଣି କିଏ ପିଇବ ? ବୋହୂଟା ଏଡ଼େ ଶରଧାରେ କରିଚି, ଇଡ଼ିଦେଲେ ତା ମନ ଖରାପ ହବ ! ହଁ, ପଚାରିବି ବୋଲି ହଉଁଚି, ପଚାରି ପାରୁ ନାଇଁ ! ଆଜି ସେ ଦରମା ପାଇବା କଥା, ପାଇନାହାନ୍ତି-। କାଆଲି ଚୁଲି ଜାଳିବାପାଇଁ ଘରେ କାଠ ନାଇଁ ଦିଟା ଟଙ୍କା ଥିଲେ ଦେଇ ପାରିବୁ ସୁନି ? ସୁସ୍ନାତା କହନ୍ତି, ମୋଠି ତ କିଛି ନାହିଁ ନାନୀ, ସିଏ ଆସନ୍ତୁ, କହିବି । ଦେଲେ ପଠେଇ ଦେବି ।

 

—ଦେବେ କ’ଣ ବା, ତୋ ପାଖରେ ନାଇ ?

 

ସୁସ୍ନାତା ମୁଣ୍ଡ ହଲେଇ ନାଇଁ କରନ୍ତି ।

 

—ହଇଲୋ, ତୁ ପୁଣି ମତେ ଫାଙ୍କୁଚୁ ? ଏଇ ପରା ଟେବୁଲ ଉପରେ ଟଙ୍କା ଅଛି !

 

—ସେତକ ମାଛ କିଣିବା ପାଇଁ ଦେଇ ଯାଇଚନ୍ତି ।

 

—କିଲୋ ରାତିଟାରେ ମାଛ ! ଛି ଛି ଅପୂରୁବ କଥା କହୁଚୁ ତ ତୁ । ରୁଟି ଦିଖଣ୍ଡକୁ ହରଡ଼ ଡ଼ାଲି ଟିକିଏ ହେଲେ ଚଳେ । ଇମିତି କରି କରି ତୁ ଘରଟାକୁ ସାରିଦେବୁ ପରା । ଆଉ ସାଇତିବୁ କ’ଣ ? ଆଜି ଆସୁ ମୁଁ ତାକୁ କହୁଚି । ତୁ ତ ତାଠୁ ବଳକା ଦେଖୁଚି... । ଦେଲୁ ଦେଲୁ ସେ ଟଙ୍କା । ମୋଠି ହେଲେ ରହିଥିଲେ, ଲୋଡ଼ା ପୁନିଅଁରେ ମାଗିଲେ ମିଳିବ । କହୁ କହୁ ରତନୀବୋଉ ସେତକ ହାତରେ ମୁଠେଇ ଧରନ୍ତି ଅତି ଜୋରରେ ।

 

ଗେଲିବୋଉ କାନିତଳୁ କାଚ ଶିଶିଟିଏ ବାହାର କରି କହନ୍ତି, “ସିଏ ତ ଆସିଲାବେଳକୁ ରାତି ବାର ! ଦୋକାନ ବଜାର ସବୁ ବନ୍ଦ । ଫୁଟେଇବା ପାଇଁ ତେଲ ନାଇଁ, ଏଇ ଶିଶିରେ ଟିକିଏ ଦେଇଥବ, କାଲି ଫେରେଇ ଦେବି”—କହିଦେଇ ପାଆକିଆ ତେଲ ଶିଶିଟିକୁ ବଢ଼େଇ ଦିଅନ୍ତି ସୁସ୍ନାତା ଆଉକି । ସୁସ୍ନାତା ଫେରି ପାଇବ ତ ଅଳ୍ପ ଟିକିଏ କାହିଁକି ଦେବ, ମାନସମ୍ମାନ ରକ୍ଷା କରିବାପାଇଁ ତେଲଟିଣକୁ ତେଲ ଢାଳି ବସନ୍ତି । ଠିକ୍ ତେଲଶିଶିଟି ଭର୍ତ୍ତି ହେବା ବେଳକୁ ଗେଲିବୋଉ କହନ୍ତି, ଏତେ କାହିଁକି ଦଉଚୁ ମ । କାଲିକି ସେ ଆଣିବେନି । ହଉ ଦେଲୁଣି ତ ଦେ । କିନ୍ତୁ ବୋହୁ, ସବୁ କଥା ମୁଁ ପାଶୋରି ଯାଏ । ଆମ ଗେଲି ତ ତମ ଦାଣ୍ଡକୁ ଖେଳିବାକୁ ଆସୁଚି । ଟିକିଏ ମନେ ପକେଇଦବୁ, ଏଁ ।

 

ରତନୀବୋଉ କହନ୍ତି, ହଁ ମ, ତୁନି ହ, ସେଥିକି କ’ଣ ସେ ମନେ କରୁଚି ? ସିଏ ନ ହେଲେ, ମୁଁ ମନେ ପକେଇ ଦେବି । କାଆଲିକି କ’ଣ ସେ ଧରି ବସିଚି ? କାଆଲି ନ ହେଲେ ପଅର ଦିନ ଫେରେଇ ଦବୁ ! ହଉ ଚାଲିଲୁ ଉମା, ପିଲାଟାକୁ ପଠେଇ କାଠ ପାଞ୍ଚ ବିଡ଼ା ଆଣିଲେ ଯାଇ ଚୁଲି ଲାଗିବ ! ଗେଲିବୋଉ ଓ ରତନୀବୋଉଙ୍କୁ ଆଉ ଦଣ୍ଡେ ରହିବାକୁ ତର ସହେ ନା । ଉଠି ଚାଲି ଯାଆନ୍ତି ସେ । ଗଲାବେଳେ କହି ଯାଆନ୍ତି, ବୋହୂ, ଆ, ଦୁଆର ଦେଇଦେ ! ସଞ୍ଜ ହେଇଗଲାଣି ! ବଳିତା ବସା ! ଦୁଆର ମେଲା ରଖିବୁ ନି ଟି । ସମୟ ଅସମୟ, ଚୋରିହାରି ନାନା କଥା । ସିଏ ତ ଯାଇ ଆସିବ ଯେ ରାତି ବାର । ଘରେ ଏକା ତୁ ।

 

ସେମାନେ ଚାଲିଯିବା ପରେ ସୁସ୍ନାତାଦେବୀ ମୁଣ୍ଡରେ ହାତ ଦେଇ ବସନ୍ତି । ମାଛବାଲା ଦାଣ୍ଡରେ ମାଛ ମାଛ ବୋଲି ଡାକ ପକାଏ । ନିତିଦିନିଆ ଗ୍ରାହକ ବୋଲି ସେ ଥରେ ଡାକି ଦେଇ ଚାଲିଯାଏନା । ଦୁଆର ପଡ଼ିଥିଲେ ଆସି ଦୁଆର ବାଡ଼ାଏ । ଦୁଆର ପଡ଼ି ନ ଥିଲେ, ଦାଣ୍ଡରେ ବଡ଼ ପାଟିରେ ପନ୍ଦର କୋଡ଼ିଏ ଥର ଡାକେ ।

 

ଧାର ମାଗିଲେ ସେ ନିଶ୍ଚୟ ଦେବ, ଏ କଥା ସୁସ୍ନାତାଦେବୀ ଜାଣନ୍ତି; କିନ୍ତୁ “ଋଣଂ କୃତ୍ୱା ଘୃତଂ ପିବେତ୍” ଦୀନବନ୍ଧୁ ଦାସଙ୍କ ଜାତକରେ ନାଇଁ । ନିଜେ ସିନା କୁଉଠି କରନ୍ତି, ଘରେ ସ୍ତ୍ରୀକୁ ଧାର କରିବାକୁ ମନା କରି ଯାଇଥାଆନ୍ତି ! ସୁସ୍ନାତାଦେବୀ ସରାଗାତ ଦରାଣ୍ଡନ୍ତି । ପଇସେ ପଇସେ କରି ଗଣନ୍ତି; ପାଏ ମ ଛଉ ଦାମ୍‍ଠାରୁ କମ୍ ପଇସା ।

 

ଦୁଧରେ ଯେତେ ପାଣି ମିଶେଇଲେ ବି ଧଳା ତା ନାଁ ଦୁଧ । ତେଣୁ ଯେତେ ମାଛ ହେଉ ପଛକେ ତରକାରୀରେ ମାଛ ପକେଇଲେ ଆଇଁଷ । ତାଙ୍କର ମନେ ପଡ଼େ, ସମ୍ବଲପୁରରେ ହୀରାକୁଦବନ୍ଧ ହେବା ପୂର୍ବରୁ ଜଣଙ୍କ ଘରକୁ ସେ ଭୋଜି ଖାଇବାକୁ ଯାଇଥିଲେ । ସମ୍ବଲପୁରରେ ସେତେବେଳେ ମାଛ ଦୁର୍ମୂଲ୍ୟ । ବଙ୍ଗାଳୀମାନେ ମାଛଟକଳା । ଆଇଁଷ ନା ଧରିଲେ, ତାଙ୍କର ପାଟିରୁ ଲାଳ ବହିଯାଏ । ଭୋଜିରେ ଜଣେ ବଙ୍ଗାଳୀ ଭଦ୍ରଲୋକ ବସିଥାଆନ୍ତି । ପରଷିବାବାଲା ତରକାରୀ ଧରି ଆଇଁଷ ଆଇଁଷ ବୋଲି ପାଟି କରିଯାଏ । ଆଇଁଷ ନାଁ ଶୁଣିବାମାତ୍ରେ ବଙ୍ଗାଳୀ ଭଦ୍ରଲୋକ ଏଇଠି ଏଇଠି କହି ଆସେପୁତରକୁ ଦେଖେଇ ଦିଅନ୍ତି । ତରକାରୀ ଦେଇ ପରିବେଷକ ଚାଲିଯାଏ । ଭଦ୍ରଲୋକ ପାଟିରେ ଲଗେଇ ଦେଖନ୍ତି, ସେଇ ଗୋଟେ ତରକାରୀ । ଆଇଁଷର ନାଁ ଗନ୍ଧ ନାଇଁ । କିଓ ଏଇଟା ତ ଆଇଁଷ ତରକାରୀ ନୁହେଁ । ଭୋଜିକର୍ତ୍ତା ଆସି କହନ୍ତି, କହନ୍ତୁ ନି ଆଜ୍ଞା, ଆଇଁଷ ପାଇଁ ବଡ଼ ହଇରାଣ ହୋଇଚି ଆଜି । ସାରା ସମ୍ବଲପୁର ଘୂରିଗଲି—ମାଛ ଫାଛ କିଛି ମିଳିଲାନି । ଗଦେଇ କେଉଟକୁ କହିଥିଲି, ସେ ଦିନଯାକ ବୁଲି ବୁଲି, ଦିଇଟା ଆଙ୍ଗୁଠି ମୋଟର ଗଡ଼ିଶା ଆଣିଥିଲା, ସେତେକ ଏ ତରକାରୀରେ ପଡ଼ିଚି ବୋଲି ୟା ନାଁ ଆଇଁଷ ତରକାରୀ । ସେତେବଳକୁ ବଙ୍ଗାଳୀ ଭଦ୍ରଲୋକଙ୍କ ପାଟିରୁ ଲାଳ ଗଡ଼ିବା କୁଆଡ଼େ ବନ୍ଦ ହେଇ ଆସିଥିଲା । ଯାହା ବାହାରିଥିଲା, ସେତକ ସେଇ ତଥାକଥିତ ଆଇଁଷ ତରକାରୀରେ ପଡ଼ି ଗୋଳେଇ ହେଇ ଯାଇଥିଲା ।

 

ସୁସ୍ନାତାଦେବୀ କୌଣସି ଉପାୟ ନ ଦେଖି ଅଧପାଏ ମାଛ କିଣି ସେଦିନ ଆଇଁଷ ତରକାରୀ କରିଥିଲେ । ଯାହାହେଉ, ?

 

ଏଇ ସେଇ ସୁସ୍ନାତାଦେବୀଙ୍କ ଚିଠି...

 

ସୁସ୍ନାତାଙ୍କୁ ଦୀନବନ୍ଧୁ ଦାସେ ଡାକନ୍ତି ରିନା ବୋଲି । ରିନାଦେବୀ ତାଙ୍କୁ ନାଁ ଧରି ଯଥା ଦିନବନ୍ଧୁବାବୁ ନଚେତ୍ ଖାଲି ବାବୁ ବୋଲି ଡାକନ୍ତି । ଏଇ ନାଁ ଦିଆନିଆର ପୁଣି ଗୋଟାଏ ଇତିହାସ ଅଛି । ବାହା ନ କରୁଣୁ ବହୁବର୍ଷ ଆଗେ ଥରେ ସେ କଲିକତାରେ ଗୋଟିଏ ଝିଅକୁ ଦେଖିଥିଲେ... କ’ଣ ଗୋଟାଏ ସମ୍ମିଳନୀକୁ ଦୀନବନ୍ଧୁ ଦାସେ ଓଡ଼ିଶାରୁ ପ୍ରତିନିଧି ହୋଇ ଯାଇଥିଲେ । ପ୍ରତିନିଧିମାନଙ୍କ ରହିବାର ବ୍ୟବସ୍ଥା ଆଶୁତୋଷ କଲେଜରେ ହୋଇଥାଏ । ସେଠି ପ୍ରତିନିଧିମାନଙ୍କ ଭଲମନ୍ଦ ଦେଖିବା ଲାଗି କଲେଜ ଛାତ୍ରୀମାନେ ସ୍ଵେଚ୍ଛସେବିକା ନିଯୁକ୍ତ ଥାଆନ୍ତି । ସେଇମାନେ ଭାତ ଡାଲି ପରଷନ୍ତି, କୁଆଡ଼େ ଝାଡ଼ା ଯିବ, କୁଉଠି ପରିସ୍ରା କରିବ, କୁଉଠି ଗାଧେଇବ ବାଟ ଦେଖେଇ ଦିଅନ୍ତି । ପ୍ରତିନିଧି ସଂଖ୍ୟା ଯେତେ, ସ୍ୱେଚ୍ଛାସେବିକା ନିଯୁକ୍ତ ଥିଲେ ତାଠୁ ଦୁଇଗୁଣ । ସେମାନେ ମଝି ମଝିରେ ଆସି ପ୍ରତିନିଧିମାନଙ୍କ ହସ୍ତାଙ୍କିତ ନିଜ ସ୍ଵାକ୍ଷର ଓ ଠିକଣା ସବୁ ନିଜ ଅଟୋଗ୍ରାଫ୍ ଖାତାରେ ଟିପି ନିଅନ୍ତି—ବିଦାୟ ନେଲାବେଳେ ଖିଲି ଖିଲି ହସି ବାତାବରଣଟାକୁ କମାଲ୍ କରି ଦିଅନ୍ତି । ସେମାନଙ୍କ ମଧ୍ୟରେ ବହୁ ଷୋଡ଼ଶୀ ସୁନ୍ଦରୀ ଝିଅ ବି ଥାଆନ୍ତି । ସମ୍ମିଳନୀ ସରିଲା, ଦୀବନନ୍ଧୁ ଦାସ ବଡ଼ ଅଭାବ ଅନୁଭବ କଲେ । ଦେଖିଲେ, ଅନ୍ୟ ପ୍ରତିନିଧିମାନେ କିଏ କ’ଣ କିଣି ନେଉଛନ୍ତି । କିଏ ସ୍ତ୍ରୀ ପାଇଁ ଶାଢ଼ି, କିଏ ପିଲାପାଇଁ ଜୋତ–ମୋଜା ଇତ୍ୟାଦି; ୟାଙ୍କ ହାତରେ ପାଇସା ନାଇଁ କି ଯାହା ପାଇଁ ନିଅନ୍ତେ, ସିଏ ବି ନାହିଁ । ବଳିଥିଲା ହାତରେ ଟଙ୍କାଏ ଦଶଅଣା ପଇସା । ଟଙ୍କାକର ଅଙ୍ଗୁର କିଣିଲେ, ଆଉ ଦଶ ଅଣାରେ ଗୋଟିଏ ଛୋଟ ନୋଟଖାତା ଭଳି ଏକ ଡାଏରୀ ବହି କିଣି ଆଣିଲେ । ଆଶୁତୋଷ କଲେଜରୁ ବିଦାୟ ନେବାବେଳେ ଉପସ୍ଥିତ ପନ୍ଦର କୋଡ଼ିଏ ସ୍ୱେଚ୍ଛାସେବିକାଙ୍କୁ ଗୋଟିଏ ଗୋଟିଏ ଅଙ୍ଗୁର ଫଳ ଧରେଇ କହିଲେ, ‘ଦୟାକରି ଏ ନୋଟଖାତାରେ ଆପଣମାନଙ୍କ ସ୍ଵାକ୍ଷର ଓ ଠିକଣାଟିମାନ ଦେଇ ପାରନ୍ତେ ଯଦି ସୁଖୀ ହୁଅନ୍ତି ।’ ସେମାନେ ଆନନ୍ଦରେ ନିଜ ନିଜ ନାମାଙ୍କିତ କରି ଦେଇଥିଲେ...ସେଇ ଆଙ୍କିତ ନାମ ମଧ୍ୟରୁ ଜଣଙ୍କର ନାଁ ଥିଲା ସୁସ୍ନାତା । ଡାକ ନାଁ ତଳେ ଦିଆଯାଇଥିଲା ରିନା । ଦୀନବନ୍ଧୁ ଦାସଙ୍କ ମନକୁ ଏ ନାଁଟି ବେଶ୍ ପାଇଯାଇଥିଲା, ସେଇଦିନଠୁଁ ସେ ମନେ ମନେ ଠିକ୍ କରି ନେଇଥିଲେ ଯାହାକୁ ସିଏ ବାହାହେବେ, ତା ନାଁ ଦେବେ ସୁସ୍ନାତା, ଡାକିବେ ରିନା, ରିନା...

 

ସୁସ୍ନାତାଦେବୀଙ୍କ ବାପଘର ନାଁ ମୂର୍ଚ୍ଛନା । ଭାରି ଭଲ ନାଁଟିଏ, ତେଣୁ ଦୀନବନ୍ଧୁ ଦାସେ ବଡ଼ ଦ୍ଵନ୍ଦ୍ଵରେ ପଡ଼ିଥିଲେ କିଛିଦିନ; କିନ୍ତୁ ମନେ ମନେ ଥରେ ଯାହା ଶପଥ କରି ନେଇଚନ୍ତି, ତାକୁ ରକ୍ଷା କରିବା ଉଚିତ ହେବ ବୋଲି ମୂର୍ଚ୍ଛନା ଦେହରେ ଗାର କାଟି ଧାଡ଼ିତଳେ ସୁସ୍ନାତା ଲେଖି ଦେଇଥିଲେ; କିନ୍ତୁ ମୂର୍ଚ୍ଛନା ନାଆଁଟିକୁ ମୁରୁଛି ମୁରୁଛି ସେ ବହୁଦିନ ଧରି ମନରେ ବଡ଼ ବେଦନା ଅନୁଭବ କରୁଥିଲେ ।

 

ସୁସ୍ନାତାଦେବୀଙ୍କଠାରୁ ଆସିଥିବା ଚିଠି ପଢ଼ିଲେ, ତାଙ୍କ ପ୍ରାଣରେ ପନ୍ଦର ଷୋଳ ବର୍ଷର ବଳବୀର୍ଯ୍ୟ ଆସିଗଲା ଭଳି ସେ ଅନୁଭବ କରନ୍ତି । ଟିକକ ତଳେ ସେ ଅନୁଭବ କରୁଥିଲେ, ସେ ଯିମିତି କ୍ରମଶଃ ବୁଢ଼ା ହେଇ ଯାଉଚନ୍ତି; କିନ୍ତୁ ପରେ ପରେ ମନଇ ସେ ଅବସାଦ ତାଙ୍କର ତୁଟିଗଲା-। ଚିଠିଟିକୁ ଥର ଥର କରି ପଢ଼ିଲେ...ପୁଣି ଲେଖାଅଛି, ତୁମ ଅବସ୍ଥା କଥା ମୁଁ ବୁଝୁଚି, ବୋଉକୁ ମଧ୍ୟ ବୁଝେଇଲି କିନ୍ତୁ ତା ମନ ବୁଝୁନି । ନ ଆସିଲେ ବଡ଼ ଦୁଃଖ କରିବ ସେ । ତୁମେ ପରା ତା’ର ବଡ଼ ଜୋଇଁ । ମନେ ପଡ଼ୁନି କି ? ଦେଖିବାକୁ ଗଲେ ଏଇଟା ଏ ଘରର ପ୍ରଥମ ଭୋଜିଉତ୍ସବ...ମୋ କଥା ଛାଡ଼, ମୋପେଇଁ ଭୋଜି ହେଇଚି ନାଁ ଭାତ ହେଇଚି ? ସଂଯୁକ୍ତାକୁ ପୃଥ୍ଵୀରାଜ ଟେକି ଆଣିଲା ଭଳି କୁଉଠି ଥିଲ, ଟେକି ନେଇ ଆସିଲ ମତେ । କୋଉଁଟି କିମିତି ବୋଲି ଦେଖିବାକୁ କାହାରିକି ଦେଲ ନାଇଁ । ତୁମେ ନିଜେ ଠକିଲ କି ଆମ ବାପ–ମା ତମକୁ ଠକେଇଲେ, ଆସ ଇଠିକି ଦେଖିବ-। ଚିନ୍ମୟୀପାଇଁ କ’ଣ ନ ଦିଆ ହେଉଚି ? ବରକୁ ମଟର ସାଇକଲ, ରେଡ଼ିଓ, ଘଣ୍ଟା, ପାଟ ଯଥା; ଚିନ୍ମୟୀପେଇଁ କୋଡ଼ିଏ ଭରିର ଏଡ଼େ ହାର । ହାତକୁ ଦଶ ଦଶପଟ କରି କୋଡ଼ିଏ ପଟ ସୁନା କାଚ-। ତା ଛଡ଼ା ତ ଡ୍ରେସିଂ ଟେବୁଲ, ଖଟପଲଙ୍କ—କେତେ କଥା ଅଛି । ତୁମ ଅପେକ୍ଷା କ’ଣ ୟା ବର ବେଶି ପାଠୁଆ ? ଯାଇ ଯାଇ ମାଟ୍ରିକ । ତୁମେ ମାଟିଥିଲେ କ’ଣ ପାଇ ନ ଥାଆନ୍ତ ? ମୁଁ କ’ଣ କୁଆଡ଼େ ଚାଲି ଯାଉଥିଲି । ବାଇଦ ବାଜିବ, ବରକନ୍ୟା, ବେଦିରେ ବସିବେ । ହଜାର ହଜାର ଲୋକ ଖାଇବେ । ଦଶ ପନ୍ଦର ଠା ତରକାରୀ ହେବ । କିଏ କେତେ ଜିନିଷ ଆଣି ଉପହାର ଦେବେ । ଚିନ୍ମୟୀ କାନ୍ଦିବ । ଆମେ କାନ୍ଦନା ଲୋ ବୋଲି ବୁଝେଇବୁ...ଶେଷକୁ ଶାଶୁଘରକୁ ଯିବ । ତୁମେ ଭଲା ମତେ ଟିକିଏ କାନ୍ଦିବାକୁ ହେଲେ ସମୟ ଦେଇଥାଆନ୍ତ...ବାପ ମା’କୁ ଭାଳି ଭାଳି କାନ୍ଦିବାକୁ ଗଲାବେଳେ ଇମିତି ଗୋଟେ ଗୋଟେ ମଧୁରିଆ କଥା କହିଦିଅ ଯେ କାନ୍ଦଟା କୁଆଡ଼େ ଚାଲିଯାଏ, ଫି କିନି ହସି ପକାଏ ।

 

ବଡ଼ ବିଚିତ୍ର ମଣିଷ ତମେ...ବାହା ତ କଲ କଲ, ତିନି ବର୍ଷ ଲାଗିଗଲା ଶ୍ୱଶୁରଘରଟା କୁଉଠି ଜାଣିବାପାଇଁ । ଶ୍ଵଶୁରକୁ ଚିହ୍ନିନି, ଶାଶୁକୁ ଚିହ୍ନିନି । ଅଥଚ ତୁମେ ସେମାନଙ୍କର ଜୁଆଇଁପୁଅ, ସେଥିରେ ପୁଣି ବଡ଼ ଜୁଆଇଁ । କିଏ ମତେ ବଙ୍ଗାଳୁଣୀ, କିଏ ବା କହିଲା ଚାଷୁଣୀ, ତୁମର ଯାହା କଥା ନା, ସବୁଥକି ହିଁ । ଘର ଆରପଟେ ବସି ତୁମେ ତମ ସାଙ୍ଗପିଲାଙ୍କ ସାଙ୍ଗରେ କଥାବାର୍ତ୍ତା ହୁଅ; ମୋ ନାଁରେ ସେମାନେ ନାନା ମିଛ ସତ କହନ୍ତି, ମୋତେ ମୂକ ହୋଇ ଏ ଘରେ ବସିରହିବାକୁ ପଡ଼େ । ଇଚ୍ଛା ହୁଏ, ମୁହଁ ଫିଟେଇ ପ୍ରତିବାଦ କରନ୍ତି, କହନ୍ତି ସବୁ ମିଛ, ମୁଁ ଓଡ଼ିଆଣୀ । ତୁମେ ତ ଅନ୍ତତଃ ପ୍ରତିବାଦ କରିବା କଥା...ସେତକ ମଧ୍ୟ ତୁମ ଦେଇ ହୁଏନି । ଏତିକି ମାତ୍ର ମୋର ପ୍ରଶଂସା ଯେ ମୁଁ କୁଆଡ଼େ ବି.ଏ., ଏମ୍.ଏ. ପଢ଼ା ଝିଅ ! ହଉ ହେଲା ।

 

ଚିଠିରେ ଆହୁରି ଅନେକ କଥା ଥିଲା, ଦୀନବନ୍ଧୁ ଦାସେ ସବୁଗୁଡ଼ିକ ଏଠି ଲେଖିବାକୁ ପ୍ରସ୍ତୁତ ନୁହନ୍ତି । ଏଇ ପନ୍ଦର ଦିନ ତଳେ ଶ୍ଵଶୁର ଆସି ପ୍ରଥମେ ଦାଣ୍ଡରେ ବୁଲୁଥିବା ଦୀନବନ୍ଧୁ ଦାସଙ୍କୁ ହିଁ ଦୀନବନ୍ଧୁ ବାବୁଙ୍କ କୋ ଘର ବୋଲି ପଚାରିଥିଲେ । ଦାସେ ନିଜ ଘରଟିକୁ ଦେଖେଇ ଦେଇ ଟିକିଏ ବୁଲାବୁଲି କରି ଘରେ ପହଞ୍ଚିଲେ । ଘରେ ପଶିଲାବେଳକୁ ଶ୍ୱଶୁର ନିଜ ଝିଅକୁ ପଚାରୁଥିଲେ, ଜୁଆଇଁ କଣ ଘରେ ନାହାନ୍ତି ? ରିନାଦେବୀ କହିଥିଲେ, “ଇଲାଗେ ଥିଲେ, ଦାଣ୍ଡରେ ବୁଲୁଥିବେ ।”

 

ଦୀନବନ୍ଧୁ ଦାସେ ଏଇ ଜଣକ ହିଁ ତାଙ୍କ ଶ୍ଵଶୁର ବୋଲି ମନେ ମନେ ଠଉରେଇ ନେଇ ନିଜକୁ ପ୍ରସ୍ତୁତ କରିନେଇଥିଲେ । ତେଣୁ ଆସିଲାମାତ୍ରେ ପ୍ରଣାମ କରି, ଗାଡ଼ିରେ ନାଁ ବସରେ ଆସିଲେ ବୋଲି ଅତି ପରିଚିତ ଭଳି ପଚାରିଲେ । ତା ପରେ ନାନାଆଡ଼ୁ ଦୁଃଖସୁଖ କଥା ପଡ଼ିଥିଲା-। ଦାସଙ୍କୁ ନିମନ୍ତ୍ରଣ କରିଥିଲେ ବାହାଘରେ ଯୋଗଦେବାପାଇଁ । ଦାସେ ନାନାଆଡ଼ୁ ନାନା ଅସୁବିଧା କାଢ଼ି ବସିଥିଲେ । ଶେଷରେ ଯିବାଟା ସମ୍ଭବ ନୁହେଁ ବୋଲି ସ୍ଥିର ହୋଇଗଲା, ସେଇ ଲାଗି ମାଇଁ ଓ୍ୟାଇଫ ରିନାଦେବୀଙ୍କଠୁ ତାଙ୍କୁ ବହୁତ ଭର୍ତ୍ସନା ଶୁଣିବାକୁ ପଡ଼ିଥିଲା । ନ ଯିବ ତ ନ ଯିବ, ବାପାଙ୍କୁ ରୋକ୍‍ଠୋକ୍ ମନା କରିଦେବାଟା ଠିକ୍ ହେବନି ବୋଲି ସେ କହିଥିଲେ । ତା ପରେ ଯିବା ନ ଯିବା କଥା ଯେତେବେଳେ ପଡ଼ିଥିଲା, ଦାସେ ରୋକଠୋକ ମନାକରି ଟିକିଏ ବଙ୍କେଇ ଟଙ୍କେଇ ଯିବାପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଶ୍ଵଶୁର ନିଜ ଝିଅକୁ ଧରି ସେଦିନ ରାତି ରାତି ସ୍ୱଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ଗଲାବେଳେ ରିନାଦେବୀ ଦେଇଥିବା ଯେଉଁ ଠିକଣାକୁ ଦାସେ ଶ୍ଵଶୁରଘର ଠିକଣା ବୋଲି ବିଶ୍ୱାସ କରୁ ନ ଥିଲେ, ଶ୍ୱଶୁର ସେଇ ଠିକଣାଟି ଗୋଟିଏ କାଗଜରେ ଟିପି ଦେଇ ଯାଇଥିଲେ । ତା ଛଡ଼ା କେଉଁ ଗାଡ଼ିରେ ଗଲେ, ସେଠି କେତେବେଳେ ପହଞ୍ଚି ପାରିବ, ତା’ର ହିସାବ କିତାବ ମଧ୍ୟ ଛିଣ୍ଡେଇ ଦେଇ ଯାଇଥିଲେ ।

 

ଶେଷରେ ଦାସେ ଶ୍ୱଶୁରଘରକୁ ଗଲେ ତାଙ୍କୁ କେହି ଚିହ୍ନି ପାରିଲେନି, କିନ୍ତୁ ତାଙ୍କର ମନେ ହେଲା ସେ ସମସ୍ତଙ୍କୁ ଚିହ୍ନିଛନ୍ତି । ଛ କି ସାତ ଶାଳୀଙ୍କ ମଧ୍ୟରୁ ମାଇଁ ଓ୍ୟାଇଫ୍‍କୁ ଖୋଜିବାପାଇଁ ତାଙ୍କୁ ଘଣ୍ଟାକରୁ ଚିକିଏ ବେଶି ସମୟ ଲାଗି ଯାଇଥିଲା । ରିନାଦେବୀଙ୍କୁ ସେ ଖୋଜି ବାହାର କଲେ ରନ୍ଧାଶାଳରୁ । ମୁଣ୍ଡରେ ଓଢ଼ଣା ଦେଇଥିଲେ ସେ । ପୁଝାରୀ ରନ୍ଧା ରନ୍ଧି ସାରି ଖିରି ତରକାରୀ ଚଖାଉଥିଲା, ସେ ଚାଖୁଥିଲେ । କୁଟାରେ ଲୁଣ କମ୍ ହୋଇଗଲା, ଖଟା ମିଠା ଠିକ୍ ଅଛି କି କାହିଁ, ଏ ସବୁ ଦାୟିତ୍ଵ ତାଙ୍କ ଉପରେ ତାଙ୍କ ମାମୁଁ ଦେଇଥିଲେ ବୋଲି ସେ ତା ଆରଦିନ ଶୁଣିଲେ । ଦୁଇଟି ଶାଳୀ ପ୍ରତି ଟିକିଏ ଆକୃଷ୍ଟ ହୋଇ ପଡ଼ିଲା ଭଳି ବ୍ୟବହାର କରୁଥିଲେ ବୋଲି ଦେଖଣାହାରୀଏ ଗୁଣୁ ଗୁଣୁ ହେଇ କଥାବାର୍ତ୍ତା ହେଉଥିବା ଶୁଣାଯାଇଥିଲା । ଅବଶ୍ୟ ସେଇଟା ତାଙ୍କର ଦୋଷ ନୁହେଁ । ସେଇ ଶାଳୀ ଦିଇଟାର ରୂପର ଦୋଷ । ତା ଛଡ଼ା ରିନାଦେବୀଙ୍କ ମୁହଁ ସହିତ ଏଗୁଡ଼ାକଙ୍କ ମୁହଁର ଟିକିଏ ସାମଞ୍ଜସ୍ୟ ଥିଲା । ଅର୍ଥାତ୍ ତିନିବର୍ଷ ତଳେ, ରିନାଦେବୀଙ୍କୁ ଗାର୍ଲସ୍କୁଲ ବସରେ ବସିବା ଓ ଓହ୍ଲାଇବାବେଳେ ଯେଉଁ ରୂପରେ ସେ ଦେଖିଥିଲେ, ଏ ଦିଇଟା ଠିକ ସିମିତି ଦେଖାଯାଉଥିଲେ, ତେଣୁ ଭୁଲ ହେବାଟା ସ୍ୱାଭାବିକ । ଦାସେ ଯୋ ଦିଇଟା ପଛରେ ପଛରେ ଗୋଡ଼ଉଥିଲେ, ସେ ଦିଇଟା କର ଛଡ଼ା ଦେଇ, ଥରେ ଥରେ ବିଜୁଳି ମାରିଲା ଭଳି ଟିକିଏ ଟିକିଏ ମୁହଁକୁ ଦେଖେଇ ଦେଇ, ପୁଣି ଘରକୋଣେ ପଶି ଯାଉଥିଲେ । ତା ଆରଦିନ କୈଫିୟତ ତଲବ ହେବାବେଳେ, ଦାସେ ଏଇ କଥା କହିଥିଲେ । ଆଉ ସେ ଦିଇଟା ମିଛ କହିଲେ କି ସତ କହିଲେ କେଜାଣି, କହିଲେ କଣ ନା, ଏ ଜଣକ ମୂର୍ଚ୍ଛନାନାନୀର ବର ବୋଲି ଆମେ ଜାଣି ନ ଥିଲୁ। ଜାଣିଥିଲେ ତ ସାଙ୍ଗେ ସାଙ୍ଗେ ତା ପାଖେ ନେଇ ଜୁଟେଇ ଦେଇଥାଆନ୍ତୁ ।

 

ସାତ ଝିଅରୁ, ଇଏ ଦୁଇଟି । ଗୋଟିଏ ତ ଗଲା ରିନା, ଆଉ ରହିଲେ ଚାରୋଟି । ସେଥିରୁ ଗୋଟିଏ ପେଣ୍ଟ ପିନ୍ଧିବା ବୟସର ନୁହଁ । ଆଉ ତିନୋଟି ମଧ୍ୟରୁ, ଗୋଟିଏ ବାହା ହବ, ଆଉ ଦୁଇଟି ସେତେ ବଡ଼ ନୁହନ୍ତି କି ସେତେ ଛୋଟ ନୁହନ୍ତି, ଧର କିଶୋରୀ । ଦାସଙ୍କ ଆଖିରେ କିନ୍ତୁ ସେଗୁଡ଼ାକ ମଧ୍ୟ ଯୁବତୀ ଭଳି ଦେଖାଯାଉଥିଲେ । ନଇଲେ ସେଥିରୁ ଗୋଟାକୁ ‘କିଲୋ ତୁ କ’ଣ ବାହା ହଉଛୁ କି’ ବୋଲି ପଚାରି ନ ଥାଆନ୍ତେ ।

 

ଦାସେ ଆସିଚନ୍ତି ବୋଲି ସୁସ୍ନାତାଦେବୀ ଯେ ଜାଣି ନ ଥିଲେ, ତା ନୁହେଁ । ସେ ଟିକିଏ ଲୁଚକାଳି ଖେଳୁଥିଲେ । ବର ଆସିଚନ୍ତି ଜାଣିବା ମାତ୍ରେ ତାଙ୍କରି ଆଗରେ ଆଗରେ ହେଲେ ଅନ୍ୟମାନେ ହୁଏ ତ ବରସୁଆଗି ବୋଲି ଚଳେଇବେ, ଏ ଭୟ ତାଙ୍କର ଥିଲା । ତା ଛଡ଼ା ଏହି ରାଜଜେମା ମେଳ ଭିତରୁ ସେ ତାଙ୍କୁ ଖୋଜି ପାଇ ପାରିବେ କି ନାଇଁ, ଜାଣିବା ପାଇଁ ଅଯତ୍ନ ଭାବରେ ଟିକିଏ ଯତ୍ନ କରିଥିଲେ ।

 

ଜଙ୍ଗଲ ପାଖ ଘର, କାଠ ଶସ୍ତା । ଏଡ଼େ ଏଡ଼େ ଫଡ଼ା କାଠ ସବୁ ଚୁଲିରେ ଭର୍ତ୍ତି ହୋଇଥାଏ । ଦାଉ ଦାଉ ହୋଇ ଜଳୁଥାଏ । ସେଇ ଅଗ୍ନିଶିଖାରେ ସୁସ୍ନାତାଦେବୀଙ୍କ ମୁହଁଟିକି ଠଉରେଇଁ ନେଇଥିଲେ ଦାସେ । ସେତେବେଳକୁ ତରକାରୀ ଚଖା ସରିଯାଇଥିଲା, ଖିରି ଚଖା ଆରମ୍ଭ କରୁଥିଲେ ରିନାଦେବୀ । ଅଇଁଠା ତୁଣ୍ଡରେ ଦାସଙ୍କୁ କହିଲେ, କିଓ ଆସୁ ନ ଥିଲା ପରା ? କିମିତି ଆସିଲ ? ପଇସା ପରା କୁଆଡ଼େ ଜୁଟୁ ନଥିଲା ? କିମିତି ଜୁଟେଇଲ ?

 

ପଇସା କଥା ପଡ଼ିଲେ ଦାସଙ୍କ ମୁହଁ ନେଲି ପଡ଼ିଆସେ । ସେ ଭାବନ୍ତି, ଗରିବଗୁରୁବାଙ୍କ ପକ୍ଷରେ ଏଇ ଅର୍ଥଦଣ୍ଡଟା ହିଁ ବଡ଼ ଦଣ୍ଡ । ୟାଠୁ ବଳି କଠୋର ଅମାନୁଷିକ ଦଣ୍ଡ ବୋଧହୁଏ ମଣିଷ ତିଆରି ଆଇନରେ ନାଇଁ । ଥରେ ସେ ମାତ୍ର ଟଙ୍କା ପାଞ୍ଚଟି ପାଇଁ କିମିତି ଜଣଙ୍କ ପାଖରେ ଶହେ ଥର ଗୋଡ଼ ଭାଙ୍ଗି ଠିଆ ହୋଇଥିଲେ ସେ କଥା ତାଙ୍କର ମନେ ପଡ଼ିଯାଏ ।

 

କହିଲେ—ଆସିଲି ଲୋକାପବାଦରୁ ରକ୍ଷା ପାଇବା ପାଇଁ, ତୁମ ଚିଠି ପାଇଁ ନୁହେଁ । ତା ଛଡ଼ା ଶ୍ୱଶୁରଘରଟା କିମିତି, ଶ୍ଵଶୁର–ଘରେ ଜୁଆଇଁକି କିମିତି ଅଭ୍ୟର୍ଥନା କରାଯାଏ, ଜାଣିବା ପାଇଁ–କ’ଣ କିଛି ଅଭ୍ୟର୍ଥନା ପାଇଲ ? ବାଟରୁ ହାତୀରେ ବସାଇ ସୁନା ଚଅଁର ହଲେଇ ଆଣିଲେ ନା-?

 

ସେତେବେଳକୁ ତଥାକଥିତ ମାମୁଁ ଶ୍ଵଶୁର ଆସି କହିଲେ, କିଲୋ ମୂର୍ଚ୍ଛନା, ଜୁଆଇଁଙ୍କ ଗୋଡ଼ହାତ ଧୋଇବା ପାଇଁ ପାଣି ଦେ । ପରେ କଥା ହବୁ । ଶାଳୀ ଭିତରୁ ଜଣଙ୍କ ନାଁ ଧରି ଡାକି କହିଲେ, ଆଲୋ, ଏ କୁଆଡ଼େ ଗଲ କିଲୋ, ଜୁଆଇଁଙ୍କୁ ପାନ ଆଣି ଦେ । ବସିବା, ରହିବାର ବ୍ୟବସ୍ଥା କର ।

 

ଇଆଡ଼େ ରନ୍ଧାରନ୍ଧି କରୁଥିବା ପୂଝାରୀ, ସୁସ୍ନାତାଙ୍କୁ ପଚାରିବାର ଶୁଣାଯାଉଥିଲା—ନାନୀ ଏଇ ନାଁ ? ମୂଲିଆଣି ବେସର ବାଟୁଥିଲା, ସେ ବି ଟିକିଏ ଟିକିଏ କହୁଥିଲା, ହଇ ହେ ନାନୀ, ଏଡ଼େ ଦୁରବଳିଆ, କ’ଣ ଦେହ ଖରାପ ହୋଇଥିଲା ? ଏମାନଙ୍କ ଭିତରେ ଜଣେ ସରକାରୀ ପିଅନ ସେଇଠି କ’ଣ କରୁଥିଲା କେଜାଣି, ହଠାତ୍ ଉଠିଆସି ଦାସଙ୍କୁ ପଚାରିଥିଲା, “ବାବୁ, ଆଗ ଏରିଅର୍ ଟଙ୍କା ମିଳିବ ନା ଦରମା ଟଙ୍କା ? ”

 

ଦାସେ ବଡ଼ ହଇରାଣରେ ପଡ଼ିଲେ । କ’ଣ କହିବେ, ଥିର କରି ନ ପାରି, ହଠାତ୍ କହିଥିଲେ, ଏକାଠି ଦିଟାଯାକ ମିଳିବ । କେଉଁ ଏରିଅର ଟଙ୍କା ସେ ପ୍ରଥମେ ବୁଝିପାରି ନ ଥିଲେ, ପରେ ୟାଠୁ ତାଠୁ ବୁଝି ଜାଣିଲେ ଯେ ଦରମା କମିଶନଙ୍କ ସୁପାରିଶ ଅନୁଯାୟୀ ଯେଉଁମାନଙ୍କର ଦରମା ଗଲା ମାର୍ଚ୍ଚ ମାସରୁ ବଢ଼ିଚି, ସେମାନେ କୁଆଡ଼େ ଏକାଠି ବଢ଼ିବା ଟଙ୍କାତକ ପାଇବେ । ସରକାରୀ ପିଅନର ସେଇ ଭାଳେଣି ।

 

X X X ତା’ ଆର ଦିନ ବାହାଘର । ସେ ଦିନ ରାତିଟି ପାହିଗଲା । ଚାରିଆଡ଼େ ହାଉଯାଉ । ମାଇପିଙ୍କ ତୁଣ୍ଡରେ କେତେ କଥା ଶୁଣା ଗଲା । କିଏ କହିଲା—ଚିନ୍ମୟୀଟା ଚାଲିଯିବ, ତୋଡ଼ାଣି ଟିକିଏ ପିଆଇ ପାରିଲି ନାହିଁ । ପିଲାଟି ରାତି ପାହିଲେ ଘରକୁ ଆସେ । ମୋ ଚଟଣୀକୁ ନ ଦେଖିଲେ ଦଣ୍ଡେ ରହିପାରେନା ସେ । ହଁ, ଝିଅ ତ । ମୋ ଚଟଣୀଟି ପାଠ ପଢ଼ୁଚି ବୋଲି ସିନା ରହିଚି, ନ ହେଲେ ଏତେବେଳକୁ ଘର ଖାଲି କରି କୁଆଡ଼େ ଯାଆନ୍ତଣି ।

 

ସେପଟେ ଢୋଲିଆମାନେ ଢୋଲେ ଲେଖାଏଁ ପିଇ ଦେଇ ଧୂନି ଜାଳି ଢୋଲଚମଡ଼ା ଶୁଖାଉଥିଲେ । ସୁରଭିନାନୀ ବୋଲି କିଏ ଜଣେ ସୁସ୍ନାତାଦେବୀଙ୍କ ବନ୍ଧୁବାନ୍ଧବ ଆସି ଏଡ଼େ ପାଟିରେ କହିଲେ, “କିରେ, ବଜଉନ କାହିଁକି—ଇଲେ ପରା ବର ଆସି ପହଞ୍ଚିବ ।”

 

ବାଇଦ ବାଜିଲା, ହୁଳହୁଳି ପଡ଼ିଲା, ଶଙ୍ଖ ବଜେଇବା ପାଇଁ ଝିଅଙ୍କ ମେଳରେ କଳିକଜିଆ । କାହା କାହାର ଗାଲ ଫୁଲି ଉଠୁଚି କିନ୍ତୁ ଶଙ୍ଖ ବାଜୁନି । ଛଡ଼େଇ ନେଇ ଆଉ ଜଣେ କହୁଚି, ଦେଏ ବା ମତେ ଦେ । ୟା ହାତରୁ ତା ହାତ ହେଇ ଦଶ ପନ୍ଦର ହାତ ହେଲା—ଶଙ୍ଖ ଆଉ ବାଜିଲାନି । ଜଣେ ଆସି ଦାସଙ୍କୁ ଦେଖାଇ କହିଲା, କ’ଣ ବଜେଇବାକୁ ଇଚ୍ଛା, ଆମ ଆଡ଼ିକି ଇମିତି ଜଳ ଜଳ ଚାହିଁ ରହିବ ଯେ—ନିଅ ବଜାଅ ।

 

ଶେଷରେ ଦାସେ ଶଙ୍ଖ ବଜେଇଲେ । ଭାରି ସୁନ୍ଦର ଭାବରେ ବାଜିଲା । ସହରରେ କଳାକେନ୍ଦ୍ରର ଜଣେ ଆଜୀବନ ସଭ୍ୟ ସେ । ବାଜା ବଜେଇବାର ଅଭ୍ୟାସ ନ ଥିଲେ ମଧ୍ୟ କିଏ କିମିତି ବଜାନ୍ତି ଦେଖିବାର ଅଭ୍ୟାସ ତାଙ୍କଠି ଅଛି । ଛନ୍ଦହୀନ ଆଧୁନିକ କବିତା ଯେଭଳି ନିର୍ବୋଧ ପାଠକଙ୍କ ପାଖରେ ନିରର୍ଥକ ଭାବରେ ଆଦର ପାଏ, ଦାସଙ୍କ ବାଦ୍ୟର ପ୍ରତିଶବ୍ଦ ସେହିଭଳି ଏ ଝିଅଗୁଡ଼ାଙ୍କୁ ଭାରି ଭଲ ଲାଗିଥିଲା । ସୁସ୍ନାତାଦେବୀଙ୍କୁ ଦେଖେଇ କହିଲେ, କିଲୋ ନାନୀ, ଇଏତ ସବୁକଳାର କଳାକାର । ଆଉ କଣ ଜାଣନ୍ତି କହୁନୁ ? ହାରମନିୟମ୍ ବଜେଇ ଜାଣନ୍ତି ?

 

ଦାସେ ସେତେବେଳକୁ କଳାକାଠ ପଡ଼ି ଆସି ଥାଆନ୍ତି—ଏଇଟା ଶଙ୍ଖ, ଗୋଟେ କଣା-। ଗୋଟିଏ ବାଟରେ ପବନ ଗଲେ ଗୋଟିଏ ମାତ୍ର ସ୍ଵର ବାହାରେ, ସେ ସ୍ଵରର ଅର୍ଥ ଯାହା ହେଉନା କାହିଁକି, ଏକସ୍ଵରୀ ବାଦ୍ୟ ଇଏ । ଯଦି ବଂଶୀ ଆଣି ଦିଅନ୍ତି, ବଡ଼ ହଇରାଣରେ ପଡ଼ିବେ ସେ-। ଗୁଡ଼ିଏ କଣା, ହାତ ଅଙ୍ଗୁଠିକି ଟିପି ଧରିବାକୁ ପଡ଼େ । ସମୟ ଅନୁଯାୟୀ ଉଠେଇବାକୁ ବି ପଡ଼େ-। ବହୁସ୍ଵରୀ ବାଦ୍ୟ ସେ ।

 

ଜଣେ ସତକୁ ସତ ଗୋଟାଏ ବଂଶୀ ଆଣି ଧରଉଥିଲା । ଦଇବ ଯୋଗକୁ ଶାଶୁ ଆସି ସେଇଟି ତା’ ହାତରୁ ଛଡ଼େଇ ନେଇ କହିଲେ, ଅଲକ୍ଷଣି । କିଲୋ ବାହାଘରରେ କିଏ ବଂଶୀ ବଜାଏ ?

 

ଶାଶୁ ଚାଲିଗଲେ । ଜଣେ ପଚାରିଲେ, ସତେ ଜ୍ୱାଇଁ, ବାହାଘରେ ବଂଶୀ ବାଜେନି—କୃଷ୍ଣ କ’ଣ ବଜାଉ ନ ଥିଲେ ?

 

ଦାସେ କହିଲେ, ସେ କଥା ଭାଗବତ ବହିରେ ଲେଖା ଅଛି କି ନା ମୁଁ ଜାଣିନି, କିନ୍ତୁ ଏକଥା ଜାଣେ ଯେ ଗୋପପୁରରେ ବାହାଘର ହେଉ ନ ଥିଲା ।

 

—ସେଠି କ’ଣ ସବୁ ଝିଅ ଅଭିଆଡ଼ି ରହୁଥିଲେ ?

 

—ନାଁ ସିମିତି କିଛି ନୁହେଁ ଯେ କୃଷ୍ଣ କୁଆଡ଼େ ସବୁ ଗୋପାଙ୍ଗନାଙ୍କୁ ବାହା ହୋଇ ଯାଇଥିଲେ—ଇମିତି ବୈଦକ ରୀତିରେ ନୁହେଁ, ଅନ୍ୟ ରୀତିରେ ତାଙ୍କର ପ୍ରୀତି ହେଉଥିଲା । କିନ୍ତୁ ବଂଶୀହିଁ ଥିଲା ତାଙ୍କର ଆଣବିକ ବେମାଠୁ ବଳି ବଳୀୟାନ । ଏଇ ବୋମାରେ ସେ ଗୋପାଙ୍ଗନାଙ୍କ ବୁକୁ ଫଟେଇ ଦେଇ ପ୍ରୀତିର ଝରଣା ବୁହାଇ ଦେଉଥିଲେ । ବଂଶୀ ବଜେଇ ଗୋଧନ ଚରାଉଥିବାଟା ମିଛକଥା । ପ୍ରକୃତରେ ସେ ତୁମଭଳି ଭୁଆସୁଣୀ ଝିଅଗୁଡ଼ାକୁ ଚରଉଥିଲେ । ଝିଂକି ଓଟାରୀ, ପଣତ ଟାଣି ଚୁମା ଦେଇ ଦେଇ ହଇରାଣ କରି ପକାଉଥିଲେ ।

 

ଚୁମା କଥା ପଡ଼ିବାମାତ୍ରେ ଗୋଠଟାଯାକ ଝିଅ ଲାଜରେ ଜଡ଼ସଡ଼ ହୋଇ କିଏ କୁଆଡ଼େ ପଳେଇଥିଲେ । କୁହାକୁହି ହେଲେ—ହଇଲୋ, ନାନୀର ବରଟା ଏଡ଼ିକି ବେଧୁଆ—ଛି ଛି ଶାସ୍ତ୍ରକୁ ପୁଣି କିଏ ଇମିତି ଅର୍ଥକରେ !

 

ଝପଟି ଆସିଥିଲେ ସୁସ୍ନାତାଦେବୀ—କିଓ କ’ଣ୍ ସବୁ କହିଲ କି, ପିଲାଗୁଡ଼ାକ ମୁହଁରେ ଆଉ କିଛି କଥା ନାହିଁ, ଖାଲି ତମ କଥା । ଟିକିଏ ମୁହଁ ବନ୍ଦକର ଭଲା, ଯୁଉଠି କି ଯିବ ସେୟା ! ଧନ୍ୟ ହେ ତୁମେ ।

 

ଦାସେ କହିଥିଲେ, ଶୀତରେ ପିଲାଙ୍କ ଓଠ ଫାଟି ଯାଇଥିଲା, ବାକ୍‍ସରୁ ଭୁଲରେ ଭେସ୍‍ଲିନ୍ ଡବାଟା କାଢ଼ୁ କାଢ଼ୁ ହାତଟା ତୁମର ସେ ଘରେ ଥିବା ଆଚାର ଡିବା ଭିତରେ ପଶି ଯାଇଥିଲା । ସେଇଥିରୁ ଟିକିଏ ଟିକିଏ ବୋଲି ଦେଇଚି । ଟିକିଏ ଟିକିଏ ଖଟା, ଟିକିବ ଟିକିଏ ରାଗ କିନ୍ତୁ ଭାରିମିଠା ଲାଗି ଥିବ, ଲାଳ ବି ଗଡ଼ିଥିବ ବହୁତ ।

 

ସୁସ୍ନାତା ଦେବୀଙ୍କ ଓସାରିଆ ପାଟି ସଙ୍ଗେ ସଙ୍ଗେ ସଂକୁଚିତ ହୋଇ ଯାଇଥିଲା । ରାଗରେ ତମ ତମ ହୋଇ ବିବାହ ପ୍ରସ୍ତୁତ ବିଭୂଷିତା ଭଉଣୀ ଯୁଠି ବସିଥିଲେ, ତାରି ଆଗରେକିନି ଗୋଟାଏ ସତରେଞ୍ଜି ପକେଇ ଦେଇ କହିଲେ, ଆସିଲ, ତୁମେ ଏଇଠି ବସିଥ, ମୁଁ ଡାକିଲେ ଯାଇ କୁଆଡ଼େ ଯିବ, ନଇଲେ ନାଇଁ । ଯଦି ଯାଅ, ଦେଖ ଏ ଛାଂଚୁଣି ମୁଠାକୁ !

 

ଘରେ ଯିଏ କାଂଚି ବିରାଡ଼ି ଭଳି, ଟିକିକ ପାଟିରେ ଯାଇ ଚୁଲି ମୁଣ୍ଡରେ ତୁନିଟି ହୋଇ ବସେ, ସେଇ ସୁସ୍ନାତାଦେବୀଙ୍କର ବାପଘରେ ଏତେ ଭିଡ଼, ଇମିତି ଉଗ୍ରଚଣ୍ଡୀ ରୂପ, ସେ କେବେ ଦେଖି ନ ଥିଲେ, ଇଲାଗେ ଦେଖିଲେ । ନିଜର ପୌରୁଷର ସମସ୍ତ ଶକ୍ତିକୁ ଟେକାଟେକି କରିନେଇ ଦାସେ ଯାଇ ବସିଲେ ଲୁଣି ଚଉରୀ ଘେରରେ ବସିଥିବା ଶାଳୀ ଚିନ୍ମୟୀଙ୍କ ଆଗରେ ।

 

ଚିନ୍ମୟୀ ମୁହଁ ପୋତି ବସିଥିଲା—କାନ୍ଦଲା ଭଳି ମଝି ମଝିରେ ଶବ୍ଦ ହେଉଥିଲା । ମଝିମଝିରେ ଦାସେ ଢୋଳେଇବା ଢଙ୍ଗ ଧରିଲେ । ଚିନ୍ମୟୀ ଧୀରେ ଧୀରେ ମୁହଁକୁ ଟେକି ତାଙ୍କ ଆଡ଼କୁ ଚାହୁଁଥିଲା । ଥରେ ଥରେ ଇମିତି ନିରେଖି ଚାହୁଥିଲା ଯେ ଦାସେ ଆଖି ଖୋଲିବି କି ବୋଲି ଭାବି ଆଖି ଦିଇଟା ଖୋଲୁ ଖୋଲୁ ବନ୍ଦ ହୋଇ ଯାଉଥିଲା । ଚିନ୍ମୟୀର ତରଳ, ସରଳ ଆଖି ଦିଇଟା ବଡ଼ ବିନ୍ଧୁଥିଲା ତାଙ୍କୁ ।

 

ହଠାତ୍ ପରିହାସର ବୁଢ଼ୀ ଜଣେ ଆସି କହିଲେ, ହଇଲୋ ଏଇଟା କିଏ ମ ? ଚିନ୍ମୟୀକୁ ଦେଖେଇ କହିଲେ, କିଲୋ ଏତିକିବେଳୁ କଣ ବୃରକୁ ଆଣି ପାଖରେ ବସେଇଲୁଣି ? ଆଉ ବେଦିରେ ବସିବା ଦରକାର କ’ଣ ? ତମଘରେ ତ ବେଦିରେ ନ ବସି ବାହାଘର ହେବାର ପରଥା ଚାଲିଲାଣି, ନ ହେଲେ ବି ଚଳିବ ନି ? ଚିନ୍ମୟୀ ମୁହଁ ଖୋଲିବା କଥା କି କହିବା କଥା ନୁହେଁ, ତେଣୁ କିଛି ନକହି ମୁଣ୍ଡକୁ ହଲେଇ କହିଥିଲା, ଇଏ ସିଏ ନୁହଁନ୍ତି–ନାନୀର ବର ।

 

—ଏଁ, ମୂର୍ଚ୍ଛନା ବର ? ମତେ କହୁନୁ ? ଦାସଙ୍କୁ କହିଲେ, ହଇହେ ପୁଅ, ତମେ କେତେବେଳେ ? ଦେଖିବୁ ଦେଖିବୁ ବୋଲି କେତେ ଅମୂର୍ଚ୍ଛୁକ ହଉଥିଲୁ, ଆସିଲ, ଭଲ କଲ । ଆଲୋ ଏ ସୀତା ! (ଶାଶୁଙ୍କ ନାଁ ସୀତା) ହଇ ଲୋ, ବଡ଼ ଜୋଇଁ ଆସିଲେଣି, ଖବର ଟିକିଏ ବି ଦେବାକୁ ନାଇଁ—ମତେ ଆରିଷା ପିଠାରେ ପକେଇ ଦେଲୁ ଯେ, ତାକୁ ଛାଣି ଛାଣି ମଲିଣି ।”

 

ଶାଶୁ ଆସି ପଚାରିଲେ, କ’ଣ ମତେ ଡାକୁଥିଲ ମା ?

 

—ଡାକୁ ନ ଥିଲି ଯେ ଏଇ ମୂର୍ଚ୍ଛନାବର କଥା ଟିକିଏ ବୁଝ ବୋଲି କହୁଥିଲି । ତୁ ସିନା ଚିହ୍ନିନୁ, ମୁଁ ଚିହ୍ନିଚି । ଇଏ କିଏ ଜାଣିଚୁ ଟିକି ? ତୋ ଜୋଇଁ ନୁହଁ ଲୋ, ମୋ ଦିଅରଙ୍କ ଶଳାର ପୁଅ-। ତୁ କୁଉଠି ବୁଝିବୁ ? ମୋ ନାତି ସାଥିରେ କଟକରେ ୟାଙ୍କର ସବୁବେଳେ ଦେଖାହୁଏ । ନାତି ୟାଙ୍କରି କଥା ଯେତେବେଳେ ଆସେ, କହେ । ଭାରି ବଡ଼ଲୋକ ଇଏ—ଦିହଟି ସିନା ପତଳା; କିନ୍ତୁ ଭାରି ଟାଣୁଆ ଲୋକ । ତୁ ଇଠି ବସ, କହିବି ।

 

ଘିଅ ଡବାଟା ଧରି ଶାଶୁ ଠିଆ ହୋଇଥାନ୍ତି । କହନ୍ତି, ବେଳନାଇଁ ମା, ତୁମେ ବସି ଗପସପ କରୁଥ, ମୁଁ ଯାଉଚି ।

 

ଦାସଙ୍କ ସାଥିରେ ବୁଢ଼ୀଜଣଙ୍କ ବହୁତ ଗପସପ କରନ୍ତି । କୁଆଡ଼ୁ କ’ଣ ଆଣି ଯୋଡ଼ିଯାଡ଼ି କହନ୍ତି, ତୁମେ ମୋର ଅମୁକର ଅମୁକ । ଅମୁକର କଥାରୁ ସୂତା ଲମ୍ବି ଯାଇ ସମୁକ ପାଖରେ ଛିଣ୍ଡେ । ଦାସଙ୍କୁ ଭାରି ବିରକ୍ତି ଲାଗେ ଶୁଣିବାପାଇଁ ।

 

ଶାଳୀ ଚିନ୍ମୟୀ ସେତେବେଳେକୁ ଘୁମାଉଥାନ୍ତି ।

 

ହଠାତ୍ ବାହାରୁ ହୁରି ଶୁଭିଲା, ଆଲୋ ଏ ବର ଆସି ଗଲେଣି । ପରେ ପରେ ଦାଣ୍ଡରେ ଥିବା ପଂଝାଟାଯାକ ଝିଅ ଆସି ଚିନ୍ମୟୀ ପାଖରେ ଘେରିଗଲେ । ସେମାନଙ୍କ ଧାରଣା, ବର ଆଗମନ ଖବର ଦେଇଦେଲେ ଚିନ୍ମୟୀର ମୁଁହରେ ଯିମିତି ଗଉଣିଏ ହବ ହସ ଫୁଟି ଉଠିବ ।

 

କିନ୍ତୁ ଓଲଟା ଫଳିଲା । କୁମାରୀ ଚିନ୍ମୟୀଦେବୀ ଏଡ଼େ ବେଗି ଶ୍ରୀମତୀ ହେବାକୁ ଚାହାଁନ୍ତି ନାହିଁ । ସେ ବେଶି କଇଁ କଇଁ ହେଇ କାନ୍ଦି ଉଠିଲେ । ଯିଏ ଯେତେ ବୁଝେଇଲେ, ଚନ୍ଦନଭଳି ଶୀତଳିଆ କଥା କହିଲେ, କୋଉଥିରେ ହେଲେ ତାଙ୍କ କାନ୍ଦ ବନ୍ଦ ହେଲାନି । ଦାସେ ପିଲାମାନଙ୍କୁ କହିଲେ, ତୁମେମାନେ ଯଆକି ମୁଁ କାନ୍ଦ ବନ୍ଦ କରିଦେବି । କହିଲେ, ଚିନ୍ମୟୀ ଅଶ୍ରୁ ନିଃସରଣରେ ଯେତିକି ନିଜକୁ ଉଶ୍ୱାସ କରିବା କଥା, ଏଇ ଦଶ ପନ୍ଦର ମିନିଟ୍ ମଧ୍ୟରେ କରିଦିଅ, ନଚେତ୍ ସେ ବଡ଼ ଭଉଣୀ ଠାରୁ ଆରମ୍ଭ କରି ଯେଉଁ ନିରଶ୍ରୁର ପରମ୍ପରା ସୃଷ୍ଟି କରିଚନ୍ତି, ତାହା ମାଟି ହୋଇଯିବ-। ଜୀବନରେ କାନ୍ଦିବାର ସୁଯୋଗ ଦୁର୍ଭାଗ୍ୟ ଜୁଟେଇ ଦେବ, ଏତିକିବେଳେ ସୌଭାଗ୍ୟବତୀ ଭାବରେ କାନ୍ଦିବାଟା ଏକ ବିଡ଼ମ୍ବନା । ଚିନ୍ମୟୀ କିଛି ବୁଝି ପାରି ନ ଥିଲା । ଜୁଆଇଁ କ’ଣ ଗୋଟାଏ ବଡ଼ କଥା କହୁଚନ୍ତି ବୋଲି ଭାବି କାନ୍ଦ ବନ୍ଦ କରି ଦେଇଥିଲା ।

 

ବାହାଘର ହେଲା । ବରକନ୍ୟା ବେଦିରେ ବସିଲେ । ହୁଳହୁଳିରେ ସେ ପୁର ମୁଖରିତ ହୋଇ ଉଠିଲା । ମରଦ ମାଇପି ସଭିଏଁ ଏପଟ ସେପଟ ବହୁତ ହେଲେ । କୁଲାଟା ଆଣ କହିଲେ, କିଏ ତାଟ ନେଇ ଦେଲା, ଗୁଆ ଆଣ କହିଲେ ନଡ଼ିଆ ନେଇ ମେଣ୍ଢେଇଲା । ଶ୍ଵଶୁରଙ୍କ ଯୋ ପାଟି-! ଗୋଠୁଟେ ହବ ବରଯାତ୍ରୀ ଆସିଥିଲେ, ପିଲାଣ୍ଟିଆ ବରଟିଏ ବୋଲି ଗୁଡ଼ାଏ ଟୋକାଟାକଳିଆ ଗିଲା ଆସିଥିଲେ ବରଯାତ୍ରୀରେ । ସମସ୍ତଙ୍କ ଦେହରେ ପୂରା ସୁଟ୍ । ସିଗାରେଟ୍ ମୁହଁରେ ଲାଗିଚି ତ ଲାଗିଚି । ସୁସ୍ନାତାଦେବୀ ହଣ୍ଡାଏ ହବ ଚାହା ବସେଇ ଦେଇ କପ୍ କପ୍ କରି ବାହାରକୁ ପଠଉଥିଲେ । ଟକାଳିଆ ବରଯାତ୍ରୀ ଗୁଡ଼ାକ ପଣାଭଳି ସେଗୁଡ଼ାକ ପିଇ ପକଉଥିଲେ । ବରଠୁବଳି ସେମାନଙ୍କ ସାଜସଜ୍ଜା। ହାତରେ ଗୋଟିଏ ଗୋଟିଏ ପଚିଶି ଟଙ୍କାକିଆ ବକ୍ସ କାମରା । ମୁଁହରେ ବ୍ୟାକରଣ ଶୂନ୍ୟ ଫଟଫାଟ ଇଂରେଜୀ । ଯଥା—ଆଇ ସାଲ୍ ଗେଲ୍ ଙ୍ଗ ଟୁ ପ୍ଳେ ଦାଟ୍ । ସହରରୁ ଆସିଚନ୍ତି ଗୋଟିଏ ଆଦିବାସୀ ପଲ୍ଲୀଗାଁକୁ । ଏ ଗୁଡ଼ାକ ନାନୀ, ବୁଇ, ଯାଇମୁ, ଖାଇମୁ ଭାଷାର ଲୋକ । ଦାସେ ବେଦି ପାଖରେ ପଡ଼ିଥିବା କେରପାଲ ଉପରେ ବସି ମୁହଁକୁ ଆଣ୍ଠୁ ଭିତରେ ଗୁଞ୍ଜି ଲକ୍ଷ୍ୟ କରୁଥିଲେ । ଗୋଟିଏ ଗୋଟିଏ କାମରାରେ କିଏ କେତେଥର ବିନା ଲାଇଟରେ ସଟ୍ ନେଇ ପାରୁଚି, ତାହାହିଁ ହେଲା ତାଙ୍କର ପ୍ରଧାନ ଲକ୍ଷ୍ୟ । ଗୋଟିଏ ରିଲ୍‍ ଫିଲ୍ମରେ ସେଇ ଚଷମା ଦିଆ ବରଯାତ୍ରୀଟି ଷୋହଳଟି ସଟ୍ ନେବା ଦେଖି ସେ ହସି ପକାଉଥିଲେ । ବିବେକ ହସନା କହିବାରୁ ଅଟକିଗଲେ । ହସିପକେଇ ଥିଲେ କିଛି ନା କିଛି କାଣ୍ଡ ସୃଷ୍ଟି ହୋଇଥାଆନ୍ତା ସେଠି ।

 

କାହାର କେଉଁଠିକି ଲକ୍ଷ୍ୟ ସ୍ଵୟଂ ବରଙ୍କ ଲକ୍ଷ୍ୟଥିଲା ସର୍ବାଙ୍ଗ ଆବୃତ୍ତା ଚିନ୍ମୟୀର ଗୋଡ଼ର ଆଙ୍ଗୁଠି ଆଡ଼ିକି । ଆଙ୍ଗୁଠି ଗୁଡ଼ିକୁ ଦେଖି ଦେଖି ସେ ଭାବିପତ୍ନୀଙ୍କ ଅବୟବର ରଙ୍ଗ, ଢଙ୍ଗ, ଲମ୍ବା ଚଉଡ଼ାକୁ କଳ୍ପନାର ମାପରେ ମାପୁଥିଲେ । ଥରେ ଥରେ ସେ ବିଭୋଳ ହୋଇ ଚିନ୍ମୟୀର ଗୋଡ଼ଆଙ୍ଗୁଠିରୁ ଗୋଟିଏ ଦିଓଟିକୁ ଛୁଇଁ ପକାଉଥିଲେ । ଠିକ୍ ଏତିକିବେଳକୁ ପୁରୋହିତେ କହି ଉଠୁଥିଲେ, ଦି ହାତରେ ଦୂବ–ବରକୋଳି–ଅରୁଆଚାଉଳ ଧରି ପୂର୍ଣ୍ଣକୁମ୍ଭକୁ, ନିକ୍ଷେପ କରନ୍ତୁ । ବରଙ୍କ ହାତ ଆଙ୍ଗୁଠି ଦେହରୁ ଉଠିଆସୁଥିଲା । ଦାସେ ଏସବୁକୁ ମଧ୍ୟ ଲକ୍ଷ୍ୟ କରୁଥିଲେ ।

 

ଠିକ୍ ଶଢ଼ୁ ବରଣବେଳକୁ କିନ୍ତୁ ଦାସେ କେରପାଲ ଉପରୁ ଉଠି ଅନ୍ୟତ୍ର ଚାଲି ଯାଇଥିଲେ । ବେଳା ଗଡ଼ିଯିବ ବୋଲି ପୁରୋହିତେ ଅପେକ୍ଷା ନ କରି, ବହିର ଅନ୍ୟପୃଷ୍ଠା ଲେଉଟେଇ ଗଲେ । ଶଢୁ଼ଙ୍କ ଉପସ୍ଥିତିରେ ତାଙ୍କ ଅନୁପସ୍ଥିତିରେ ଯାହାହେବା କଥା ସେୟା ହେଲା–ଗୁଆ ରଖାଗଲା ।

 

ସୁସ୍ନାତାଦେବୀ ପରେ ଦାସଙ୍କ ଉପରେ ମାର ନ ମାର ହୋଇ କହିଲେ, ଯୋଉଥିପାଇଁ ଭୟ କରୁଥିଲି, ସେୟା ହେଲା । ଆସି ନ ଆସିବା ଭଳି କାର୍ଯ୍ୟ କଲ । ହଉ ନେଲ ଏତକ କହି ଗୋଟାଏ ଲୁଗା ଯୋଡ଼, ଆଉ ଗୋଟିଏ ନଡ଼ିଆ ଧରେଇ ଦେଇ, ମୁହଁକୁ ଛିଞ୍ଚାଡ଼ି ପଶିଗଲେ ସେଇ ତରକାରୀ ଚଖା ଜାଗା ରନ୍ଧାଶାଳ ଭିତରକୁ । ଦାସେ ବୋକାଙ୍କ ଭଳି କୁଆଡ଼ିକି ନ ଯାଇ ମଝିଘର ଏରୁଣ୍ଡି ତଳେ ବସି ପଡ଼ିଲେ ।

 

...ବନ୍ଦାଣ ସରିଲା । ଚିନ୍ମୟୀ ବେଦୀରୁ ଫେରିଲାବେଳେ ଅଣ୍ଟିଏ ହେବ ଟଙ୍କା ପଇସା ଧରି ଆସିଲା । ସିଥିରେ ରୂପାଟଙ୍କା, ନୋଟ, ସୁନାଚୂଡ଼ି, ଶାଢ଼ି ଆଦି ନାନା କଥାଥିଲା । ସୁସ୍ନାତାଦେବୀ ଗଣାଗଣିବେଳକୁ ଆସି ପହଞ୍ଚିଲେ । ଚିନ୍ମୟୀ ଏ ସବୁ ପସରା ମେଲି ଦାସଙ୍କଠୁ ଟିକିଏ ଦୂରରେ ଲୁଚି ବସିଥାଏ । ସୁସ୍ନାତାଦେବୀ ଗୋଟିଏ ଗୋଟିଏ ଜିନିଷ ଆଣି ଦାସଙ୍କୁ ଦେଖାଉ ଥାଆନ୍ତି । ଫେରେଇ ନେଲାବେଳେ କହୁଥାଆନ୍ତି, ଦେଖିଲ ତ ? ମୁଁ କ’ଣ କହୁଥିଲି । ଇଠି ବାହା ହେଇଥିଲେ, ମୁଁ କ’ଣ ଇମିତି ପାଇ ନ ଥାନ୍ତି ? ଇଏ ତ ମୋ ତଳର । ମୁଁ ଥିଲି ବଡ଼... ।

 

ଦାସେ ଖାଲି ମୁରୁକି ମୁରୁକି ହସୁଥିଲେ । କହୁଥିଲେ, କ’ଣ ରିନୀ । ଲୋଭ ହଉଚି ? ସବୁକୁ ମିଶେଇ ଦେଲେ ତିନି ଚାରିଶହ ଟଙ୍କାର ହବନି । ଦିନକର ରୋଜଗାରରୁ ବି ନଅଣ୍ଟ । କହୁନ, ଦେଖେଇ ହେବାକୁ ଯଦି ଇଚ୍ଛା, ଆଜି ଲେଖିଲେ, କାଆଲିକି ଆସି କୋଡ଼ିଏ ପଚିଶ ଭରିର ହାର ପହଞ୍ଚିଯିବ । ମାସେ ରଖ, ଦିମାସ ରଖ, କେହି କିଛି କହିବେନି; କିନ୍ତୁ ଫେରେଇ ଦେବାକୁ ପଡ଼ିବ ।

 

ବି. ଡ଼ି. ଓ. ଙ୍କ ସ୍ତ୍ରୀ (ଯାହାକୁ ରିନାଦେବୀ ଭାଉଜ ବୋଲି ଡାକୁଥିଲେ) ଦେଇଥିବା ପ୍ରେଜେଣ୍ଟେସନ୍ ଭାନେଟି ବ୍ୟାଗଟି ରିନାଙ୍କ ମନକୁ ବେଶ୍ ପାଇଥିଲା । ଆଲୁଅ ପାଖକୁ ଆଣି, ଖୋଲିଖାଲି ସେ ଥରକୁ ଥର ଦେଖୁଥିଲେ । ଦାସଙ୍କ କାନକୁ ଗଲାଭଳି ପାଖରେ ବସିଥିବା ପଡ଼ିଶାଘର ହେମନାନୀକି କହୁଥିଲେ—ଦେଖିଲ ନାନୀ, ସୁନ୍ଦରଟିଏ ହେଇନି ? ୟାଙ୍କୁ ଇଥିରୁ ଗୋଟିଏ ଆଣିଦିଅ ବୋଲି କହି କହି ତୋଟି ଶୁଖିଗଲା, କ’ଣ ହେଲା ? ଇଥିରେ ପଇସା, ଏପାଖେ ନୋଟ, ଆଉଁ ଏପଟେ ଛୋଟ ପାନିଆଟିଏ, ଦର୍ପଣଟିଏ; ଏ ଛୋଟ ପାକେଟଟିରେ ଓଠଲଗା ଲିପ୍‍ଷ୍ଟିକ୍‍ଟିଏ ରହନ୍ତା, ହାତରେ ଝୁଲେଇ ଝୁଲେଇ ଯାଆନ୍ତି । ସିଏ କିମିତି ମର୍ଯ୍ୟାଦା ।

 

ହେମନାନୀ କହନ୍ତି, କିଲୋ ତୋ ଭାଗ୍ୟରେ ତ ନାଇଁ, ଚାହିଁଲେ କ’ଣ ହେଇଯିବ ?

 

ବାହାଘର ସରିଲା । ବରପକ୍ଷର ଆଳିପଣାକୁ ଆଣିଥିଲେ କେତେଣ୍ଡା ଛଡ଼ା କମଳାକୋଳ, ଆଉ କେତୋଟି କାବୁଲି କଦଳୀ—ଯେଉଁ କଦଳୀର ଉପର କଞ୍ଚା କଞ୍ଚା ଦିଶେ, ଭିତରଟା କିନ୍ତୁ ପାଚିଲା । କିଏ କେତେବେଳେ ଟୁଙ୍କି ଦେଲେ, ଦାସଙ୍କ ନିଦ ଭାଙ୍ଗିଲା, ସବୁ ଟୁଙ୍କା ସରିବା ପରେ ।

 

ତା ପରେ ରାତି ଅଧକୁ ଫୁଲସଭା, ବରକନ୍ୟାଙ୍କୁ ଆଶୀର୍ବାଦ, ଶ୍ଳୋକ ବୋଲା ଅଧ୍ୟାୟ । ସେ ଗୋଟାଏ ପାଲା... ।...ସୁସ୍ନାତାଦେବୀ ଦାସଙ୍କ ତୁଣ୍ଡକୁ ଚାହିଁ ରହିଥିଲେ । ଘରେ ଟିକିଏ କଥାରେ ଏତେ ଶ୍ଳୋକ ବାହାରେ, ଇଲେ ଅଥବା ଗୋଟିଏ ବାହାରିବ ପରା ! କିନ୍ତୁ ନିଜେ ଦାସେ ସେତେବେଳକୁ ସବୁ ଭୁଲି ଯାଇଥିଲେ । ଶୀତରେ ଥୁରୁ ଥୁରୁ ହୋଇ ସେ ଗରମ ଖୋଜୁଥିଲେ ।

 

ରାତି ପାହିଲା । ବାହାଘରବାସୀ ବେଦିମୁହଁ ପୋଡ଼ା ପରି, ଘରଦ୍ୱାର ବଡ଼ ଶ୍ରୀହୀନ ଦେଖାଯାଉଥିଲା ସେ ଦିନ । କିଏ କୁଆଡେ଼ ଚାଲିଗଲେ । ହାଉଯାଉ ଗଲା । ବରଯାତ୍ରୀ ଗଲେ, ଖାଲି ରହିଲା ଅଇଁଠା ହଣ୍ଡାଗୁଡ଼ା, ଅଧା ପୋଡ଼ା ନିଆଁ ଖୁଣ୍ଟାଗୁଡ଼ା ।

 

ଦାସେ ସେ ଦିନଟିଯାକ ବୁଲି ଶ୍ଵଶୁରଘର ଗାଁରେ ଉପର ଆକାଶଟାକୁ ଦେଖୁଥିଲେ । ଭାରି ନିର୍ମଳ ! ଗଛଗୁଡ଼ାକ ଭାରି ସବୁଜିଆ, ପଡ଼ିଆଗୁଡ଼ାକ ପ୍ରଶସ୍ତ । ପୋଖରୀଗୁଡ଼ାକ ଖାଲ ଖାଲ-। ବାଡ଼ି ଖାତଗୁଡ଼ାକରେ ତେଲୁଣୀପୋକ ଭଳି ମାଇକିନିଆଁ ମେଞ୍ଚା ମେଞ୍ଚା । ରାସ୍ତାଗୁଡ଼ାକ ଧୂଳିଆ ଧୂଳିଆ । ଚାଉଳ ବୋଝରୁ ମୁଠାଏ ଚାଉଳ ଧରି ଦେଖିଲେ, ସଫାସଫା, ସରୁ ସରୁ କିନ୍ତୁ ମୁଠାଏ ଚାଉଳ ଭିତରେ ଦିଅଣ୍ଡା ଦଶଟା କରି କରକଚା ଗୋଡ଼ି । ମନେ ମନେ ଭାବୁଥିଲେ—ୟାକୁଇ ଯିଏ ଖାଏ, ସେ କ’ଣ କେବେ ଡାଳିମ୍ବଦନ୍ତୀ ହୋଇପାରେ ! କିନ୍ତୁ ରିନାଦେବୀଙ୍କ ଦାନ୍ତଗୁଡ଼ିକ ତ ଭାରି ସରୁ ସରୁ । ହୁଏତ ସେ ଡୋମିସାଇଲ୍‍ଡ ହେଇଥିବେ ।

 

ଦାସଙ୍କୁ ସବୁଠୁ ଭଲ ଲାଗିଥିଲା, ଏହି ନୀଳ–ନିର୍ମଳ ଆକାଶ ତଳର ଲୋକଗୁଡ଼ାକଙ୍କ ବଙ୍କା ବଙ୍କା ଭାଷା । ଏ ଭାଷା ଶୁଣି ତାଙ୍କର ମନେ ପଡ଼େ ଦଶ ପନ୍ଦର ବର୍ଷ ତଳର କଥା ।

 

ବଂଶୀ ବୋଲି ଗୋଟିଏ ପୂଜାରୀ ଥିଲା ତାଙ୍କର । ଖରାଦିନ । ଖିଆପିଆ ସାରି ଦାସେ ଗଲେ ଛାତ ଉପରକୁ ଶୋଇବା ପାଇଁ । ବଂଶୀ ଥଣ୍ଡା ପଡ଼ିବ ବୋଲି ତଳେ ଶୁଏ । ଠିକ୍ ଅଧରାତିବେଳକୁ ହଠାତ୍ ଡାକ ପକାଇଲା, “ଏ ବୁଆ ଜୁଇ, ଏ ବୁଆ ଜୁଇ” । ଏ ବୁଆ ଜୁଇ ବୋଲି ଦାସଙ୍କ କାନରେ ପଡୁ଼ଥାଏ, କିନ୍ତୁ ସେ କିଛି ବୁଝିପାରୁ ନ ଥିଲେ । ହଠାତ୍ ରୋଷେଇ ଘରଉପରେ ଲେଲିହାନ ଅଗ୍ନିଶିଖାକୁ ଦେଖି ବୁଝି ପାରିଲେ ସେ, ଜୁଇ ବୋଇଲେ ନିଆଁ । ବଙ୍ଗଳା–ହିନ୍ଦୀ–ଓଡ଼ିଆ ମିଶା ଏଇ ଭାଷାକୁ ବୁଝିବା, ଶିଖିବା ପାଇଁ ବହୁତ ଚେଷ୍ଟା କରିଥିଲେ ସେ, ଏ ପର୍ଯ୍ୟନ୍ତ ପାରିଲେ ନାହିଁ ।

 

ଶ୍ଵଶୁରଘର ତ ନୁହେଁ, ଦାସେ ଭାବୁଥିଲେ ଏଇଟା ଗୋଟାଏ ରାଜଉଆସ । ମଣିଷ ଏଠି ଅହିୟସରେ ବଢ଼େ । ସକାଳୁ ସକାଳୁ ଚାହା । ଟିକିଏ ମିଠା କିମ୍ବା ଟିକିଏ କଡ଼ା ନ ହେଲେ, କପେ ପିଇଦେବା ପରେ ଶାଳକ କହନ୍ତି, ଏଇଟା ଭଲ ହେଲାନି, ଆଉ କପେ ହୁଅନ୍ତା ଯହି... ? ମୁହଁଧୂଆ, ଦାନ୍ତଘଷୀ, ଝାଡ଼ାଫେରା ସାଙ୍ଗକୁ ଚାହା କପେ ଦି’କପ ନିତ୍ୟ ନୈମିତ୍ତକ ଭୋଗ । ସେତକ ନ ହେଲେ କୁଆଡେ଼, ଏ ଘରର ଯୁବରାଜ, ଟିକାୟତ, ରାଜଜେମାମାନଙ୍କର ଝାଡ଼ା ସଫା ହୁଏନା ।

 

ଚାହାର ମାହାତ୍ମ୍ୟ ଯିମିତି ଏ ଘରେ ମାଦଳାପାଞ୍ଜି ଭଳି ଆବହମାନକାଳରୁ ଲେଖାଚାଲିଚି । ଚା କିମିତି ତିଆରି କଲେ କିମିତି ଲାଗେ, ଚାହା ଖାଇଲେ ଦେହକୁ କୋଉ ଭିଟାମିନ ମିଳେ, ବ୍ଲଡ଼ପ୍ରେସର କିମିତି କମେ, ମସଲସ୍ ବଢ଼େ, ଏଇସବୁ କଥା ଏହି ପାଞ୍ଜି ଖୋଲିଲେ ଜଣାଯାଏ । ତା ଛଡ଼ା ପାନଖିଆ । ସେ ଛଅଟି ଶାଳୀ ମଧ୍ୟରୁ ଜଣଙ୍କ ପରେ ଜଣେ ପାଳି କରି ଦେଇଥାଆନ୍ତି । ସକାଳୁ ଉଠୁ ଉଠୁ ଜଣେ ସେରେ ହେବ ଗୁଆକୁ ଆଗରେ ଧରି କାଟି ବସେ । ପୁରୀ ମହାର୍ଦ୍ଦକୁଡ଼ୁଆ ଭଳି ଏଡ଼େ ବଡ଼ କୁଡ଼ୁଆଟାକରେ ଏତେ ଚୂନ । ପ୍ରଦର୍ଶନୀ ପାନ ଦୋକାନଠାରୁ ଏଠା ପାନପସରା ଟିକିଏ ବଡ଼ ହେବ ସିନା, କୌଣସି ପରିମାଣରେ ଛୋଟ ହେବ ନି । ଏ ଘର ଗାଈଗୁହାଳରେ ଥିବା ମଣିଷରୂପୀ ପାଳିତପଶୁଗୁଡ଼ିକର କାମ ହେଲା ସକାଳୁ ପେଜ ପିଇଲା ଭଳି କପ୍ କପ୍ କରି ଚାହା ପିଇବା, ଘାସ ଚୋବାଇଲା ଭଳି ପାନ ଚୋବାଇବା, ଭଲ ମନ୍ଦ କରି ଥାଳିଏ ଥାଳିଏ ଗିଳିବା ।

 

ରାତିହେଲେ.....

 

ସେ ଅନ୍ୟ ଏକ ବ୍ୟାପାର । ସୁସ୍ନାତାଦେବୀ ଯାହା ଏ ଯାଏଁ ଲୁଚାଇଥିଲେ, ଦାସେ ଆସି ତାହା ନିଜେ ଅନୁଭବ କରିଗଲେ ।

 

ଶୀତଦିନ କିନା । ଦୁଆର–ଘର ବନ୍ଦ ହୁଏ । ଗୋଟିଏ ଗୋଟିଏ ରେଜେଇ ଘୋଡ଼େଇ ହେଇ ଏଇ ରାଜ୍ୟର ମାନବମାନେ ବସନ୍ତି । ସିଆଡ଼ୁ ରାଜୁବାବୁ, ଏପଟୁ ବେଣୁ ପଣ୍ଡିତେ ଆସି ଜୁଟନ୍ତି । ବେଣୁ ପଣ୍ଡିତେ କୁଆଡ଼େ ଦାସଙ୍କ ଶ୍ଵଶୁରଙ୍କ ସ୍ତ୍ରୀଙ୍କ ଭାଇ । ଏ ଦୁହେଁ ଯିବାବେଳକୁ ରାତିକାର ବାଜେ । ରାଜୁବାବୁ ଏ ମୂଲକର ବଡ଼ ହାକିମ କି ହାକିମ–ଦାସେ ଏ ଖବର ରଖିପାରି ନାହାନ୍ତି । ସେ ଯାହାହେଉ...ମଝିରେ ରଢ଼ ନିଆଁରେ ଉମେଇ । ତାକୁ ଘେରି ବସନ୍ତି ଶ୍ଵଶୁର ସମେତ ସେଇ ଦୁଇଜଣ । ଶାଶୁ ସିଆଡ଼େ ରୋଷେଇରେ ବ୍ୟସ୍ତ ଥାଆନ୍ତି । ମଝି ମଝିରେ ଆସନ୍ତି ଯେତେବେଳେ ଶ୍ଵଶୁର ଡାକ ପକାନ୍ତି, “ହଇହେ ପାଟି ଶୁଖିଗଲାଣି, ପାନ ଦବନି ?”

 

ତା’ପରେ ଚାଲେ ରାଜନୀତି । ଆରମ୍ଭ ହୁଏ—ପ୍ରଥମେ ସେଇ ଘରରୁ—ତା ପରେ ସେ ମୂଲକର । ସେଇଠୁ ଓଡ଼ିଶା, ଓଡ଼ିଶାଠୁ ଭାରତ, ଭାରତଠୁ ପୃଥିବୀ, ପୃଥିବୀରୁ ମଙ୍ଗଳଗ୍ରହ, ଚନ୍ଦ୍ରଆଦି ଉପଗ୍ରହ ବିଷୟ ।

 

ବେଣୁ ପଣ୍ଡିତେ ଆରମ୍ଭ କରନ୍ତି କାଶ୍ମୀର କଥା କ’ଣ ହେଲା ? ସାମାନ୍ୟ ଜ୍ୟୋତିଷୀ ଜାଣିଥିବା ରାଜୁ ହାକିମେ କହନ୍ତି—ଏଇ ମାସକ ଭିତରେ ଯୁଦ୍ଧ ଲାଗିଯିବ । ବେଣୁ ପଣ୍ଡିତେ କହନ୍ତି, କଦାପି ହୋଇ ନ ପାରେ । ଯୁଦ୍ଧ ଏ ନେହେରୁ ସରକାର କେଭେଁ କରେଇ ଦେବେ ନି । ଏମାନଙ୍କର ପରା ଶାନ୍ତି ନୀତି ।

 

ଶ୍ଵଶୁରେ କହନ୍ତି, ଆହେ ଶାନ୍ତି କଣ ? ଦେହରେ ଚାରିଆଡ଼ୁ ତେଣ୍ଟା ବସିଲାଣି, ଇଆଡ଼େ ଚୀନ, ସିଆଡ଼େ ପାକିସ୍ଥାନ, ତା ସାଙ୍ଗକୁ ପର୍ତ୍ତୁଗାଲ । ନେହେରୁ ଯୁଦ୍ଧ କରିବେନି ଯିବେ କୁଆଡ଼େ ? ବେଣୁ ପଣ୍ଡିତେ କହନ୍ତି, ଭାରତର କ’ଣ ଏତେ ଶକ୍ତି ଅଛି ? ଚୀନକୁ ହଟେଇ ପାରିବ ?

 

ରାଜୁ ହାକିମେ କହନ୍ତି, ସେ ଯାହାହେଉ, ଗଣନାରୁ ଯାହା ବାହାରିଲା, ସେଇ କଥା କହୁଚି । ଯୁଦ୍ଧ ନ କରି ନେହେରୁ ଯିବେ କୁଆଡ଼େ ?

 

ସେଇଠୁ ଆରମ୍ଭ ହୁଏ ପାଟିତୁଣ୍ଡ । ଠିକ୍ ସିଏ ଏକ ଗୋଆ ଯୁଦ୍ଧଭଳି । କିଏ ନିଆଁ ଖୁଣ୍ଟା ଉଠାଏ ତ, କିଏ ଅଧା ଗରମ ଚାହା କପ ଉଠାଇ ଠିଆହୁଏ । ଏ ପାଟିତୁଣ୍ଡ ମଧ୍ୟରେ ପାନଖିଆ କଥା କିନ୍ତୁ କେହି ଭୁଲି ନ ଥାଆନ୍ତି...ଶ୍ଵଶୁର ପାଟି କରନ୍ତି, ମୂର୍ଚ୍ଛନା । କିଲୋ ପାନ ଭାଙ୍ଗି ଆଣିଲୁ ?

 

ସୁସ୍ନାତାଦେବୀ ବନାମ ମୂର୍ଚ୍ଛନାଦେବୀ ସେତେବେଳେ ଆର ଘରେ ଡିବି ଜାଳି ଦାସଙ୍କଠାରୁ ଘରର ଜମାଖର୍ଚ୍ଚ ହିସାବ ନେଉଥାଆନ୍ତି । ବାପାଙ୍କ ପାଟି ଶୁଣି, ସେ ଛଅ ଭଉଣୀଙ୍କ ମଧ୍ୟରୁ ଜଣକୁ କହନ୍ତି, ଗଲୁ ଲୋ ତକଡ଼ି ! (ତକଡ଼ି ଭଳି ଦିନସାରା ଇଠିକି ସେଠିକି ଘୂରେ ବୋଲି ବାପା ତା ନାଁ ଦେଇଥାଆନ୍ତି ତକଡ଼ି) ବାପାଙ୍କ ପାଇଁ ପାନ ଭାଙ୍ଗିବୁ । ତକଡ଼ି ନାନୀର ଆଦେଶକୁ ଅମାନ୍ୟ କରିପାରେନା । ଏଇ ନାନୀ କୁଆଡ଼େ ତାକୁ ଭଲ ବରଟିଏ ଦେଖେଇ ବାହା କରାଇ ଦେବ ବୋଲି ବହୁଦିନୁ ପ୍ରତିଶ୍ରୁତି ଦେଇଆସିଚନ୍ତି; ସେଥିପାଇଁ ସେ ତାଙ୍କର ବୋଲ ମାନେ । ପାନ ଭାଙ୍ଗିବା ପାଇଁ ଘୋଡ଼ିଆଘୋଡ଼ି ହୋଇ ବାହାରେ ସେ ।

 

ପାନ ଖିଲ ଖଣ୍ଡେ ଖଣ୍ଡେ ପାଟିରେ ଗୁଞ୍ଜିଦେଇ ତନି ବନ୍ଧୁକ ମଧ୍ୟରେ ପଡ଼େ ଆନ୍ତର୍ଜାତିକ ରାଜନୀତି କଥା । ଋଷ ସହିତ ଚୀନର ଯଦି ନ ପଡ଼େ, କଙ୍ଗୋରେ ଯଦି ଜାତୀୟବାଦୀ ସୈନ୍ୟମାନେ ହଟି ଯାଆନ୍ତି, ପାକିସ୍ତାନ ଯଦି ଚୀନ ସହିତ ମେଣ୍ଟ ବାନ୍ଧେ, ତାହାହେଲେ ବିଶ୍ୱଶାନ୍ତିରକ୍ଷା ଅସମ୍ଭବ ହୋଇପଡ଼ିବ ।

 

ରାଜୁ ହାକିମେ କହନ୍ତି, ପଡ଼ିବ କ’ଣ ମ, ପଡ଼ିଗଲାଣି । ଏହି ବର୍ଷେ ଦି’ ବର୍ଷ ଭିତରେ ମଣିଷ ଜାତିଟା ଧ୍ଵଂସ ପାଇଯିବ । ବିଶ୍ଵର ଜାତକରେ ସେୟା ଅଛି । କ’ଣ ପଣ୍ଡିତେ ! ଠିକ ନୁହେଁ ?

 

ପଣ୍ଡିତେ ମୁଣ୍ଡ ହଲେଇ କହନ୍ତି, ହଁ ସେଇ କଥାତ । ଦାସଙ୍କ କାନରେ ଏକଥା ପଡ଼େ । ସୁସ୍ନାତାଦେବୀକୁ କହନ୍ତି, ଜମାଖର୍ଚ୍ଚ ହିସାବଟା ଏ ରାତିକ ଭିତରେ ଛିଣ୍ଡି ଯିବନି । ଆଉ ମାସକ ପରେ ତ ତମେ ଘରକୁ ଯିବ, ସେଇଠି ଛିଣ୍ଡେଇ ଦେବା ।

 

ସୁସ୍ନାତାଦେବୀଙ୍କୁ ଲାଜମାଡ଼େ । ବଡ଼ ପାଟିରେ କହି ପାରନ୍ତିନି । ଆଖିକି ଠାରି କହନ୍ତି, ଆଉ ଘଣ୍ଟେ ଦି ଘଣ୍ଟା ଇମିତି ଅଛିଣ୍ଡା ରଖିଥାଅ, ନଇଲେ ବାପା ଇଲେ କହିବେ, କଥାବାର୍ତ୍ତା ସରିଲା ପରା—ବାବୁଙ୍କୁ କହ, ଆର ଘରେ ଶେଯ ପଡ଼ିଚି, ଯିବେ ଶୋଇବେ ।

 

ସୁସ୍ନାତାଦେବୀଙ୍କର ଇଚ୍ଛା—ଦାସେ ଯେ ରାତିଟିଏଯାକ ତାଙ୍କରି ପାଖରେ ଜାକିଜୁକି ହୋଇ ବସନ୍ତୁ ବା ଶୁଅନ୍ତୁ; କିନ୍ତୁ ରୁହନ୍ତୁ । କିନ୍ତୁ ଦାସଙ୍କର ଏଡ଼େବଡ଼ ରାଜନୀତି ଚର୍ଚ୍ଚାକୁ ଛାଡ଼ି ଦେବାପାଇଁ ଇଚ୍ଛା ନୁହଁ ।

 

ଏଇ ରାଜନୀତିହିଁ ତାଙ୍କୁ କଲେଜ ପଢ଼ାବେଳୁ ଟାଣି ରଖିଥିଲା ସେ ବାହା ହେବାଯାଏଁ—ଦୀର୍ଘ ଦଶବର୍ଷ । ଥରେ ଥରେ ଲାଲ ପତାକା, ଚାନ୍ଦା ଡିବା, ଲିଫଲେଟ୍‍ ବଣ୍ଟା, ବକ୍ତୃତା ଦିଆ, ନିର୍ବାଚନ ଲଢ଼େଇ ସାଙ୍ଗକୁ ଦିନ ଦିନ ଧରି ଭୋକ ଉପାସରେ ୟା ତା ଦୁଆରମୂହଁରେ ପଡ଼ିରହିବା କଥା ମନେପଡ଼େ । ଆଖିରୁ ଲୁହ ଝରି ପଡେ଼ । ମନେ ମନେ ଭାବନ୍ତି, ଅନୁଶୋଚନା କରନ୍ତି । କହନ୍ତି, ଅଜାଣତରେ ନିଜକୁ ନିଜେ କେଡ଼େ ଠକାଟେ ଠକେଇଲେ ସେ । ଏଇ ନିଧି ସାହୁ ଯିଏ କି ଆଠଦିନ ତଳେ ତାଙ୍କରି ଆଖି ଆଗରେ କନ୍‍ଭୋକେସେନରେ ବୁକୁକୁ ଫୁଲେଇ ଡକ୍ଟରେଟ ଉପାଧି ନେଲା, ଏଇ ଅରବିନ୍ଦ ଦାସ—ଯାହା ସାଙ୍ଗରେ ସେ ବର୍ଷ ବର୍ଷ ଧରି ଚାନ୍ଦା ଡିବା ଧରି ଦୁଆର ଦୁଆର ଭିକ ମାଗୁଥିଲେ, ସିଏ ଆଜି ଲାଲ ମର୍ସିଡେସ୍ ଗାଡ଼ି ଧରି, ପଛରେ ସ୍ତ୍ରୀକୁ ବସାଇ ପିନ୍ ପିନ୍ କରି ଚାଲିଯାଉଚି । ଯାହାଘରେ ଲକ୍ଷ ଲକ୍ଷ ଟଙ୍କାର ଆସବାବ ପତ୍ର, ସମସ୍ତେ ଥିଲେ ତାଙ୍କର ସହକର୍ମୀ । ସମସ୍ତେ କହୁଥିଲେ, ଆମେ ସୋସାଲିଜମ୍ କରିବୁ, ଆଦର୍ଶ ଆମ ଆଗରେ ବଡ଼, ପଇସା କିଛି ନୁହେଁ, କଲେଜ ଶିକ୍ଷା ଗୋଟାଏ ଫେସନ୍ । ସେମାନେ ଆଗତୁରା ଆଦର୍ଶରୁ ଖସିଯାଇ ଆଗକୁ ଆଗକୁ ମାଡ଼ି ଚାଲିଲେ, ଆଉ ଇଏ ଆଦର୍ଶକୁ ଧରି ପଛକୁ ପଛକୁ ଘୁଞ୍ଚି ଚାଲିଲେ, ଏକାବେଳକେ ତଳିତଳାନ୍ତ ହେବାଯାଏଁ ।

 

ଇଏ ସେଇ ପଲିଟିକ୍‍ସ...ଦାସେ ଛାଡ଼ିଦେଇଥିଲେ ମଧ୍ୟ ପଲିଟିକ୍‍ସ ତାଙ୍କୁ ଛାଡ଼ିଦେଇ ପାରିନି । ପେଟର କଲିକ୍ ସାଥିରେ ସିଏ ଏକ କ୍ରନିକ୍ ରୋଗ ଭଳି ରହି ଆସିଚି । ଦେହର ଚମଡ଼ାରେ ପଲିଟିକ୍‍ସର ରଙ୍ଗିନ ଥିଲେ ମଧ୍ୟ ଦେହର ରକ୍ତରେ ତାର ଜୀବାଣୁ ବିଣ୍ଡା ବାନ୍ଧି ରହିଛି ଠିକ୍ କେଞ୍ଚୁଆ ଭଳି ଥରେ ଥରେ ଏଇ କେଞ୍ଚୁଆ ତାଙ୍କୁ କାମୁଡ଼େ । ଦେହ ଥରି ଉଠେ...ତାଙ୍କ ମୁହଁରେ ବଜ ବଜ ହେଇ ସେଗୁଡ଼ିକ ବାହାରି ପଡ଼େ ।

 

ଦାସେ ଉଠିଯିବାକୁ ଉଦ୍ୟତ ହୁଅନ୍ତି । ସୁସ୍ନାତାଦେବୀ କହନ୍ତି, ସିଆଡ଼େ ଯାଅନି । ବହୁ କଷ୍ଟରେ ମୁଁ ତମକୁ ଏଠିକି ଘୁଞ୍ଚେଇ ଘୁଞ୍ଚେଇ ଆଣିଚି । ଶୁଣୁଚ ତ ମଣିଷ ଗୁଡ଼ାକର ଆୟୁଷ ମୋଟେ ଆଉ ଦି ବର୍ଷ । ସେଥିରେ ପୁଣି ତୁମ ଭଳି ଜଣେ ଅମଣିଷ...ମୁଁ ବୋଲି ଅଣ୍ଡା, କଦଳି, ଦୂଧ ଦେଇ ଦେଇ ଅଟକେଇ ରଖିଚି, ନଇଲେ କୋ ଦିନଠୁ....... ।

 

ସୁସ୍ନାତା ଦେବୀ ଓ ରାଜୁ ହାକିମଙ୍କର ଦି’ବର୍ଷ ଆୟୁଷର ଦୀର୍ଘଜୀବନ କାମନା, ଦାସଙ୍କୁ ଟିକିଏ ଆଶ୍ୱାସନା ଦେଇଥିଲା । ଦି’ବର୍ଷ ବୋଇଲେ କେତେଦିନ, କେତେ ଘଣ୍ଟା ସେ ମନେ ମନେ ଗଣି ଗଣି ସୂସ୍ନାତା ଦେବୀଙ୍କୁ କହିଲେ—ବୁଝିଲ ରିନା, ଦି’ବର୍ଷ କାଳ ।

 

ତିନି ବନ୍ଧୁଙ୍କ ଭିତରେ କଥାବାର୍ତ୍ତା ପଡ଼ିଥାଏ...ଦି ବର୍ଷ ଯଦି ବଞ୍ଚୁ, ତାହାହେଲେ ଏତେ ଚିନ୍ତା କାହିଁକି ? ଯାହା ଆସ୍ତି ଅଛି, ସେତକକୁ ବିକି ଭାଙ୍ଗି ଖାଇଲେ ତ ଆରାମ ।

 

ଦାସଙ୍କ ମନେ ପଡ଼ିଲା, ପନ୍ଦର ବର୍ଷ ତଳର କଥା । ସେ ସେତେବେଳେ ହାଇସ୍କୁଲ ଛାତ୍ର । ତାଙ୍କ ଆଗ ଦୁଆରୀରେ ନାରଣ ମହାପାତ୍ର ବୋଲି ଠିକ ଏଇ ପଣ୍ଡିତଙ୍କ ଭଳି ଜଣେ ଡେଙ୍ଗା ପଣ୍ଡିତ ଥିଲେ । ସେତେବେଳେ ଶୁଣାଗଲା, ଏଇ ମାସକ ଭିତରେ ପୃଥିବୀ ପ୍ରଳୟ ହୋଇଯିବ । ପଣ୍ଡିତେ ପାଞ୍ଜି ଦେଖି ଗଣିଲେ, ଠିକ୍ କଥା ପ୍ରଳୟ ସୁନିଶ୍ଚିତ । ଘରେ ସ୍ତ୍ରୀଙ୍କୁ ଓ ଏକମାତ୍ର କନ୍ୟା ରେବତୀକୁ କହିଲେ, ମତେ ଚୋଠା, କାମ୍ପି ବୋଲି କହୁଚ ପରା, ଦେଖ କାଲିଠୁଁ..... ।

 

—କାଲିଠୁ ଖାଲି ତାଙ୍କ ସ୍ତ୍ରୀ ଓ କନ୍ୟା ଦେଖିଲେ ନାଇଁ ତାଙ୍କ ଗାଁ ଗୋଟାଯାକ ଲୋକ ଦେଖିଲେ, ମିତବ୍ୟୟୀ ପଣ୍ଡିତେ ହଠାତ୍ ମୃକ୍ତହସ୍ତ ହୋଇ ପଡ଼ିଛନ୍ତି । ଦାଣ୍ଡକୁ ଘିଅ ବାଲା ଆସିଲା ତ, ଡାକ ପଡ଼ିଲା, ଆଉ କାହା ପାଖରେ ଦେବା ଦରକାର ନାଇଁ, ଯାହା ଆଣିଚୁ ଏଇଠି ଦେଇ ଯା । ଘରେ ସ୍ତ୍ରୀକୁ ବରାଦ ଦେଲେ, ଆଜି ଆରିଷା ହେବ । ଝିଅ ପାଇଁ ଦାମିକା ଶାଢ଼ି, ବ୍ଲାଉଜ, ସ୍ତ୍ରୀ ପାଇଁ ଚଟି, ସ୍ନୋ, ପାଉଡ଼ର । ସେତେବେଳେ ଯାହା ଯାହା ବଜାରରେ ‘ଉପଭୋଗ୍ୟ ଜିନିଷ ମିଳୁଥିଲା, ପଣ୍ଡିତେ ଘରେ ଆଣି ରୁଣ୍ଡ କଲେ । ଚାହୁଁ ଚାହୁଁ ମାସକ ଭିତରେ ସବୁ ସଞ୍ଚୟଧନ ଶେଷ । ଖାଲି ରହିଲା ଘର ଖଣ୍ଡିକ, ସେତକ ମଧ୍ୟ ବିକା ସରିଲା । ଠିକ୍ ପ୍ରଳୟ ଆସିବାର ପୂର୍ବଦିନ, ଅତି ଆଦରର ଆମ୍ବତୋଟାଟି ମଧ୍ୟ ହସ୍ତାନ୍ତରିତ କରିଦେଇ, ପଡ଼ିଶା ଘର ମକରଧ୍ଵଜ ମହାପାତ୍ରଙ୍କୁ କହିଲେ—ବୁଝିଲ ମକର, କାଆଲି ପ୍ରଳୟ, ସକାଳୁ ଉଠିଲା ବେଳକୁ କିଛି ନ ଥିବ । ମୁଁ ଚାହେଁ ଶୂନ୍ୟ ହସ୍ତରେ ମରିବାକୁ । ୟାଠୁ ବଳି ପୂଣ୍ୟ କିଛି ନାଇଁ ।

 

—ପୃଥିବୀରେ ପ୍ରଳୟ ଆସିଲା କି ନାହିଁ ଅନ୍ୟମାନେ କେହି ଜାଣି ପାରିଲେ ନାଇଁ, କିନ୍ତୁ ପଣ୍ଡିତେ ଜାଣିଲେ । ସତକୁ ସତ ସକାଳ ପାହିଲାବେଳକୁ, ଘରେ କେହି ନାହାନ୍ତି । ପଣ୍ଡିତେ ଶୂନ୍ୟ ହସ୍ତରେ ଗାଁ ଛାଡ଼ି ସ୍ତ୍ରୀ କନ୍ୟାକୁ ଧରି ପୁଣ୍ୟ ଅର୍ଜନ କରିବା ଲାଗି ସ୍ୱର୍ଗକୁ ଖୋଜି ଖୋଜି ଚାଲିଗଲେ କଳାହାଣ୍ଡି ପର୍ଯ୍ୟନ୍ତ ।

 

ସୁସ୍ନାତା ଦେବୀ ପଚାରିଲେ, ସେମାନେ ସିନା ତିନିଜଣ । ଦି’ ବର୍ଷ ପରେ ଯେଉଁ ପ୍ରଳୟ ଆସିବ, ସେତେବେଳେ ପୃଥିବୀର ଏତେଗୁଡ଼ାଏ ମଣିଷ କୁଆଡ଼େ ଯିବେ ?

 

—କାହିଁକି ମଙ୍ଗଳ, ଶନି, ବୁଧ, ଚନ୍ଦ୍ର ଆଦି ଦେଶକୁ ତ ବାଟ ଫିଟିଗଲାଣି । ଗୁଡ଼ାଏ ଲୋକଙ୍କୁ ଆମେରିକା, ଆଉ ଗୁଡ଼ାଏ ଲୋକଙ୍କୁ ରୁଷଧରି ଚାଲିଯିବ !

 

—ଆମେରିକା ରୁଷ ଭିତରେ ପରା କଳିକଜିଆ ?

 

—କଳିକଜିଆ ସେଇଠି ଲାଗିବ । ସେଠି ପୁଣି ଯେତେବେଳେ ପ୍ରଳୟ ଆସିବ, ସେତେବେଳକୁ ଭଗବାନ ପୃଥିବୀର ଅଇଁଠାପତ୍ର, ଅଳିଆ ଆବର୍ଜନାତକ ସଫା କରି ଦେଇ ସାରିଥିବେ । ପୁଣି ସେ ପୃଥିବୀକୁ ଡାକି ନେଇ ଆସିବେ । ଆଗେ ସିନା ଖାଲି ଭଗବାନଙ୍କ ପକ୍ଷରେ ଗୋଟାଏ ସମସ୍ୟା ହୋଇଥିଲା, ଏବେ କ’ଣ ଆଉ ସେ ସମସ୍ୟା ଅଛି ।

 

ସୁସ୍ନାତାଦେବୀ ମନେ ମନେ ଭାବୁଥିଲେ, ସେ ତାଙ୍କ ଅଙ୍ଗ୍ଳୋଲଇଣ୍ଡିଆନ କୁକ୍‍କୁରଟା ନାଁ ସ୍ପୁଟନିକ ଦେଇ ଠିକ୍ କରିଛନ୍ତି । ଯେଉଁମାନେ ସ୍ପୁଟନିକର ସ୍ତାବକ, ସେମାନେ ପ୍ରଥମେ ମଙ୍ଗଳ ଉପଗ୍ରହ ବା ଯେଉଁ ଗ୍ରହକୁ ହେଉ ଆଗ ଯିବାକୁ ନିଶ୍ଚୟ ଚାନ୍‍ସ ପାଇବେ । ଟିକିଏ ଆଗରେ ଗଲେ, ଜମିର ଦର କମିବ । ଅନ୍ତତଃ ଏକର ଚାରିଶହ ଟଙ୍କାରୁ ତ ବେଶି ନ ଥିବ । (ଚାରିଶହ ଟଙ୍କାଟା ତାଙ୍କର ହଠାତ ମନେ ପଡ଼ିବାର କାରଣ ସେ ନିକଟରେ ଘର କରିବେ ବୋଲି ଗୋଟିଏ ଜାଗାକୁ ଏକର ଚାରିଶହ ଟଙ୍କାରେ କିଣିଚନ୍ତି) । ନଚେତ ପରେ ଲକ୍ଷ ଲକ୍ଷ ଟଙ୍କାକୁ ଉଠିଗଲେ, ହଇରାଣ ହେବେ । ତାଙ୍କର ଇଛା, ସାତ ଆଠ ବଖରା ଘର ଖଣ୍ଡିଏ ହ’ନ୍ତା । ବାଡ଼ିବଗିଚା କରିବା ପାଇଁ ଘର ଆଗକୁ ପଛକୁ କିଛି ଜାଗା ଥାଆନ୍ତା, ସବା ଶେଷରେ ମାଛ ଛାଡ଼ିବା ପାଇଁ ପୋଖରୀଟିଏ କରନ୍ତେ, ବଗିଚାରେ ଫୁଲଗଛଗୁଡ଼ିଏ ଲଗାନ୍ତେ । ତା’ ସାଙ୍ଗକୁ କୁକୁଡ଼ାଗୁଡ଼ିଏ ମଧ୍ୟ ପୋଷନ୍ତେ । କିନ୍ତୁ ଦାସଙ୍କୁ ତ ଆଗେ ଯିବାକୁ ଚାନ୍‍ସ ମିଳିବନି । ସ୍ଫୁଟନିକ ନାଁ ଧରିଲେ, ସେ ନାକ ଟେକନ୍ତି । ଏଇ ନାକଟେକା ଅଭ୍ୟାସ ଯୋଗୁଁ ସବୁତ ହିନସ୍ତା ।

 

ସୁସ୍ନାତାଦେବୀ ପ୍ରକୃତିସ୍ଥ ହୋଇ ଦାସଙ୍କୁ ପଚାରିଲେ—ଆଚ୍ଛା କୋଉ ଗ୍ରହରେ ଅଧିକ ଶୀତ ? କୋଉ ଗ୍ରହକୁ ଗଲେ ମଣିଷର ଚମଡ଼ା ଏକାବେଳକେ ସଫେଦ ହୋଇଯାଏ ?

 

ଶ୍ୟାମାଙ୍ଗୀ ସୁସ୍ନାତା ଦେବୀଙ୍କ ଭାରି ଇଚ୍ଛା ଏକାବେଳକେ ତୋଫା ହୋଇଯିବା ପାଇଁ । ଦାସେ ସେ କଥା ବୁଝି ପାରିଲେ ବୋଲି କହିଲେ, ଭୟ କରିବାର କିଛି ନାହିଁ । ଆମେରିକା ଓ ଋଷ ଉଭୟେ ଶୀତଦେଶ । ସେମାନେ ଯେତେବେଳେ ଆମର ବାହକ, ସେତେବେଳେ ନିଶ୍ଚିନ୍ତ ହୁଅ ଯେ ସେମାନେ ଶୀତ ଜାଗାକୁ ହିଁ ବାଟ ବଢ଼େଇ ନେବେ । ଋଷର ସାଇବେରିଆରେ ଲୋକଙ୍କ ସାଥିରେ ଚାଲି ଗଲେ, ତୁମର ମନସ୍କାମନା ଅଚିରେ ପୂର୍ଣ୍ଣ, ହୋଇଯିବ ।

 

ସେତେବେଳକୁ ଆର ଘରୁ ଚିନ୍ମୟୀର ପାଟି ଶୁଭିଲା—ଆଚ୍ଛା ଜୋଇଁ କୋଉ ଗ୍ରହକୁ ଗଲେ, କଳା କଳା ଲମ୍ବା ବାଳ ଅଧିକ ବଢ଼ି ପାରିବ ?

 

ଦାସେ କହିଲେ, ଆଫ୍ରିକାର ଠିକ୍ ଉପରକୁ ଯୋଉ ଗ୍ରହଟା ଥିବ, ସେଇଠିକି ଚାଲିଯିବ । କିନ୍ତୁ ଗୋଟିଏ ସର୍ତ୍ତ, ଯିଏ କଳା କଳା ଲମ୍ବା ଲମ୍ବା ବାଳ ବଢ଼େଇବାକୁ ଚାହୁଁଥିବ, ସେ ତା ଦେହର ବର୍ଣ୍ଣକୁ ମଧ୍ୟ କଳା ରଖିବାକୁ ଚାହିବା ଆବଶ୍ୟକ । ନଚେତ୍ ସେମାନଙ୍କୁ ସେ ଗ୍ରହକୁ ପଠାଯିବ ନାହିଁ-

 

ସୁସ୍ନାତାଦେବୀ କହିଲେ, ହଇଲୋ ଚିନ୍ମୟୀ, ତୋର ଦେହର ବର୍ଣ୍ଣ ତ ଧଳା, ଖାଲି ବାଳ କମ, ଛୋଟ ଛୋଟ କହରା ବୋଲି ଏ ଭାଳେଣି ? ସେଇଠିକି ଚାଲିଗଲେ ଗଲା । ଶାଶୁଘରକୁ ଗଲେ, ଦୁର୍ବାକ୍ଷତ ଦିନ ବରଙ୍କ ସହିତ ପ୍ରଥମ ମିଳନରେ ପ୍ରଥମ କରି ଏଇ ପ୍ରସ୍ତାବଟି ଦେଇଦବୁ । ସେଇଦିନ ଯାହା କଥାବାର୍ତ୍ତା ହୁଏ, ସବୁ ମନେରହେ । ସେଦିନ ଆମର ଯାହା ଯାହା କଥାବାର୍ତ୍ତା ହେଇଥିଲା, ମୋର ପରା ମନରେ ଗାର କଟିଲା ପରି ରହି ଯାଇଚି !

 

ସୁସ୍ନାତାଦେବୀଙ୍କୁ କ’ଣ ସେ କହିଥିଲେ, କ’ଣ ସେ ମନେ ରଖିଚନ୍ତି, ଦାସେ ବହୁତ ଭାବି ଭାବି ମଧ୍ୟ ମନେ ପକେଇ ପାରିଲେନି । ସେତେବେଳକୁ ରାତି ଦୁଇ ବାଜି ଯାଇଥାଏ...ସୁସ୍ନାତାଦେବୀ ଦାସଙ୍କୁ ଟାଣିନେଇ କହିଲେ, ବସ୍ । ସ୍ପୁଟ୍‍ନିକରେ ଯିବ ପରା... । ଦାସେ ଦେଖିଲେ, ଏ ସ୍ପୁଟ୍‍ନିକରେ ସିଟିଂ ଆରେଞ୍ଜମେଣ୍ଟ ନାହିଁ—ଖାଲି ସ୍କିପିଂ ବ୍ୟବସ୍ଥା । ସୁସ୍ନାତା ଦେବୀ ଏକାବେଳକେ ଟ୍ରେନ୍‍ଡ...ଦାସଙ୍କୁ ବୁଧୀୟ (ଭାରତରୁ ଭାରତୀୟ ଯିମିତି ବୁଧରୁ ସେମିତି ବୁଧୀୟ) ଭାଷାରେ କହିଲେ, ଏଠାକାର ଭାଷାରେ ବସ୍‍ର ଅର୍ଥ ଶୁଅ । ବୁଝିଲ ?

 

ଖର ନିଶ୍ଵାସର ପ୍ରବାହରେ ଦାସଙ୍କର ବୁଝିବା ପାଇଁ ତର ନ ଥିଲା ।

 

ଖାଲି ଗୋଟିଏ ଜିଦରେ ସୁସ୍ନାତାଦେବୀ ଆଜି ଦୀନବନ୍ଧୁ ଦାସଙ୍କ ସହଧର୍ମିଣୀ । ନଚେତ ସୁସ୍ନାତାଦେବୀ ହେଇଥାଅନ୍ତେ ଗ୍ରାମସେବିକା । ସେଇଥିପାଇଁ ସଡ଼କରେ ବି.ଡ଼ି.ଓ. ମାନଙ୍କ ମଟର ଦେଖିଲେ, ପାଖରେ ଗ୍ରାମସେବିକା କେହି ବସିଚନ୍ତି କି ନାଇଁ ଦେଖିବାପାଇଁ ଦାଣ୍ଡକୁ ବାଡ଼ିଆଡ଼କୁ ହୁଅନ୍ତି । ସଂବାଦପତ୍ରରେ କେତେକ ଗ୍ରାମସେବିକାଙ୍କ ଚରିତ୍ର ପଢ଼ି ଦାସଙ୍କୁ କହନ୍ତି, ହଇହେ ! ମୁଁ ତାହାହେଲେ କ’ଣ ଏୟା ହେଇ ଥାଆନ୍ତି ? ଏହି ପତ୍ରିକାର ସଂପାଦକଙ୍କ ସହିତ ତମର ତ ପରିଚୟ ଥିବ, ପଚାରି ଟିକିଏ ବୁଝନ୍ତ, ଏ ସବୁ ଘଟଣା ସତ ନା ମିଛ ?

 

ଦାସେ କୁହନ୍ତି, ସତ ହେଉ ବା ମିଛ ହେଉ, ତୁମେ ତ ନୁହଁ; ହେଇଥାଆନ୍ତର ଦୁର୍ନାମତକ ମୁଣ୍ଡରେ ମୁଣ୍ଡେଇବାପାଇଁ ଏତେ ବ୍ୟାକୁଳ କାହିଁକି ? କିଛି ସୁନାମ ଥାଆନ୍ତା ଯଦି ବୁଝାବୁଝି କରନ୍ତେ-। ତୁମେ ବି ଗ୍ରାମସେବିକା ହୋଇଥାଆନ୍ତ କାହିଁକି ଯେ ।

 

ରିନାଦେବୀ ଟିକିଏ ଚଢ଼ାଗଳାରେ କହନ୍ତି, ହୁଅନ୍ତି କାହିଁକି ମ...ବାପା ବାହା କରିବାପାଇଁ ମୋ ପାଇଁ କୁଆଁ କୁଆଁ ହେବାବେଳୁ ବର ଖୋଜିବାକୁ ଲାଗିଲେ । ଆମଆଡ଼େ ପିଲାକନ୍ୟା ବାହା ଚଳେ । ଶୈଶବରୁ କୈଶୋର, କୈଶୋରରୁ ଠିକ୍ ଯେଉଁ ଦିନ କରି ମୁଁ ଯୌବନରେ ପହଞ୍ଚିଲି, ସେତିକିବେଳୁ ବାପାଙ୍କ ମୁଣ୍ଡ ଘୂରେଇବାକୁ ଲାଗିଲା । ଯୁବତୀକନ୍ୟା ବାହା ଦେବାଟା ତାଙ୍କୁ ଯେମିତି ମନେହେଲା ଗୋଟାଏ ମହାକଠିନ ବ୍ୟାପାର...ଇତିମଧ୍ୟରେ ପିଲାକନ୍ୟା ବିବାହ ପ୍ରସଙ୍ଗଗୁଡ଼ିକ ସେଇ ଦିନକ ଭିତରେ ଆପେ ଆପେ କଟିଗଲା । ବୟସ ବଢ଼ୁ ନ ବଢ଼ୁ ମନେହେଲା—ମୋ ଯୌବନଟା ଅତି ଶୀଘ୍ର ବଢ଼ି ଚାଲିଚି । ତିରିଶ ଇଞ୍ଚିଆ ଛାତିଟା ଯିମିତି ଫୁଲି ଫୁଲି ଚାଳିଶ ହେଇ ଯାଇଛି । ହାତ, ଗୋଡ଼, ପେଣ୍ଡା, ଜାନୁ, ଆଖି, ଚିବୁକ, ଓଠ ସବୁଥିରେ କିଏ ଯିମିତି ଏଇ ବଢ଼ିବାର ଗୋଟାଏ କାଉରୀକାଠି ବୁଲେଇ ଦେଇ ଚାଲିଗଲା । ଆଗଦୁଆରୀ ମଣ୍ଟୁଟା ମୋରିଲାଗି ସକାଳୁଉଠି ଦାନ୍ତ ଘଷିବ ଯେ ତିନି ଚାରିଘଣ୍ଟା କାଳ । ସେଇ ଦୁଆରମୁହଁଟାରେ ଇଆଡ଼କୁ ସିଆଡ଼କୁ ହେଇ ହେଇ ଦେଢ଼ ଚାଖଣ୍ଡର ଦାନ୍ତକାଠିଟା ଯେତେବେଳେ ତିନିପଗକୁ ଚାଲି ଆସିବ, ବିଚରା ହାଇ ମାରି ମାରି ଘର ଭିତରକୁ ପଶିଯିବ; ଆଉ ଦେଖା ହବନି । ମୋରିଲାଗି ବିଚରା କେତେ ଯେ ପାଳି ଖାଏ । ତେବେ ବି କ’ଣ ସିଏ ଚେତେ ? ଥରେ ଥରେ କୂଅମୂଳେ ତମ ଲୋଟାଟା ଥିଲା କହି ଘର ଭିତରକୁ ପଶିଆସେ । ଲୋଟାଟା ଥୋଇ ଦେଇ ମା’କୁ କହେ, ମୂର୍ଚ୍ଛନା ଅଛି ?

 

ମା ପଚାରେ, କାହିଁକି ?

 

—ସହରକୁ ଯିବି । ମୁର୍ଚ୍ଛନା କହିଥିଲା, ଗଲେ ତାକୁ କହି କରି ଯିବାକୁ । କ’ଣ ତାର ଆଣିବାର ଥିଲା ।

 

ମା ମତେ ଡାକେ । ମୁଁ ମା ପାଖକୁ ଗଲାବେଳକୁ ମାଇଚିଆ ମଣ୍ଟୁଟା ଡରିଥରି କୁଆଡ଼େ ପଳାଏ । ଅତି ପାଖରେ ସାମନ ସାମନି ମୋ ସହିତ ଭେଟ ହେବାକୁ ସେ ଭାରି ଡରେ । ୟା ତା ଆଗରେ କହେ, କୁଆଡ଼େ ମୋ ରୂପର ଝାସ ସେ ସହିପାରେନା । ତା ଦେହ ଭିତରଟା ଜଳିଗଲାଭଳି ଅନୁଭବ କରେ ସେ ।

 

ବାପା ଆସି ଘରେ ମା’କୁ କହନ୍ତି, କିଓ, ତାଳ ନ ନେଇ କ’ଣ ମୁଁ ଝାଡ଼ାଫେରୀ ଯାଇଥିଲି-? ଢାଳୁଟା ତ ହାତରେ ଧରି ଚାଲି । କୂଅମୂଳେ ରଖିଦେଇ, ଦାମ ସାଆନ୍ତରା ତାର ବଗିଚାଟି ଟିକିଏ ଦେଖିବା ଆସ କହିବାରୁ ବରିଚାକୁ ଯାଇଥିଲି । ଅଧଘଣ୍ଟାକ ବା’ଦେ ଆସି ଦେଖିଲାବେଳକୁ ଢାଳ ନାଇଁ । କିଏ ବୋଧେ ନେଇଗଲା ।

 

ମୁଁ ଓ ମା ଉଭୟେ ଭାରି ହସୁ । ଆମ ହସକୁ ଦେଖି ବାପା ମନେ ମନେ ଭାବନ୍ତି, ତାହାହେଲେ ସେ ଢାଳ ନେଇ ନ ଥିଲେ ।

 

ମା କହେ, ତୁମର ଯାହା ମନ ନା ! ଛି, ଛି, ଛି । ବୁଢ଼ା ଆସି ହେଲଣି । ଢାଳଟା ନେଇଥିଲ କି ନାଇଁ ମନେପଡ଼ୁନି ? ହଇ ହେ ! ମଣ୍ଟୁ ଆଣି ଦେଇଗଲା ବୋଲି ସିନା–ନଇଲେ...-

 

ବାପା ମଣ୍ଟୁଟାକୁ ମନେ ମନେ ଭାରି ଭଲ ପିଲାଟି ତାହାହେଲେ, ବୋଲି ଧନ୍ୟବାଦ ଦିଅନ୍ତି । ମା ଯାହା ବୁଝେ ତା’ର କିଛି ମାନେ ନ ଥାଏ । ସେ ଖାଲି ଭାବେ, ଘରର ଢାଳ ଘରକୁ ଆସିଲା ।

 

ମୁଁ କିନ୍ତୁ ମଣ୍ଟୁର ଚାଲାକି ଓ ଉତ୍କଣ୍ଠାକୁ ବୁଝେ । କାହାରିକି କିଛି କହେନା । ଭାବେ, ଏଇ ବାପା ମା’ ଗୁଡ଼ାକ ପୁରୁଣାକାଳିଆ । ତାଙ୍କର ପିଲାଣ୍ଟିଆ କାଳରେ ବାଟରେ ଯୁବତୀ ଝିଅଙ୍କୁ ଦେଖି, ଯୁବକମାନେ ବାଟ ଅଡ଼େଇ ଠିଆ ହେଇଥିଲେ । ଯୁବତୀ ଝିଅଙ୍କୁ ଆଖିଖୋଲି ଦେଖିବାଟା ଯିମିତି ମହାପାପ ! ସେ ଯୁଗ ବଦଳି ଯାଇଚି । ଝିଅପୁଅ ଉଭୟେ ଉଭୟଙ୍କ ହାତଧରି ଟାଣି ନେଇଯିବା ଯୁଗଟାର ନାଁ ହେଉଚି ବିଂଶ ଶତାବ୍ଦୀର ୧୯୬୨ ଯୁଗ । ଏଇ ଯୁଗରେ ଆସେମ୍ଳି ପ୍ରଶ୍ନୋତ୍ତରରେ ହରଣଚାଳ, ପାପପ୍ରଣୟ ଓ ପ୍ରେମ ବ୍ୟାପାରରେ ଆତ୍ମହତ୍ୟା ଘଟଣାର ସଂଖ୍ୟା ବହୁତ ବୋଲି ଶୁଣିବାକୁ ମିଳେ । ମୁଁ ସବୁଦିନ ଖବରକାଗଜ ପଢ଼େ, ବାପା ଶୁଣନ୍ତି । ଏଇକଥା ପଢ଼ିଲା ମାତ୍ରେ କହନ୍ତି, ଝିଅ, ସେତକ ଛାଡ଼ିଦେଇ, ଅନ୍ୟ କ’ଣ ଅଛି ପଢ଼ ।

 

ଅପରପ୍ରାଇମେରୀରେ ପ୍ରଥମ ହେଇ ପାସ୍ କରି ନ ଥିଲେ ବୋଧହୁଏ ମୋର ସେଇଠି ପାଠ ପଢ଼ାର ଇତିଶ୍ରୀ ହୋଇଥାଆନ୍ତି । ଆମ ସ୍କୁଲରେ ମୁଁ ଥିଲି ଏକମାତ୍ର ଝିଅ । ପ୍ରଥମ ହେଇ ପାସ୍ କରିବି ବୋଲି ମନ ଦେଇ ପାଠ ପଢ଼ୁ ନ ଥିଲି । କିମିତି କେଜାଣି, ଯାହା ପଢ଼େ ମନେ ରହିଯାଏ ବୋଲି ପ୍ରଥମ ହେଇ ଉତୁରି ଗଲି । ମାଷ୍ଟ୍ରମାନେ ବାପାଙ୍କ ପାଖରେ ଅଳି କଲେ; ମୂର୍ଚ୍ଛନାକୁ ବୃତ୍ତିପରୀକ୍ଷାକୁ ପଠେଇବା । ବାପା ନାଇଁ ନାଇଁ କରି କରି ଶେଷରେ ହିଁ କଲେ । ବୃତ୍ତିପରୀକ୍ଷାରେ ବସିଲି, ଫଳ ବାହାରିଲା, ସିଥିରେ ପୁଣି ସେଇ ପ୍ରଥମ । ମାସକୁ ଦଶ ଟଙ୍କା କରି ବୃତ୍ତି । ବାପାଙ୍କ ଭାଳେଣି ପଡ଼ିଲା..ପୁଣି ତାହାହେଲେ କ’ଣ ପଢ଼େଇବାକୁ ପଡ଼ିବ ? ବାପା ଥରେ ଥରେ ମାଷ୍ଟ୍ରମାନଙ୍କୁ କହନ୍ତି, ମୂର୍ଚ୍ଛନା ସ୍ଥାନରେ ଆଉ କିଏ ପନ୍ଦର ଟଙ୍କା ବୃତ୍ତି ନେଇ ପଢ଼ିଲେ ତ ବଳନ୍ତା । ବାପା ଥଟ୍ଟାରେ କହୁଚନ୍ତି କି କଥା ଉପରେ ଗୁରୁତ୍ଵ ଦେଇ କହୁଚନ୍ତି, ମାଷ୍ଟ୍ରମାନେ ବୁଝିପାରନ୍ତି ନି । ସେମାନେ ବୁଝେଇ ବସନ୍ତି । ଶେଷରେ ବାପା ବିରକ୍ତ ହୋଇ ମତେ କହନ୍ତି, ତୋ ମା’କୁ ଡାକିଦେଲୁ; ସେଇ ଆସି ବୁଝୁ । ଇଆଡ଼େ କୁହାହଉଚି, ଝିଅଟା ବଢ଼ିଗଲାଣି ବର ଖୋଜ, ସିଆଡ଼େ ପୁଣି ପଠାପଢ଼ା । ପାଠଗୁଡ଼ାକ ଶେଷ ହେବନି କି ଝିଅଟା ବାହା ହେଇ ପାରିବନି ଦେଖୁଚି-

 

ଶେଷରେ ମା କଥାହିଁ ରହିଲା । ଷଷ୍ଠଶ୍ରେଣୀରେ ଭର୍ତ୍ତି ହେଲି । ମାଇନର ପାଠ ପରେ ସେଇ କାଳ ପ୍ରଥମ ହେବାଟା ଆସି ମୋରି ଭାଗ୍ୟରେ ଜୁଟିଲା । ଲୋକଙ୍କ ମୁହଁରେ ମୋର ଭୂୟସୀ ପ୍ରଶଂସା କିନ୍ତୁ ବାପାଙ୍କ ମୁହଁରୁ ଯେଉଁ ଭାଷା ବାହାରିଲା, ସେ ଗୁଡ଼ାକ ନିହାତି ରାଗ ରାଗ ।

 

ପଘାରେ ବନ୍ଧାହେଇ ରହିଥିବା କେତେ ଯେ ବର ସେତେବେଳକୁ ଫିଟି ଚାଲି ଗଲେଣି, ବାପା ସେ ସବୁ ହିସାବ ରଖିବାରେ ବ୍ୟସ୍ତ ରହିଲେ । ମା ଖାଲି ହିସାବ ରଖିଲେ, ଝିଅ ଯଦି ମାଟ୍ରିକ ପଢ଼େ, ଆଇ.ଏ. କି ବି.ଏ. ବର ଦରକାର । ଆଇ.ଏ. ପାସ୍ କଲେ ଏମ୍.ଏ. ବର ଆବଶ୍ୟକ । ବି.ଏ. ହେଲେ ଦୁଇଶହ ତିନିଶହ ଦରମା ଥୁଆ । ଏମ୍.ଏ. ହେଲେ ଅନ୍ତତଃ ପାଞ୍ଚଶରୁ କମ୍ ନୁହେଁ । ଝିଅ ସୁଖରେ ରହିବ ।

 

ମଣ୍ଟୁ ଦେଖା ମୋ ଯୌବନଟା ଆସି ଜୁଟିଲା ବୋଧହୁଏ ନବମ ଶ୍ରେଣୀରେ । ମଣ୍ଟୁ ସେଇ ବର୍ଷ କରି ବୋଧହୁଏ ମତେ ଦେଖି ଦେଖି ଫେଲ ହେଇଗଲା । ତା ବାପା କହିଲେ, ପାଠପଢ଼ାରେ ସିନା ଫେଲ ହେଲୁ, ଚାଷକାମରେ ଭଲ ମାର୍କ ରଖିବୁ, ସେଇଥିରେ ଲାଗ । ମଣ୍ଟୁ ତା ବାପାଙ୍କୁ କହେ, ମାଷ୍ଟ୍ରଙ୍କୁ କିଛି ପଇସା ଦେଲେ, ସେ ଦଶମ ଶ୍ରେଣୀକି ମତେ ଟେକି ନେଇ ଯାଆନ୍ତେ... ଦଶମ ଶ୍ରେଣୀରେ ପଢ଼ିବାକୁ ମୋର ଭାରି ଇଚ୍ଛା । ମଣ୍ଟୁର ବାପା ଓଡ଼ିଆ, ମା ଗୁଜୁରାଟୀ । ଗୁଜରାଟୀ ମା କହନ୍ତି—ନାଇଁରେ ପୁଅ, ବ୍ୟବସାୟରେ ଯେମିତି ଚାରିପଇସା ମିଳିବ, ପାଠପଢ଼ାରେ ମିଳିବନି । ବିଲ କାମ ନକଲେ ନାହିଁ, ଦାଣ୍ଡ ଦୁଆରେ ଦୋକାନଟିଏ ଦେଇ ବସ । ବାପା ପଇସା ନ ଦିଅନ୍ତୁ, ମୁଁ ଦେବି । ଏ ପ୍ରସ୍ତାବଟା ମଣ୍ଟୁ ମନକୁ ଭାରି ପାଇଗଲା । ଦାଣ୍ଡଦୁଆରେ ବସିବା ଯାହା, ଦଶମଶ୍ରେଣୀରେ ବସିବା ତାହା । ସ୍କୁଲ ଛୁଟି ହେଲେ, ଅନ୍ତତଃ ଏଇ ଦାଣ୍ଡ ଦେଇ ତ ମୂର୍ଚ୍ଛନା ଯିବ...ଟିକିଏ ଦର୍ଶନ ମିଳିଲେ ହେଲା ।

 

ଶେଷରେ ସେୟା ହେଲା ।

 

ମଣ୍ଟୁ ଦୋକାନ ଦେଲା । ଆଉ ତାକୁ ଦିନ ନଅ ଯାଏ ଦାନ୍ତକାଠି ଧରି ଘଷିବାକୁ ପଡ଼ିଲାନି ବି ଆମ ଘରେ ତାଳ ଦଉଡ଼ି ଦେବାକୁ ପଡ଼ିଲାନି । ପନ୍ଦର ଦିନ ଭିତରେ ଦୋକାନର ସମସ୍ତ ସରଞ୍ଜାମ ଆସି ଥୁଆହେଲା । ଚାଉଳ, ଡାଲି, ଲଙ୍କା, ଲୁଣ ପାଇଁ କାଠର ଉପର ଖୋଲା ବଡ଼ ବଡ଼ ଡବା । ଅନ୍ୟାନ୍ୟ ଜିନିଷ ପାଇଁ ସେଲଫ୍, ଆଲମିରା ଆସି ସଜା ହେଲା ।

 

ଦୋକାନ ପ୍ରତିଷ୍ଠା ଦିନ ମଣ୍ଟୁ ବଡ଼ିଭୋରରୁ ଆସି ଆମ ଦାଣ୍ଡ କବାଟ ଶିକୁଳି ଧରି ଖଡ଼ ଖଡ଼ କରିଥିଲା । କିଏ ଡାକୁଛି ଜାଣିବା ପାଇଁ ମୁଁ ନିଜେ ଯାଇ ଦୁଆର ଖୋଲିଦେଇଥିଲି । ହଠାତ୍ ମତେ ଦେଖି ଥା ଥା ମା ମା ହେଇ କହିଥିଲା, ବାପା ଅଛନ୍ତି ? ମୁଁ ନାଇଁ କରିଥିଲି । କହିଥିଲି, ଟୁର୍‍କୁ ଯାଇଛନ୍ତି । କାଆଲି ଆସିବେ । ହଉ ତେବେ ଯାଉଛି କହି ମଣ୍ଟୁ ପଳଉ ପଳଉ ପୁଣି ବାହୁଡ଼ି ଆସି କହିଥିଲା, ଆଉ ତମ ମା ଅଛନ୍ତି ?

 

—ଡାକିଦେବି ?

 

—ନ ଡାକିଲେ ବି ଚଳିବ । ମୁଁ କ’ଣ କହୁଥିଲି କି, ମୋ ମା କହିଚି, ଆଜି ତମ ଘରର ସମସ୍ତେ ଆମ ଘରକୁ ଯିବ । ଚୂଲୀ ଲଗେଇବ ନାହିଁ, ଆମ ଘରେ ଖାଇବ ।

 

ପଚାରିଥିଲି, କାହିଁକି ? ତୋର କ’ଣ ବାହାଘର ?

 

ଛିଇଁତି କ’ଣ କହୁଚବା ? ମୋ’ର କ’ଣ ବାହାବଅସ ହେଲାଣି ? ବାପାଙ୍କ କୂଳରେ କୁଆଡ଼େ ପୁଅମାନେ ଚାଳିଶ ବର୍ଷରେ ବାହା ହନ୍ତି, ଆଉ ମା’ଙ୍କ ଜାତିରେ ତାଠୁ ବେଶି ବଅସରେ ।

 

—ହଇରେ । ତୁ ତ ଏତିକିବେଳୁ ବୁଢ଼ା ଦେଖାଗଲୁଣି, ଗାଲଫାଲ ପଶିଗଲାଣି, ଆଉରି କୋଡ଼ିଏ କି ବାଇଶ ବର୍ଷପରେ ବାହାହବୁ ? ଝିଅ ମିଳିବେଟି କି ?

 

ମଣ୍ଟୁ କ’ଣ କହିବ ବୋଲି ହଉଥିଲା, କହି ପାରିଲାନି କହିଲା, ହଉ ଯାଉଚି, ତମେ କିନ୍ତୁ ଯିବ । ଆମ ଦୋକାନ ପ୍ରତିଷ୍ଠା ।

 

କହିଲି, ମୁଁ ତ ନିଶ୍ଚୟ ଯିବି, ଆଉ କିଏ ଯିବେ କି ନା କହି ପାରିବିନି ।

 

ଯିବିନି ବୋଲି ଭାବୁଥିଲି, କିନ୍ତୁ ମଣ୍ଟୁଟା କ’ଣ ଭାବିବ, ନ ଗଲେ, ତା’ ଭୋଜିଟା ମାଟି ହେଇଯିବ ବୋଲି ଗଲି । ମଣ୍ଟୁ ମାଆଲୋ ମୁଁ ପରଷିବି କହି, ଯାହା ଯେତେ ଜିନିଷ ଥିଲା, ମୋର ପାଖରେ ଆଣି କୁଢ଼େଇଲା । ଅରୁଆ ଭାତରେ ଘିଅ ଦେଉ ଦେଉ, ଗୋଟିକଯାକ ଘିଅଗିନା ମୋରି ଭାତରେ ଆଣି ଇଡ଼ି ଦେଇଥିଲା । ଏତେ ଘିଅରେ ଭାତକୁ ଗୋଳେଇ ଖାଇହବନି କହି ମୁଁ ଭାତତଳକୁ ଆଡ଼େଇ ଦେବାରୁ ମଣ୍ଟୁ ମନରେ ବଡ଼ ଦୁଃଖ ହେଇଥିଲା । ଆହୁରି ଭାତ ଆଣି ପରଷିଥିଲା । ସେ ମନେ ମନେ ଭାବିଥିଲା, ଯାହାକୁ ସୁରି ସୁରି ଏ ଦୋକାନ ଦିଆ, ତାକୁ ଯଦି ସନ୍ତୁଷ୍ଟ ନ କରାଯାଏ, ବ୍ୟବସାୟ ଚାଲିବନି । ଭୂଷୁଡ଼ି ଯିବ ।

ବିଚରା ମଣ୍ଟୁ....ବହୁତ କାନ୍ଦିଥିଲା ସେଦିନ—ଯଉଦିନ ବାପା ବଦଳି ହୋଇ ଟ୍ରକରେ ଜିନିଷପତ୍ର ବୋଝେଇ କରି ଆମକୁ ସାଙ୍ଗରେ ଧରି ତା’ରି ଆଖି ଆଗରେ ଅନ୍ୟ ଜାଗାକୁ ଚାଲିଗଲେ ।

 

ଥରେ ସେ କୁଆଡ଼େ ଦିଟା କଖାରୁ, ଶହେ ଦୁଇଶ ପାମ୍ପଡ଼ ଧରି ଆମର ନୂଆ ଜାଗାକୁ ଆସିଥିଲା । ମତେ ବି ବହୁତ ଖୋଜିଥିଲା । ମୁଁ ସେତବେଳକୁ ଘରେ ନ ଥିଲି, ମାମୁଁଘରକୁ ଚାଲି ଯାଇଥିଲି ।

 

ବାପାଙ୍କ ବଦଳି ହେବା ଜାଗାରେ ସ୍କୁଲ ସୁବିଧା ହେଲାନି ବୋଲି ମାଇଁ ଆସି ମତେ ନେଇଗଲେ ତାଙ୍କ ସହରକୁ । ମାଇଁଙ୍କର ପିଲାପିଲି ନ ଥିବାରୁ ବଡ଼ ଏକା ଏକା ବୋଧ କରୁଥିଲେ । ପାଖକୁ ଖାଲି ତିନି ଚାରୋଟି ବିରାଡ଼ି ଛୁଆ । ବିରାଡ଼ିଗୁଡ଼ିକର ନାଁ ଗୁଡ଼ିକ ଠିକ୍ ବଙ୍ଗାଳୀ ଘରର ଝିଅଙ୍କ ନାଁ ଭଳି ସୁନ୍ଦର । ଡାକ ନାଁ ଗୁଡ଼ିକ ମଧ୍ୟ ଭାରି ଗେହ୍ଲା ଗେହ୍ଲା; ଯଥା—ଭୁଆବିରାଡ଼ି ନାଁ ଟନୁ, ମାଇ ବିରାଡ଼ି ନାଁ ଝୁନୁ, ଅନ୍ୟ ଦୁଇଟିର ନାଁ ମିସ୍ ଓ ସିଷ୍ଟର । ମିସ୍‍ର ଦେହଟି ତୁଳା ଶେଯ ଭଳି ଭାରି ନରମ । ଏଡ଼ିକି ବଡ଼ ଲାଞ୍ଜ, ଖୁବ୍ ମୋଟା । ମିସ୍ ବିଷୟ କହି ବସିଲେ, ମାଇଁଙ୍କର ରାତି ପାହି ଯାଏ । ନିଜ ଜନମ କଲା ପିଲାଠୁ ବଳି ତା ଉପରେ ଶରଧା । ସେତେବେଳେ ସେମାନେ କୁଆଡ଼େ ନୂଆ ହେଇ ସହରକୁ ଆସି କୁମ୍ଭାରସାହି ପାଖରେ ଘରଭଡ଼ା ନେଇ ରହିଥାଆନ୍ତି ।

 

ମାଇଁ କହନ୍ତି, ୟା ମା ଯୋଉଦିନ ୟାକୁ ଜନମ କଲା, ତାର ଚାରିଦିନ ବାଦେ ମଟର ଚାପାରେ ମରିଗଲା । ଏ ସେତେବେଳକୁ (ହାତରେ ଦେଖେଇ କହନ୍ତି) ଏଡ଼ିକିଟିଏ । ମେଞ୍ଚାଏ ତୂଳାରେ ଦୁଧ ଟିକିଏ ବୁଡ଼େଇ ମାଇଁ ଆମର ଛୁଆର ମୁହଁ ଆଗରେ ଥୋଇଦେଇ ଡିବିଟି ଜାଳି ରାତିସାରା ବସିଥାଆନ୍ତି । ମିସ୍ ସେତକ ଟିକିଏ ଟିକିଏ କରି ଚୁଚୁମି ଖାଏ । ଆସ୍ତେ ଆସ୍ତେ ବଡ଼ ହେଲା, ମାଇଁଙ୍କର ପାଖ ଛାଡ଼ିଲାନି । ଗାଡ଼ିରେ, ମଟରରେ ଯୁଆଡ଼େ ଯାଆନ୍ତି, ମିସ୍ ସିଆଡ଼େ ଯାଏ-। ମାମୁଁ ପ୍ରଥମେ ପ୍ରଥମେ ଭାରି ବିରକ୍ତ ହେଉଥିଲେ । କିନ୍ତୁ ତାଙ୍କର ବି ଇମିତି ଶରଧା ବଢ଼ିଗଲା ଯେ ମାଂସ ଖାଇଲେ ଅଧେ ପାଟିରେ ଧରି ଡାକନ୍ତି, ମିସ୍ । ମିସ୍ ଆଣ୍ଠୁ ଉପରେ ଚଢ଼ି ପାଟିରୁ ଅଧେ ଛଡ଼େଇ ଆଣେ, ମାମୁଁ ଅଧେ ଖାଆନ୍ତି । ବହୁତ କଷ୍ଟରେ ମାମୁଁ ସେ ଅଭ୍ୟାସ ଛାଡ଼ିଲେ । ଆଉ ଏ ଟୁନିଆଁଟା ବଡ଼ ଦୁଷ୍ଟ । ସବୁବେଳେ କୋଡ଼ପଶା । କୋଡ଼ରେ ପଶିଥିବ, ମାଂସ ଦିଅ, ମାଛ ଦିଅ, ଯେତେ ଡାକ, ଯିବନି ସେ । ମାଇଁ କହନ୍ତି, ଥରେ କୁଆଡ଼େ କାହା ସାଙ୍ଗରେ କଳିକଜିଆ ଲାଗି ଗଡ଼ିଆ ତଡ଼ିଆ ହୋଇ ଆସିଲା କେଜାଣି, ଘରେ ପଶୁ ପଶୁ ଗନ୍ଧ ଯେ ଗନ୍ଧ ! ରାତିଯାକ ଲାଗି ଦେହରେ ସାବୁନୁ ମାଖି ଧୋଇଲି, ନିଆଁ ଲଗାଇ ସେକିଲି, ତା ପରେ ଯାଇ ଘରେ ପୂରେଇଲି-। ଝୁନୁ କିଛି ଜାଣେନା, ଖାଲି ତିନିମାସରେ ତିନି ଚାରିଟା କଅଁଳେଇବା ତା କାମ । ଯୋ ସୁନ୍ଦର ଛୁଆଗୁଡ଼ିକ ହେ ! ଯିଏ ଦେଖିଲା, କହନ୍ତି ଦେଈ, ମୋ ପାଇଁ ଗୋଟିଏ । କଲେକ୍ଟର ଘରର ସେ ଯେଉଁ ବଡ଼ ବିରାଡ଼ିଟା, କା’ର ଛୁଆ ଜାଣ ? ୟାରି ! ତାକୁ ହୋଇଥିଲା, ଦି’କି ତିନିମାସ । ଗୁଡ଼ୁରୁ ଗୁଡ଼ୁରୁ ହୋଇ ଦାଣ୍ଡଦୁଆରେ ଖେଳୁଥିଲେ । କଲେକ୍ଟରିଆଣୀ ଘରକୁ ଆସିଥିଲେ । ଗଲାବେଳେ ତାକୁ ବ୍ୟାଗରେ ପୂରେଇ କହିଲେ, ଉପମା, ତମ ଘରୁ ଗୋଟିଏ ଜିନିଷ ଚୋରେଇ ନେଲି, ଗାଳି ଦବନି । ଇମିତି କିଏ କେତେବେଳେ ଆସି ନେଇଯାଆନ୍ତି । ସିଷ୍ଟର କଅଁଳାଏ ଯେ, ଝୁନୁଭଳି ନୁହେଁ-। ସେଇଟା ଡାହାଣୀଟେ । ୟାଡ଼େ ସିଆଡ଼େ ବୁଲି ବୁଲି ୟା ତା ସାଙ୍ଗେ ମିଶେ । ଭଲ ଛୁଆ ହେବେ କୁଆଡ଼ୁ ?

 

ମାମୁଁ ଦାଣ୍ଡଦୁଆରେ ବସି ଓକିଲାତି ବହିରେ ନିର୍ଲିପ୍ତ ରହନ୍ତି । ମାଇଁ ଇଆଡ଼େ ଟୁନୁ ଝୁନୁ କୁ ଚୁମାଦେବା, ଆଉଁଷା ଆଉଁଷି କରିବାରେ ବ୍ୟସ୍ତ ରହନ୍ତି । ପୂଜାରୀ ରୋଷେଇ କରି ସାରି ଚିଲମ ଟାଣି ଦେଇ ଢୋଳାଏ । ମୁଁ ଆଉ ପଡ଼ିଶାଘରର ସିପ୍ରା ମଝି ଘରେ ବସି ପଢ଼ୁ ! ପନ୍ଦର ବଖରା ଘରରୁ ଚାରି ବଖରା ଘରେ ଆମେ ଚଳପ୍ରଚଳ ହେଉ । ଦାଣ୍ଡଆଡ଼ର ତଳ ବଖରା ଘର ଭଡ଼ା ଦିଆଯାଇଥାଏ, ଏକ ବ୍ୟବସାୟ ପ୍ରତିଷ୍ଠାନକୁ । ସାଇନବୋର୍ଡରେ କି ଗୋଟାଏ ଏଜେନ୍‍ସି ନାଁ ଲେଖାଥାଏ ମନେ ପଡ଼ୁନି । ତିନିଜଣ ପାର୍ଟନର । ଗୋରାତୋରା ସୁସ୍ଥ ସବଳ ସୁଶିକ୍ଷିତ ବଡ଼ ଘରର ତିନିଜଣ ଯୁବକ । ଦେଖିଲେ ମନେହୁଏ ତିନି ଭାଇ ! ଲଣ୍ଡନ ଫେରନ୍ତା ଜଣଙ୍କ ନାଁ ରୁଦ୍ରଚରଣ..... । ନାକତଳେ ହିଟଲରୀ ନିଶ । ଲମ୍ବା ଚେହେରା । ମୁହଁରେ ସବୁବେଳେ ଚୁରୁଟ୍ । ଇଂଲିଶ ଉଚ୍ଚାରଣ ଠିକ୍ ଇଂରେଜଙ୍କ ଭଳି । କହିଲାବେଳେ ମନେ ହୁଏ ଯିମିତି କବିତାଗୁଡ଼ିଏ ବୋଲି ଯାଉଚନ୍ତି । ତାଙ୍କର ପଦେ କଥାରେ ବହୁତ କଥା ବୁଝାଏ । ସିପ୍ରା ୟାଙ୍କର ପ୍ରଶଂସା କରି କରି ଥରେ ଥରେ ଅଭିଭୂତ ହୋଇପଡ଼େ । କହେ, ବାପାଙ୍କୁ କହି ୟାଙ୍କିର ପାଖରେ ଟିଉସନ କରିବି । ଇଂରେଜୀରେ ବହୁତ ମାର୍କ ରହିବ । ତୁ ତୋ ମାମୁଁଙ୍କୁ କହ, ମାସକୁ ପଚାଶ ଟଙ୍କା ଦେଲେ, ମୁଁ ବି ପଚାଶ ଟଙ୍କା ଦିଅନ୍ତି—ଶହେ ଟଙ୍କା ନ ଦେଲେ ଅସୁନ୍ଦର ହେବ । ବିନା ପଇସାରେ ତାଙ୍କୁ ପଢ଼ାଅ ବୋଲି କହିଲେ ରାଜି ହେବେ କି ନାଇଁ କେଜାଣି !

 

ମୁଁ କିଛି ନ କହି ନୀରବ ରହିଥିଲି—ସେ ଭାବିଲା ମୁଁ ହଁ କଲି ବୋଲି ।

 

ତାଙ୍କୁ ପଚାରିଲା କି ନାଇଁ କେଜାଣି, ସିପ୍ରା ତା ଆରଦିନ ରୁଦ୍ରବାବୁ, ଦେଇଥିବା ଗୋଟାଏ ଲମ୍ବାଚିଠି ଆଣି ମତେ ଦେଖେଇଲା । ସିଥିରେ ସେ ବହୁତ କଥା ବର୍ଣ୍ଣନା କରିଥିଲେ । ଲଣ୍ଡନରେ ଥିବାବେଳେ କୁଆଡ଼େ ତାଙ୍କ ହାଉସୱାଇଫ୍‍ର ଝିଅ ତାଙ୍କୁ ଭଲ ପାଇଥିଲା । ସେ ଘରେ ନ ଥିବା ବେଳେ ସେ ନିଜେ ରୋଷେଇ କରି ଦେଇ ଆଣି ଟେବୁଲ ଉପରେ ଥୋଇ ଦେଇଯାଏ । ବାସନ ତଳେ ସେ ସବୁବେଳେ ଖଣ୍ଡିଏ ଚିଠି ଦେଖନ୍ତି । ତଳେ ଲେଖା ହେଇଥାଏ

 

I get immense pleasure to serve you dices.

 

ତୁମର ଲୁସି

 

ମୁଁ ମୋ ଅଧାପୋଡ଼ା ସିଗାରେଟଗୁଡ଼ିକୁ ଆଷ୍ଟ୍ରେ ଅଭାବରୁ ଗୋଟିଏ କାଗଜରେ ରଖି ଦେଇଥାଏ । ସବୁବେଳେ ଦେଖେ ଅଧାପୋଡ଼ା ସିଗାରେଟଗୁଡ଼ିକ ମଧ୍ୟ ନାଇଁ । ଲୁସି ଯେତେବେଳେ ସିଗାରେଟ ନିଏ, ସେତେବେଳେ ଲେଖି ଦେଇଯାଏ, I like to smoke your halfburnt cigaratees । ଲୁସିକି କିନ୍ତୁ ମୁଁ ଦେଖି ପାରେ ନାଁ । ହାଉସୱାଇଫଙ୍କୁ ଡାକିବାକୁ ହେଲେ, କଲିଂବେଲ୍ ସାହାଯ୍ୟରେ ଡାକିବାକୁ ପଡ଼େ । ତାଙ୍କ ଘରକୁ ଯାଇ ହୁଏ ନା । କାରଣ ତାଙ୍କ ଘରକୁ ଯିବାକୁ ହେଲେ, ନାନା ଅଡ଼ୁଆ ତଡ଼ୁଆ ବାଟ ଦେଇ ଯିବାକୁ ହୁଏ । ବାଟଘର ମାନଙ୍କରେ ଅନ୍ୟ ଭଡ଼ାଟିଆମାନେ ଥାଆନ୍ତି । ସେମାନେ ହୁଏତ ଆପତ୍ତି କରି ପାରନ୍ତି, ଏଇ ଭୟରେ ଯାଇ ହୁଏ ନା । ତା ଛଡ଼ା ଏଇ ଲୁସିଟି କିଏ, ସଠିକ୍ ଭାବରେ ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ ।

 

ଆଠଦିନ ବାଦେ ଲୁସି ଯେଉଁ ଚିଠି ଲେଖିଲା, ସେଥିରେ ଥିଲା, ମୁଁ ମଧ୍ୟ ଆପଣଙ୍କ ବିଶ୍ଵବିଦ୍ୟାଳୟରେ ପଢ଼େ । ଏଡ଼େ ବଡ଼ ବିଶ୍ଵବିଦ୍ୟାଳୟ । ଓଡ଼ିଶାର ଗୋଟାଏ ବଡ଼ ସହରର ଜନସଂଖ୍ୟା ଭଳି ଏହାର ଛାତ୍ରଛାତ୍ରୀ ସଂଖ୍ୟା । ତା ଭିତରେ ଲୁସି ନାମଧେୟାଙ୍କ ସଂଖ୍ୟା ଶହେ କି ଦୁଇଶହ ହୋଇଥିବ । କିମିତି ଖୋଜିବ, କାହାକୁ ପଚାରିବି ହେଇହେଇ ମୋ ମୁଣ୍ଡ ଘୂରିଗଲା । ଏହି ମସ୍ତିଷ୍କ ଘୂର୍ଣ୍ଣନ ପ୍ରକ୍ରିୟାର ଅବସାନ ହେଲାନି ବହୁଦିନ ଧରି । ଏଥିଲାଗି ମତେ ଡାକ୍ତରଖାନା ଯିବାକୁ ପଡ଼ିଥିଲା । ଭାବିଥିଲି, ଭାରତରେ ସିନା ନାଇଁ, ପ୍ରଗତିଶୀଳ ଅତିବିଜ୍ଞାନୀ ଲଣ୍ଡନ ସହରରେ ଅନ୍ତତଃ ପ୍ରଣୟପ୍ରାର୍ଥୀନୀ ଅଦେଖା ନାରୀମୂର୍ତ୍ତିଟିକୁ ଭୁଲିଯିବା ପାଇଁ କିଛି ଔଷଧ ଥିବ; କିନ୍ତୁ ନ ଥିଲା । ଯେଉଁ ଡାକ୍ତରଙ୍କୁ ଯାଇ ଏ ଔଷଧ ମାଗିଥିଲି, ସେ ମତେ ପାଗଳିଭାବି, ପାଗଳାମି ଉପଶମକାରୀ ଜଣେ ଡାକ୍ତରଙ୍କ ପାଖକୁ ପଠେଇ ଦେଇଥିଲେ । ଏ ଜଣକ ପୂରାପୂରି ଡାକ୍ତର ହେଇ ନ ଥିଲେ ମଧ୍ୟ ହାଉସ୍ ସର୍ଜନଙ୍କ ଭଳି କାମ କରୁଥିଲେ । ସେ ଜଣେ ଲେଡି ଡାକ୍ତର ବୋଲି ଜାଣିଥିଲେ ମୁଁ ଆଦୌ ଯାଇ ନ ଥାନ୍ତି । ଡାକ୍ତର ମହାଶୟ ହେଇ ସେଇ ଘରକୁ ଯାଅ ବୋଲି କହି ହାତଠାରି ଘରଟା ଦେଖେଇ ଦେଇଥିଲେ । ମୁଁ ସିଧା ସେଠିକି ଯାଇଥିଲି । ସାଇନ୍ ବୋର୍ଡରୁ ଦେଖିଲି, ଲେଖା ହେଇଚି ଡକ୍ଟର ଲୁସି । ମୁଁ ଚମକି ଉଠିଥିଲି । ପରେ ପରେ ଭାବିଥିଲି, ନା ଇଏ ସେଇ ଲୁସି ହେଇ ନ ଥିବେ-। ଡାକ୍ତରୀପଢ଼ି ଅଧାପୋଡ଼ା ସିଗାରେଟ୍‍କୁ ଫୁଙ୍କିବା ପାଇଁ କିଏ କେବେ ଚିନ୍ତା ସୁଦ୍ଧା କରିପାରେ-? ଇଏ ନିଶ୍ଚୟ ସିଏ ନୁହଁ ଭାବି ମନକୁ ଟାଣ କରି ପରଦା ଆଡ଼େଇ ଭିତରେ ପଶୁ ପଶୁ ଦେଖିଲି, ଜଣେ ଏକୋଇଶି ବାଇଶି ବର୍ଷର ଯୁବତୀ । ଚାରିପଟେ ଗୁଡ଼ାଏ ପାଗଳ ପାଗଲୀ । ମତେ ଦେଖି କହି ଉଠିଲେ, ଓଃ ୟୁ ? ପରେ ପରେ ଯାହା କହିଲେ, ତା’ର ଅର୍ଥ ହେଉଚି, “ବାହାରେ ଟିକିଏ ଅପେକ୍ଷା କର ନୁହେଁ, ଅପେକ୍ଷା କରନ୍ତୁ; ମୁଁ ଏ ରୋଗୀମାନଙ୍କ କାମ ସାରିଦିଏ ।”

 

ସେ ଯେମିତି ସ୍ଵର, ଭଙ୍ଗିରେ ଓ ନମ୍ରତା ସହକାରେ କହିଲେ; ମନେ ହେଲା, ମତେ ସେ ଆଗରୁ ଚିହ୍ନିଚନ୍ତି । ଭାରି ଖାତିର କରନ୍ତି । ବାହାରେ ଘଣ୍ଟାଏ କାଳ ଅପେକ୍ଷା କରିବା ଭିତରେ ମୋ ମନରେ ସନ୍ଦେହର ବୋଝ କ୍ରମଶଃ ବଢ଼ି ଚାଲିଲା । ମନେ ମନେ ଭାବିଲି, ଇଏ ସେହି ଲୁସି ନୁହଁନ୍ତି ତ ? ଅଧାପୋଡ଼ା ସିଗାରେଟ୍ ଖାଇବା ଏବଂ ଜଣେ ସମ୍ପର୍କହୀନ ଲୋକପାଇଁ ଯାଚି ହେଇ ଖାଦ୍ୟପେୟ ନିଜ ଖର୍ଚ୍ଚରୁ ଆଣି ଟେବୁଲ ଉପରେ ଥୋଇ ଯିବାଟା ଭାରତରେ ଅପ୍ରାସଙ୍ଗିକ ହେଇପାରେ; ଏଇ ସୁସଭ୍ୟ ଗ୍ରେଟ୍‍ବ୍ରିଟେନରେ ହୁଏତ ହୋଇ ନ ପାରେ, ଏ କଥା ମନେ ମନେ ଭାବିଲି ।

 

ଠିକ୍ ଏତିକିବେଳକୁ ଡାକ୍ତର ଲୁସି ମତେ ଡକେଇ ପଠେଇଲେ । ସେତେବେଳେ ତାଙ୍କ କାମରାରେ କେହି ନଥିଲେ, ସେ ଏକା । ଡାକ୍ତରମାନେ ଯେପରି ଲକ୍ଷଣ ସବୁ ମୂଳରୁ ଶେଷଯାଏ ପଚାରି ଯାଆନ୍ତି, ସେ ସେମିତ ଗୁଡ଼ାଏ ଏଣୁ ତେଣୁ ପଚାରିଲେ । ଯାହା ପାରିଲି ଉତ୍ତର ଦେଲି । ସେ କହିଲେ ଇନ୍‍କ୍ୟୁରେବଲ ଅର୍ଥାତ୍ ଭଲ ହେଇ ପାରିବିନି । ସେ ପୁଣି କହିଲେ, ଓନ୍‍ଲି ଓଆନ୍ ମେଡିସିନ୍; ଦାଟ୍ ଇଜ...(କେବଳ ଗୋଟିଏ ମାତ୍ର ଔଷଧ ଅଛି । ସେଇଟି ହେଉଚି ।) ମୁଁ ଅତି ବ୍ୟଗ୍ର ଭାବରେ ପଚାରିଲି—କୁହନ୍ତୁ, ପାରିଲେ କିଣିବି ।

 

—ନୋ, ନୋ, ଅସମ୍ଭବ—ଭାରି ଦାମିକା ।

 

—କେତେ ପଡ଼ିବ ?

 

—ଅନ୍ତତଃ ଏକ ହଜାର ।

 

—ଋଣ କରି ଆଣିବି ।

 

—ଲୁସି ସାହେବାଙ୍କୁ ଭାରି ହସ ମାଡ଼ିଥିଲା । ସେ ଏତେ ଜୋରରେ ହସିଲେ ଯେ ମନେ ହେଲା ସେ ବଡ଼ ପାଟିରେ ଚିତ୍କାର କରି କାହାକୁ ରକ୍ଷାକର, ରକ୍ଷାକର ବୋଲି ଡାକୁଚନ୍ତି । ସତେ ମୁଁ ଯିମିତି ତାକୁ ଦୁଆର ଘର ବନ୍ଦ କରି ଅତ୍ୟାଚାର କରୁଛି । ମୁଁ ଦୁଆର ଫିଟେଇ ଚାଲିଯିବାକୁ ଉଦ୍ୟତ ହେବା ମାତ୍ରେ ସେ ମତେ ଓଟାରି ଆଣିଲେ । କହିଲେ, ଏଇଠି ବସ । ମୁଁ ତମକୁ ଆହୁରି ବହୁତ କଥା ପଚାରିବି । ଆଚ୍ଛା, ତୁମେ ବିବାହ କରିଚ ?

 

—ନାଁ ।

 

—କୌଣସି ସ୍ତ୍ରୀ ଲୋକର ସଂସ୍ପର୍ଶରେ ଆସିଚ ?

 

—ନାଁ ।

 

—କୌଣସି ଯୁବତୀ ବିଷୟ ଚିନ୍ତା କରିଚ ?

 

—ନାଁ ।

 

ତୁମେ ମତେ ବିବାହ କରିପାରିବ ? ବେଶିଦିନ ପାଇଁ ନୁହଁ, ମାତ୍ର ତିନିବର୍ଷ ପାଇଁ । ମୁଁ ତିନିବର୍ଷ ପାଇଁ ଇଣ୍ଡିଆକୁ ଯାଇ ସେଠାର ବୈଦ୍ୟଶାସ୍ତ୍ର ବିଷୟରେ ରିସର୍ଚ୍ଚ କରିବାକୁ ଚାହେଁ; ସେଥିଲାଗି ଜଣେ ବନ୍ଧୁ ଦରକାର । ତୁମେ ସେ ଦାୟିତ୍ଵ ଗ୍ରହଣ କରିପାରିବ ?

 

ମୁଁ ନିଜକୁ ଥୟ କରି ନେଇଥିଲି । ତା’ ପରେ ଲୁସିର କଥାଗୁଡ଼ାକ ଭାରି ମିଠା ଲାଗିଥିଲା । ତା ଦେହର ଗନ୍ଧରେ ବିଭୋବ ହେଇ ଉଠିଲାବେଳକୁ ସେ କହିଥିଲା, ଏଠି ନୁହେଁ କି ଏବେ ନୁହେଁ । ୟୁ ରିଙ୍ଗ ମି ଟୁଡେ । ଅର୍ଥାତ୍ ମତେ ଆଜି ଡାକିବ ।

 

ମୁଁ ଯେତେବେଳେକୁ ହାଉସୱାଇଫକୁ ରିଙ୍ଗ୍ କରେ, ସେତେବେଳେ କଲିଂବେଲର ସୁଇଚ ଟିପିଥିଲି । ଦେଖିଲି, ଟିକକ ପରେ ଲୁସି ଗୋଟାଏ ଚମଡ଼ା ସୁଟକେଶ ଧରି ମୋ ଘରେ ହାଜର । ଲୁସି କହିଲା, ଏଣିକି ଆମେ ହୁହେଁ, ସ୍ଵାମୀ ସ୍ତ୍ରୀ । ମୁଁ ତୁମର ଏଇଠି ରହିବି । ସୁଟକେଶଟିକୁ ଦେଖେଇ କହିଲା, ଏହାହିଁ ମୋର ସର୍ବସ୍ଵ । ତୁମେ ମୋ ପାଇଁ ବ୍ୟସ୍ତ ହେବନି । ମୁଁ ରୋଜଗାର କରିବି, ତୁମକୁ ପୋଷିବି । ତୁମେ ପାଠପଢ଼ । ମୋର ମଧ୍ୟ ଆଉ ବର୍ଷକ ପରେ ପଢ଼ା ଶେଷ ହେବ । ତା’ପରେ ଇଣ୍ଡିଆକୁ ଯିବା । ସିଧା ମତେ ତୁମ ଘରକୁ ନେଇଗଲେ ଭଲକଥା, ନଚେତ୍ ମତେ ନେଇ କୌଣସି ହୋଟେଲରେ ରଖିଦେଇ ପାର । ଏତିକିମାତ୍ର ମୁଁ ତୁମଠୁ ଚାହେଁ, ମୋର ପରିଚୟ ହେବ, ମୁଁ ମିଃ ସାମଲଙ୍କ ସ୍ତ୍ରୀ । ତୁମେ ନାହିଁ କରିବନି, ହଁ କରିବ ।

 

ତା’ପରେ...

 

ତା’ପରେ ଲୁସି ନିର୍ମଳ ଅକୃତ୍ରିମ ସେହ୍ନରେ ମତେ ନିବିଡ଼ ଭାବରେ ବାନ୍ଧିରଖିଲା ଦୁଇବର୍ଷ ଧରି । ସନ୍ଧ୍ୟାହେଲେ ଦୁହେଁ ଏ ପାର୍କ ସେ ପାର୍କ ବୁଲୁ, ଛୁଟିହେଲେ ଲୁସି ମତେ ଲେକ୍ ଭ୍ରମଣରେ ନିଏ । କେବେ କେବେ ପ୍ୟାରିସକୁ ଚାଲିଯାଉ । ଲୁସିର ନରମ ନରମ ମାଂସଳ ଦେହ, ଗୋରା ଗୋରା ଚମଡ଼ା, କଳା କଳା ବାଳଗଣ୍ଡିକ ଭାରି ଭଲଲାଗେ । ଇଣ୍ଡିଆର ଝିଅମାନେ କିମିତି ମୁଣ୍ଡ କୁଣ୍ଡାନ୍ତି, କିମିତି ବେଣୀ, ଜୁଡ଼ା ପକାନ୍ତି, ଓଠରେ ଲିପ୍‍ଷ୍ଟିକ ଲଗାନ୍ତିକି ନାଇଁ, ଶାଢ଼ି କିମିତି ପିନ୍ଧନ୍ତି, ସବୁ ବୁଝି ନେଇଥିଲା । ଶାଢ଼ି ପିନ୍ଧୁ ପିନ୍ଧୁ ପୂରା ଲଙ୍ଗଳା ହୋଇ ପଡ଼ୁଥିଲା । ବେଣୀ ବାନ୍ଧି ନ ପାରିଲେ, ମତେ କହେ ବେଣୀ ବାନ୍ଧିଦିଅ ବୋଲି । ମତେ ହାତରେ ପାନିଆ ଧରି ତା’ର ବାଳ କୁଣ୍ଡାଇବାକୁ ପଡ଼େ ।

 

Unknown

ଦିହିଙ୍କ ପାଇଁ ଦି’ଟି ଖଟ ।

 

ମୁଁ ରାତିଯାକ ତା’ରି କଥା ଭାବି ଭାବି ଶୋଇ ପାରେ ନା । ଏକତ୍ର ଶୋଇବାକୁ ସେ ମନାକରେ । ଥରେ ଥରେ ରାତିରେ ଉଠି ମୁଁ ତା ଖଟପାଖକୁ ଯାଏ । ଠିକ୍ ତାକୁ ଧରିବାକୁ ଗଲାବେଳେ ସେ କହେ, Not now, not here, but in India. (ନଟ୍ ନାଓ, ନଟ୍ ହିଅର, ବଟ୍ ଇନ୍, ଇଣ୍ଡିଆ ।)

 

ଲଣ୍ଡନରେ ତିନିଟି ବର୍ଷରୁ ଦୁଇଟି ବର୍ଷ ଇମିତି ଇମିତିରେ କଟିଯାଏ । ଉପଭୋଗ୍ୟା ଲୁସିର ଉପଭୋଗରୁ ମୁଁ ବଞ୍ଚିତ ହୁଏ । ପ୍ରତ୍ୟେକ ରାତିରେ ମୁଁ ତା ପାଖକୁ ଟାଣି ହେଇଯାଏ । କେବଳ ଓଠ ଛଡ଼ା ସେ ଦେହର କୌଣସି ଅଂଶକୁ ଛୁଇଁବାକୁ ଦିଏ ନା । ସେ କହେ—ଗୋଟିଏ ଚୁମ୍ବନହିଁ ସ୍ତ୍ରୀଠାରୁ ସ୍ୱାମୀର ପ୍ରାପ୍ୟ । ବ୍ୟଭିଚାରପୂର୍ଣ୍ଣ ଲଣ୍ଡନ ସହର ଭିତରେ ମୁଁ ଦେଖିଲି ଲୁସି ଏକ ଅଦ୍ଭୁତ ବ୍ୟତିକ୍ରମ । ବିବାଦର ସଂଜ୍ଞା ବିରୁଦ୍ଧରେ ଲୁସି ଯିମିତି ମନେ ମନେ ଭୀଷଣ ସଂଗ୍ରାମ କରି ଚାଲିଚି । କୌଣସି ଶାସ୍ତ୍ର, କୌଣସି ଧର୍ମ, କୌଣସି ଇତିହାସରେ ବିବାହ ଯେ ଦୈନିକ ଗୋଟିଏ ଚୁମ୍ବନରେ ସୀମିତ, ଇତିହାସ-ଗ୍ରନ୍ଥ ରୁତ୍ରଚରଣ ସାମଲ କେଉଁଠି କେବେ ପଢ଼ି ନ ଥିଲା । ମନେହେଲା, ସେ ଯିମିତି ଏକ ଅପ୍ରକାଶିତ ପାଣ୍ଡୁଲିପିକୁ ଉଦ୍ଧାର କରି ପଢ଼ିଚାଲିଚି । ଯା ଦେହରେ ଏତେ ରୂପର ସଂଭାର, ଯା ଦେହ ଶିଳ୍ପୀର ମଡ଼େଲ ଲାଗି ଗଢ଼ା, ସେ ଯେ ସିଷ୍ଟର ନିବେଦିତା ଭଳି ବ୍ରହ୍ମଚାରିଣୀ ହୋଇପାରେ ତାର ଧାରଣା ସୁଦ୍ଧା ନଥିଲା । ତା ଛଡ଼ା ଯିଏ ବିବାହକୁ ସ୍ଵୀକାର କରେ, ସେ ତ ମାତୃତ୍ଵକୁ ଲୋଡ଼ିବା କଥା । ମୁଁ ଲୁସି ସହିତ ଏ ବିଷୟରେ ବହୁତ ଯୁକ୍ତିକରେ, ସେ କିନ୍ତୁ ନିରୁତ୍ତର ରହେ ।

 

ଦୁହିଁଙ୍କର ପରୀକ୍ଷା ସରିବାପରେ, ଆମେ ଚାଲିଆସିଲୁ ଇଣ୍ଡିଆକୁ । ବାପା ଲୁସିକୁ ବୋହୂ ଭାବରେ ଗ୍ରହଣ କଲେ । ଲୁସିର ବ୍ୟବହାରରେ ସେ ମୁଗ୍ଧ । ନିଜ ଝିଅଠୁ ବଳି ଭଲ ପାଇଲେ ଲୁସିକୁ । ତିନୋଟି ମାସ ଭିତରେ ଲୁସି ଆମ ଘରେ ଏକାବେଳକେ ଭାରତୀୟ ତଥା ଓଡ଼ିଆଣୀ ପାଲଟିଗଲା । ସେ ଜଣେ ଡାକ୍ତରାଣୀ ବୋଲି ବାହାରିକି ପରିଚୟ ଦିଏ ନା । ମତେ ବି ଆଗରୁ ମନା କରିଦେଇ ଥାଏ । ବାପା କିନ୍ତୁ ଜାଣି ନ ଥାନ୍ତି ଯେ ତା ସହିତ ମୋର ବିବାହ କେବଳ ତିନିବର୍ଷ ପାଇଁ । ସେଥିରୁ ଦୁଇବର୍ଷ ବିଦେଶରେ କଟେଇ ଦେଇ ଆଉ ବର୍ଷକର ବଧୂତ୍ଵକୁ ମେଣ୍ଟାଇବା ପାଇଁ ଲୁସି ଆସିଚି ଇଣ୍ଡିଆକୁ ।

 

ଇତିମଧ୍ୟରେ ଆଠମାସ କଟିଗଲାଣି । ଲୁସି ସମୟ ସୁବିଧା ଦେଖି ଦେଖି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଆସେ । ଘରେ ବସି କ’ଣ ଗୁଡ଼ାଏ ଖାତାରେ ଟିପେ । ତାର ଡାକ୍ତରୀଭାଷା ମୁଁ ବୁଝି ପାରେ ନା । ଆଲୁଅ ଜାଳି ରାତି ଦୁଇଯାଏଁ ବସି ଲେଖି ଲେଖି ଥରେ ଥରେ ଲାଇଟ ନ ନିଭେଇ ଶୋଇପଡ଼େ । ଉଜ୍ଵଳ ଆଲୋକ ମଧ୍ୟରେ ମୁଁ ତାର ମୁହଁଟିକୁ ଏକ ଲୟରେ ଚାହିଁ ରହେ । ଧୀରେ ଧୀରେ ମୋ ଓଠ ତା ଓଠ ପାଖକୁ ଲାଗି ଆସେ । ମାନସିକ କ୍ଳାନ୍ତିପରେ ଲୁସି ଶୋଇଚି, ଉଠେଇଲେ ପାପ ହେବ ବୋଲି ମନେ ମନେ ଭାବେ । ତା ଓଠକୁ ସ୍ପର୍ଶ ନ କରି ମୋ ଓଠ ଉଠିଆସେ ।

 

କଣ୍ଟ୍ରାକ୍ଟ ସରିବାକୁ ମାତ୍ର ଦୁଇଦିନ ବାକି । ମୁଁ ସେ ବିଷୟରେ ଲୁସିକୁ ତେବେ ପ୍ରଶ୍ନ କରେ ନା । ସେ ମଧ୍ୟ ମତେ କିଛି କହେ ନା । ଭାବେ, ଲୁସି ବୋଧହୁଏ ଭୁଲି ଯାଇଚି । ଭୁଲୁ, ଭଲ ।

 

ଆଜି ରାତି ପାହିଲେ—କଣ୍ଟ୍ରାକ୍ଟ ସରିବ । ରାତି ପାହିବାକୁ ଆଉ ଅଧ ଘଣ୍ଟାଏ ବାକି । ଲୁସି ଧଡ଼ପଡ଼ କରି ଉଠି ଆସି ମତେ ଶେଯରୁ ଉଠେଇ କହିଲା—ମିଃ ସମଲ୍ । (ସାମଲ୍‍କୁ ସମଲ୍ ବୋଲି ସମ୍ବୋଧନ କରେ), ଆଇ ଓ୍ୟାଣ୍ଟ ଉଆନ୍ ଇଣ୍ଡିଆନ୍ ଚାଇଲ୍‍ଡ ଅଫ୍ ମାଇନ୍ । (ମୁଁ ଜଣେ ଭାରତୀୟ ସନ୍ତାନ ଚାହେଁ, ସେ କିନ୍ତୁ ମୋର ହେଇଥିବ ।) ଟୁଡେ ଇଜ୍ ଲାଷ୍ଟ ଡେ । ଗିଭ୍ ମି ଏ ଚାଇଲ୍‍ଡ ସମହାଉ ।

 

ଲୁସିକି ଦେଖିଲି, ତା ଗୋରା ମୁହଁଟା ଅତି ଲାଲ ଦେଖା ଯାଉଚି । ଦେହ ତା’ର ଅତି ଗରମ ହୋଇ ଉଠିଚି । କହିଲି, ମୁଁ କ’ଣ କରିପାରେ ? ଜୀବନରେ ସମସ୍ତେ ସବୁ ଦେବା ସଂଭବ କିନ୍ତୁ ସନ୍ତାନଟିଏ ଦେବା ସଂଭବ ନୁହେଁ । ମଣିଷ ଖାଲି ଚାହିଁଲେ ତା ପାଇ ପାରେ ନା । ପାଇବା ଲାଗି ଯେ ମଣିଷ ପ୍ରୟାସ କରେ ନା ତା ନୁହେଁ । କିନ୍ତୁ ସବୁ ଜମି ଉର୍ବର ନୁହେଁ । ତୁମେ ଜଣେ ଡାକ୍ତର, ୟାଠୁ ବେଶି ବୁଝାଇବା ମୋ ପକ୍ଷରେ ଧୃଷ୍ଟତା ହବ ।

 

ଲୁସି ହାତ ଘଡ଼ିକି ଦେଖିଲା, ଆଉ ମୋଟେ ଦେଢ଼ଘଣ୍ଟା ବାକି । ଏଇଲେ ରାତି ପାହିଯିବ । କୁକୁଡ଼ା ବୋବେଇବେ । ପୂଜାରୀ ଆଣି ଚାହା ଦେଇଯିବ । ଲୁସି ଏ ଘରେ ସକାଳ ପାଞ୍ଚଟାରୁ ଅଧିକ ମୁହୂର୍ତ୍ତେ ବି ରହିବାକୁ ଚାହେଁ ନା । ......ସିପ୍ରା ପଢ଼ୁ ପଢ଼ୁ ପଢ଼ା ବନ୍ଦ କରିଦେଇ କହିଲା, କହିଲୁ ମୂର୍ଚ୍ଛନା, ତା’ପରେ କ’ଣ ହୋଇଥିବ ?

 

ମୁଁ ସେତେବେଳେକୁ ଅଣନିଶ୍ୱାସୀ । ତା’ପରେ କ’ଣ ଯେ ଘଟିଥିବ ମୁଁ କଳ୍ପନା ସୁଦ୍ଧା କରି ପାରି ନଥିଲି । ସିପ୍ରା ମତେ କୁଣ୍ଢେଇ ଧରି କହିଲା, ତା’ ପରେ... ? ତା’ ପରେ ରୁଦ୍ରବାବୁଙ୍କୁ କୁଣ୍ଢେଇ ପକେଇଥିଲା ଲୁସି...ଲୁସି ଗଲାବେଳେ ରୁଦ୍ରବାବୁଙ୍କୁ କହି ଯାଇଥିଲା, ଯଦି ଏଥରେ ନ ହୁଏ, ମୁଁ ପୁଣି ଥରେ ଫେରି ଆସିବି, ମୁଁ ମୋର ଜଣେ ଭାରତୀୟ ସନ୍ତାନ ଚାହେଁ ଠିକ୍ ତୁମ ରୂପ, ତୁମ ଦେହର ବର୍ଣ୍ଣ, ତୁମର ବୁଦ୍ଧିକୁ ନେଇ ସେ ଜନ୍ମ ହେବା ଦରକାର ।

 

ସିପ୍ରା ଏ ଚିଠି ମତେ ପଢ଼େଇ ସାରିବା ପରେ ରୁଦ୍ରବାବୁଙ୍କୁ ଦେଖିବାପାଇଁ ଭାରି ଇଚ୍ଛା ହୋଇଥିଲା ମୋର ।

 

ସିପ୍ରା ତା ଆରଦିନ ଆସିଲାବେଳେ ହାତରେ ଗୁଡ଼ାଏ ଅଧା ପୋଡ଼ା ସିଗାରେଟ ଧରି ଆସିଥିଲା । କହିଲା, ଏଥିରୁ ତୁ ଗୋଟିଏ ନେ, ମୁଁ ଗୋଟିଏ ନେଉଚି । ଧାଇଁଯା ଦିଆସିଲି ଆଣିବୁ ଖାଇବା । ଧୂଆଁ ଗୁଡ଼ାକ ସିନା ଭଲ ଲାଗିବନି, ରୁଦ୍ରବାବୁଙ୍କ ଓଠରେ ଏ ସିଗାରେଟଗୁଡ଼ାକ କେତେ ସମୟ ପାଇଁ ଥିଲା, ଫୁଙ୍କିଲାବେଳେ ସେହି ଓଠର ସ୍ମୃତିରୁ ତ କିଛିଟା ଆନନ୍ଦ ମିଳିବ ।

 

ସିଗାରେଟଗୁଡ଼ା ତୁ କିମିତି କୁଉଠୁ ସଂଗ୍ରହ କଲୁ ବୋଲି ସିପ୍ରାକୁ ପଚାରିଥିଲି । ସେ କହିଥିଲା, ମୁଁ ଗଲା ଦୁଇଦିନ ହେଲା ଲୁସିର ଭୂମିକା ଗ୍ରହଣ କରିଚି । ଲୁସି କ’ଣ ତାଙ୍କୁ ଖାଇବାକୁ ଦେଇଥିଲା କେଜାଣି, ମୁଁ କିନ୍ତୁ ସକାଳୁ ତାଙ୍କ ଟେବୁଲ ଉପରେ ଚାରିଖଣ୍ଡ ଟୋଷ୍ଟ ଥୋଇଦେଇ ଆସୁଚି । ଆସିଲାବେଳେ ତାଙ୍କ ଟେବୁଲ ତଳେ, ଆଷ୍ଟ୍ରେ ଦେହରେ ଥିବା ଏଇ ସିଗାରେଟଗୁଡ଼ିକ ସଂଗ୍ରହ କରୁଚି ।

 

—ତୋ ବାପା ଯଦି ଜାଣନ୍ତି ?

 

—ବାପା ? ନିହାତି ବୋରଝାଞ୍ଜି ସେ । ଏସବୁ ଜିନିଷର ଥଳକୂଳ ପାଇ ପାରିବେନି । ଜାଣି ଥାଆନ୍ତେ ଯଦି, ଦିଦିର ବାହା ହେବାର ଚାରିମାସ ପରେ ଝିଅ ହୋଇ ନ ଥାଆନ୍ତା । ତୁ ବୋଧହୁଏ ଜାଣୁ ନା, ମୁଁ ବାପର ଝିଅ ନୁହେଁ, ମା’ର ଝିଅ ।

 

ସିପ୍ରା ଶ୍ୟାମା, ଅର୍ଥାତ୍ ସାବନା । ଖର୍ବକାୟା ହେତୁ ବାଳ ଗଣ୍ଡିକ ଗୋଡ଼ତଳକୁ ପଡ଼େ । ସବୁଠୁ ସୁନ୍ଦର ତା’ର ଆଖି ଯୋଡ଼ିକ । ତା’ ଦେହକୁ ଦେଖି ଆକୃଷ୍ଟ ନ ହେଲେ ମଧ୍ୟ ଯେ କୌଣସି ଯୁବକ ତା’ର ଦୀର୍ଘ କେଶଗୁଚ୍ଛ, ସେଇ ଦୁଇଟି ଆଖି ଆଉ ତା’ର ଧୀର ଲଚକ ଲଚକ ଚାଲିକି ଦେଖି ଆକୃଷ୍ଟ ହୋଇ ପଡ଼ିବା ସ୍ଵାଭାବିକ । ରୁଦ୍ରବାବୁ ସିପ୍ରା ପାଖକୁ ତାଙ୍କ ଜୀବନର ଗୋଟେ ଅଂଶ ବର୍ଣ୍ଣନା କରି ଏଡ଼େ ବଡ଼ ଚିଠି ଲେଖିଲେ କାହିଁକି, ମୁଁ ବୁଝି ପାରି ନ ଥିଲି ।

 

ସିପ୍ରା ରୁଦ୍ରବାବୁଙ୍କୁ ଧରାଦେବାପାଇଁ ଇଚ୍ଛାକଲେ ମଧ୍ୟ ସହଜେ ଧରା ଦିଏ ନା—ବୋଧହୁଏ କିମିତି କାହାକୁ କେଉଁ ସମୟରେ ଧରା ଦିଆଯାଏ, ସେ କୌଶଳଟା ସେ ଶିଖିଥିଲା ତା ଦିଦିଠୁ । ସିପ୍ରା ପ୍ରତ୍ୟେକ ଦିନ ଆସି, ରୁଦ୍ରବାବୁ ଆଜି ବଜାରଟାଯାକ ମୋ ସାଙ୍ଗରେ ବୁଲିଲେ, ହେଇ ଏଇ ଶାଢ଼ିଟା କିଣେଇ ଦେଲେ, କାଲି କହୁଛନ୍ତି ସିନେମା ଦେଖେଇ ନେବାକୁ ଇତ୍ୟାଦି ନାନାକଥା କହି ହୁଏ । ମତେ ବି ନିମନ୍ତ୍ରଣ କରେ । ଯିବାକୁ ଇଚ୍ଛାଥିଲେ ମଧ୍ୟ ମୁଁ ସିପ୍ରା ସାଥିରେ କୁଆଡ଼େ ଯାଇ ପାରେ ନା ।

 

ସିପ୍ରାର ବାପା ସିପ୍ରାର ଭାଷାରେ ସିନା ବୋରଝାଂଜି, ରୁଦ୍ରବାବୁଙ୍କ ଦୃଷ୍ଟିରେ ଭାରି କଡ଼ା-। ଏତେବଡ଼ ରାକ୍ଷସଭଳି ଚେହେରା । ଆଖିରେ ବିଧେ ବହଳର ମୋଟା ଚଷମା । ବାଳଗୁଡ଼ାକ ନିହାତି ରୁକ୍ଷ । ପାଟିରେ ଏକାଥରେ ଦି’ ତିନିଟା ପାନଖିଲ ଗୁଞ୍ଜିଦେଇ ଦିନ ରାତି ଚୋବା ଚାଲିଥାଏ-। ଶୁଣିଚି ସେ କୁଆଡ଼େ ରାତିରେ ପାଣି ପିଇଲା ଭଳି ଢକ ଢକ ମଦଗୁଡ଼ାକ ପିଇ ଯାଆନ୍ତି-। ରେଳବାଇ ବିଭାଗରେ କାମ କରୁଥିଲେ । ସସପେଣ୍ଡେଡ ହୋଇ ଏବେ ଘରେ ବସିଚନ୍ତି-। ଚାକିରିକାଳ ମଧ୍ୟରେ ଏଠି ଖଣ୍ଡିଏ ଘର, ଆଉ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର କୋଉ ଗୋଟେ ଗାଁରେ ଆଉ ଗୋଟିଏ ଘର ଓ ଜମିବାଡ଼ି କିଣିଚନ୍ତି । କଥା କହନ୍ତି ଯେ ମୁହଁରେ ବାଟୁଳି ବାଜିବନି-। ଶହେକେ ଅନେଶତ ମିଛ । ତାଙ୍କ ଯୁବାବସ୍ଥାରେ ସେ କୁଆଡ଼େ ଗୋଟେ ଗୁଳି ଚୋଟରେ ଦି’ଟା ବାଘମାରି ତ୍ରିପୁରା ରାଜାଙ୍କଠୁ ହଜାରେ ଟଙ୍କା ପୁରସ୍କାର ପାଇଥିଲେ । ସେ ଯାହା କହନ୍ତି, ତା’ର କୌଣସି ପ୍ରମାଣ ଓ ନମୁନା ଦେଖେଇ ପାରନ୍ତି ନାହିଁ ବୋଲି ଆମେ ଭାବୁ ମିଛ କହୁଚନ୍ତି-। ଦିନବେଳେ ଦାଣ୍ଡପଟ ଦୁଆର ଖୋଲୁ ଖୋଲୁ ଭିତରୁ ଆଲସେସିଆନ କୁକୁର ଭୁକିଲାଭଳି ଏଡ଼େ ବଡ଼ ପାଟି କରି କହନ୍ତି, କିଏ ? ଯିଏ ହୁଅ ପଛେ, ଦୁଆର ପକେଇ ସିଧା ଇଠିକି ଆସ-!

 

ରୁଦ୍ରବାବୁ ଦିନେ ଏଇ ଆଲସେସିଆନ ସିପ୍ରାବାପା କବଳରେ ପଡ଼ିଥିଲେ । ସିପ୍ରା ଯେଉଁ ସମୟ ଦେଇଥିଲା, ସେଇଟା ଦିନ ବେଳର ସମୟ କି ରାତିବେଳର ସମୟ, ରୁଦ୍ରବାବୁ ସିପ୍ରାର ଆଖିର ଆକର୍ଷଣ ଭୋଳରେ ଭୁଲିଯାଇ ଦିନ ବାରଟା ବେଳେ ପହଞ୍ଚି ଯାଇଥିଲେ । ଭିତରୁ ଏଇ ରୁଦ୍ର କଣ୍ଠର ଗର୍ଜନରେ ରୁଦ୍ରବାବୁଙ୍କ ହାଲୁକା ଶୁଖି ଯାଇଥିଲା । “ସିଧା ଏଇଠିକି ଆସ” ଏ ଆଦେଶକୁ ଲଙ୍ଘନ ନକରି ସେ, ସିଧା ସିପ୍ରାବାପା ପାଖରେ ପହଞ୍ଚିଥିଲେ । ବସ୍ କହିବା ମାତ୍ରେ ବସିଥିଲେ ଉଠ କହିବା ମାତ୍ରେ ଉଠିଥିଲେ । ପାଞ୍ଚ ସାତଥର ଉଠ ବସ ପରେ ବାପା ଆସିବାର କାରଣ କ’ଣ ବୋଲି ପଚାରିବା ମାତ୍ରେ ରୁଦ୍ରବାବୁ କହିଥିଲେ, ସିପ୍ରାଦେବୀ ଆଜି ଏତିକିବେଳକୁ ଆସିବାକୁ ମତେ କହିଥିଲେ, ସେଥିପାଇଁ ଆସିଚି ।

 

ତୁମର ନାମ ?

 

ରୁଦ୍ର

 

ଘର ?

 

ଏଇ ସହରରେ ।

 

କାହା ପୁଅ ?

 

ବିଦ୍ୟାଧର ସାମଲଙ୍କର ?

 

ବିଦ୍ୟାଧର ସାମଲ ! ଯିଏ ପୁରୀର ଏସ୍. ଡି. ଏମ୍ ଥିଲେ ସେଇଟିକି ?

 

ନାଇଁ ସିଏ ନୁହଁନ୍ତି, ତାଙ୍କର ସାନଭାଇ ଗଦାଧର ସାମଲ ଏସ୍. ଡି. ଏମ୍ ଥିଲେ । ସେ ବର୍ତ୍ତମାନ ହିମାଚଳ ପ୍ରଦେଶରେ । ମୁଁ ତାଙ୍କର ବଡ଼ଭାଇ ବିଦ୍ୟାଧର ସାମଲ, ଯିଏ ଆଗେ ଡାକ୍ଟର ଥିଲେ, ତାଙ୍କରି ପୁଅ ।

 

ଓଃ ଆଇ ନୋ ହିମ୍ । ତୁମେ କ’ଣ କର ?

 

ଲଣ୍ଡନରୁ ଫେରି ବ୍ୟବସାୟ କରୁଚି ।

 

ତୁମେ ଲଣ୍ଡନ ଯାଇଥିଲ ?

 

ଇଏସ୍ ସାର୍—ତିନି ବର୍ଷ ଥିଲି । ସେଠି ଅକ୍ସଫୋଡ୍‍ ୟୁନିଭରସିଟିରେ ପଢ଼ୁଥିଲି ।

 

କ’ଣ ପଢ଼ୁଥିଲ ?

 

ଇତିହାସ ।

 

ଏବେ କ’ଣ କରୁଚ କହିଲ ?

 

ବ୍ୟବସାୟ ।

 

କି ବ୍ୟବସାୟ ?

 

ସୋରିଷ ତେଲ ଠାରୁ ଆରମ୍ଭ କରି, ଇଲେକ୍ଟ୍ରି ଫଙ୍ଖା ଆଦିର ଏଜେଣ୍ଟ ।

 

ଭେରିଗୁଡ୍ ।

 

ଆଚ୍ଛା ତୁମେ ଲୁସି ବୋଲି ଇଂଲିଶ ଝିଅ ଆମର ଏଠି ଆସି ବୋହୂ ହୋଇ ରହିଚି ଜାଣ-?

 

ଜାଣେ । ଏକଦା ସେ ମୋର ସହଧର୍ମିଣୀ ଥିଲେ, ଏବେ ନାହାନ୍ତି । ସେ ତାଙ୍କ ଦେଶକୁ ଚାଲିଗଲେଣି । ଏଠିକି ଆୟର୍ବେଦିକ ମେଡ଼ିସିନ ଉପରେ ରିସର୍ଚ୍ଚ କରିବା ପାଇଁ ଆସିଥିଲେ । ରିସର୍ଚ୍ଚ ସରିଗଲା । ତା ଛଡ଼ା ମୋ ସହିତ ମାରେଜ–କଂଟ୍ରାକ୍ଟର ସମୟ ମଧ୍ୟ ସରିଗଲା; ସେଥିପାଇଁ ଚାଲିଗଲେ ।

 

ତାହାହେଲେ ତୁମେ ସେଇ, ରୁଦ୍ର ? ଲୁସିଟି କିନ୍ତୁ ଭାରି ଭଲ ପିଲା । ମୋର ବଡ଼ ଝିଅ ସହିତ ତା’ର ଏକରକମ ଘନିଷ୍ଠ ବନ୍ଧୁତା ଥିଲା ।

 

ତା’ପରେ ସିପ୍ରାର ବାପା କଥାକୁ ବଙ୍କେଇ ନେଇ କହିଲେ, ସିପ୍ରା ସହିତ ତୁମର ପରିଚୟ କେମିତି ହେଲା ?

 

—ଏ ପାଖରେ ଆମେ ଯେଉଁଠି ଆମର ଅଫିସ ଖୋଲିଚୁ, ସେଇ ଘରେ ଆଉ ଗୋଟିଏ ଝିଅ ରହେ । ସିପ୍ରାଦେବୀ ସେଇଠିକି ଯାଆନ୍ତି । ଯିବା ଆସିବା କରିବା ମଧ୍ୟରେ ଯାହା ଟିକିଏ ଦେଖା ସାକ୍ଷାତ ସେତିକି ।

 

ତୁମେ ତାକୁ ଭଲ ପାଅ ?

 

ରୁଦ୍ରବାବୁ ଚୁପ୍ ରୁହନ୍ତି ।

 

ତା’ ପରେ ସିପ୍ରାର ବାପା ତଳମହଲାରୁ ଉପର ମହଲାକୁ ବିଦାୟ ନିଅନ୍ତି । ଆଲମିରା ଭିତରର ନାଲି ନେଳି କାଚ ଗୁଡ଼ାକ ତାଙ୍କୁ ତୁହାଇ ତୁହାଇ ଡାକେ । ସେ ଏଇ ଡାକରେ ଅଥୟ ହୋଇପଡ଼ନ୍ତି । ରୁଦ୍ର ତମେ ଟିକିଏ ଏଠି ବସିଥକି, ଉପରେ କିଏ ଡାକୁଚି, ମୁଁ ଶୁଣି ଆସେ କହି ଚାଲିଯାଆନ୍ତି । ଆଉ ଫେରିବାକୁ ତାଙ୍କର ମନେ ପଡ଼େନା । ସେଇ କାଚ ଦେହର ନାଲି ନେଳି ପାଣି ଭିତରେ ପ୍ରିୟତମାର ପ୍ରେତାତ୍ମାକୁ ଭଲଭାବରେ ଦେଖି ପାରନ୍ତି ସେ । ଦିନେ ଏଭଳି ନାଲିନେଳି ପାଣିର ନିଶାରେ ବିଭୋର ହେଇ ସେ ନିଜ ପ୍ରିୟତମାକୁ ଧରିବାକୁ ଯାଉ ଯାଉ ପ୍ରିୟତମା ସେଇଭଳି ନିଶାରେ ଖସିପଡ଼ିଥିଲେ, ତିନିତାଲା ଉପରୁ ତଳକୁ । ତା’ପରେ ସବୁ ଶେଷ ।

 

ରୁଦ୍ରବାବୁ ବହୁ ଅପେକ୍ଷା ପରେ ଘରଭିତରୁ ଚାଲିଯିବାକୁ ଉଦ୍ୟତ ହେଉ ହେଉ ସିପ୍ରା ଆସି ପହଞ୍ଚେ । ରୁଦ୍ରବାବୁଙ୍କୁ ଟାଣି ନେଇଯାଏ ନିଜ କୋଠରୀ ଭିତରକୁ । କାନ୍ଥର ଚାରିପଟେ ରୋମାନ୍ ପେଇଣ୍ଟିଂ । ଧର୍ମନାମରେ କଦମ୍ବ ଗଛରେ କୃଷ୍ଣଙ୍କୁ ବସେଇ, ଗୋପାଙ୍ଗନାଙ୍କ ଲୁଗାକୁ ଗଛ ଉପରେ ଓହଳେଇ, ଉଲଗ୍ନ ଅବସ୍ଥାରେ ସେମାନଙ୍କୁ ପାଣି ଭିତରେ ବୁଡ଼େଇ ଯିମିତି ହିନ୍ଦୁମାନେ କାମଦେବୁ ଓ ରତ ଦେବୀଙ୍କୁ ପୂଜା କରିଥାଆନ୍ତି, ସେଇଭଳି ସିପ୍ରା ଘରେ ଗୁଡ଼ିଏ ଧାର୍ମିକ ଚିତ୍ରର ସମାହାର ଦେଖିବାକୁ ମିଳେ । ଯେ କୌଣସି ଯୁବତୀର ପ୍ରାଣ ଏଘରକୁ ଗଲେ ବାମଜର୍ଜରିତ ହୋଇ ପଡ଼ିବା ସ୍ୱାଭାବିକ ।

 

ରୁଦ୍ରବାବୁ ଏଇ ଘରେ ଅତିଥି । ସିପ୍ରା ଦେହରେ ବ୍ଲାଉଜ ନ ଥାଏ । ଉପରେ ପିନ୍ଧୁଥାଏ ଗୋଟିଏ ଝିଲ୍ ମିଲ୍ ଶାଢ଼ି । ତା’ ଅଙ୍ଗର ସମସ୍ତ ତରଙ୍ଗ ଉଚ୍ଛୁଳି ଜୁଆର ଆକାରରେ ରୁଦ୍ରର ସମଗ୍ର ମନକୁ ଗ୍ରାସକରି ପକାଏ । ସେ ମନେ କରେ ସେ କେବଳ କୂଳର ଏକ ବିସ୍ତୀର୍ଣ୍ଣ ବାଲୁଶଯ୍ୟାମାତ୍ର । ଏ ବାଲିତ ତା’ର ନୁହେଁ, ସମୁଦ୍ରର । ସେ ଗ୍ରାସକରୁ, ସେଥିରେ କିଛି କହିବାର ନାଇଁ ତାର । ସିପ୍ରାର ଉନ୍ନତ ବକ୍ଷ, ଆନତ ଅଥଚ ବିସ୍ଫାରିତ ଚକ୍ଷୁ, ବିକ୍ଷୁବ୍ଧ ମାଂସଳ ତନୁର ସମସ୍ତ କୋମଳତା ତାର ଲାସି–ହତ କଠୋର ମନକୁ ଅତି ବ୍ୟସ୍ତ, ଅତି ତୀବ୍ର କରିପକାଏ । ଲସି ଗଲାବେଳେ ତାଠୁ ଏହିଭଳି ଗୋଟିଏ ମୁହୂର୍ତ୍ତ ଚାହିଁଥିଲା ଅଥଚ ଶତଧା ବିଦୀର୍ଣ୍ଣ ହୃଦୟ ତାର ପିପାସାକୁ ମେଣ୍ଟାଇ ପାରିବ ନାହିଁ ବୋଲି ରୁଦ୍ରମନା କରି କରି ମଧ୍ୟ ମନା କରି ପାରିନଥିଲା । ଲୁସି ତାଙ୍କୁ ଗଲାବେଳେ ସାଙ୍ଗରେ ନେଇଯାଇପାରିଥିଲା ବୋଲି ସେ ଅନୁଭବ କରିପାରିଥିଲା ।

 

ସିପ୍ରା ତାର ଅନନ୍ତ ପିପାସା ମେଣ୍ଟାଇବା ଲାଗି ରୁଦ୍ରବାବୁଙ୍କ କୋଡ଼ରେ ଶୋଇବାକୁ ଗଲାବେଳେ, ମୁଁ ଯାଇ ଦୁଆର ଫିଟେଇ ଥିଲି । ପଶୁ ପଶୁ ଫେରି ଆସିଥିଲି ସତ, ଘରକୁ କିମିତି ଫେରିଲି, ଅନ୍ତତଃ ପନ୍ଦର କୋଡ଼ିଏ ମିନିଟ କାଳ ଭାବିପାରି ନଥିଲି ।

 

ତା’ ଆରଦିନ ସିପ୍ରା ଅଧାପୋଡ଼ା ସିଗାରେଟ ନ ଆଣି ଧରିଆସିଥିଲା ଗୋଟାଏ ନିଉକ୍ୟାଶେଲ୍ ସିଗାରେଟ ଡବା । ହାତରେ ଡିଆସିଲି । ମୁହଁରେ ସିଗାରେଟ ଖଣ୍ଡିଏ ଲଗେଇ, ଦି’ଚାରିପୁଳା ସିଗାରେଟ୍ ଧୂଆଁ ଶୋଷାଡ଼ି ମତେ ଦମ୍ଭର ସହିତ କହିଲା, କିଲୋ ଟୋକା, ତତେ ଭାରି ଲାଜମାଡ଼ିଲା, ନା ? ବସି ଥାଆନ୍ତୁ, ଦେଖି ଥାଆନ୍ତୁ । କ’ଣ କିଛି ସଂସାର ଭାସି ଯାଇ ଥାଆନ୍ତା-। ଦେଖିଲ ତ ଭଲକରି ଦେଖିଥାଆନ୍ତୁ । ମୁଁ ତ ତୋଭଳି କାନ୍ଥରେ କଣା କରି ରୁଦ୍ରବାବୁଙ୍କୁ ଦେଖେନି-। ମୁଁ ଦେଖିବାଭଳି ଦେଖେ । ଚାଖିବାଭଳି ଚାଖେ ।

 

ମୁଁ ଦେଖିଲି, ସତକୁ ସତ କାନ୍ଥରେ ଗୋଟାଏ କଣା ଅଛି । ସିପ୍ରା ବୋଧହୁଏ ଏଇ ବାଟେ, ମୁଁ ନଥିଲାବେଳେ ରୁଦ୍ରବାବୁଙ୍କ ସମସ୍ତ ଖବର ଅନ୍ତର ରଖେ ।

 

ସିପ୍ରା ତା’ଆରଦିନ ଆସି ସେଇ କଣାଟିକୁ ବହୁତ ଖୋଜେ ପାଏନା । କାନ୍ଥର କେଉଁଠି ସେ କଣାଟି ଥିଲା, ସେତକ ମଧ୍ୟ ଜାଣିବା ତା’ ପକ୍ଷରେ କଷ୍ଟକର ହୋଇପଡ଼େ ।

 

ସେଦିନଠୁ ସିପ୍ରା ସହିତ ମୋର ଆଉ ଏଇ ଘରେ ଦେଖା ସାକ୍ଷାତ ହୁଏନା, ଯାହାହୁଏ କ୍ଲାସରେ । ସିପ୍ରା ମତେ କଥା କହେନା । ସେଇ କଣାଟି ଲାଗି ଯେ ସେ ଆମ ଘରକୁ ଆସୁଥିଲା, ସେତକ ମୁଁ ଜାଣିପାରି ନୀରବ ରହେ । ସିପ୍ରା ମୋ ବିରୁଦ୍ଧରେ ନାନା କଥା ରଟାଏ । ଅପପ୍ରଚାର କରିବାରେ ତା ମୁହଁରେ ବାଡ଼ବତା ରହେନା । ତା’ ପରିବାରକୁ ମୋ ସାଙ୍ଗପିଲାଏ ଭଲ ଭାବରେ ଜାଣନ୍ତି ବୋଲି ତା’ କଥାକୁ କେହି ବିଶ୍ଵାସ କରନ୍ତି ନି । ସେ ଯାହା ଯାହା ମୋ ବିରୁଦ୍ଧରେ କହେ, ସବୁଗୁଡ଼ିକ ତାରି ଜୀବନର କାହାଣୀ ବୋଲି ସେମାନେ ଧରିନିଅନ୍ତି । ]

 

ତୁମେ ଯେଉଁଦିନୁ ମୋ ପଛେ ପଛେ ଲାଗିଲ, ତାର ପନ୍ଦରଦିନ ପୂର୍ବରୁ ସିପ୍ରା ବାହା ହୋଇଥିଲା, ଆମ କଲେଜର ଜଣେ ପ୍ରଫେସରଙ୍କୁ । ପ୍ରଫେସର ଜଣଙ୍କ ଭାରି ନିରୀହ । ଅତି ସରଳ । ସିପ୍ରା ତାଙ୍କ ଚକ୍ଷୁରେ ଜଣେ ଛାତ୍ରୀ ମାତ୍ର । ତାଙ୍କୁ ଇମିତି ପାଲରେ ପକେଇଲା ଯେ ତାକୁ ବାହା ନହେବାକୁ ତାଙ୍କର ଚାରା ନ ଥିଲା ।

 

ବାହାହେବାର ଚାରିଦିନ ପରେ ପ୍ରଫେସର ଜଣକ ପ୍ରଥମେ ଆମ ଘରକୁ ଆସି ମାମୁଁଙ୍କୁ ପଚାରିଥିଲେ, ଏଠି ରୁଦ୍ରଚରଣ ସାମଲ କିଏ ଥାଆନ୍ତି ? ମାମୁଁ ଚଷାମାକୁ ଟେକି ବିସ୍ମିତ ଭାବରେ କହିଲେ, କିଏ ? ରୁଦ୍ର ? ସିମିତି ତ କେହି ଏଠି ନାହାନ୍ତି । ଏଠି କେବଳ ଦୁଇଜଣ ରୁହନ୍ତି, ଜଣେ ମୋ ସ୍ତ୍ରୀ, ଆଉ ଜଣେ ଭାଗ୍ନେୟା ମୂର୍ଚ୍ଛନା ।

 

ପ୍ରଫେସର ଜଣକ ଆମ ପାଠ୍ୟ ସହିତ ସଂପୃକ୍ତ ନ ଥିଲେ ମଧ୍ୟ ମୁଁ ତାଙ୍କୁ ଚିହ୍ନେ । ତେଣୁ ନିଜକୁ ଅନ୍ତରାଳରେ ବେଶୀ ସମୟ ରଖି ନ ପାରି ମାମୁଁଙ୍କ ପାଖରେ ଆସି ଠିଆ ହୋଇ କହିଲି, ମାମୁଁ ଇଏ ଆମ କଲେଜର ବଟାନି ପ୍ରଫେସର ବିଜନବାବୁ ।

 

ମାମୁଁ ତାପରେ ତାଙ୍କୁ ବସିବାକୁ କହିଲେ, ମତେ କଫି କରି ଆଣିବାକୁ ବରାଦ ଦେଲେ । ତାପରେ ନାନା କଥାବାର୍ତ୍ତା ହେଲା ।

 

ରୁଦ୍ରବାବୁହେରିକା ଆମର ଘରଭଡ଼ା ନେଇଥିଲେ ମଧ୍ୟ ମାମୁଁ ରୁଦ୍ରବାବୁଙ୍କୁ ଜାଣିବାର କୌଣସି ଅବକାଶ ନ ଥିଲା । ଘରଭଡ଼ା ଦେଇଥିଲେ ବିଦ୍ୟାଧର ସାମଲଙ୍କ ନାଁରେ । ବିଦ୍ୟାଧରବାବୁ ମାସକୁ ମାସ ଘରଭଡ଼ା ଦେବା ପରିବର୍ତ୍ତେ ବର୍ଷକପାଇଁ ଅଗ୍ରୀମ ଦେଇଥିଲେ । ରୁଦ୍ରବାବୁ ବା ତାଙ୍କ ପାର୍ଟନରମାନଙ୍କୁ ମାମୁଁଙ୍କୁ ଆସି ଘରଭଡ଼ା ଦେବାକୁ ପଡ଼ୁନଥିଲା । ତେଣୁ ମାମୁଁଙ୍କର ରୁଦ୍ରବାବୁଙ୍କୁ ଚିହ୍ନିବାର ଉପାୟ ନ ଥିଲା । ମୁଁ ମଧ୍ୟ ଏ ବାବୁଙ୍କ ସହିତ ସିପ୍ରାର ବିବାହ ହୋଇଯାଇଚି ବୋଲି ସେତବେଳ ସୁଦ୍ଧା ଜାଣି ନ ଥିଲି । ମାମୁଁଙ୍କ ପକ୍ଷରୁ ମୁଁ ବିଜନବାବୁଙ୍କୁ କହିଥିଲି, ରୁଦ୍ରବାବୁ ଆମ ଘରର କେହି ନୁହଁନ୍ତି, ଆମର ଭଡ଼ାଟିଆ । ଦାଣ୍ଡ ସାମନାରେ ତାଙ୍କ ଅଫିସ । ସେଠି କ’ଣ କେଜାଣି ବ୍ୟବସାୟ କରନ୍ତି ।

 

ମୁଁ ଏତେବିଷୟ ଜାଣେ ଅଥଚ ମାମୁଁ ଜାଣନ୍ତିନି—ମାମୁଁ ତେଣୁ ମତେ ପଚାରିଥିଲେ, ତୁ ଏସବୁ କିମିତି ଜାଣିଲୁ ?

 

—ସିପ୍ରାଠୁ ।

 

ପ୍ରଫେସରବାବୁ ହଠାତ୍ କହିଉଠିଲେ, ସିପ୍ରା ମୋ ସ୍ତ୍ରୀ ।

 

ତାପରେ ଯାଇ ଜାଣିଲି ଯେ ସିପ୍ରାର ଇଏ ସ୍ୱାମୀ । ପ୍ରଫେସର ଆସିଥିଲେ ରୁଦ୍ରବାବୁଙ୍କୁ ନିମନ୍ତ୍ରଣ କରିବାପାଇଁ—ଏକ ଚାହାଭୋଜିରେ । ସିପ୍ରା ଯିମିତି ଫଡ଼ଫଡ଼ି, ନିଶ୍ଚୟ ରୁଦ୍ରବାବୁଙ୍କ କଥା କହିଥିବ । ସିପ୍ରାର ବନ୍ଧୁଭାବରେ ପ୍ରଫେସର ହୁଏତ ରୁଦ୍ରବାବୁଙ୍କୁ ଚାହା ଜଳଖିଆ ଦେଇ ଆପ୍ୟାୟିତ କରିବେ ।

 

ରୁଦ୍ରବାବୁଙ୍କୁ ବାଟରେ କୁଆଡ଼େ ସେ ନାନାକଥା ପଚାରିଲେ । ସିପ୍ରାଙ୍କ ସହିତ ତାଙ୍କର କିଭଳି ସଂର୍ପକ ହେଲା, କେବେ କେଉଁଠି ଦେଖାହେଲା, ସବୁକଥା ଖୋଳିତାଡ଼ି ପଚାରିଥିଲେ । ଲଣ୍ଡନଫେରନ୍ତା ସୋରିଷତେଲ ଏଜେଣ୍ଟ ରୁଦ୍ରବାବୁ ସବୁ ସତ କହିବା ଉଚିତ ବୋଲି ଭାବି ଯାହା ଯାହା ଘଟିଥିଲା ସବୁ କହିଗଲେ । ଆଉ ନିରୀହ ପ୍ରଫେସର ବିଜନବାବୁ ଏଗୁଡ଼ାକ ଜୀବନରେ ସାଧାରଣତଃ ଘଟେ, କିଛିନୁହେଁ ବୋଲି କହି କହି ସବୁ ଶୁଣିଗଲେ । ମୁଁ ଦୁଆରଫିଟେଇ ଦେଖିଥିବା ଘଟଣାଟା ମଧ୍ୟ ସେ ଲୁଚେଇ ରଖି ପାରିଲେ ନାହିଁ—ଫିଟେଇ ଦେଇଥିଲେ ।

 

ବହୁଦିନ ପରେ, ଆରେ ତୁମେ ତ କହୁଥିଲ, ରୁଦ୍ରବାବୁ କୁଆଡ଼େ ବିଜନବାବୁଙ୍କ ଘରେ ଚାହା ନଖାଇ ଜୋତାମାଡ଼ା ଖାଇ ଫେରିଲେ । ସିପ୍ରା କୁଆଡ଼େ ଏ ଜୋତାମାଡ଼ ପରେ, ବିଜନବାବୁଙ୍କର ଆଉ ଜୋତାହଳକ କ’ଣ ହେବ, ରୁଦ୍ରବାବୁ ତୁମେ ପିନ୍ଧିଯାଅ କହି ପଛେ ପଛେ ଗୋଡ଼େଇଥିଲା ।

 

ରୁଦ୍ରବାବୁ ଦେହର ମାଡ଼ଖିଆ ଅଂଶଟାକୁ ଆଉଁସି ଆଉଁସି ଫେରି ଆସିଥିଲେ ।

 

ଦେଖିଲ, କୁଉଠୁ ଆସି ମୁଁ କୁଉଠି ପହଞ୍ଚିଲେଣି । ଟିକିଏ ମନେ ପକେଇ ଦଉନ । ଖୁଣ୍ଟାଟା ଭଳି ବସିଚ କ’ଣମ ? ଆଉ ଗୁଡ଼ାଏ କ’ଣ ଯଦି କହୁ କହୁ କହିପକାଏ, ତାହାହେଲେ ମୋର ଆଉ ଥଳକୂଳ ରଖିବନି ।

 

...ହଁ ଗ୍ରାମସେବିକା ପରା, କାହିଁକି ହେଇଥାଆନ୍ତି କହିବା କଥା ! ମାଇଁ ମଲେ, ମାମୁଁ ବି ମଲେ—ତା’ପରେ ମୋର ଘର ବାହୁଡା—ସେତବେଳକୁ ଘରେ ମା ମୋର ମାଇଁଙ୍କ ବିରାଡ଼ିପିଲା ଭଳି ପଲେ ଛୁଆପିଲା ଜନମ କରି ବସିଥାଏ । ବୋଧହୁଏ ପୁଅଟାଏ ଜନ୍ମ ହେବପରା ଆଶା ରଖି ରଖି ମା ମୋର ଜନ୍ମନିରୋଧ ପ୍ରଚାରକୁ କାନରେ ଶୁଣି ନଶୁଣିଲା ଭଳି କାରବାର କରୁଥିଲା । ହଁ ପୁଅ ଜନ୍ମହେଲା ସତ ଛଅଟି ଝିଅ ତଳକୁ । ଏତେ ପିଲାପିଲିଙ୍କୁ ପୋଷିବା ବାପାଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ଉଠିଲା । ମୁଁ ନିଜ ଆଖିରେ ବାପାମାଆଙ୍କ କଷ୍ଟ ଦେଖି ସମ୍ଭାଳି ନପାରି ଥରେ ଥରେ ଭାବେ, ପାଠ ତ ପଢ଼ିଚି, ଚାକିରି କରି ବାପା ମା’ଙ୍କୁ ପୋଷିବି ।

 

ଆମ ସାହିରେ ମୋର ସାଙ୍ଗଥିଲା, ଶର୍ମିଷ୍ଠା ଦାସ—ଗ୍ରାମସେବିକା । ଦରମା ଶହେ । ତା ଛଡ଼ା ଉପରି ରୋଜଗାର ବି ଥିଲା । କେତେଯାଏଁ ପଢ଼ିଲେ ଗ୍ରାମସେବିକା ହୁଅନ୍ତି, ମୁଁ ଆଇ.ଏ ପଢ଼ି ସୁଦ୍ଧା ଜାଣିପାରି ନଥିଲି । ସେଥିଲାଗି ମୋ ପରୀକ୍ଷା ଫଳ ନାଁ ଆଗରେ ଖବର କାଗଜବାଲାମାନେ ଲେଖୁଥିଲେ, ଶ୍ରୀମତୀ ମୂର୍ଚ୍ଛନା ମହାପାତ୍ର ସା.ଜ୍ଞା.ବ୍ୟ ଅର୍ଥାତ “ସାଧାରଣ ଜ୍ଞାନ ବ୍ୟତୀତ” ।

 

ଶର୍ମିଷ୍ଠା ଦାସର ରୋଜଗାର, ତା’ର ଚାଲିଚଳଣକୁ ଦେଖିଲେ ମୋର କାହିଁକି କେଜାଣି ଭାରି ଇର୍ଷାହୁଏ । ଶର୍ମିଷ୍ଠା ଦାସର ପରିବାରଟି ଠିକ୍ ମୋ ପରିବାର ପରି । ଦରମା ପାଏ ଶହେ । ଶହେଟିଯାକ ଟଙ୍କା ଘରକୁ ପଠାଇଦିଏ । ଉପରି ଯାହା ମିଳେ, ସେଥିରେ

 

ସେ ଚେହେରା ବନାଏଁ—ଅର୍ଥାତ୍ ହାଇହିଲ୍ ଯୋତା ପିନ୍ଧେ, ଓଠରେ ଲିପ୍‍ଷ୍ଟିକ୍ ବୋଳେ, ଲାଇଲନ ଶାଢ଼ୀ ପିନ୍ଧେ, ଟ୍ରାନ୍‍ଜିଷ୍ଟାର ରେଡ଼ିଓ ବଜାଏ, ସ୍ପଞ୍ଜ ଦେଇ ଛାତିକୁ ଉଚ୍ଚା ଉଚ୍ଚା କରେ । ଶୀତଦିନେ ଭିତରେ ଗୋଟାଏ ଲମ୍ବା ଫୁଲ୍ ସ୍ଵେଟର, ତା ଉପରେ ଗୋଟାଏ କୋର୍ଟ ପିନ୍ଧି ଦେହକୁ ମୋଟାସୋଟା କରେ । ବି. ଡ଼ି. ଓ. ଙ୍କ ଜିପ୍‍କୁ ମଧ୍ୟ ଦରକାର ବେଳେ ବି. ଡ଼ି. ଓ. ଙ୍କୁ ପାଖରେ ବସେଇ ରାତିଅଧରେ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ ଡ୍ରାଇଭିଂ କରିନିଏ ।

 

ମୋର ଇଚ୍ଛାହୁଏ ସିମିତି ହେବାକୁ ।

 

—ଦାସେ ଟିକିଏ ହସିଦେଲେ ।

 

ସୁସ୍ନାତାଦେବୀ କହିଲେ, ହସିବ ଯଦି କହିବିନି । ପଚାରୁଚ, ଥଟ୍ଟାକରୁଚ, ପୁଣି ହସୁଚ ? ଛି, ତୁମର ଯା କଥା ନା !

 

ହଉ—ତା ପରେ ?

 

ତା ପରେ ଦିନେ ଶର୍ମିଷ୍ଠାଠୁ ବୁଝିଲି, ଏ ଚାକିରି କରିବାକୁ ହେଲେ କ’ଣ ଦରକାର ।

 

ଶର୍ମିଷ୍ଠା କହିଲା, ଶିକ୍ଷା ମାଇନର ପାସ, ଦୀକ୍ଷା—ହାକିମଙ୍କ ମନନେଇ ଚଳିବା; କର୍ତ୍ତବ୍ୟ–ଯାହା ଧର୍ତ୍ତବ୍ୟ ନୁହେଁ ତାକୁ ଛାତିକି ଫୁଲେଇ ସହିଯିବା, ନିଜ କାମରେ ଅବହେଳା କରି ସରକାରଙ୍କୁ ଠକିବା—ପାଉଡ଼ର ଦୁଧ ବଣ୍ଟନବେଳେ ହଜାରେ ଜାଗାରେ ଶହେ ବାଣ୍ଟି, ନଅଶହ ଡିବା ତୁମ ସୁବିଧା ଦେଖି କୌଣସି ମାରୁଆଡ଼ିକି ବିକିବା । ଧରା ଯିମିତି ନପଡ଼ିବ, ସେଇଥିଲାଗି ଉପର ହାକିମଙ୍କ ଘରେ ତିନି ଚାରୋଟି ଡିବା ଦେଇଦେବା ଏବଂ ତାଙ୍କ ପିଲାପିଲିଙ୍କୁ ଆଦର କରିବା ନଚେତ ତାଙ୍କ ସ୍ତ୍ରୀଙ୍କୁ ବଡ଼ ଭଉଣୀଠୁ ବଳି ଭକ୍ତି କରିବା । ଦରକାର ପଡ଼ିଲେ ତାଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରୋଷେଇ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ।

 

ଏସବୁ ଗୁଣ ମଧ୍ୟରୁ କୌଣସି ଗୋଟିଏ ଗୁଣ ମୋଠି ନାହିଁ ବୋଲି ଅନୁଭବ କରିପାରି ଥିଲି ମୁଁ । ତେଣୁ ଗ୍ରାମସେବିକା ହେବା ପ୍ରସ୍ତାବଟା ବାପାଙ୍କ ପାଖରେ ପକେଇବି ବୋଲି ଯାହା ଆଗରୁ ଭାବିଥିଲି, ନ ପକେଇ ଭାବିଲି, ତୁମ ପାଖରେ ସ୍ତ୍ରୀ ଭାବରେ ସ୍ଥାୟୀ ଚାକିରି କରିବାଟା ଭଲ-। ତୁମ ଅଧୀନ ଚାକିରିଟାରେ ଦରମା କମ୍ ଏବଂ ସେଥିରେ ବାପ ମାଙ୍କୁ ଉପକୃତ କରି ହେବ ନି, ଏ କଥା ଜାଣିପାରି ଥିଲେ ମଧ୍ୟ ତୁମ ଭଳି ଜୋଇଁ ପାଇ ବଡ଼ ଲୋକର ଶ୍ୱଶୁର ମୁଁ ବୋଲି ବାପା ଆମର ଯେଉଁ ଦାମିକା ଆଶ୍ଵାସନା ଆଜୀବନ ପାଇବେ, ସେତକ ମାସିକ ହଜାରେ ଟଙ୍କା ସାହାଯ୍ୟଠୁ ବଳି ତାଙ୍କୁ ଅଧିକ ଉପକୃତ କରିବ ବୋଲି ଭାବି ପାରିଥିଲି—

 

ବୁଝିଲ ? ଗ୍ରାମସେବିକା ନ ହେଇ ଏଇଥିପାଇଁ ତୁମର ଚରଣ ସେବିକା ହେବି ବୋଲି ଭାବିଥିଲି ସିନା ଶେଷରେ ତୁମର ଶୁଷ୍କତନୁ କ୍ଷୀଣ ମୁଖକୁ ଦେଖି ମନେ ମନେ ମୁଁ ଏ ପର୍ଯ୍ୟନ୍ତ ଭାବି ଆସିଚି ମୁଁ ତମର ଶରୀରସେବିକା ।

 

ଇଏତ ଗଲା ସୁସ୍ନାତାଦେବୀଙ୍କ ଗ୍ରାମସେବିକା ଅଧ୍ୟାୟ । ଦୀନବନ୍ଧୁ ଦାସେ କେଉଁ ଜିଦରେ ସୁସ୍ନାତାଦେବୀଙ୍କୁ ବରଣ କଲେ ସେ କୁଆଡ଼େ ଭାରି ରହସ୍ୟମୟ । ଅତି ଗୁପ୍ତ, ତତେହିଁ କହୁଛି, ଜୀବନରେ କାହାକୁ କହିନାଇଁ ବୋଲି କହି ତାଙ୍କର ସମସ୍ତ ଅନ୍ତରଙ୍ଗ ନିସ୍ତରଙ୍ଗ ବନ୍ଧୁମାନଙ୍କୁ କହିଥାଆନ୍ତି । ସେ ଏସବୁ କହିଲାବେଳେ ଆଗରୁ କହିଦେଇ ଥାଆନ୍ତି ଯେ ଭାଇ ନ କହିଲେ ଘଟଣାଗୁଡ଼ାକ ନାହି ପାଖରେ ଫକ ଫକ ହେଇ ଡିଏଁ, ପେଟରେ ବାୟୁ ଗୋଳେଇ ପୋଳେଇ ହେଲାଭଳି ହୁଏ, ତେଣୁ କହି ପକାଉଚି । ପ୍ରଥମେ ମୁହଁକୁ କାନ ପାଖରେ ଲଗେଇ ବହୁଲୋକ ଥିଲେ, ତୁ ଟିକିଏ ଇଆଡ଼କୁ ଆ କହିବି ବୋଲି କହି ବନ୍ଧୁଙ୍କୁ ଡାକି ନିଅନ୍ତି । ଦି ଚାରିପଦ କହନ୍ତି କି ନା ପାଖରେ ଥିବା ଲୋକେ କହନ୍ତି, ଏଇ ଫୁସ ଫୁସ୍ ଗୁଣ ତ ଗଲାନି, କିହୋ କହିବତ ବଡ଼ ପାଟିରେ କହିବି । ଦୀନବନ୍ଧୁଠୁ ଆଉ ତ କିଛି ନ ଥାଏ, ଥିଲେ ଥିବ, ସେଇ ଟୋକୀ କଥାଗୁଡ଼େ, ସେୟା କହୁଥିବ । ଦୀନବନ୍ଧୁ ଦାସେ ସେଇଠୁ ଆରମ୍ଭ କରନ୍ତି ବଡ଼ ପାଟିରେ । ଅଫିସ ହେଇଥିଲେ, କର୍ମଚାରୀମାନେ କଲମ ବନ୍ଦ ଧର୍ମଘଟ କରନ୍ତି, ପରିବା କିଣା ହେଉଥିଲେ, ସମସ୍ତଙ୍କ ପରିବା କିଣା ବନ୍ଦ ହୁଏ । ଡାକ୍ତରଖାନା ହେଇଥିଲେ, ରୋଗୀଗୁଡ଼ାକ ଠିଆ ହୋଇ ରହନ୍ତି—ଦୀନବନ୍ଧୁ ଦାସଙ୍କ କଥା ସରେନା । ଗୁଡ଼ିର ସୂତା ଲମ୍ବିଲା ଭଳି ଲମ୍ବିଥାଏ—ମାଂଜିଆ ବୋଳା ସୂତାଭଳି ସେ କଥାଗୁଡ଼ା ଭାରି ଟାଣ କିନ୍ତୁ ସରସ ।

 

ଇମିତି କଥାର ଜୋରରେ ସେ କେତେ ଯେ ଝିଅଙ୍କୁ ଟାଣି ଆଣି ପାରୁଥିଲେ, ତା ସେଇ ଜାଣନ୍ତି । ତାଙ୍କର ଫ୍ରେଣ୍ଡସ୍ କମ୍ପାନୀ ଲିମିଟେଡର ବନ୍ଧୁମାନେ ଜାଣନ୍ତି । ଏଇତ ସେଦିନ ଉପରବେଳା ଚାରିଟାବେଳେ ଶ୍ୟାମଳ ଡାକ୍ତରଙ୍କ ସ୍ତ୍ରୀ ନନ୍ଦିତା ତାଙ୍କ ଘରକୁ ଆସିଥିଲା । ସୁସ୍ନାତାଦେବୀ ତାଙ୍କଠୁ ବୟସରେ ବଡ଼ କିନ୍ତୁ ତାଙ୍କ ସ୍ଵାମୀଙ୍କୁ ସେ ବଡ଼ଭାଇ ରୂପେ ଭକ୍ତି କରନ୍ତି ବୋଲି, ତାଙ୍କୁ ଡାକୁଥିଲେ ଭାଉଜ ! ସୁସ୍ନାତାଦେବୀ ଏ ଘରକୁ ଆସିବା ଦିନଠୁ ଭାଉଜ ଭାଉଜ ହେଇ ହେଇ ମରି ଯାଉଥିଲେ । ଆଉ ଦୀନବନ୍ଧୁ ଦାସେ ସେ କିଏ କିହୋ ପଚାରି ପଚାରି ସଠିକ ଖବର ପାଇପାରୁ ନ ଥିଲେ । ପଚାରିଲା ମାତ୍ରେ ସୁସ୍ନାତାଦେବୀ କହୁଥିଲେ, ନିନ୍ଦିତା ଭାଉଜ ମ । ତାଙ୍କ ଝିଅଟି ଦେଖିବାକୁ ଭାରି ସୁନ୍ଦର । ଜନ୍ମହେଲା ବେଳକୁ ଓଜନ କେତେ ଥିଲା ଜାଣ ? ଆଠ ପାଉଣ୍ଡ । ଯୋ ଗୋଲଗାଲ ହେଇଚି ନାଁ, ଚୋବେଇ ପକେଇବାକୁ ଇଚ୍ଛା ହେଉଚି । ମୁହଁଟି ଠିକ୍ ଭାଉଜଙ୍କ ଭଳି । ଦାଦାଙ୍କ ଭଳି ହେଇଥିଲେ ବଡ଼ ଅସୁନ୍ଦର ଦେଖାଯାଇ ଥାଆନ୍ତା । ରାତି ପାହିଲେ ବଉ ବିଚକୁଟ ଦେ, କଚଲେଟ ଦେ (ଚକଲେଟକୁ ସେ କହେ କଚଲେଟ) ଆହେ, ଶୁଣିଲେ ଆଶ୍ଚର୍ଯ୍ୟ ହବ, ଏଡ଼ିକିଟିଏ ବୋଲି ପିଲା, ବୋଉ ଆଗରେ ମୂତି ବସିବାକୁ ବି ଲାଜ । ରାତି ଦିନ ପେଣ୍ଟ ପିନ୍ଧିବ, ମୂତ ଦେଖେଇଲେ ବାଥ୍ ରୁମରେ ଯାଇ ମୂତିବ । ହସିଲେ ଗାଲର ଗୋଟିଏ ପାଖରେ ଛୋଟ ଗାତଟିଏ ହେଇଯାଏ । ଟିକିଏ ଟେରୀବୋଲି ତାର ଚାହାଣିଟି ବଡ଼ ସୁନ୍ଦର ।

 

ଦାସେ ପଚାରନ୍ତି—

 

ପିଲାଟିର ବୟସ ?

 

—ଦି ବର୍ଷମ । ନିନି ବୋଲି ଡାକିଦେବା ମାନ୍ତେ କୁଆଡ଼େ ଥିବ ଗୁଡ଼ୁରୁ ଗୁଡ଼ୁରୁ ହେଇ ଧାଇଁ ପଳେଇ ଆସିବ । କହିବ, ମାଚି (ମାଉସୀକି ମାଚି) ଆସାଡ଼ (ଆଚାରକୁ ଆସାଡ଼) । କ’ଣ କରିବି, ଗଲେ ସେଇ ଆସାଡ଼ ଆସାଡ଼ ହବ ବୋଲି ବେଗ୍ ଭିତରେ ପୁଡ଼ିଆଟିକରେ ଖଣ୍ଡିଏ ଆମ୍ବ ଆଚାର ଭର୍ତ୍ତି କରି ନେଇଥାଏ । ଭାଉଜ ପେଟ ଖରାପ ହେବ, ତା ଅଭ୍ୟାସ ଭାଙ୍ଗ ବୋଲି ବହୁତ କହନ୍ତି, ମୁଁ କିନ୍ତୁ ନ ନେଇ ରହିପାରେନା । ଏତିକି କହୁ କହୁ ସିଆଡ଼େ ଚାହା ଡେକଚିରେ ଚାହା ଉତୁରି ପଡ଼ିବାର ଶବ୍ଦ ହୁଏ, ସୁସ୍ନାତାଦେବୀ ଲସର ପସର ହେଇ ଧାଇଁ ଯାଆନ୍ତି ରୋଷେଇ ଘର ଭିତରକୁ ।

 

ଦାସେ ଚୈାକିରୁ ଉଠୁ ଉଠୁ ସୁସ୍ନାତାଦେବୀ ପୁଣି ଧାଇଁ ଆସି କହନ୍ତି, ମେଲିଜାମାଗୁଡ଼ିକ ତାର ଗୋରାଦିହକୁ ଭାରି ମାନେ । ପୁଣି ଆଉ ଗୋଟେ ଘର ଭିତରକୁ ଦଉଡ଼ି ଯାଇ ଅଧା ସିଲେଇ ହେଇଥିବା ପିଲା ଜାମାଟିଏ ଆଣି ଦାସଙ୍କୁ ଦେଖେଇ କହନ୍ତି, ଭାଉଜ କହିଥିଲେ, କେବେ ତମ ଘରଆଡ଼େ ଯାଇନି, ଆଜି ଚାରିଟାବେଳେ ଯିବି । ଜାମାଟା ସିଲେଇ କରି ଦେଇଥିବ, ନେଇ ଆସିବି-। ଆହେ, ଦେଖିଲ ଦେଖିଲ ଘଣ୍ଟାରେ କେତେଟା ବାଜିଲାଣି ?

 

ଦାସେ ଆଲାରାମ ଘଡ଼ିଟିକି ଦେଖି କହନ୍ତି, ସାଢ଼େ ତିନିଟା ।

 

—ଇଲୋ ମାଆଲୋ, ଆଉ ମୋଟେ ଅଧଘଣ୍ଟେ ରହିଲା । ଭାଉଜ ଯେଭଳି ଘଣ୍ଟା କଣ୍ଟାକୁ ଜଗି ବସିଲା ଭଳି ଲୋକନା, ଇଲେ ପଳି ଆସିବେ । ଗୋଟେ କାମ କରିବନି, ଟିକିଏ ବଜାରକୁ ଯାଇ ଚାରିଟା ରାଜଭୋଗ, ଆଠ ଦଶଟା ସିଙ୍ଗଡ଼ା, ଆଉ କ’ଣ ମିଳୁଥିଲେ କିଛିଟା ଆଣିଦେବ ।

 

ଦାସେ କହନ୍ତି, ମୋଠି ପଇସା ତ ନାଇଁ ।

 

ପଇସା ନାଇଁ ବୋଲି ଶୁଣିଲାମାତ୍ରେ, ସୁସ୍ନାତା ଦେବୀ ଥରହର ହୋଇ ପଡ଼ନ୍ତି । କାରଣ ପଇସା ନ ଥିଲେ, ଦାସେ ପାଗଳ । କ’ଣ ନା କ’ଣ କହିଯିବେ, ତାର କିଛି ଇୟତ୍ତା ରହେନି । ଦାସେ ଆରମ୍ଭ କରନ୍ତି, ଦାୟିତ୍ଵ ପୃଷ୍ଟାରୁ । ଘରେ ଏକମାତ୍ର ରୋଜଗାର କରିବା ଲୋକ । ମାସକୁ ତିନି ସହ ଦରମା, ତା’ଛଡ଼ା ଇଆଡ଼ୁ ସିଆଡ଼ୁ ମାସକୁ ହରାହାରି ଦେଢ଼ଶହ । ସବୁ ଯାଉଚି କୁଆଡ଼େ କ’ଣ ସବୁ ଖିଆପିଆରେ ସରିଯାଉଚି ? ଯଦି ବା ଖାଉଚନ୍ତି, ମୋଟାସୋଟା ନ ହୋଇ ଏଡ଼େ ପତଳା କାହିଁକି ? ସୁଷମ ଖାଦ୍ୟ ବୋଲି ସ୍ୱାସ୍ଥ୍ୟରକ୍ଷା ବହିରେ ପିଲାଦିନୁ ସେ ଯାହା ପଢ଼ିଥିଲେ, ଦୈନିକ ତ ସେୟା ସେ ଖାଉଚନ୍ତି—। ଦୈନିକ ଖାଦ୍ୟ–ରୁଟିନକୁ ଦେଖିଲେ । (ରୁଟିନଟା ସ୍କୁଲ ପିଲାଙ୍କ ରୁଟିନ ଭଳି ଏକ ମୋଟା କାଗଜରେ ଲେଖାହେଇ ଟେବୁଲ ଗ୍ଲାସ ତଳେ ଚପାହୋଇ ରହିଥାଏ—ଟେବୁଲକୁ ଚାହିଁଲା ମାତ୍ରେ ଆଖିରେ ଆଗେ ସେଇଟା ପଡ଼ିଯାଏ)—ସକାଳୁ ଦି’ ଖଣ୍ଡ ଗୁଆଘିଅରେ ଭଜା ପରଟା, ଦିଇଟା ପାଟକପୂରା କଦଳୀ, ଦୁଇଟା ଅଣ୍ଡାର ଆମଲେଟ, ଗଣ୍ଡେ ବୁଟସିଝା, ଗୋଟିଏ କମଳା ଓ କପେ.ଓଭାଲଟିନ୍ ନଚେତ୍ କୋକୋ । ସେହିଭଳି ମଧ୍ୟାହ୍ନ ଭୋଜନରେ ସବୁ ପରିବା ସିଝାରୁ ମେଞ୍ଚାଏ, ଗଣ୍ଡେ ଶାଗଖରଡ଼ା, କିଛିଟା କଲିଜା ଭଜା, ଖାଇସାରିବା ପରେ କପେ କଫି । ପେନ୍‍ସିଲରେ ଚିହ୍ନ ଦେଇ ମନେ ମନେ କହି ହୁଅନ୍ତି ଭିଟାମିନ୍ ଏ. ବି. ସି. ଡ଼ି. ସବୁ ଅଛି । କ’ଣ ଏଇ ଭିଟାମିନ୍ ସଂଗ୍ରହ ଲାଗି ଏତେ ଖର୍ଚ୍ଚ ? ଅତି ବେଶି ହେଲେ ମାସକୁ ଶହେ । ଆଉ ଗୁଡ଼ାକ ? ପଇସା ଅଭାବରେ ହାତରେ ଘଡ଼ି ନାଇଁ, ଦେହକୁ ସୁଟ୍ ନାଇଁ ଯେ ଶୀତଦିନେ ସଂଧ୍ୟା ହେଲେ ଘରକୁ ଧାଇଁ ଆସି ଦୁଆର ଘର କିଳି ତୁଳା କମଳ ଘୋଡ଼େଇ ଶୋଇ ପଡ଼ନ୍ତି । ନିଜର ବୋଲି ପୃଥିବୀଟା ଜାକରେ ଘର ଖଣ୍ଡିଏ ନାହିଁ କି ବାଡ଼ି ଗୋବରେ ଗୋବେବୋଲି ଜମି ନାଇଁ । ସମ୍ପତ୍ତି ବୋଲି ହଜାରେ କି.ମି. ହଜାର ବହି, ଆଉ ଟେବୁଲ ଚୌକି କେଇଖଣ୍ଡ । ଆଲମିରାଟିଏ ବି ନାଇଁ । ଭଲ କରି ପେଣ୍ଟ ସାର୍ଟ ଦିଖଣ୍ଡ କରିବାକୁ ମଧ୍ୟ ପଇସା ହେଉନି ।

 

ତେଣୁ ପଇସା ନାଇଁ କହିଲେ ସୁସ୍ନାତା ଦେବୀ ଛାଟିପିଟି ହେଇ କୁଆଡ଼େ ପଳାନ୍ତି । ଏଥର ସେଥର ପିରି ଯଦି ହେବେ ନା, ଲୋକହସା ହେବାକୁ ପଡ଼ିବ । ଲେଙ୍ଗୁଟି ପିନ୍ଧି ବାବାଜି ହେବାକୁ ଦଉଡ଼ିବେ ।

 

ସେଥର ଅର୍ଥ ସେଦିନ ଡେକ୍‍ଚିଟା ମଜା ହୋଇ ନ ଥିଲା ବୋଲି ରିନା ଦେବୀ ଆଗ ଡାଲି, ତା ପରେ ତରକାରୀ ବସାଇ ଦେଇ, ଶେଷରେ ଚୁଲିରେ ଭାତ ଗଣ୍ଡକ ବସେଇ ଦେଇଥିଲେ-। ସେଦିନ ସକାଳୁ ରିନାଦେବୀ ଘରେ ଅଟାନାଇଁ, ଆଜି ଅଟା ଆଣିବ ବୋଲି ଦାସଙ୍କର ମନେ ପକେଇ ଦେଇଥିଲେ । ଦାସେ ପକେଟ୍ ଅଣ୍ଡାଳି ଦେଖିଥିଲେ, ଏକାବେଳକେ ଖାଲି । କଉଡ଼ି ଖେଳରେ ଫାଉଭଳି, ପକେଟ୍ ତାଙ୍କୁ କହିଥିଲା, ଫାଉ ଅର୍ଥାତ ଫାଙ୍କା । କପର୍ଦ୍ଦକ ଶୂନ୍ୟତାର ରାଗଟା ଦାସଙ୍କ ଭିତରେ ଭିତରେ ଜଳୁଥିଲା । ଘଣ୍ଟାକୁ ଦେଖିଲେ, ଦଶ ବାଜିବାକୁ ପନ୍ଦରମିନିଟ୍ ବାକି । ଶୀଘ୍ର ବାଢ଼ ସମୟ ହୋଇଗଲା କହି ଦାସେ ଗାଧୋଇ ଗଲେ । ଆସି ଦେଖିଲେ, ରିନାଦେବୀ ଚାଉଳ ଧୋଇ ପକଉଚନ୍ତି । ରାଗ ଯାଇ ହିମାଳୟ ଶୃଙ୍ଗ ଉପରକୁ ଉଠିଗଲା । ପିନ୍ଧିବା ଲୁଗାପଟା ଫୋପାଡ଼ି ଦେଇ, ଗୋଟାଏ ଲେଙ୍ଗୁଟି ପିନ୍ଧି, ଦେହରେ ପାଉଁଶ ଗୁଡ଼େ ବୋଳି ହୋଇ କହିଲେ ନା, ଆଉ ଚଳିବନି । ଯାଉଚି ହିମାଳୟକୁ । ଏଣିକି ତପସ୍ୟା କରିବି-। ଏ ସଂସାରରେ କେହି କାହାରି ନୁହନ୍ତି, ଜୀବନଟା ନଳିନୀ ଦଳଗତ ଜଳମତି ତରଳଂ, ଅର୍ଥହିଁ ଅନର୍ଥର କାରଣ । କହି କହି ଘରର ଏପଟ ସେପଟ ହେଉ ହେଉ ଅଫିସ ପିଅନ ଡାକ ପକେଇଲା, ବାବୁ ଅଛନ୍ତି ?

 

ଦାସେ ଏଡ଼େ ପାଟିରେ ଉତ୍ତର ଦେଲେ, ହଁ ଅଛି କଣ ?

 

ଦାସେ ସେଇ ବେଶଭୂଷାରେ ଦୁଆର ଫିଟେଇବାକୁ ଯାଉଥିଲେ । ସୁସ୍ନାତା ଦେବୀ ଦୁଆରଟାକୁ ଠେଲିଧରି କହିଲେ, କିହୋ ତମକୁ ଲାଜ ଟିକିଏ ମାଡ଼ୁନି ? ଦେହର ବେଶଭୂଷାକୁ ଦେଖିଲ । ପିଅନ, ସେ ପୁଣି ତୁମରି ଅଫିସର ପିଅନ; ଦେଖିଲେ ନିଜେ କଣ ଭାବିବ, ନିଜ ସାଙ୍ଗମାନଙ୍କୁ କ’ଣ ଯାଇ କହିବ । ଦାସେ ତା’ପରେ ପ୍ରକୃତିସ୍ଥ ହୋଇଥିଲେ । ଭିତରୁ ପାଟି କରି କହିଲେ, ଦୁର୍ଯୋଧନ । ତୁ ଯା, ମୁଁ ଏଇଲାଗେ ଯାଉଚି ।

 

ଦୁର୍ଯ୍ୟୋଧନ ବାହାରୁ ବାହାରୁ ଚାଲି ଯାଇଥିଲା ।

 

ଏଇ ସେଇ ‘ପଇସା ନାଇଁ’ ର ପ୍ରତିକ୍ରିୟା ।

 

ତେଣୁ ‘ପଇସା ନାଇଁ’ କହୁ କହୁ ସୁସ୍ନାତା ଦେବୀ ଦଶଟଙ୍କିଆ ନୋଟଟିଏ ବଢ଼େଇ ଦେଇ କହିଲେ, ଏଇ ନିଅ । ବହୁ କଷ୍ଟରେ ପରିବା ପଇସାରୁ ବଳେଇ ସାଇତି ରଖିଥିଲି । ୟାକୁ ଭଙ୍ଗେଇ ଯାହା ଯାହା କହିଲି ତା ନେଇଆସିବ । ମୋ ସୁନାଟା ପରା ଟିକିଏ ଜଲଦି ଯାଆ । ଏଇଲେ ତ ଆସିଯିବେ । ଦଶଟଙ୍କିଆ ନୋଟଟି ଦେଖି ଦାସଙ୍କର ଆନନ୍ଦ କହିଲେ ନ ସରେ । ତାଙ୍କ ମନରେ ସାଙ୍ଗେ ସାଙ୍ଗେ ଚାରିଟି ଯାକ ସିନେମା ହାଉସ ଖେଳିଗଲା—ଏପଟେ ଏ ଛବି, ସେପଟେ ସେ ଛବି-। ପଇସା ଅଭାବରୁ ଗଲା ମାସେ ଦେଢ଼ମାସ ହେଲା, ପିକ୍‍ଚର ଦେଖା ହେଇନି । ଦଶଟଙ୍କାରୁ ସୁସ୍ନାତାଦେବୀଙ୍କର ବରାଦରେ ଅତି ବଡ଼ ହେଲେ ପାଞ୍ଚ ଟଙ୍କା ଖର୍ଚ୍ଚ ହେବ । ଆଉ ପାଞ୍ଚତ ରହିବ-। ଆଜି ନୀର କହିଚି ସିନେମା ଯିବା । ପଇସା ନଥିଲା ବୋଲି ଅମଙ୍ଗ ହେଉଥିଲେ ସେ । ନୀର, ଦାସଙ୍କ ପାଇଁ ଟିକଟ ଖର୍ଚ୍ଚ ଦେବାପାଇଁ ରାଜି; କିନ୍ତୁ ଦାସେ କାହାରିଠୁ ଅଧଲେ ଧାର କରି ବିଳାସ କରିବାକୁ ଚାହାନ୍ତି ନାଇଁ ।

 

ଚୌକୀରୁ ଉଠି ଯାଉ ଯାଉ ପୁଣି ରିନାଦେବୀ ଆସି କହିଲେ, ହେଇଟି, ହାତରେ ସେଗୁଡ଼ାକ ଧରି ଭୁସ୍‍କିନି ଘର ଭିତରକୁ ପଶି ଆସିବନିଟି । ଏଇ ଝରକା ମେଲା ଅଛି, ଦାଣ୍ଡଆଡ଼ୁ ଚାହିଁବ, ଯଦି ଭାଉଜହେରିକା ଘରେଥିବେ, ବାଡ଼ିପେଟ ଆସି କବାଟ ଠୁକ୍ ଠୁକ୍ କରିବ, ମୁଁ ଯାଇ ନେଇ ଆସିବି । ଆରେ ହଁ ତ, ଭାଉଜ କହିଥିଲେ, ତାଙ୍କ ସାଙ୍ଗରେ ତାଙ୍କ ପାଞ୍ଚ ଛଅଜଣ ପଢ଼ା ସାଙ୍ଗ ବି ଆସିବେ, ଚାରି ପାଞ୍ଚଟି ରାଜଭୋଗ ତ ଅଣ୍ଟିବନି । ଦଶଟାଯାକ ଟଙ୍କାରେ ଯାହା ହବ ନେଇ ଆସିବ ।

 

ଦାସଙ୍କ ହାଲୁକା ଶୁଖିଗଲା । ତାଙ୍କର ମନେହେଲା ସିନେମା ଆରମ୍ଭ ନ ହେଉଣୁ ଯିମିତି ଲାଇଟ ଫେଲ କଲା । ସେ ଅନ୍ଧାର ଘରେ ହଲ୍ ଭିତରେ ବସି ଆଗକୁ ଚାହିଁ ଚାହିଁ କେତେବେଳେ ଢୋଳେଇ ପଡ଼ିଚନ୍ତି । ଲାଇଟି ଲାଗିଚି, ସିନେମା ଆରମ୍ଭ ହୋଇଚି ଅଥଚ ସେ ଉଠିପାରି ନାହାନ୍ତି । ଦି ଘଣ୍ଟା ବିତିଗଲା–ଫାଷ୍ଟ ସୋ ସିନେମା ଶେଷ । ଗେଟକିପର୍ ଆସି କହିଲା, ବାବୁ ଉଠନ୍ତୁ, ସେକେଣ୍ଡ ସୋ ସିନେମା ଆରମ୍ଭ ହେବ ।

 

ଦାସେ ଚୌକୀରୁ ଉଠିଥିଲେ ଯେତେବେଳେ, ଗଲେ । ହୋଟେଲବାଲାକୁ ଯାହାଯାହା ମାଗିଲେ, ସେ ଦେଇ ସାରିବା ପରେ, ହିସାବ କରି କହିଲା, ଦଶଟଙ୍କା ଆଠଣା । କେଉଁଥିରୁ କେତେ କମେଇବେ, ସେ ମନେ ମନେ ଠିକ୍‍କରି ପାରିଲେ ନାଇଁ । ପକେଟ ଦରାଣ୍ଡି ଦେଖିଲେ, ବାରଅଣା ଅଛି । ସେଥିରୁ ଆଠଅଣା ପୈଠ କରିସାରି ଟିକିଏ ବାଟ ଆସିଚନ୍ତି କି ନାଇଁ ମନେପଡ଼ିଲା, ସେମାନେ ଯଦି ପାନ ଖାଉଥିବେ.....ଘରେ ପାନ ନଥିଲା ବୋଲି ତ ସେ ଆଜି ସକାଳେ ଖିଲେ ବି ପାନ ପାଟିରେ ପକେଇ ଯାଇପାରି ନଥିଲେ । ବାକି ଚାରଣାର ପାନ ଧରି ଆସିଲେ ସେ ।

 

ଘରେ ହାଉଯାଉ ଶୁଣି ଦାସେ ଜାଣି ପାରିଲେ, ଅତିଥି ଗୁଡ଼ାକ ଆସି ଯାଇଚନ୍ତି । ତେଣୁ ସେ ବାଡ଼ିଆଡ଼କୁ ବୁଲିଗଲେ । ଇଆଡ଼େ କେତେବେଳେ ଠୁକ୍ ଠୁକ୍ ଶଦ୍ଦ ହେବ, ତାକୁ ଅପେକ୍ଷା କରି, କଥାଭାଷା ହେବା ସଙ୍ଗେ ସଙ୍ଗେ କାନକୁ ଡ଼େରି ରହିଥାଆନ୍ତି ସୁସ୍ନାତା ଦେବୀ ।

 

ନନ୍ଦିତା ଭାଉଜ ପ୍ରଥମ କରି ସେ ହର ନଣନ୍ଦ ଘରକୁ ଆସିଚନ୍ତି । ଘରଗୁଡ଼ିକ ଭାରି ପରିଷ୍କାର ଦେଖି ତାଙ୍କ ମନ ଭାରି ଖୁସି ହୋଇଉଠୁଚି । ଦେଖି ମୂର୍ଚ୍ଛନା ରୋଷେଇ ଘରଟା ଦେଖି କହି ନନ୍ଦିତା ଭାଉଜ ବାଡ଼ି ଆଡ଼କୁ ଯାଉ ଯାଉ ଦାସଙ୍କ ଦୁଆର ବାଡ଼ିଆ ଆରମ୍ଭ ହେଲା ।

 

ନନ୍ଦିତା ଭାଉଜ, ହୁଏତ ମୂର୍ଚ୍ଛନା ଅଥବା ଶୁଣିପାରୁ ନଥିବେ ଭାବି ଡ଼ାକ ପକେଇଲେ, ମୂର୍ଚ୍ଛନା ! କିଏ ବାଡ଼ିଆଡ଼େ ଡାକୁଚି ଆସିଲ ଦୁଆର ଫିଟେଇବ ।

 

ରିନାଦେବୀ ବାଡ଼ିଆଡ଼େ ନାହାଁନ୍ତି ଜାଣିପାରି ଦାସେ ଦାଣ୍ଡ ଆଡ଼କୁ ଆସିଲେ । ସୁସ୍ନାତାଦେବୀ ବାଡ଼ିଆଡ଼େ ଯାଇ ଦୁଆର ଫିଟାଇ ଦେଖନ୍ତି ତ ଦାସେ ନାହାଁନ୍ତି ।

 

ଦାସେ ଦାଣ୍ଡ ଆଡ଼ ହେଇ ଘରେ ପଶୁ ପଶୁ ପ୍ରଥମେ ଦେଖିଲେ ନନ୍ଦିତା ଭାଉଜ ସାଙ୍ଗ ତଟିନୀକୁ । ତଟିନୀ ଦାସଙ୍କୁ ଦେଖି, ଆରେ ତୁମେ, କହି ଉତ୍ସ୍ୱସିତ ଆନନ୍ଦରେ ଯିମିତ ନାଚି ଉଠିଲା-

 

ଦାସେ କିଲେ ତୁ କିମିତି ଇଠି କହୁ କହୁ ସୁସ୍ନତାଦେବୀ ସମସ୍ତଙ୍କ ଅଜାଣତରେ ଆଠଣା ଓ ଚାରଣା ମୂଲ୍ୟର ଜିନିଷତକ ଚିଲଭଳି ନେଇ ଯାଇ କୁଉଠି ଗୁଞ୍ଜି ଦେଲେ ।

 

ତଟିନୀ ଦେବୀ କହିଲେ, ଇଠି ମାଷ୍ଟ୍ରା ହେଇଚି । ଏଇ ମାସେ ହେଲା ସୁନ୍ଦରଗଡ଼ ସରକାରୀ ସ୍କୁଲରୁ ଚାକିରି ଛାଡ଼ି ଦେଇ ଆସିଚି ।

 

—ଆଉ ତୋ ନାଚ ?

 

—ସେଇ ନାଚ ଲାଗିତ ଏଠିକି ଅସିବା କଥା । ଏଠି ନାଚ ମାଷ୍ଟ୍ରାଣୀ ହେଇଚିନା, ଆଉ କଣ ଭାବିଚ କି ?

 

—ଦରମା କେତେ ?

 

—ଦରମା କ’ଣ ? ନିଜେ ଗୋଟେ ସ୍କୁଲ ଖୋଲିଚି । ପିଲାଏ ଆସୁଚନ୍ତି, ସେମାନଙ୍କୁ ଶିଖଉଚ । ମାସକୁ ସେମାନେ ଯାହା ଦଉଚନ୍ତି ସେତିକି । ତେବେ ଦେଢ଼ଶ ଦୁଇଶହରୁ କମ ନୁହେଁ । ସେତେବେଳେ ସିନା ନାଚ ଗୀତର ଆଦର ନଥିଲା, ଏବେ ବଢ଼ିଗଲାଣି । ଏତେ ଛାତ୍ରୀ ହେଉଚନ୍ତି ଯେ ମୁଁ ନିଜେ ଏକା ଏକା ପାରୁନି । ଭାବିଚି, ଆଉ ଦି ଚାରିଜଣ ମାଷ୍ଟ୍ରକୁ ଆଣି ରଖିବି । ଭଲକରି ବଡ଼ କରି ଘରଭଡ଼ା ନେବି, ପିଲାଙ୍କୁ ନିଆ ଆଣିବା କରିବାପାଇଁ ରିକ୍‍ସା ଗୋଟେ ରଖିବି । ତୁମେ ତ ଜାଣ, ମୁଁ କେବେ ନିଜପାଇଁ କିଛି କରିଚି ? ବାହା ତ ହେଲିନି । ବୟସ ତ ଗଲା, ବାପା ମାଅ ତ ମଲେ । ଗାଁ କୁଆଡ଼େ ଯାଇ ବହିଲାଣି । ଏଇ ଜରିଆରେ ଦେଶର କିଛି ସେବା କରି ପାରିବି ଯଦି ଜୀବନ ସାର୍ଥକ ହେଲାବୋଲି ମନେ କରିବି । ତୁମେ ତ ଦେଖିଚ, କଲେଜରେ ଭେରାଇଟିସୋରେ କି ସୁନ୍ଦର ନାଚୁ ନଥିଲା ନନ୍ଦାଟା । ଗଲା ବାହାଟା ହେଇ, ପିଲାର ମା ହେଇ, ନଷ୍ଟ ହୋଇଗଲା ସେ-। ଦେଶପାଇଁ କଣ ଦେଲା । ଜନ୍ମ ନିୟନ୍ତ୍ରଣ ଅହ୍ୱାନ ଦିଆଯାଉଥିଲା ବେଳେ, ଦେଲେ ଦେବ ଦେଶପାଇଁ ଗୁଡ଼ାଏ ଛୁଆ ପିଲା । ବୋଝ ଉପରେ ନଳିତା ବିଡ଼ା । ନାଚି ଥାଆନ୍ତା, ଦେଶ ବିଦେଶ ବୁଲି ଥାଅନ୍ତା, ଦେଶର ବି ନାଁ କରି ଥାଅନ୍ତା, ଦେଶର ବି ନାଁ ରଖି ଥାଆନ୍ତା । ମୁଁ କହି ରଖୁଚି ଦୀନବନ୍ଧୁ ବାବୁ ଦେଶର ସାଂସ୍କୃତିକ ବିକାଶ ନ ହେବାଯାଏ, ଅମେ ତିଳେ ବି ଆଗେଇ ପାରିବାନି ।

 

ଏଇସେଇ ତଟିନୀ ଦେବୀ......ଦାସଙ୍କ ସରସ କଥା ଶୁଣୁ ଶୁଣୁ ଯାହା ହାତରୁ ଦିନେ କପ୍ ପିଆଲା ଖସି ପଡ଼ି ଯାଇଥିଲା । ଦାସଙ୍କ ପାଖକୁ ଲାଗି ଆସି ଅବଶ ଶରୀରରେ କହିଥିଲେ, ଦୀନବନ୍ଧୁ ବାବୁ, ଏଇ ଗୋଟିଏ ମୁହୂର୍ତ୍ତ ଲାଗି ତୁମେ ମୋର ହେଇଯାଅ, ମତେ ତୋଳିଧର । ଏ ଓଠ, ଏ ବକ୍ଷ, ଏ ନିତମ୍ୱ ସମଗ୍ର ଅବୟବ ଆଜି ତମର । ତମ ଦେହର ପ୍ରତି ରନ୍ଧ୍ରରେ ମୁଁ ଆଜି ପଶିଯାଇ ନିଜକୁ ହଜେଇ ଦେବାକୁ ଚାହୁଁଚି ।

 

ଦାସଙ୍କ ବୁକୁତଳେ ସେତେବେଳେ ତଟିନୀଦେବୀଙ୍କ ନୁପୁରର ରୁଣୁ ଝୁଣୁ ଶବ୍ଦ ଭଳି ଗୁଡ଼ାଏ ଶବ୍ଦ ହେଇଥିଲା । କିନ୍ତୁ ସେ ପରକୁ ନଚେଇବାରେ ଅଭ୍ୟସ୍ତ ଥିଲେ ମଧ୍ୟ ନିଜେ ନାଚିବାରେ ଅଭ୍ୟସ୍ତ ନଥିବାରୁ, ନାଚିପାରି ନଥିଲେ ।

 

ସେତେବେଳକୁ ନନ୍ଦିତା ଦେବୀ ପରଦା ଆଢ଼ୁଆଳରେ ନଣନ୍ଦ ସୁସ୍ନାତା ଦେବୀଙ୍କ ପାଖରେ ବସିଥିଲେ । ତଟିନୀଦେବୀଙ୍କ ସାଥିରେ କଥାବାର୍ତ୍ତା ହେବାବେଳେ ଦାସଙ୍କ ପାଟି ନନ୍ଦିତାଦେବୀଙ୍କ କାନରେ ପଡ଼ୁଥିଲା । ପରିଚିତ କଣ୍ଠପରି ଜଣାପଡ଼ୁଥିଲା ତାଙ୍କୁ...ପରିଚୟଟା କ୍ରମଶଃ ସନ୍ଦେହର ସୀମାନ୍ତ ଡେଇଁ ଯେତେବେଳେ ଆରପଟକୁ ସ୍ପର୍ଶ କରିବାକୁ ବସିଲା, ନନ୍ଦିତା ଦେବୀ ଆଉ ସମ୍ଭାଳି ନପାରି ନାଣନ୍ଦକୁ ପଚାରିଲେ, ଏହି ମରଦ ଜଣଙ୍କ କିଏ କି ହେ ମର୍ଚ୍ଛାନ ? ୟାଙ୍କୁ ତ ଚିହ୍ନିଲାଭଳି ମନେ ହେଉଚି । ଦିନବନ୍ଧୁ ବାବୁକି ?

 

ମୂର୍ଚ୍ଛନା ଦେବୀ କହୁଥିଲେ, ଆଉ କିଏ ଏତେ ଗପିବ ଭାଉଜ ? ପୃଥିବୀରେ ପରା ସେଇ ଗୋଟାଏ ଲୋକ ।

 

—ସେ ପରା ରାତି ବାରରେ ଫେରନ୍ତି ?

 

—ଫେରନ୍ତି ଯେ...ପକେଟରେ ପଇସା ନଥିଲେ, ଥରେ ଥରେ ଅଫିସ କାମ ସାରି ଦିନେ ଦୁଇଟାବେଳେ ମଧ୍ୟ ଫେରି ଆସନ୍ତି । ନ ହେଲେ ବାଟରେ କୁଉଠି କଣ ପ୍ଲଟଟାଏ ମନେ ପଡ଼ି ଗଲେ, ଉପନ୍ୟାସଟିଏ ଆରମ୍ଭ କରିଦେବି ଭାବି, ଦି ଚାରିପୃଷ୍ଟା ଗାରେଇ ଦେବାକୁ ଧାଇଁ ଆସନ୍ତି । କହନ୍ତି, ହଠାତ୍ କୁଆଡ଼େ ପ୍ଲଟ୍‍ଟା ଖସି ପଳେଇବ କାଗଜ କଲମରେ ଭିଡ଼ି ଧରିବାପାଇଁ ଚାଲି ଆସିଲି । ଏ ଘରକୁ ଇମିତି ପୃଷ୍ଟେ, ଦିପୃଷ୍ଠା, ନଇଲେ ଦଶ ପନ୍ଦର, କୋଡ଼ିଏ, ପଚାଶେ ପୃଷ୍ଠିକିଆ ପ୍ଲଟ କେତେ ଯେ ଆସେ ତାର ହିସାବ ଏ ଘର ଚାରିପଟେ ଓହଳା ହେଉଥିବା କାଗଜ ଲେଥାଗୁଡ଼ାକ ମନେ ରଖନ୍ତି । ହୁଏତ ମତେ କେତେବେଳେ କେତେବେଳେ ସେ ଦାୟିତ୍ଵ ଦିଆଯାଏ-। ଥରେ ଥରେ ସେ ନିଜେ ଛାଞ୍ଚୁଣୀଗୁଡ଼ାକୁ ମଧ୍ୟ ସେ ଦାୟିତ୍ଵ ଦେଇ ପକେଇ ପରେ ମୋ ଉପରେ ଗାଳି ଓଯାଡ଼ନ୍ତି । ଘର ନୁହେଁ ଭାଉଜ ଇଏ ଗୋଟାଏ ପାଗଳ ଗାରଦ । ହଉ ଧରିଲ ଧରିଲ, କହି ସୂସ୍ନାତା ଦେବୀ ପ୍ଲେଟରେ ରାଜଭୋଗ, ସିଙ୍ଗଡ଼ା ଆଦି ସଜାଡ଼ି ଭାଉଜଙ୍କ ହାତକୁ ବଢ଼େଇଲା ମାତ୍ରେ, ନନ୍ଦିତା ଦେବୀ ନାଇଁକଲେ । କହିଲେ ଆଗ ତମବାବୁଙ୍କୁ ଦିଅ, ତାପରେ ଆମକୁ ଦେବ-। ଲାଜମାଡ଼ୁଚି ଯଦି ଦିଅ ମୁଁ ନିଜେ ଦେଇ ଆସିବି । ଲାଜକୁଳୀ ଭାଉଜ ଯିଏ ଦାଦାଙ୍କ ସାମନାରେ କଥାବାର୍ତ୍ତା ହେବାପାଇଁ ଲାଜ କରେ, ସେ ପୁଣି ଦାସଙ୍କୁ ନିଜ ହାତରେ ଜଳଖିଆ ପରଶିବେ, ଏ ବିଶ୍ଵାସ ସୁଷ୍ନାତା ଦେବୀଙ୍କର ନଥିଲା । ଅଟ୍ଟହାସରେ କହିଲେ, ତମେ ଟିକେ ? ଯାଉ ଯାଉ ତମର ଚେତା ବୁଡ଼ି ଯାଇଥିବ ।

 

ନନ୍ଦିତା ଦେବୀ ନଣନ୍ଦ କଣ ଯେ କହିଲେ, ବୁଝିପାରି ନଥିଲେ । ତାଙ୍କର ଆଖି ଛଳ ଛଳ ହୋଇ ଉଠିଥିଲା । ମୁହୂର୍ତ୍ତକ ଭିତରେ ତିନିଚାରି ବର୍ଷର ଏକ ନାତିଦୀର୍ଘ ଛୋଟ ଅତୀତ ଯିମିତି ତାଙ୍କ ମନରେ ଆସି ବାଡ଼େଇ ହେଇ ଚାଲି ଯାଇଥିଲା । ସେ ଖାଲି କହିଥିଲେ, ତୁମେ ମୋଠୁ ବୟସରେ ସାମାନ୍ୟ ବଡ଼ ସିନା ମୂର୍ଚ୍ଛନା, ନିହାତି ପିଲା । ତୁମେ ଯିମିତି ତୁମ ଦାଦାଙ୍କ ଭଉଣୀ, ମୁଁ ଠିକ୍ ସୀମିତି ତୁମ ଦୀନବନ୍ଧୁ ବାବୁଙ୍କର ଭଉଣୀ । ସକ୍ଷ ଭଉଣୀ ନୁହଁ କିନ୍ତୁ ତାଠୁ ବଳି । ଦୀନବନ୍ଧୁବାବୁ ତମର ପାଗଳ ନୁହଁନ୍ତି, ଦୁର୍ବଳ ନୁହଁନ୍ତି ମୂର୍ଚ୍ଛନା, ସଂପୂର୍ଣ୍ଣ ସବଳ ।

 

ନନ୍ଦିତାଦେବୀ ଆଖିର ଲୁହକୁ ପୋଛି, ନିଜ ମନକୁ ଟାଣ କରିନେଇ କହିଲେ, ହଉ ଦେଇ ମୁଁ ଦେଇ ଆସେ । ଭାଇଙ୍କ ବହୁଦିନ ହେଲା କିଛି ଦେଇ ପାରିନି ।

 

ନନ୍ଦିତା ପରଦାକୁ ଆଡ଼େଇ ପଶି ଆସିଲା ଭିତରକୁ । ତଟନୀଦେବୀ କ’ଣ ଗୋଟାଏ କଥା ଅତି ଉତ୍ସାହିତ ହେଇ ସେତେବେଳେ ବର୍ଣ୍ଣନା କରୁଥିଲେ । ହାତଗୋଡ଼ଗୁଡ଼ାକ ତାଙ୍କର ଆଉ ଆୟ ହେଇ ରହୁ ନଥିଲା । କହି କହି ଦୀନବନ୍ଧୁ ବାବୁଙ୍କ ପାଖକୁ ଲାଗି ଆସିବାକୁ ଉପକ୍ରମ କରୁଥିଲେ ସେ । ନନ୍ଦଙ୍କୁ ଦେଖି କହିଲେ, ଏଇ ନନ୍ଦିତା ମ—ଆମ ସାଙ୍ଗରେ ପଢ଼ୁ ନ ଥିଲା ?

 

ନନ୍ଦିତା ଦେବୀ କହିଲେ, ଚୂପକର ତଟି । ଯୁଉଠିକି ଯିବ, ସେଇକଥା । ସ୍ଥାନ କାଳପାତ୍ର ବୁଝି ଭଲା କଥାବାର୍ତ୍ତା କର ।

 

ନନ୍ଦିତା ଦେବୀ ଟେବୁଲ୍ ଉପରେ ଜଳଖିଆ ତକ ଥୋଇ ଦେଇ, ଦାସଙ୍କୁ ପ୍ରମାଣ କଲା-

 

ନନ୍ଦା ! କହି ଦାସେ ଦି ତିନିମିନିଟ କାଳ କଣ ଯେ ହୋଇ ଉଠିଲେ, ଯେ ଦେଖିଥିବ ସିଏ କହିବ ।

 

ନନ୍ଦା ତୁନି ଗଳାରେ କହିଲା, ହଁ ଭାଇ ମୁଁ । ସେତେବେଳକୁ ତା ଆଖିରେ ଲୁହ ଡବ ଡବ ହେଇ ଆସିଥାଏ । ନିଜକୁ ରୋକି ନପାରି, ପୁଣି ଆରପଟ ଘରକୁ ପଶି ଯାଇଥିଲା ସେ ।

 

ସୁସ୍ନାତାଦେବୀଙ୍କର ମନେ ହେଉଥିଲା ଗୋଟାଏ ସିରିଅସ୍ ବିୟୋଗାତ୍ମକ ନାଟକ ଦେଖୁଚନ୍ତି ସେ । ଏଥିରେ କିଏ ନାୟକ, କିଏ ନାୟିକା, କିଏ ଭିଲିଅନ ଓ ନିଜେ କି ଭୂମିକାରେ ଅବତୀର୍ଣ୍ଣ ହୋଇଚନ୍ତି, ସେ କିଛି ବୁଝି ପାରୁ ନଥିଲେ । ତାଙ୍କର ଧାରଣାଥିଲା, ଡର ଥର ନନ୍ଦିତା ଭାଉଜ ବିଚଳିତ ହେଇ ଫେରି ଆସିବେ କିନ୍ତୁ ବାତ୍ସଲ୍ୟସ୍ନେହରେ ସେ ଆଖିରେ ଆଖିଏ ହବ ଲୁହ ଧରି ଫେରିଲେ ।

 

ଦାସଙ୍କ ଜୀବନ ନାଟକରେ ତଟିନୀଦେବୀଙ୍କ ଭୂମିକା ଲୁହର ଭୂମିକା ନୁହେଁ, ହସର ଭୂମିକା । ତଟିନୀ ଲୁହର ଗୁରୁତ୍ୱକୁ ନବୁଝି ହସି ହସି କହିଲା, ନନ୍ଦାଟା ନା, ନିହାତି ପାଗଳିଟା । ଦାସଙ୍କୁ ଲକ୍ଷ କରି କହିଲା, ତୁମେ ଏତେ ବିଚଳିତ କାହିଁକି.... ? ସେଇଟା ସିମିତି କଥା କଥାରେ, ପରିଚିତ ଲୋକଙ୍କୁ ବହୁଦିନ ପରେ ଦେଖିଲେ କାନ୍ଦି ପକାଏ । ଭାରି ସେଣ୍ଟିମେଣ୍ଟାଲ । ସେଦିନ, ନାଚୁ, ନାଚୁ ଅର୍ଡିଏନ୍‍ସ ଭିତରୁ କିଏ କ’ଣ ରିମାର୍କ ପାସ କଲା ବୋଲି, କାନ୍ଦି କାନ୍ଦି ନାକେଦମ ହେଇ ପଡ଼ିଥିଲା, ତୁମେହିଁ ତାକୁ ବୁଝାଉଥିଲ ପରା ?

 

ଦାସେ କିନ୍ତୁ ଚୁପ ରହିଲେ । ତଟିନୀଦେବୀଙ୍କ କଥାର କୌଣସି ଉତ୍ତର ଦେଲେନି । ତାଙ୍କ ବାହାର ଆଖିରୁ ଲୁହ ଝରୁ ନଥିଲା ସିନା, ଭିତର ଆଖିରୁ ସେତେବେଳେକୁ ଯଥେଷ୍ଟ ଲୁହ ଝରି ସାରିଥିଲା ।

 

ତଟିନୀଦେବୀ ହଠାତ୍ ହାତରେ ଥିବା ଲେଡ଼ିଜ୍ ୱାଚକୁ ଦେଖି କହିଲେ, ଆସିଲୁ ନନ୍ଦା ଯିବା, ସିଆଡ଼େ ପିଲେ ଆସି ସାରିବେଣି । ଯୋଜନା ସପ୍ତାହ ପାଇଁ ନାଚର ବରାଦ ଅଛି, ପାଞ୍ଚଶହ ଟଙ୍କା ବହିନା ଦେଇ ଯାଇଚନ୍ତି । ମନ୍ତ୍ରୀ, ରାଜ୍ୟପାଳ ଆସିବେ, ଟିକିଏ ଭଲକରି ରିହର୍ସାଲ ନହେଲେ, ଅଡ଼ୁଆ ତଡ଼ୁଆ ହେଇଯିବ । ମନ୍ତ୍ରୀଙ୍କ ସ୍ତ୍ରୀ କୁଆଡ଼େ ପିଲାଦିନେ ଭଲ ନାଚୁଥିଲେ । ଭାରି ନିରେଖି ଦେଖନ୍ତି ସେ ।

 

ହଉ ଥାଅ ଦୀନବନ୍ଧୁ ବାବୁ, ମନେଥିଲେ ହେଲା, ଟିକିଏ ପବ୍ଲିସିଟିରେ ସାହାଯ୍ୟ କରିପାରିଲେ ଯଥେଷ୍ଟ । ଆଉ ଦିନେ ଆସିବ, କଥାବାର୍ତ୍ତା ହେବା । ଘରଟା ଦେଖି ନଥିଲେ ବୋଲି ସିନା ଆସିବା ସମ୍ଭବ ହେଉ ନଥିଲା । ଦେଖିଗଲି ଯେତେବେଳେ ଧରିନିଅ ଏଣିକି ନିଇତି । ହଁ, ମନେ ମନେ ଗୋଟାଏ ପରିକଳ୍ପନା କରିଚି କିଛି ମନେ କରିବେନି, ଆପଣ ହଁ କଲେ ହେଲା ।

 

ତଟିନୀ ଦେବୀଙ୍କ ସାଥିରେ ଆଉ ଯେଉଁ ତିନି ଚାରି ଜଣ ତରୁଣୀ ଆସିଥିଲେ, ସେମାନେ ରାଜାଙ୍କ ଦରବାରରେ ମୂଳ ପାରିଷଦ ବସିଲାଭଳି ବସିଥିଲେ । ସୁସ୍ନାତା ସେମାନଙ୍କୁ ଗୋଟିଏ ଗୋଟିଏ ପ୍ଲେଟ ଧରେଇ ଦେଇ ଯାଇଥିଲେ । ତଟିନୀଦେବୀ ସିନା କଥା ହେଉ ହେଉ ସବୁତକ ସାରି ଦେଇଥିଲେ । ଦାସେ ଖାଇ ନାହାନ୍ତି ଦେଖି, ସେମାନେ ଅଭଦ୍ରତା ହେବ ବୋଲି ପ୍ଲେଟରେ ହାତ ଦେଉ—ନ ଥିଲେ କିନ୍ତୁ ପ୍ଲେଟଗୁଡ଼ିକ ସେମାନଙ୍କ ପାଖରେ ଥିଲା । ଦାସେ ଖାଆନ୍ତୁ ବୋଲି କହିବା ମାତ୍ରେ ଟାକୁ ଟାକୁ ଗିଳି ଯିବାକୁ ସେମାନଙ୍କ ପାଟି ପ୍ରସ୍ତୁତଥିଲା । ତଟିନୀ ଦେବୀ ପ୍ଲେଟଗୁଡ଼ିକ ଖାଲି ହେଇନି ଦେଖି କହିଲେ, କିଲୋ ତୁମେମାନେ ଏ ଯାଏଁ ଖାଇନ ? ଦେଲ ଦେଲ ଶୀଘ୍ର ସାରିଲ....ଆଲୋ ଏ ନନ୍ଦା କ’ଣ ତୋର ଅଶ୍ରୁପାତ ଲୀଳା ସରିଲା.....ଆ.....ଆ ବେଳ ହେଇ ଗଲାଣି ।

 

ସୁସ୍ନାତା ଦେବୀ ସିଆଡ଼ୁ କହିଲେ, ତୁମେମାନେ ଯାଅ ନାନୀ, ଭାଉଜ ଟିକେ ଛାଡ଼ି କରି ଯିବେ । ମୁଁ ନିଜେ ଯାଇ ଛାଡ଼ିଦେଇ ଆସିବି..... । ଆଜି ଗୁରୁବାରଟା ଚଣ୍ଡୀଙ୍କ ଦର୍ଶନ ସାରିଯିବେ ।

 

ମୂକ ମହିଳା ପାରିଷଦ ବର୍ଗଙ୍କ ଜଳଖିଆ ଭକ୍ଷଣ ସେତେବେଳକୁ ସରିଯାଇଥିଲା । ସାମ୍ରାଜ୍ଞୀ ତଟିନୀ ଦେବୀ ଆସନ ଛାଡ଼ିବା ମାତ୍ରେ ସେମାନେ ଆସନ ଛାଡ଼ିଲେ । ସମସ୍ତେ ଦାସଙ୍କୁ ନମସ୍କାର କରି ତଟିନୀ ଦେବୀଙ୍କ ପଛେ ପଛେ ଗୃହତ୍ୟାଗ କଲେ ।

 

ତା ପରେ ବହୁ ସମୟ ଧରି ଘରଟା ନିସ୍ତବ୍ଧ ରହିବା ପରେ ସୁସ୍ନାତା ଦେବୀ କହିଲେ, ଭାଉଜ ଆଜି ଦିନଟା ଏଠି ରହିଯାଅ । ଘରେ ତ କୁନ୍ତଳା ଅଛି, ପିଲାଙ୍କ କଥା ବୁଝିବ । ମୁ ଲୋକ ପଠେଇ ଖବରଟା ଦେଇ ଦେବି ।

 

ଦାସେ ଡାକିଲେ ନନ୍ଦା, ପାନ ଭାଙ୍ଗିଲୁ ?

 

ନନ୍ଦିତା ପାନ ଭାଙ୍ଗି ଆଣି ଦେଲା । ଦାସେ ପଚାରିଲେ; ଏଠିକି କେବଠୁ ଆସିଲଣି ?

 

ସୁସ୍ନାତା ଦେବୀ ଉପରେ ପଡ଼ି କହିଲେ, ଯୋଉଦିନ ମୁଁ ପ୍ରଥମ କରି ତୁମକୁ କହିଲି ଯେ ଆମ ଦାଦା ହେରିକା ସମ୍ବଲପୁରରୁ ଏଠିକି ବଦଳି ହେଇ ଆସିଚନ୍ତି, ତାଙ୍କ ଘରକୁ ଟିକିଏ ଯାଉଚି ବୋଲି ସେଇ ଦିନଠୁ ।

 

ଏହି କଥାର କୌଣସି ମାନେ ନାହିଁ ବୋଲି ନନ୍ଦିତା ବୁଝିପାରି କହିଲା, ପ୍ରାୟ ତିନିମାସ ହେଲା ।

 

—କ’ଣଟିଏ ହେଇଚିପରା ?

 

ପୁଣି ସୁସ୍ନତା ଦେବୀଙ୍କ ସଂଳାପ—ଜାଣି ଶୁଣି ଯାହା ପଚାରନା !! କିହୋ ସେଦିନପରା ସେଇଝିଅ କଥା ଏତେ କରି କହୁଥିଲି । କଣ ନ ଶୁଣି ଖାଲି ହୁଁ ମାରୁଥିଲ ?

 

ନନ୍ଦା କହିଲା, ଝିଅଟିଏ । ଦି’ ବର୍ଷ ହେଇ ଗଲାଣି ।

 

—ଦେହ ଭଲ ଅଛି ?

 

—ତିନିଦିନ ହେଲା, ଟିକିଏ କାଶ ହେଉଥିଲା, କାଲି ରାତିରୁ ଛାଡ଼ିଚି । ଏଠା ଜଳବାୟୁ ତା ଦେହରେ ଯାଉନି ।

 

ତୋର ?

 

—ମୋର ଆଉ କ’ଣ ? କେତେବେଳେ ଭଲ କେତେବେଳେ ଖରାପ ।

 

—ମତେ ମନେ ପକଉ ?

 

—ମନେ ପଡ଼ିଲେ କ’ଣ କରିବି ଭାଇନା, ଠିକଣା ଜାଣିପାରି ନଥିବାରୁ କିଛି ହେଲେ ଲେଖି ପାରେନି । ଟିକିଏ ଖବର ଅନ୍ତର ନିଅ ବୋଲି ତାଙ୍କୁ କହି କହି ଥକି ଗଲି, ହେଲାନି । ଖାଲି କହନ୍ତି, ସେ ତ ଆଜି କଟକରେ ତ କାଲି କଲିକତାରେ, ଟୁରିଷ୍ଟ, ଲେଖକ ଲୋକ, କୁଆଡ଼େ ବୁଲୁଥିବ, କିମିତି ଜାଣିବି, କାହାକୁ ପଚାରିବି ? ଥରେକିଏ ଜଣେ ଆସି କହିଲା, ଦୀନବନ୍ଧୁ ଦାସ ବୋଲି ଜଣେ ଟୋକାଳିଆ ଲୋକ ଆଜି ଟାଉନ ହଲରେ ବକ୍ତୃତା ଦେଇ ସମସ୍ତଙ୍କୁ ମୁଗଧ କରିଦେଲେ । ପରେ ପରେ ସମ୍ବଲପୁର ଗୋଟାକଯାକ ଫୋନ ଫାନ କରି ତୁମର ବହୁତ ସନ୍ଧାନ ନେଲେ ସେ, ଶେଷରେ ଜଣେ କିଏ କହିଲା ଯେ ଏହି ରାତି ଦଶଟା ଗାଡ଼ିରେ ସେ ରାଉରକେଲା ଚାଲିଗଲେ । ମୋ ମନ ଯାହା ହେଲା, କ’ଣ କହିବି ?

 

ଦାସେ କହିଲେ, ହଁ ବର୍ଷକ ତଳେ ସେ ଥରେ ସମ୍ବଲପୁରର କି ଗୋଟେ ସଭାକୁ ଯାଇଥିଲେ, ତାଙ୍କର ଠିକ୍ ଭାବରେ ମନେ ନାଇଁ ।

 

ନନ୍ଦିତା ଦେବୀ କହିଲେ, ଆଜି ମଧ୍ୟ କ’ଣ ଦେଖାହେଇ ଥାଆନ୍ତା ? ଭାଉଜ ସବୁଦିନ ଯାଇ କହନ୍ତି, ମୁଁ କ’ଣ ସବୁବେଳେ ତୁମ ଘରକୁ ଆସୁଥିବି, ଆମ ଘରକୁ ଦିନେ ବି ଆସିବନି ?

 

ସୁସ୍ନାତାଦେବୀଙ୍କୁ ନନ୍ଦିତା ଦେବୀ ପ୍ରଥମ ଥର କରି ଭାଉଜ ବୋଲି କହିଲେ । ପରସ୍ପର ମଧ୍ୟରେ ଭାଉଜ ସମ୍ବନ୍ଧ ଓ ପରସ୍ପରକୁ ଭାଉଜ ବୋଲି ଡାକିବା ଭିତରେ ପଡ଼ି ସୁସ୍ନାତା ଦେବୀଙ୍କ ମୁଣ୍ଡ ଗୋଳମାଳ ହେଇଗଲା । ଶେଷରେ ସେ ଠିକ୍ କରିନେଲେ ଶ୍ୟାମଳ ଦାଦା ସହିତ ତାଙ୍କର ଯେଭଳି ସମ୍ପର୍କ, ବୋଧହୁଏ ନନ୍ଦିତା ଭାଉଜଙ୍କର ଦାସଙ୍କ ସହିତ ସମ୍ପର୍କଟା ଠିକ୍ ସେହିଭଳି ।

 

ସୁସ୍ନାତା ଦେବୀ ଶ୍ୟାମଳ ବାବୁଙ୍କ ଚାକର ହାତରେ ଭାଉଜ ଆଜି ରାତିକ ଏଇଠି ରହିବେ ବୋଲି ଖବର ପଠେଇବା ପୂର୍ବରୁ, ଶ୍ୟାମଳ ବାବୁଙ୍କ ଘରୁ ଖବର ଆସି ପହଞ୍ଚିଲା, ଶୀଘ୍ର ଆସ, ଶ୍ୟାମଳ ବାବୁ ଏଇ ଗାଡ଼ିରେ ଟୁରରେ ଯିବେ ।

 

ତେଣୁ ନନ୍ଦିତା ଦେବୀ ସୁସ୍ନାତା ଦେବୀଙ୍କ ଘରେ ରହି ପାରିଲେନି ।

 

ଗଲାବେଳେ କହି ଦେଇଗଲେ, ବୁଝିଲ ମୂର୍ଚ୍ଛନା, ତୁମ ପାଗଳ ଦୀନବନ୍ଧୁବାବୁଙ୍କର ଦୁଃଖ, ଦୈନ୍ୟର ଅତୀତଟା ମୋର; ସୁଖର ବର୍ତ୍ତମାନ ଓ ଭବିଷ୍ୟତ ଗୁଡ଼ାକ ତୁମର । ଭବିଷ୍ୟତରେ ଯଦି ତାଙ୍କ ଜୀବନରେ କିଛି ଦୁଃଖ ଆସେ, ମୋ ପାଇଁ ଛାଡ଼ିଦେବ । ମୁଁ ତାର ସମାଧାନ କରିବି । ସେ ଗୁଡ଼ାକ ଅତୀତ ହୋଇଯିବା ପରେ, ମୋର ହେଇ ରହିବ ।

 

ନନ୍ଦିତାର କେହି ସହୋଦର ଭାଇ ନଥିଲେ ।

 

ସେ ପୃଥିବୀରେ ଭୂମିଷ୍ଠ ହେବା ପରଠାରୁ ଘରେ ସେ ଦେଖିଥିଲା, ଜଣେ ମା, ଜଣେ ବାପ ଆଉ ଜଣେ ଭାଇ... । ତାର ବୁଦ୍ଧିହେବା ପରେ ଅର୍ଥାତ୍ ତୃତୀୟ ଶ୍ରେଣୀରେ ପଢ଼ିଲାବେଳେ ସେ ଦେଖିଥିଲା ସେ ଯାହାକୁ ଭାଇ ବା ଭାଇନା ବୋଲି ଡାକେ ସେ ପଢ଼ୁଛନ୍ତି ଅଷ୍ଟମ ଶ୍ରେଣୀରେ । ଭାଇ ତାହାହେଲେ ତାଠୁ ବହୁତ ଆଗରୁ ଜନ୍ମ ହେଇଥିଲେ...ଏଇ ଧାରଣା ନେଇ ସେ ଏ ପର୍ଯ୍ୟନ୍ତ ଚାଲି ଆସିଥିଲା ।

 

ବାପ ଓ ମା ଏକାଦିନରେ ଏକା ରୋଗରେ ମଲେ । ଘରେ ଛାଡ଼ି ଦେଇଗଲେ ଏ ଭାଇ ଭଉଣୀ ଦିଓଟିକି । ବଡ଼ କଷ୍ଟରେ ଜୀବନ–ନିର୍ବାହ କରିବାକୁ ପଡ଼ିଲା ସେମାନଙ୍କୁ । ସେତେବେଳେକୁ ସେମାନଙ୍କର ବୟସ ଯଥାକ୍ରମେ ଏକୋଇଶି ଆଉ ସତର । ବାପା ଛାଡ଼ି ଯାଇଥିଲେ ଷାଠିଏଟି ନଡ଼ିଆଗଛ, ଆଉ ଦି’ମାଣ ଢିପ ଜମି ଯାହାର କି ମୂଲ୍ୟ ମୋଟରେ ପନ୍ଦରଶହ ଟଙ୍କା । ଦୀନବନ୍ଧୁଙ୍କର ଆଇ.ଏ ବେଳକୁ, ନନ୍ଦିତାର ନବମ କି ଦଶମ ଶ୍ରେଣୀ ।

 

ଭୋକ ଉପାସରେ ଦିହିଁଙ୍କର କେତେ ଯେ ଦିନ କଟିଚି, ସେଇକଥା ମନେ ପଡ଼ିଯାଏ ବୋଲି ଦୀନବନ୍ଧୁ ଦାସଙ୍କୁ ଦେଖିଲା ମାତ୍ରେ ନନ୍ଦିତାର ଆଖିରୁ ଲୁହ ଝରି ଆସେ । କେତେବେଳେ କଇଁ ନାଡ଼, କେତେବେଳେ ୟାଡ଼ୁ ସିଆଡ଼ୁ ଗୁଡ଼ାଏ ପତର ଆଣି ସିଝେଇ ଖାଇବାକୁ ପଡ଼େ ସେମାନଙ୍କୁ ।

 

ନନ୍ଦିତା ନାଁ ପଛରେ ପଟ୍ଟନାୟକ ଓ ଦୀନବନ୍ଧୁ ବାବୁଙ୍କ ନାଁ ପଛରେ ଦାସ ଥାଏ । ତେଣୁ ଏମାନେ ସହୋଦର ଭାଇ ଭଉଣୀ ନୁହନ୍ତି, ଏମାନଙ୍କ ସଂପର୍କ ଅଲଗା ବୋଲି ସାହି ପଡ଼ିଶାଙ୍କର ସନ୍ଦେହ ରହିଥାଏ । ଇଏ ଇମିତି ଗୋଟାଏ ସାହି ଯେ ଏଠି ସାହି ପଡ଼ିଶା ବୋଲି ଯେଉଁମାନେ ରହନ୍ତି ସେମାନେ ସମସ୍ତେ ସରକାରୀ ଚାକିରିଆ । ଆଜି ଗୋଟିଏ ପରିବାର ଏଘରେ ଅଛନ୍ତି ତ କାଲି ଆଉ ଗୋଟିଏ ପରିବାର ଆସି ଦେଖାଦିଏ । କିଏ କେତେବେଳେ ବଦଳି ହେଇ ଯାଆନ୍ତି । ତେଣୁ ପ୍ରଥମେ ଦୀନବନ୍ଧୁ ଦାସେ ଏ ଘରକୁ ଯେତେବେଳେ ଆସିଲେ, ସେତେବେଳେ ରହୁଥିବା ସାହିପଡ଼ିଶା ଲୋକଙ୍କ ଛଡ଼ା ଏମାନଙ୍କ ସଂପର୍କ ବିଷୟ କେହି ଜାଣି ନ ଥିଲେ । ଏପ୍ରକାର ସାହିପଡ଼ିଶାଙ୍କ ଆଖିରେ ସେମାନେ ଯେତେବେଳକାର ଛୋଟପିଲା ନୁହନ୍ତି, ସଂପୂର୍ଣ୍ଣ ଯୁବକ ଯୁବତୀ-। କିଏ କହିଲା, ଏ ହଳୁଟା ଏଠି ତୁଛାକୁ ଭାଇଭଉଣୀ ଡାକ ଡୁକା ହେଉଚନ୍ତି, ସ୍ଵାମୀ ସ୍ତ୍ରୀର କାରବାର ଚଳାଇଚନ୍ତି । କିଏ ବା କହିଲା, ନାଇଁରେ ଏ ଟୋକାଟା ଏ ଟୋକୀଟାକୁ ରଖି ଗୋଟିଏ ବ୍ୟବସାୟ ଚଳେଇଚି ।

 

ଜଣେ ମାତ୍ର ଜାଣନ୍ତି ସେ ହେଉଛନ୍ତି ସୁନାକର ଗୋଛାୟତ । ମ୍ୟୁନିସପାଲିଟିର କର୍ମଚାରୀ ସେ । ଏ ସହରର ମ୍ୟୁନିସିପାଲିଟ ତ ସେ ସହରର ମ୍ୟୁନିସପାଲିଟ ହୋଇ ବଦଳି ଯିବନି । ତେଣୁ ସେ ସ୍ଥାୟୀ ।

 

ଥରେ ଥରେ ଏ ବାଟେ ଗଲାବେଳେ ନନ୍ଦା କିମ୍ବା ଦିନୁ ବୋଲି ଡାକଟିଏ ପକେଇ ଦେଇ ଯାଅନ୍ତି । ନନ୍ଦାର କଲେଜ ଦରମାଦିଆ ଦିନ କିଛି କିଛି ସାହାଯ୍ୟ କରନ୍ତି । ଥରେ ଥରେ ନିଜେ କଲେଜକୁ ଯାଇ ପୂରା ଦରମାଟା ଦେଇ ଦେଇ ଚାଲିଆସନ୍ତି । ଏ କଥା କେହି ଜାଣନ୍ତି ନି, କେବଳ ତାଙ୍କ ସ୍ତ୍ରୀ ଜାଣନ୍ତି ।

 

ଶେଷରେ ପେଟ ଅତିରିକ୍ତ ଜଳିଉଠିବାରୁ ଦାରିଦ୍ର୍ୟକୁ ସମ୍ଭାଳି ନ ପାରି ଦୀନବନ୍ଧୁ ଦାସେ କହିଲେ, ନନ୍ଦା ମୋ ପାଠ ପଢ଼ା ଏତିକିରେ ଥାଉ, ମୁଁ ଚାକିରି କରିବି । ତୁ କିନ୍ତୁ ପଢ଼ା ବନ୍ଦ କରନା ।

 

ନନ୍ଦିତାର କିନ୍ତୁ ଏକାଜିଦ ଯାହା ପଢ଼ିଚି ଯଥେଷ୍ଟ ହେବ, ମୋ ଲାଗି କଉଠି ଚାକିରି ମିଳିଲେ ବ୍ୟବସ୍ଥା କର, ମୁଁ ଚାକିରି କରିବି, ତୁମେ ପଢ଼ିବ ।

 

ସୁନାକର ବାବୁ ଆସି ଶେଷରେ ଏ କଳି ଭଙ୍ଗେଇଲେ । କହିଲେ, କିଏ ଚାକିରି କରିବା ଦରକାର ନାହିଁ, ଦୁହେଁ ପଢ଼, ମୁଁ ପଇସା ଦେବି ।

 

ଦୀନବନ୍ଧୁ ଦାସେ ବହୁତ ନାହଁ ନାହଁ କଲେ, କିନ୍ତୁ ସେୟା ରହିଲା । ସୁନାକର ଗୋଛାୟତ କହିଲେ ଝିଅଟା ମାଟ୍ରିକ ହୋଇ ଅନ୍ତତଃ କଲେଜରେ ଦି ତିନିଟା କ୍ଲାସ ମାଡ଼ିଯାଉ, ସେତେବେଳକୁ ତୋର ବି.ଏ ଟା ସରି ଯାଇଥିବ, ଚାକିରି କଲେ ଚଳିବ । ମୋଠୁ ପଇସା ଯଦି ଖାଲି ଖାଲିରେ ନବାକୁ ଅନିଚ୍ଛୁକ, ଧାର କରି ନିଅ, ସୁଧ ମୂଳ କରି ଯଦି ଦେଇପାର, ତାହାହେଲେ ବି ରାଜି ।

 

ଶେଷରେ ଧାର କଥାଟାହିଁ ସାର ହେଲା । ଦିହେଁ ପଢ଼ିଲେ । ଦାସଙ୍କ ବି.ଏ. ଶେଷ ପରେ ନନ୍ଦା ଯାଇ ହାଜର ହୋଇଥିଲା ଆଇ. ଏସ୍‍ସିର ପ୍ରଥମ ବର୍ଷରେ ।

 

ତାପରେ ଏକ ତୋଫାନ...

 

ରକ୍ତ ମାଂସର ମଣିଷ ଦେହର ଯେଉଁ ଦୁର୍ବଳତା ଥାଏ, ନନ୍ଦିତା ଦେହରେ ତାହା ଥିଲା । ସେ କଥା ନିଜେ ନନ୍ଦିତା ବୁଝି ପାରି ନ ଥିଲା, ଶ୍ୟାମଳ ବାବୁ ବୁଝିଥିଲେ । ଶ୍ୟାମଳ ବାବୁ ଦୀନବନ୍ଧୁ ବାବୁଙ୍କ ରାଜନୀତିକ ସହକର୍ମୀ । ସେ ଅବଶ୍ୟ ଦ୍ଵାର ଦ୍ଵାର ହୋଇ “ଶୁଭକର୍ମ ପଥେ ଧର ନିର୍ଭୟ ଗାନ” ବା “ସାହୁ ସହି ନ ପାରୁ ଆଉ” ଗୀତ ବୋଲି ଚାନ୍ଦା ମାଗୁ ନ ଥିଲେ । ସେ ଥିଲେ କର୍ମୀ ବା କର୍ମିଣୀ ସଂଗ୍ରହ କରି ଆଣିବା ଦାୟିତ୍ୱରେ । ଇଣ୍ଟେଲେକ୍‍ଚୁଆଲ କଣ୍ଟାକ୍ଟ ବା ବୌଦ୍ଧିକସଂପର୍କ ରକ୍ଷା ୟାକୁ କୁହାଯାଏ । ବାମପନ୍ଥୀ ଦଳମାନଙ୍କର ଭାଷାରେ ଏଇଟା କୁଆଡ଼େ “ରିକ୍ରୁଟମେଣ୍ଟ” ବ୍ୟବସ୍ଥାର ଏକ ଉତ୍କୃଷ୍ଟ ପନ୍ଥା । ହାତରେ ଥୋଡ଼େ ପାର୍ଟି ପବ୍ଲିକେଶନ ଧରି ପ୍ରଫେସର, ଓକିଲ, ଡାକ୍ତରମାନଙ୍କ ଘରକୁ ଯିବା, ସେମାନଙ୍କୁ ନାନାଆଡ଼ୁ ନାନା କଥା କହି ପାର୍ଟିକୁ ସିଧା ସାହାଯ୍ୟ କରିନି ପଛେ ପରୋକ୍ଷ ଭାବରେ ସାହାଯ୍ୟ କର ବୋଲି କହିବା, ବହି ବିକ୍ରି କରି ବହିର ମୂଲ୍ୟ ସାଙ୍ଗକୁ ଆଉ କିଛିଟା ଚାନ୍ଦା ଆଣିବା; ଆଲୋଚନା କଲାବେଳେ, ଧୀରେ ଧୀରେ ଆଲୋଚନା ନକରି ବଡ଼ ପାଟିରେ କହିବା ଫଳରେ ଘରେ ଅଧ୍ୟାପକ, ଓକିଲ ବା ଡାକ୍ତରମାନଙ୍କ ଶିକ୍ଷିତ ଝିଅ ବା ଭଉଣୀମାନଙ୍କ କାନରେ ପାର୍ଟିର ବାର୍ତ୍ତା ପହଞ୍ଚାଇବା ହେଲା ଏହି ବୌଦ୍ଧିକ ସଂପର୍କରକ୍ଷାର ମୂଳମନ୍ତ୍ର-

 

ପାର୍ଟି ନେତାମାନଙ୍କ ମତରେ ଅଧିକ ଝିଅଙ୍କୁ ସଂଗ୍ରହ କରି ଆଣିପାରିବାଟା ହେଉଚି ବଡ଼ ବହାଦୁରୀ । ଏହିଭଳି ଆଲୋଚନାଦ୍ଵାରା ଯଦି କୌଣସି ଝିଅ ଆଲୋଚନା ପ୍ରତି କର୍ଣ୍ଣପାତ କରୁଚି ବୋଲି ଜାଣି ପାରିବ, ତାହାହେଲେ ତାକୁ ଯେ କୌଣସିମତେ ପାଠଚକ୍ରକୁ ଟାଣି ଆଣିବାର ବ୍ୟବସ୍ଥା କରାଯିବା ଉଚିତ୍ । କୌଣସି ଝିଅ ଯଦି ନାଚ ଗୀତ ଜାଣୁ ଥାଏ ତ ତା ପ୍ରତି ପ୍ରଥମେ ନଜର ଦିଆଯିବା ଦରକାର । କାରଣ ନାଚ ଗୀତ ଜରିଆରେ ଯେତେ ଚାନ୍ଦା ଅସୁଲ ହୋଇପାରେ, ଅନ୍ୟ କୌଣସି ଜରିଆରେ ତାହା ସମ୍ଭବ ନୁହେଁ । ସତରେ ଅଠର ବର୍ଷ ବୟସର ଝିଅଙ୍କୁ ପାର୍ଟି ପ୍ରତି ଆକୃଷ୍ଟ କରିବା ସହଜ । ଏଇ ବୟସଟାରେ ସେମାନେ ସ୍ଵାଧୀନ ଭାବରେ ପୁଅ ପିଲାଙ୍କ ସହିତ ମିଶିବା ପାଇଁ ଇଚ୍ଛା କରି ଥାଆନ୍ତି ଏବଂ ପାର୍ଟି ଜରିଆରେ ଏହି ମିଶ୍ରଣଟା ଅତି ଗୌରବମୟ । ଯିଏହେଲେ କହିବ, ଝିଅଟା ଦେଶପାଇଁ ଖଟୁଛି ।

 

ଶ୍ୟାମଳ ବାବୁ ଏଇ ଦାୟିତ୍ଵରେ ଥିଲେ... ।

 

ବିଭିନ୍ନ ଜାଗାରେ ଇଣ୍ଟେକ୍‍ଚୁଆଲ୍ କଣ୍ଟାକ୍‍ଟ ସାରି କ୍ଳାନ୍ତ ଶ୍ରାନ୍ତ ହୋଇପଡ଼ିଲେ, ଦୀନବନ୍ଧୁ ଏବେ ଘରେ ନାଇଁ ଜାଣି ତାଙ୍କର ଘରେ ଟିକିଏ ବିଶ୍ରାମ ନେବାକୁ ଚାଲି ଆସନ୍ତି । ନନ୍ଦିତାକୁ ସେ ଯେଉଁ ବହିସବୁ ଦିଅନ୍ତି, ସେ ବହିର ପ୍ରଥମ ପୃଷ୍ଠାରେ “ସେ ତାଙ୍କର ପଣତକୁ ଟାଣି ଧରିଲେ—ନାୟିକାର ଓଠ ଦିଓଟି ନାୟକଙ୍କୁ ଭାରି ଭଲ ଲାଗେ” ଏଇଭଳି ସବୁ କଥା ଲେଖା ଥାଏ-। ଅନ୍ୟ ସ୍ଥାନମାନଙ୍କରେ ସିନା ସେ ବଡ଼ ପାଟିରେ ଆଲୋଚନା କରନ୍ତି, ଏ ଘରେ କିନ୍ତୁ ଅତି ଧୀରେ ଧୀରେ ମୃଦୁ କଣ୍ଠରେ ଦରଦଦିଆ ଭାଷାରେ ଆଳାପ କରନ୍ତି । ଶାସ୍ତ୍ରୀୟ ସଂଗୀତର ଆଳାପ ପରି ଏହା ବହୁ ବାଟ ଲମ୍ବିଯାଏ । ତାଳ, ଲୟ, ପରେ ମଝି ମଝିରେ ସେ ତାନ ଛିଣ୍ଡାନ୍ତି ଅତି ସୂକ୍ଷ୍ମ ଭାବରେ । ସେ ତାନ ନନ୍ଦିତାହିଁ ବୁଝେ । ଦୀନବନ୍ଧୁ ବାବୁ ଘରକୁ ଫେରିଲା ବେଳକୁ ଟିକକ ଆଗରୁ ଏ ଘରେ ତାନ ଛିଣ୍ଡୁଥିଲା ବୋଲି ଜାଣିବା ଭଳି କୌଣସି ଚିହ୍ନ ବି ଦେଖିବାକୁ ପାଆନ୍ତି ନାହିଁ । ଶ୍ୟାମଳକୁ କହନ୍ତି—କିରେ ଶ୍ୟାମଳ ଆଜି କେତେ ଜଣଙ୍କ ସାଥିରେ କଂଟାକ୍ଟ ହେଲା ?

 

ଶ୍ୟାମଳ ବାବୁ ତାଲିକା ଦିଅନ୍ତି—ଗୁରୁବାବୁ, ସତ୍ୟବାଦୀ ବାବୁ, ନେତ୍ରାନନ୍ଦ ବାବୁ, ବ୍ରହ୍ମାନନ୍ଦ ବାବୁ, ନୀଳିମା ବୋଷ, ଜତିନ୍‍ବାବୁ, ବେଲାରାଣୀ ଧୀର, ବିଧିଭୂଷଣ ଗରାବଡ଼ୁଆ ବହୁତ ନାଁ ।

 

ଦୀନବନ୍ଧୁ ବାବୁ କହନ୍ତି—ପ୍ରତିଦିନ ତ ଥୋଡ଼େ ଥୋଡ଼େ ନାଁ କହୁଚୁ, କାହିଁ ଜଣେହେଲେ ତ ତୋ ବହିବା ଲୋକଙ୍କ ମଧ୍ୟରୁ କିଂବା ତାଙ୍କ ଘରୁ ‘ପାଠ ଚକ୍ର’ କୁ ଆସୁ ନାହାନ୍ତି ।

 

ଶ୍ୟାମଳ ବାବୁ ଜବାବ ଦିଅନ୍ତି—ବୁଝିଲୁ, ଇଏ ତ ଦି ଚାରିଟା ଗୀତ ବୋଲି ଡବା ଧରି ଚାନ୍ଦା ଅସୁଲ କରିବା ନୁହେଁ । ବନସୀ ପକେଇବ—ଯଦି ରୋହି, ଭାକୁଡ଼ ହେଇ ପାଞ୍ଚ ଦଶ ସେଇଆ ନ ଆସନ୍ତି, ତାହାହେଲେ ଲାଭ କ’ଣ ? ବନସୀ ପଡ଼ିଚି, ସୋଇ ବୁଡ଼ୁ, ତେବେ ଯାଇ ସିନା ଉଠେଇବି ! ମଝିରୁ ତରବରରେ ଝିଙ୍କି ଦେଲେ ଥରକୁ ଥର କେଞ୍ଚୁଆ ଗୁନ୍ଥିବାଟା ହିଁ ସାର ହେବ । ଆଜି ଯେଉଁ ତନୁଜା, ସ୍ଵର୍ଣ୍ଣପ୍ରଭା ତୋ ସାଙ୍ଗରେ ଗୀତ ବୋଲି ବୋଲି ବୁଲୁଚନ୍ତି; ତାଙ୍କୁ କିଏ ଆଣିଲା-? ତାଙ୍କୁ ଆଣିବାକୁ କେତେଦିନ ଲାଗିଚି ଜାଣିଚୁ ? ଖାଲି ତ ଆଣିଲି ନାହିଁ, ତାଙ୍କ ଘରେ ବି ଚାରିଜଣ କର୍ମୀଙ୍କ ତିନି ଚାରି ବର୍ଷର ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରିଦେଇ ଆସିଚି । ହ୍ରୁଷୀକେଶ ତାଙ୍କ ଘରେ ଗଣ୍ଡେ ଖାଇବାକୁ ପାଇଲା ବୋଲି ଆଜି ପଢ଼ିପାରୁଚି ଏବଂ ପାଟିରେ କାମ କରି ପାରୁଚି ? ରମେଶଟା ହାତରେ, ଜାଣିଛ ତ ଆଜି ସମଗ୍ର କଲେଜ ୟୁନିୟନ୍‍ଟା । ଗତବର୍ଷ ସେକ୍ରେଟେରୀ, ଏ ବର୍ଷ ପ୍ରେସିଡେଣ୍ଟ୍ । ମହିଳା କଲେଜଟାରେ ଯଦି ଏମିତି ଜଣେ ଦିଜଣ ରଖିଦେଇ ପାରନ୍ତି ନା, ଦେଖନ୍ତୁ ପାର୍ଟିଟା ବର୍ଷକ ଭିତରେ ମନ୍ତ୍ରୀମଣ୍ଡଳ ଦଖଲ କରି ଯାଆନ୍ତା ।

 

ଦୀନବନ୍ଧୁ ନିର୍ବାକ, ନିରୁତ୍ତର ।

 

ଶ୍ୟାମଳ ତାତ୍ସଲ୍ୟ କରି କହେ, ବୁଝିଲୁ ଦୀନବନ୍ଧୁ ! ତୋଭଳି ସ୍ୱାର୍ଥପର, ରକ୍ଷଣଶୀଳ ପିଲାର ଏ ପାର୍ଟିରେ ରହିବାର କୌଣସି ଯୋଗ୍ୟତା ନାଇଁ । ଆଜିକାଲି ମନ୍ତ୍ରୀ, ନେତା, ଭୂଦାନ କର୍ମୀମାନେ ଯେଉଁଭଳି ପିଲାଙ୍କୁ ମୌଳିକ ଶିକ୍ଷା ଦିଅ ବୋଲି ସଭାସମିତିରେ ଗର୍ଜନ ତର୍ଜନ କରି ଭାଷଣ ଦେଉଛନ୍ତି ଏବଂ ନିଜ ପିଲାଙ୍କୁ କନଭେଣ୍ଟରେ ନେଇ ପଢ଼ଉଚନ୍ତି, ତୁ ବି ସେଇମିତି କାରବାର କରୁଚୁ । କରୁନୁ ? ଏଇ ନନ୍ଦିତା—ତୋର ନିଜ ଭଉଣୀ, ସୁଶିକ୍ଷିତା, ରାଜନୀତି କଥା ତୋଠୁ ବେଶି ଜାଣେ । କାଇଁ ଦିନେ ତ ତୁ ତାକୁ ‘ପାଠଚକ୍ର’ କୁ ନେଇ ନାହୁଁ ? ସେ କୁଆଡ଼େ ସ୍କୁଲରେ ପଢ଼ିଲାବେଳେ, ଏପରି କି ଫାଷ୍ଟଇଅରବେଳେ ବି ନାଚୁଥିଲା, ମେଡାଲ ପାଉଥିଲା, ତୁ କୁଆଡ଼େ ତାକୁ ବନ୍ଦ କରିଦେଲୁ । ଅଥଚ ତୁ ମତେ ମାସେ ହେଲା ଲଗେଇଚୁ ଉର୍ମଳାକୁ ପାର୍ଟି ଭିତରକୁ ଆଣିବାକୁ । କାହିଁକି ? ସେ ନାଚେ ବୋଲି ତ ? ଗୀତ ତ ଗାଇ ଜାଣେନା, ବକ୍ତୃତା ଦେବାକୁ ପଛାଏ, ଲାଜକୁଳି ଯେ କହିଲେ ନ ସରେ; ତାହାହେଲେ ଆଉ କୋଥିପାଇଁ କହ ? ତୁନି ହେଇ ଠିଆ ହେଇଚୁ ଯେ......

 

ଦୀନବନ୍ଧୁ ସେଇମିତି ନୀରବ, ନିର୍ବାକ, ନିରୁତ୍ତର ।

 

ତାଙ୍କ ମନରେ ମୁହୂର୍ତ୍ତକ ଭିତରେ କେତେ ଯେ ଢେଉ ସୃଷ୍ଟି ହୋଇଯାଏ, ସେ ନିଜେ କଳନା କରି ପାରନ୍ତିନି । ନନ୍ଦିତା.....ଅତି ଅଲିଅଳ ଭଉଣୀ ନନ୍ଦିତା...ଜୀବନରେ ସବୁ ଧକ୍କା ସହିବା ପାଇଁ ସେ ପ୍ରସ୍ତୁତ; କିନ୍ତୁ ସେ ଖାଲି ଚାହାନ୍ତି ନନ୍ଦିତା ସୁଖରେ ରହୁ । ଏହି କେଇ ବର୍ଷ ମଧ୍ୟରେ ସେ ନନ୍ଦିତାର ଶୈଶବ ଓ କୈଶୋରକୁ ଦେଖିଚନ୍ତି.....ଯୌବନଟା ଆସିଲା ବେଳକୁ ସେ ଅନୁଭବ କରୁଛନ୍ତି ସେ ଯିମିତି ଅଜ୍ଞାତ ଭାବରେ ଦୂରେଇ ଦୂରେଇ ଯାଉଛନ୍ତି ତା’ଠୁ । ତା ମନ ଉପରେ ତାଙ୍କର କୌଣସି ଅଧିକାର ନାହିଁ । ଏବେ ବି ସେ ଏକାଥାଳିରେ ଏକା କଂସାରେ ବସି ନନ୍ଦିତା ସହିତ ଭାତ ଖାଉଚନ୍ତି, ତଥାପି ସେ ବହୁ ଦୂରରେ ।

 

ନାଚ ନାଁ ଧରିଲେ ତାଙ୍କ ରକ୍ତ ତାତି ଉଠେ । ଜାତିର ସଂସ୍କୃତି ବୁଡ଼ି ଯାଉଚି, କଳାକାରମାନେ ହା ଅନ୍ନ, ହା ଅନ୍ନ ହୋଇ ବୁଲୁଚନ୍ତି, ତାଙ୍କୁ ଉଦ୍ଧାର କରିବା, ସେମାନଙ୍କ ପେଟରେ ଦାନା ଦେବାପାଇଁ ତ ସେ ସେଦିନ କଳାନିକେତନ ବୋଲି ଘର ଆଗରେ ଗୋଟାଏ ସାଇନ ବୋର୍ଡ଼ ମାରି ନାଚକ୍ଲାସ ଆରମ୍ଭ କରିଥିଲେ । ପ୍ରଥମ କରି ନାଚ ଶିଖିଲା ନନ୍ଦିତା । ସେତେବେଳେ ସେ ଥିଲା କିଶୋରୀ—ତା ନୃତ୍ୟର ଭଙ୍ଗୀରେ ମନ୍ତ୍ରୀ ଖୁସିହେଲେ, କୋଳ କଲେ, ଚୁମା ଦେଲେ, ତାକୁ ପାଖରେ ବସେଇ ଫଟୋ ଉଠାଇଲେ, ଦର୍ଶକମାନେ ତାଳି ମାରିଲେ, ଖବର କାଗଜରେ ଫଟୋ ଛପା ହେଲା, ଚାରିଆଡ଼େ ନନ୍ଦିତା ବୋଲି ହୁରି ପଡ଼ିଲା... କିନ୍ତୁ ସେଇ ମାଷ୍ଟ୍ରଜଣଙ୍କ ପ୍ରଲ୍ଲବ୍‍ଧ ଆଖିରେ ନନ୍ଦିତା କ୍ରମଶଃ ଛନ୍ଦାୟିତ ହେବାକୁ ଲାଗିଲା । ଅପରିଚିତା, ଅପ୍ରାପ୍ତ ବୟସ୍କା, ଅପରିପକ୍ଵା କିଶୋରୀ ନନ୍ଦା—ସେଦିନ ଅତି ଜୋରରେ ପାଟି କଲା ବୋଲି ସିନା—ନଇଲେ ତା ଅବସ୍ଥା କ’ଣ ହେଇ ଥାଆନ୍ତା ?

 

ଶ୍ୟାମଳ ମୁହଁରେ ପୁଣି ସେହି ନାଚର ପ୍ରସ୍ତାବ—କିନ୍ତୁ ସେତେବେଳେ ଥିଲା ସଂସ୍କୃତିର ପୁନରୁଦ୍ଧାର ପାଇଁ...ଏବେ ପାର୍ଟି ପାଇଁ...

 

ଦୀନବନ୍ଧୁ ଦାସେ ଥକା ମାରି ବସି ପଡ଼ିଲେ ଚୌକି ଉପରେ । କହିଲେ, ତୁ ଯା ଶ୍ୟାମଳ-। ବୁଲି ବୁଲି ହାଲିଆ ଲାଗୁଚି, ଟିକିଏ ବିଶ୍ରାମ ନିଏ-। ଏହିକ୍ଷଣି ତନୁଜା ଓ ସ୍ଵର୍ଣ୍ଣପ୍ରଭା ପହଞ୍ଚିବେ । ଆର ସାହିଟା ସାରିବାକୁ ହବ । ସମ୍ମିଳନୀ ଆଉ ଦଶଟି ଦିନ ରହିଲା । ଦେଲୁ ସେଥିରୁ କିଛିଟା ବହି, ଅଫିସରେ ମୋ ନାଁରେ ଟିପି ଦେଇଥିବୁ । ଚାଟର୍ଜୀ ବାବୁଙ୍କ ଝିଅ ମାଗିଥିଲା । ସରିଯାଇଥିଲା ବୋଲି ଦେଇପାରିନି ।

 

ଶ୍ୟାମଳବାବୁ ବହି କେତୋଟି ଦେଇ ଚାଲିଗଲେ । ନନ୍ଦା ଆସି କହିଲା—ଭାଇ, ତୁମେ ଭାରି ଅବଶ ଦେଖାଯାଉଚ, ଖାଇପିଇ ଶୋଇପଡ଼ । ତନୁଜା, ସ୍ଵର୍ଣ୍ଣପ୍ରଭା, ଆସନ୍ତୁ, ମୁଁ ଯିବି ଚାନ୍ଦା ଅସୁଲ କରିବା ପାଇଁ ।

 

ଶ୍ୟାମବାବୁ ବାହୁଡ଼ି ଆସି କହିଲେ, ଭଲ ପ୍ରସ୍ତାବ... । ଦିନୁ, ପ୍ରକୃତରେ ତୁ ହାଲିଆ ହୋଇପଡ଼ିଚୁ । ଆଜି ପୁଣି ରାତି ଅନିଦ୍ରା ହେଇ, ସେକ୍ରେଟେରୀ ରିପୋର୍ଟ ଫେରାର କରିବାକୁ ପଡ଼ିବ । ତୁ ଶୁଣ...ନନ୍ଦା ଯାଉ ଆସ୍ତେ ଆସ୍ତେ ଇମିତି ନ ଗଲେ ତା ଲାଜ ଭାଙ୍ଗିବନି...ମୁଁ ଯାଉଛି ଡୁବି ତବଲା, ହାରମନିୟମ୍ ଚାନ୍ଦା କରିବା ପାଇଁ । ଭାବିଚି, କାଲିଠୁ ନାଚ କ୍ଲାସଟା ଆରମ୍ଭ କରିଦେବା । ନନ୍ଦାକୁ ଦୂରକୁ ଯିବାକୁ ପଡ଼ିବନି । ତୋର ଯଦି କୌଣସି ଆପତ୍ତି ନ ଥାଏ, ଏହି ଘରେ କରିବା । ଆମର ପୂର୍ଣ୍ଣଦାକୁ ସବୁବିଦ୍ୟା ମାଲୁମ । ନାଚ ଜାଣେ, ଗୀତ ଜାଣେ, ବଜେଇ ଜାଣେ, କାରିକେଚର ବି ଜାଣେ, ସମସ୍ତଙ୍କୁ ନେଇ ପାଟି ଲାଇନରେ ଗୋଟାଏ ନୃତ୍ୟ ନାଟ୍ୟ କରିବା ବୋଲି ଭାବୁଛି । ଠିକ୍ ସମ୍ମିଳନୀ ପରେ ପରେ ଭେରାଇଟି—ସୋ ଆରମ୍ଭ ହେବ । ଏ ପ୍ରଚାର କଲେ ଦେଖିବୁ ସଭାରେ ହଜାର ହଜାର ଲୋକ ହେବେ । ଲୋକେ ଦଳର ନୀତି କଥା ଶୁଣନ୍ତୁ କି ନ ଶୁଣନ୍ତୁ, ଅନୁପ୍ରାଣିତ ହୁଅନ୍ତୁ ବା ନ ହୁଅନ୍ତୁ, ଏତେ ଲୋକ ହେଇଥିଲେ ବୋଲି ଅନ୍ତତଃ ପ୍ରଚାର ତ ହେଇ ପାରିବ ! ପ୍ରଚାର ହିଁ ପାଟିର ପ୍ରସାରକୁ ଅଧିକ ସାହାଯ୍ୟ କରେ ।

 

ଏତକ କହୁ କହୁ ଶ୍ୟାମଳ ମନେ ମନେ ବିଷୟବସ୍ତୁ ମଧ୍ୟ ଠିକ୍ କରିନେଇଥିଲା; କହିଲା–ବୁଝିଲୁ ଦିନୁ, ନୃତ୍ୟନାଟ୍ୟର ନାଁ ଦେବା “ରାଜା ଓ ପ୍ରଜା” । ନନ୍ଦିତା ହେବ ରାଜଜେମା ।

 

ନୃତ୍ୟନାଟ୍ୟରେ ନନ୍ଦିତା ରାଜଜେମା ହେଲାକି କ’ଣ ହେଲା କେଜାଣି, ସେ ଜାଣିବାକୁ ଅବକାଶ ପାଇଁ ନ ଥିଲେ । କାରଣ ସମ୍ମିଳନୀ ହେବାର ଦୁଇଦିନ ପୂର୍ବରୁ ଏକ ରାଜନୀତିକ ଦୁରଭିସନ୍ଧିରେ ରାଜଗାଦିରେ ବସିଥିବା ଦଳ କି ଏକ ଆନ୍ଦୋଳନର ନେତା ଥିଲେ ବୋଲି ଅଭିଯୁକ୍ତ କରି ଦୀନବନ୍ଧୁଙ୍କୁ ଜେଲରେ ଭର୍ତ୍ତି କରିଦେଇଥିଲେ । ଏ ଜେଲଦଣ୍ଡର ବିଚାର ହୁଏ ନା, କାରଣ ୟାର ନାଁ ଅଟକବନ୍ଦୀ ଆଇନ । ସରକାରଙ୍କ ଶେଷାସ୍ତ୍ର ।

 

ଦୁଇବର୍ଷ ପରେ ସେ ଯେତେବେଳେ ବନ୍ଦୀ ଗୃହରୁ ଖଲାସ ହେଲେ, ସେତେବେଳେ ସେ ଜାଣି ପାରିଲେ, ଶ୍ୟାମଳ ଦଳ ଛାଡ଼ି ଦେଇ ସରକାରୀ ଚାକିରି କରିଚି—ବିବାହ କରିଚି ତାଙ୍କ ଭଉଣୀ ନନ୍ଦାକୁ । ଶେଷରେ ଶ୍ୟାମଳ ତା’ର ଜୀବନନାଟକରେ ତାକୁ ରାଜରାଣୀ କରି ନେଇଚି ।

 

ପାଟିରେ ଥିଲାବେଳେ ଲୋକେ ପାଟି ପତାକାକୁ ଛୁଇଁ ଶପଥ କରି ଥାଆନ୍ତି—ଜୀବନରେ ସରକାରୀ ଚାକିରି କରିବିନି, ପାର୍ଟିହିଁ ମୋର ଜୀବନ, ପାର୍ଟିର ନିର୍ଦ୍ଦେଶ ଓ ଆଦର୍ଶରେ ମୁଁ ମୋର ଜୀବନକୁ ପରିଚାଳିତ କରିବି... । ସେ ସବୁ ଏକ ମୁହୁର୍ତ୍ତ ବା କେଇଟି ବର୍ଷର ଭାବପ୍ରବଣତାରେ ହୋଇଯାଏ...ତାପରେ ସେଇମାନେ ହିଁ ସବୁଠାରୁ ସରକାରଙ୍କ ବେଶୀ ଅନୁଗତ ଚାକର ହୋଇଥାନ୍ତି । ଯେଉଁ ମନ୍ତ୍ରୀଙ୍କୁ ଦେଖିଲେ, ସେମାନଙ୍କ ବିରୁଦ୍ଧରେ ଗୁଡ଼ାଏ ଲୋକଙ୍କୁ ରୁଣ୍ଡ କରି, ଲୋକଙ୍କୁ ବସେଇ ବକିବାକୁ ଇଚ୍ଛା ହୁଏ, ସେଇ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ସେଇମାନେ ହିଁ ହୋଇଥାନ୍ତି ।

 

ତେଣୁ ଶ୍ୟାମଳ ଯେ ଏକ ମସ୍ତବଡ଼ ଭୁଲ କରିଛି, ଦୋଷଣୀୟ କାମ କରି ପକେଇଚି, ଏକଥା ଦୀନବନ୍ଧୁ ଦାସେ ମନେ କରି ନ ଥିଲେ । ନନ୍ଦା ବି କିଛି ଭୁଲ କରିନି—ଅଯୋଗ୍ୟ ପାତ୍ରକୁ ବାଛିନି । କେବଳ ତାଙ୍କ ମନରେ ଦୁଃଖ ରହିଲା, ନନ୍ଦା ଖଣ୍ଡିଏ ହେଲେ ଚିଠି ଦେଉନି କି କୁଉଠି ଅଛି ଜଣଉନି ।

 

ପରେ ସେ ତାର ଖୋଜଖବର ନେଇଥିଲେ ବହୁତଥରେ ସେ ରାଇରଙ୍ଗପୁରରେ ଅଛି ବୋଲି ଖବରପାଇ ସେଇଠିକି ଯାଇଥିଲେ...କିନ୍ତୁ ନିରାଶ ହେଇ ଫେରି ଆସିଲେ । ଶୁଣିଲେ, ଶ୍ୟାମଳବାବୁ ଗତ ଚାରିଦିନ ହେଲା କୁଉଠିକି ବଦଳି ହୋଇ ଯାଇଛନ୍ତି । ସେଇଠୁ ସେ ଶୁଣିଥିଲେ ଯେ ନନ୍ଦାର ଝିଅଟିଏ ହେଇଚି ବୋଲି ।

 

ଏହା ଦିବର୍ଷ ତଳର କଥା......

 

ଦିବର୍ଷ ପରେ ଆଜି ନନ୍ଦା ସହିତ ଦୀନବନ୍ଧୁ ଦାସଙ୍କର ସାକ୍ଷାତ, ଖୁସି ହେବା କଥା ।

 

ଶେଷରେ କହିରଖେ, ଶ୍ୟାମଳବାବୁ ହେଉଛନ୍ତି ସୁନାକର ବାବୁଙ୍କର ଭାଇପୁଅ ଅର୍ଥାତ୍ ପୁତୁରା । ସନ୍ତାନ ନ ଥିଲା ବୋଲି ସେ ୟାକୁ ପୁଅ କରି ନେଇଥିଲେ । ନନ୍ଦା ସହିତ ତାକୁଇ ବାହା ଦେବାପାଇଁ ସେ ସାହାଯ୍ୟ କରୁଥିଲେ ନନ୍ଦା ଆଉ ଦୀନବନ୍ଧୁ ଦାସଙ୍କୁ ।

 

ରାତି ବାର ପୂର୍ବରୁ ଅର୍ଥାତ୍ ଦୀନବନ୍ଧୁ ଦାସେ ଓ ସୁସ୍ନାତା ଦେବୀ ଦୁହେଁ ଏକ ତକିଆରେ ମୁଣ୍ଡଦେଇ ଶୋଇବା ପୁର୍ବରୁ, ସୁସ୍ନାତା ଦେବୀ ଦାସଙ୍କ ଠାରୁ, ହଁ—ତା’ପରେ—ତା’ପରେ କହି କହି ଏତେ ସଂବାଦ ସଂଗ୍ରହ କରି ନେଇଥିଲେ । ସବୁ ଶୁଣି ସାରିବା ପରେ ରିନାଦେବୀ ପଚାରିଲେ, ତାହାହେଲେ ତୁମେ କୁହ, ମୁଁ ତାଙ୍କୁ ଭାଉଜ ବୋଲି ଡାକିବି ନା ସେ ମୋତେ ଡାକିବେ । ଯାହା ହେଲେ ଗୋଟେ ଥିର କରିଦିଅ ।

 

ଦାସେ କହିଲେ—ଆଉ କେଇଟଦିନ ଗଲେ ମକର ସଂକ୍ରାନ୍ତି ପଡ଼ିବ, ଭଲ ମକର ଚାଉଳ କରି ପରସ୍ପରକୁ ଦିଆଦେଇ ହେଇ ମକର ବସିପଡ଼, ଅଡ଼ୁଆ ତୁଟିଯିବ । ନଣନ୍ଦ ଭାଉଜରେ ନାନା କଥା ଉଠେ । ମକର ବସିଲେ ଗଲା ।

 

ଦାସେ ଶୋଇ ପଡ଼ିଲେ ।

 

Unknown

ହଠାତ୍ ଟିକକପରେ ରିନାଦେବୀ ଉଠି କହିଲେ, କ’ଣ ଶୋଉ ଶୋଉ ନିଦ ! ଟିକିଏ ହଲେଇ ଦେଇ କହିଲେ, ଆହେ ଶୁଣୁଚ଼... ? ଦାସେ ଉଠି ପୁଣି ବସିଲେ । ...କ’ଣ ହେଲା ?

 

—ମକର ବସିଲେ ତ ନୂଆ ଲୁଗାଟିଏ ଦେବାକୁ ପଡ଼ିବ । କହି ଦେବା ସିନା ସହଜ, ତୁଲେଇ ପାରିବ ତ ? ଭଲ ଲୁଗାଟିଏ ହେବା ଦରକାର । ଅନ୍ତତଃ କୋଡ଼ିଏ ପଚିଶି ଟଙ୍କା ନ ହେଲେ ହବନି । ମକର ଯାହା, ସଙ୍ଗାତ ତାହା । ସେଦିନ ପ୍ରମିଳା ସାଙ୍ଗରେ ଦମୟନ୍ତୀ ସଙ୍ଗାତ ବସିଲା—କ’ଣ ଦିଆ ନିଆ ହେଇଚନ୍ତି ଜାଣ ? ଏଡ଼େ ବଡ଼ ତାଟଟାକରେ ତାଟେ ହବ ଦରବ । ନିଜ ଆଖିରେ ଦେଖିଚି ପରା । ବନାରଶୀ ଶାଢୀ, ପାଞ୍ଚଟା ନଡ଼ିଆ, କାଚ ଆଠ ଆଠ ପଟ ଷୋଳପଟ, କାନକୁ ଝୁଁପି । କଜଳ, ସିନ୍ଦୁର, ପାଉଡ଼ର ଡିବା । ଗୋଟେ ବାହାଘରର ଯୋଗାଡ଼ । ଧର ଆମେ ଏତେ ଚିଜ ଦେଇ ପାରିବାନି, ଲୁଗାଖଣ୍ଡେ, ନଡ଼ିଆ ଦିଟା, ଝୁଁପିକି ଛାଡ଼ି, ଆଉ ସବୁ ଜିନିଷ ତ ଦେବା । ପଚାଶ ଟଙ୍କା ହେଲେ ଯାଇ ହବ । ତା ଛଡ଼ା ତାଙ୍କ ନିନୀଟି ପେଇଁ—

 

ଦାସଙ୍କ ଆଖିରେ ଯାହା ବା ଟିକିଏ ନିଦ ଥିଲା, ସେତକକୁ ରିନାଦେବୀ ବେଶ କଥାର ପାଣିଛାପ ଦେଇ ନିଭେଇ ଦେଲେ । ଦାସଙ୍କ ଉଶ୍ଵାସ ମୁଣ୍ଡଟା ଭାରି ଭାରି ହେଇ ଆସିଲା । କଥାକୁ ଏଡ଼ି ଦେବା ପାଇଁ କହିଲେ—ସେମିତି ମକର ବସିବାପାଇଁ ମୁଁ କହୁନି । ଏତେ ଦିଆନିଆ ହେଲେ, ସଂପର୍କଟା ଭଲ ରହେ ନା । ଧର, ତୁମେ ଏତେ ଜିନିଷ ଦବ, ତୁମେ ତ କ’ଣ କ’ଣ ହଉଚ ସେ ଜାଣି ନଥିବେ । ଯଦି ତୁମ ଜିନିଷଠୁ ସେ ଦେଉଥିବା ଜିନିଷ କେଉଁ ଗୁଣରେ ନିଉନ ହୋଇଯାଏ, ତାହାହେଲେ ତୁମ ମନ ଖରାପ, ତାଙ୍କ ମନ ଖରାପ । ଦେଖଣାହାରିଏ କହିବେ, କି ମକର ଦେଇଚି କିଲୋ ଶାଢ଼ି ଦେଇଚି ଯେ ଏତେ ମୋଟ, ଅଖା ନା ଲୁଗା ମ ! ତେଣୁ ମକର ବସିବାରେ ପଇସାପତ୍ରର କାରବାର ଠିକ ନୁହେଁ । ତୁମ ଆଡ଼େ କ’ଣ କେଜାଣି, ଆମ ଆଡ଼େ ଏ ସବୁ ପ୍ରଥା ନାଇଁ । ମକରଚାଉଳ ଟିକିଏ ତୁମେ ତାଙ୍କ ପାଟିରେ ପକେଇ ଦେଲ, ସେ ଟିକିଏ ତୁମ ପାଟିରେ ପକେଇ ଦେଲେ, ତା’ପରେ ମକର ମକର ଡକାଡ଼କି ଚାଲିଲା । କେହି କାହା ନାଁ ନ ଧରିଲେ ହେଲା । ଯଦି ଏଥିରେ ମନ ନ ପାଉଚି, ତାହାହେଲେ ମକରପ୍ରସ୍ତାବକୁ ନାକଚ କର । କାଲି ନନ୍ଦାର ସାର୍ଟିଫିକେଟ ଆଣ, ତୁମ ସାର୍ଟିଫିକେଟ ମଧ୍ୟ ଆଣିବ—ଦେଖିବା କାହା ବୟସ କେତେ, କିଏ ବଡ଼, କିଏ ଛୋଟ । ତୁମେ ତ ତାଠୁ ବୟସରେ ବଡ଼ ବୋଲି ସବୁବେଳେ କହି ହୁଅ, ଦେଖିବା । ଯଦି ବଡ଼ ହୋଇଥାଅ, ତାହାହେଲେ ସେ ତୁମକୁ ନାନୀ ନଇଲେ ଅପା ବୋଲି ଡାକିବ । କ’ଣ, ହେଲା ତ ?

 

ନନ୍ଦିତାଦେବୀଙ୍କ କୌଣସି ପ୍ରସ୍ତାବରେ ମନ ପାଇଲା ନାହିଁ । ସେ ଶୋଇଲାବେଳକୁ କହିଲେ—ସେ ପଛେ ମତେ ଭାଉଜ ବୋଲି ଡାକନ୍ତୁ, ମୁଁ କିନ୍ତୁ ତାଙ୍କୁ ଭାଉଜ ବୋଲି ଡାକିବି । ଅଭ୍ୟାସ ହେଇଗଲାଣି, ଏଇଲେ ମକର ବସିଲେ ହବନି । ଦିଦି, ଅପା, ନାନୀ ସଂବୋଧନ ସାତ ଭଉଣୀଙ୍କଠୁ ଶୁଣିବା ପରେ ଆଉ ଶୁଣିବାକୁ ଇଚ୍ଛା ହେଉନି ।

 

ସେୟା ହେଲା, ଇଏ ଭାଉଜ ବୋଲି ଡାକିଲେ ସିଏ ଓ କହନ୍ତି, ସିଏ ୟାଙ୍କୁ ଭାଉଜ ବୋଲି ଡାକିଲେ ଇଏ ଓ କହନ୍ତି । ଶେଷରେ ‘ଓ’ ଶବ୍ଦଟି ହିଁ କମନ୍ ରହିଲା ।

 

ନନ୍ଦା ନିଇତି ପୂଜାରୀହାତରେ ଠିକ ଦୀନବନ୍ଧୁବାବୁ ଖାଇବାବେଳକୁ ତରକାରୀ ପଠେଇ ଦିଅନ୍ତି...ରିନାଦେବୀଙ୍କ ରନ୍ଧା ତରକାରୀରୁ ଟିକିଏ ପାଟିରେ ଲଗଉ ଲଗଉ, ତାଙ୍କ ଘରର ତରକାରୀ ଆଗରେ ଆସି ଥୁଆ ହେଇଯାଏ । ଘର ତରକାରୀକୁ ଆଡ଼େଇ ଦେଇ, ପର ଘର ତରକାରୀକୁ ପୋଛିପାଛି ଖାଇ ପକାନ୍ତି ବୋଲି ରିନାଦେବୀଙ୍କ ବଡ଼ ରାଗ । ଯେତେ ଭଲ କରି କଲେ ମଧ୍ୟ ଆଜି ତରକାରୀଟା ଭଲ ହେଇଚି ବୋଲି ଦିନେ ଦାସଙ୍କ ତୁଣ୍ଡରୁ ପ୍ରଶଂସା ଶୁଣିବାକୁ ମିଳେନି । ଆଜି ତରକାରୀଟା ରାଗ ହେଇଗଲା, କାଲି ଲୁଣି ହୋଇଗଲା, ମସଲାମସଲି ବହୁତ ହେଇଗଲା, ହଳଦୀ କମ ଦେଇଥିଲେ ହଳଦୀ ହଳଦୀ ଲାଗି ନ ଥାନ୍ତା, ଡାଲିଟା ଭଲ କରି ସିଝିଲାନି, ପାଣିଚିଆ ପାଣିଚିଆ ଲାଗୁଚି, ତେଲ ବେଶି ହୋଇଗଲା, ଏଗୁଡ଼ିକ ବିଷ ଭଳିଆ ଦେଖାଯାଉଚି, ଭଜାଟା ଟିକିଏ କଡ଼କଡ଼ିଆ ହୋଇଥାଆନ୍ତା...ପ୍ରତିଦିନ ଇମିତି ଗୋଟିଏ ଗୋଟିଏ ମତାମତ ଦାସଙ୍କ ତୁଣ୍ଡରୁ ବାହାରିପଡ଼େ । ରିନାଦେବୀଙ୍କଠାରେ ଏହାର ପ୍ରତିକ୍ରୀୟା କ’ଣ ହେଉଥିବ ସେ ଆଦୌ କଳ୍ପନା କରିପାରନ୍ତିନି । ସେ ଖାଲି ଭାବନ୍ତି—ଇମିତି କହିଲେ, କାଲିକି ଟିକିଏ ଭଲ ହବପରା !

 

ଦିନେ ଦିନେ ଏଇକଥା ଭାଳି ଭାଳି ରିନାଦେବୀ ଭାରି କାନ୍ଦନ୍ତି । ତାଙ୍କ ହୃଦୟଭିତରଟା ଡହଳ ବିକଳ ହୋଇଉଠେ । କିନ୍ତୁ ସେ କାନ୍ଦର ସ୍ୱର ନଥାଏ ବୋଲି ଦାସଙ୍କ କର୍ଣ୍ଣଗୋଚର ହୁଏନାହିଁ, ଲୁହ ବାହାରେନି ବୋଲି ଚକ୍ଷୁ ଗୋଚର ବି ହୋଇ ପାରେ ନା ।

 

ଠିକ୍ ଏତିକିବେଳକୁ ଦାସେ ଅଫିସକି ବାହାରୁ ବାହାରୁ କହିଦେଇ ଯାଆନ୍ତି, ରାତି ଓଳି ମୋ ପେଇଁ ରାନ୍ଧିବନି, ଅନ୍ୟଠି ଖାଇବାର ଅଛି । ଗତଦିନ, ତା ପୂର୍ବଦିନ, ଇମିତି ପ୍ରତ୍ୟେକ ଦିନ ଯେ ସେ କହିଦେଇ ଯାଉଥାଆନ୍ତି, ଦୀନବନ୍ଧୁ ଦାସଙ୍କ ମନେ ପଡ଼େନି । “ରାତିଓଳି ଖାଇବିନି, ଅନ୍ୟଠି ଖାଇବାର ଅଛି” ଏତକ କହିଦେଇ ଯିବାଟା ତାଙ୍କର ଗୋଟାଏ ଅଭ୍ୟାସରେ ପଡ଼ିଯାଇଚି । ଅବଶ୍ୟ ଥରେ ଥରେ ଅନ୍ୟଠି ଖାଇବାର ବ୍ୟବସ୍ଥା ଥାଏ । ଟି ପାର୍ଟି, ଡିନର ଆଦି ପଡ଼େ । ତା ବୋଲି ଯେ ସବୁଦିନେ ଥାଏ, ତା ନୁହେଁ । ତେଣୁ ଦାସେ ରାତି ଦଶରେ ଘରକୁ ଆସିବାବେଳେ, ନିମନ୍ତ୍ରଣ ନ ଥିଲେ, ପଇସା ଦେଇ ନଚେତ୍ ବାକି ଖାତାରେ ପଇସା ଚଢ଼େଇ ଦେଇ ହୋଟେଲରେ ଖାଇଦେଇ ଆସନ୍ତି । ନଚେତ୍ କିଛି ନ ଖାଇ ମଧ୍ୟ ଘରେ ପଚାରିଲେ କହନ୍ତି, ଭୁରୀଭୋଜନ ହୋଇଚି । ରିନା ଦେବୀ କୁଆଡ଼େ କିମିତି ଚାଲିଗଲେ ହାଣ୍ଡିଶାଳେ ପଶି ହାଣ୍ଡି ଦରାଣ୍ଡନ୍ତି । ତରତରରେ କିଛିଟା ପାଟିରେ ପକେଇ ଦେଇ ଗ୍ଲାସେ ପାଣି ପିଇ ପଳାନ୍ତି ପରଟା ବା ରୁଟି ହେଇଥିଲେ, ରିନା ଦେବୀ ପରେଆସି ଗଣନ୍ତି ଊଣା ପଡ଼ିଗଲେ, ଦାସେ ବିରାଡ଼ିଟା ଉପରେ ଗରଗର ହେଇ, ଡାହାଣୀ ବିରାଡ଼ିଟା, ଘରେ କିଛି ରଖେଇ ଦେଲା ନାଇଁ ବୋଲି କହି ହୁଅନ୍ତି । ଯେଉଁଦିନ ଦାସଙ୍କୁ ଏ ସୁବିଧା ମିଳେନି, ଖାଲି ପେଟରେ ଆଖିକି ବୁଜି ଶେଯରେ ପଡ଼ି ରହନ୍ତି, ରାତି ଅଧରେ ଭୋକରେ ପେଟ ଆଉଟୁ ପାଉଟୁ ହେଲେ, ରିନା ଦେବୀଙ୍କି ଉଠେଇ କହନ୍ତି, ମୁଢ଼ି ଥିଲା ପରା...

 

—ଥିଲା ଯେ କାଲି ସେତକ ସିପିଗଲା ବୋଲି କୁକୁରକୁ ଦେଇଦେଲି ।

 

—କଦଳି ?

 

—ଦିଟା ଖଣ୍ଡେ ଥିବ, କିନ୍ତୁ ଏକା ବେଳକେ ପଚା ।

 

–ବିସ୍କୁଟ ?

 

–ଚାହା ସାଙ୍ଗରେ ସକାଳେ ସବୁ ତଳ ଗିଳିଦେଲ ପରା ।

 

ଦାସେ ସବୁ ଜିନିଷ ଅଛି କି ନାଇଁ, ଥିଲା ପଚା ବୋଲି ପଚାରନ୍ତି କିନ୍ତୁ ଭୋକ ହେଉଚି ବୋଲି କହନ୍ତି ନାଇଁ—ଭାରି ଲାଜ ମାଡ଼େ ତାଙ୍କୁ ।

 

ଶେଷରେ ସୁଜି ଉପରେ ଦୃଷ୍ଟି ପଡ଼େ ତାଙ୍କର । ଏଇ ଜିନିଷଟା ନିଶ୍ଚୟ ଅଛି । ଗତକାଲି ରିନାଦେବୀ ବରାଦ ଦେଇଥିଲେ, ସେ ଆଣିଚନ୍ତି । ଚିନି, ଘିଅ ବି ଅଛି । ତେଣୁ ରିନାଦେବୀଙ୍କୁ ଆଉ କିଛି ନକହି କହନ୍ତି, ତୁମେ ଶୁଅ, ମତେ ନିଦ ଲାଗୁନି, ବସି ପଢ଼ିବି । ନିଦ ଲାଗିଲେ ଶୋଇବି ।

 

ରିନାଦେବୀ ନ ଶୋଇଲା ଭଳି ଶୁଅନ୍ତି—ଥରେ ଥରେ ଜୋର୍‍ରେ ଘୁଙ୍ଗୁଡ଼ି ମଧ୍ୟ ମାରନ୍ତି-

 

ଇଲେକ୍‍ଟ୍ରି ଷ୍ଟୋର ଲଗେଇ ଦାସେ ହାଲୁଆ କରିବାକୁ ଯାଆନ୍ତି । ହାଲୁଆ ରନ୍ଧା ସରେ-। ସେତେକକୁ ବାଡ଼ିଆଡ଼େ ନେଇ ଖାଉ ଖାଉ ଧରାପଡ଼ି ଯାଆନ୍ତି । ରିନା ଦେବୀ ସାନ ପାସ୍‍ ଯିବ ବାହାନାରେ ବାଡ଼ି ଆଡ଼କୁ ମାଡ଼ି ଆସନ୍ତି ଖୁବ୍ ଜୋରରେ ।

 

ଦାସେ ଖାଉ ଖାଉ ତଣ୍ଟିରେ ଲାଗିଯାଏ । ରିନାଦେବୀ ପାଣି ଗ୍ଲାସେ ଆଣି କହନ୍ତି, ନିଅ ପିଇଦିଅ.. ଏତେ ଜଲ୍‍ଦି ଜଲ୍‍ଦି ଖାଉଚ କାହିଁକି; ଧୀରେ ଧୀରେ ଖାଅ । ଆଉ କେହି ନାହାନ୍ତି ମ, ମୁଁ ଖାଲି ଅଛି । ଭୋକ ହେଉଚି ବୋଲି କହିଥିଲେ କ’ଣ ମୁଣ୍ଡ ତଳକୁ ନଇଁ ଯାଇଥାଆନ୍ତା ? ସେ ଦିନ ବିରାଡ଼ିଟାକୁ ତୁଚ୍ଛାଟାରେ ବାଡ଼େଇଲି । ତୁମ ଭଳି ଘରେ ଦି-ଗୋଡ଼ିଆ ବିରାଡ଼ି ଅଛନ୍ତି ବୋଲି ଜାଣିଥିଲେ.....

 

ତା ଆର ଦିନଠୁ ଦାସେ ଆଉ ରାତି ଓଳା ଖାଇବେ କି ନା କିଛି କହିଲେ ନାଇଁ—ଅଭ୍ୟାସ ଭାଙ୍ଗିବାକୁ ଚେଷ୍ଟା କଲେ ସେ ।

 

ରିନାଦେବୀ ଆସିଲେ ଖାଇବେ ବୋଲି ନାନା ଜିନିଷ ରାନ୍ଧି ଦାସଙ୍କ ଅପେକ୍ଷା କରି କରି ବସି ରହନ୍ତି । ଚାହିଁ ଚାହିଁ ତାଙ୍କ ପେଟରୁ ଭୋକ ମରିଯାଏ । ସେ ଆଉ ରାତିଓଳି ଖାଇପାରନ୍ତିନି । ଦାସଙ୍କ ଭଳି ଭୋକିଲା ପେଟରେ ଶୋଇ ରହିବାକୁ ପଡ଼େ ତାଙ୍କୁ । ଦାସେ କେତେବେଳେ ରାତି ବାର, କେତେବେଳେ ରାତି ଦୁଇରେ ଆସି ଘରେ ପହଞ୍ଚନ୍ତି । କେତେବେଳେ କହନ୍ତି ଖାଇଦେଇ ଆସିଛି, କେତେବେଳେ କହନ୍ତି- ବହୁତ ରାତି ହୋଇଗଲାଣି, ଖାଇଲେ ପେଟ ଖରାପ ହବ । ତା ଆରଦିନ ବାସି ଦୁଧ ବିରାଡ଼ି ଖାଏ, ବାସି ପରଟା କୁକୁର ଖାଏ । ଦିନେ ବି ଆସି ରିନାଦେବୀଙ୍କୁ ତୁମେ ଖାଇଚ କି ନା ପଚାରନ୍ତିନି ସେ ।

 

ହଠାତ୍‍ ସେଦିନ ଦାସଙ୍କର ପିଲାଦିନର କଥା ମନେପଡ଼ିଗଲା । ମାଇଁ ତାଙ୍କର କୁଆଡ଼େ ମୁଗପୁଳି କରି ତାଙ୍କୁ ଦିଅନ୍ତି । ଭାରି ଭଲଲାଗେ । ରୀନାଦେବୀଙ୍କି କହନ୍ତି, ଆଜି ରାତିରେ କରନ୍ତ, ଖାଆନ୍ତେ ।

 

ଏ ଘରେ ତ ପର୍ବପର୍ବାଣୀ ବୋଲି କିଛି ନଥାଏ, ତେଣୁ ପିଠାପଣାର ପ୍ରଶ୍ନ ଉଠେନା । ଅନେକଙ୍କ ଧାରଣା–ଏଇଟା ଗୋଟାଏ ଖୀରସ୍ତାନ ଘର । ଏଭଳି କି ମଙ୍ଗଳା ଠାକୁରାଣୀଙ୍କ ନାଁରେ ଯେଉଁମାନେ ଭିକ ମାଗିବାକୁ ଆସନ୍ତି, ସେମାନଙ୍କୁ ଦାସେ ଖୀରସ୍ତାନ ଘର ବୋଲି କହି ଦେଇଥିବାରୁ, ସେମାନେ ଏ ଦୁଆର ସୁଦ୍ଧା ମାଡ଼ନ୍ତି ନାଇଁ । କାହିଁକି ବା ବିଶ୍ଵାସ ହେବନି ସେମାନଙ୍କର ? ଚାଲିଚଳନ, କଥାବାର୍ତ୍ତା ଠିକ୍ ସେଇ ବିଧର୍ମୀଗୁଡ଼ାଙ୍କପରି । ଏ ଘରର କାଲେଣ୍ଡରରେ ଜାନୁଆରୀ, ଫେବୃଆରୀ, ସଣ୍ଡେ, ମଣ୍ଡେ, ଟିଉଜଡେ ଇତ୍ୟାଦି ଲେଖାଥାଏ—ବୈଶାଖ, ଜ୍ୟେଷ୍ଠ, ଅଷାଢ଼, ଶ୍ରାବଣ, ପ୍ରତିପଦ, ଦ୍ଵିତୀୟା, ତୃତୀୟା, ମାସାନ୍ତ, ସଂକ୍ରାନ୍ତି ଆଦି ଲେଖା ନଥାଏ । ପଡ଼ିଶା ଘରର ଦିଅଁ ଖଟୁଳିରେ ଯେଉଁ ଶାଳଗ୍ରାମ ଥାଏ, ଦାସେ ତାକୁ ଚିକଣିଆ ଗୋଲ ଗାଲ ପଥର ବୋଲି ଭାବି କୁଉଠୁ କେତେବେଳେ ଗୋଟେଇ ଆଣି, ଟେବୁଲରେ ପେପରୱେଇଟ କରି ସଜେଇ ଥାଆନ୍ତି । ଅନ୍ୟ ଘରେ କପାଳରେ ତିଲକ ମାରିବା ପାଇଁ ଯେଉଁ ଚନ୍ଦନପେଡ଼ି ଥାଏ, ଦାସେ ତାକୁ ମାଗିଆଣି, ଅନ୍ୟ କାମରେ ଲଗାନ୍ତି ।

 

ଆର ଘରେ ଗୁରୁବାର ଉଜୁଆଁ ଦିନ ପିଠାପଣାର ଗନ୍ଧ ଆସିଲେ, ଦାସଙ୍କ ଘରେ ଆଇଁଷର ଗନ୍ଧ ବାହାରେ । ରୀନାଦେବୀ ଏଡ଼େବଡ଼ ପାପ କିମିତି କରିବି ବୋଲି ଆଡ଼େଇ ହେଇ ବସିଲେ ଦାସେ ନାକକୁ ଫୁଲେଇ, ରାଗରେ ଜରଜର ହେଇ, ରୋଷେଇଶାଳରେ ବସି ନିଜେ ମାଂସ ରାନ୍ଧନ୍ତି । ଘରେ କେହି ନଖାଇଲେ, ଦାସେ ସେତକକୁ ଦିଓଳା କରି ନିଃଶେଷ କରିଦିଅନ୍ତି ।

 

[ମୂଳ ବହିରେ ପାଠ ଛାଡ଼୍‍]

 

ତେଣୁ ପୁଳିର ବରାଦ ଶୁଣି ରିନାଦେବୀଙ୍କ ମନ ଉଲ୍ଲସିତ ହୋଇ ଉଠିଲା । ସଙ୍ଗେ ସଙ୍ଗେ ମୁଗକୁ ବତୁରେଇଲେ—ଚାକରକୁ ପଠେଇ ଗୁଡ଼ ଆଣିଲେ । ଘରେ ତ ଘିଅ ଅଛି । ଆଜି ପୁଳି ହେବ, ଦାସେ ରାତିରେ ପୁଣି ମନ ଖୁସିରେ ଖାଇବେ । ରିନାଦେବୀଙ୍କ ମନ ଆନନ୍ଦରେ ନାଚି ଉଠିଲା । ଦିନ ଚାରିରୁ ଲାଗିଲେ ଯେ ପୁଳି ଭଜା ଶେଷ ହେଲା ସଂଧ୍ୟା ଛଅରେ । ଦାସେ କହିଥିଲେ, ଆଜି ସେ ପେଟ ଖାଲିକରି ଆସିବେ—ଯିଏ ଯାହା ଯାଚୁ କିଛି ଖାଇବେନି । ସଅଳ ମଧ୍ୟ ଚାଲିଆସିବେ ।

 

ରତନିବୋଉ ଆସି କହନ୍ତି, କିଲୋ ଝିଅ, ଆଜି କ’ଣ କରିଚୁ ?

 

–ନାଇଁ ନାନୀ, ଆଜି କିଛି ହେଇନି, ଦିଖଣ୍ଡ ପୁଳି କରିଦେଇଚି । ପୁଳି ଖାଇବାକୁ ତାଙ୍କର କାହିଁକି କେଜାଣି ମନହେଇଚି ।

 

–ହଇଲୋ ତୋ ହାତରେ ପୁଳି ହୁଏ... ? ମୁଁ ଭାବିଥିଲି ଖାଲି ସୁନ୍ଦର ପିଠାପଣା କିଛି କିଛି ଜାଣୁଥିବୁ ବୋଲି । ଯାହାହେଉ, ବୋଉ ତୋର ଶିଖେଇ ଦେଇଚି, ନା ? ପୁଅଟା କେତେ ଦିନୁ କହିଲାଣି...ଆଉ ପାରୁନି ଲୋ ବୋହୂ । ମୁଗ ବତୁରା, ତାକୁ ଧୂଅ, ବାଟ...ଏତେ କଥା ମୋର କିଏ କରିବ ଭଲା ? ଜାଣିଥିଲେ ତତେ ମୁଗ ଗଣ୍ଡେ ଦେଇ ଦେଇଥାନ୍ତି, ଏକା ସାଥିରେ ତିନି ଚାରିଟା କରିଦେଇଥାଆନ୍ତୁ, ପିଲାର ଲାଳସାଟା ଯାଇଥାଆନ୍ତା ।

 

ରିନାଦେବୀ କହନ୍ତି, ଗଲାବେଳେ ଦିପଟ ନେଇଯିବ । ପନ୍ଦର କୋଡ଼ିଏ ପଟ କରିଚି । ସିଏ ତ ସବୁଯାକ ଖାଇବେନି । ମୋର ଖଣ୍ଡେ ଅଧେ ହେଇଗଲେ ଚଳେ । ଭାବିଥିଲି, ତୁମ ଘରେ ଯାଇ ଦିପଟ ଦେଇ ଦେଇ ଆସିବି । ଯାହାହେଉ, ଆସିଚ ତ ଆଉ କାହିଁକି ଯିବ, ନେଇଯିବ ।

 

ରତନି ବୋଉ କହନ୍ତି, ନାତିଟା ଗଲାବେଳକୁ ଶୋଇପଡ଼ି ନଥିଲେ ତ ଭଲ । ନଇଲେ, ଆଲୋ ଝିଅ–ଏଡ଼େ ଦୁଷ୍ଟ ହେଇଚି, ଆଉ କ’ଣ କହିବି ? ହାତରେ କ’ଣ କିଛି ଦେଖିଲେ କ’ଣ ରଖୁଛି ? ଛଡ଼େଇ ଗାଉଁ ଗାଉଁ କିନି ପେଶିଯିବ । ହେଲେ ବେଶି ତ ଖାଇପାରେନା, ଏଇ ପୁଳି, ଚକୁଳି ହେଇଥିଲେ, ପଟେ ଦିପଟ, ତାଆଠୁ ବେଶି ନୁହଁ...ହଉ ଯାଉଚି କହି ରତନି ବୋଉ ଉଠୁ ଉଠୁ ହୁଅନ୍ତି ।

 

ରିନାଦେବୀ ପତରଟାକରେ ଚାରିପଟ ପୁଳି ଥୋଇ ଆଉ ଗୋଟିଏ ପତରରେ ଘୋଡ଼େଇ ଦେଇ କହନ୍ତି, ନାନୀ ଚାରିପଟ ଦେଇଚି; ଦିପଟ, ବୁବୁଲୁକୁ ଦେବ, ଆଉ ଦିପଟ ତାଙ୍କୁ ଦବ ।

 

ରତନି ବୋଉ ଯାଉ ନ ଯାଉଣୁ କହୁଣୀ ଆସି ପହଞ୍ଚେ । (ତାର କହୁଣୀଟା ଟିକିଏ ପୋଡ଼ା ବୋଲି, ପିଲାଏ ତାକୁ କହୁଣୀ ବୋଲି ଡାକନ୍ତି) । କହେ ଖୁଡ଼ି, ବୋଉ କହିଲା, ତମର କ’ଣ ହେଇଥିଲେ ଟିକିଏ ଦିଅ । ଆଜି ଆମର ରନ୍ଧା ହେଇନି ।

 

କହୁଣୀଘର ଟିକିଏ ନଥିଲା ଘର । କହୁଣୀନନାଙ୍କୁ ଦାସେ ଭାଇନା ବୋଲି କେବେ ଡାକୁ ନ ଥିଲେ ମଧ୍ୟ ରିନା ଦେବୀଙ୍କର କହୁଣୀ ଝିଆରୀ । କହୁଣୀର ସେ ଖୁଡ଼ୀ । ଡାଲି, ଚାଉଳ, କଂସା ବାସନ, ଶେଯ ଚାଦର, ଯାହା ଯେତେବେଳେ ସେ ଚାହାଁନ୍ତି, ରିନାଖୁଡ଼ୀ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ କରିଥାଆନ୍ତି । କହୁଣୀ ବୋଉ, ଧାରନେବା ସୂତ୍ରରେ ସେ ସବୁ ନେଇ ଥାଆନ୍ତି । ପରିଶୋଧ କରି ନ ପାରି ମାସେ ଦିମାସ ପରେ ଖାଲି ଗୋଟିଏ କଥା କହି ଧାର ପରିଶୋଧ କରନ୍ତି । କଥାଟି ହେଉଚି, “କିଛି ଭାବିବୁନି ରିନା ।” ରିନା ପ୍ରକୃତରେ କିଛି ଭାବନ୍ତିନି ।

 

ତେଣୁ କହୁଣୀ ଯେତେବେଳେ, ଆମ ଘରେ କିଛି ରନ୍ଧା ହେଇନି କହିଲା, ସେତେବେଳେ ସେ ଜାଣି ପାରିଲେ, ତାଙ୍କ ଘରେ ଚୁଲି ଲାଗିନି । କହୁଣୀ ଆଜି ଉପବାସରେ ରହିବ ।

 

କହୁଣୀର ଶୁଖିଲା ମୁହଁଟିକି ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା ସେହି ମୁହୂର୍ତ୍ତରେ । ସେ ଜାଣନ୍ତି, ଏ ଘରୁ ଯାହାଯାଏ, କହୁଣୀ ପାଟିରେ ପଡ଼େନା । ଯାହାବି ପଡ଼େ ସେଥିରେ ପେଟ ପୂରେନା । କହୁଣୀ ନନା ଭାରି ସ୍ୱାର୍ଥପର । ଖାଇଲାବେଳେ ଦୁଆର ଘର ଦେଇ ଖାଆନ୍ତି, ଅଥବା କହୁଣୀ ଆସି, ତାଙ୍କ ଭାଗରୁ କିଛି ଖାଇଯିବ ! ଦରମା ମିଳିବାର ପାଞ୍ଚଦିନ ଭିତରେ ସେ ଖାଇ ଖାଇ ସବୁ ଶେଷ କରି ଦିଅନ୍ତି । ବାକି ପଚିଶ ଦିନ ଧାରରେ ଚଳେ । ବାକି ଦେଲାବାଲା ମାସ ଶେଷରେ ଠେଙ୍ଗା ଧରି ଆସି ଦୁଆରେ ବସେ । ସେ ସିମିତି ଦିନଯାକ ବସିଥାଏ, କହୁଣୀ ନନା ବାଡ଼ିବାଟେ ଅଫିସକି ଚାଲିଯାଆନ୍ତି । ଫେରୁ ଫେରୁ ରାତି ବାର ବାଜେ...ଦୋକାନୀ ଦରଓ୍ୟାନକୁ ବିରକ୍ତ ହୋଇ ପଠାଏ ।

 

ତେଣୁ ରିନାଦେବୀ କହୁଣୀକି କୋଡ଼ରେ ବସେଇ ପୁଳି ଖୁଆନ୍ତି । ଭୋକିଲା କହୁଣୀ ଗୋଟିକ ପରେ ଗୋଟିଏ କରି ତିନି ଚାରିପଟ ନିଶ୍ଚିନ୍ତରେ ଠୁଙ୍କିଯାଏ ।

 

ମାତ୍ର ରହେ ଚାରିପଟ । ଦାସେ ଯଦି ଚାରିପଟ ଖାଇସାରି ଆଉରି ମାଗନ୍ତି ତାହାହେଲେ... ? ନିଜ ଉଦାରତା ଲାଗି ବଡ଼ ବିସ୍ତାପି ହୁଅନ୍ତି ସେ । ନିଜେ ତ ଖାଇବାର ଆଉ କୌଣସି ପ୍ରଶ୍ନ ଉଠେନି । ଚୁଲି ମୁଣ୍ଡରେ ଗୋଡ଼କୁ ଲମ୍ବେଇ ରିନାଦେବୀ ଅପେକ୍ଷା କରି ବସନ୍ତି ଦାସଙ୍କୁ । ମନରେ ଖାଲି ସେଇ କଥା । ପୁଳି ଖାଇ ଭାରି ଖୁସି ହୋଇଉଠିବେ ଆଜି ! ଟିକିଏ ଥଣ୍ଡା ହେଇ ଗଲାଣି ନା ? ଆସନ୍ତୁ ସେ । ହାତଗୋଡ଼ ଧୁଆ ଧୋଇ ହେଉ ହେଉ ପୁଳିକୁ ଥରେ ଗରମ କରିଦେଲେ ଚଳିବନି ? ଯଦି ପୁଳି ସାଙ୍ଗକୁ ତରକାରୀ ମାଗନ୍ତି...ନା ନା, ତରକାରୀ କ’ଣ ହବ ? ମିଠା ତ ପଡ଼ିଚି...ଦୁଧ ଅଛି, ତାକୁଇ ବୁଡ଼େଇ ବୁଡ଼େଇ ଖାଇଦେବେ ଯେ । କ’ଣ କିଛି ଖରାପ ହବ...ବାହୁନିବେ ? ନିନ୍ଦିବେ ? ...ଖାଲି ତରକାରୀ ଟିକିଏ କରିନି ତ ? ଇଲେ କ’ଣ କରିଦେଲେ ହବନି... ? ପନିପରିବା ତ ଅଛି । ଭାବି ଭାବି ରୀନଦେବୀ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି । ତାଙ୍କ ମନ ବୁଝେନି । ପୁଣି ଚୁଲିକି ଲଗେଇ, ପନିପରିବା କାଟି ତରକାରୀ ବସାନ୍ତି । ବଡ଼ ଭୟ ହେଉଥାଏ...ଯଦି ଇଲେ ଆସି ପହଞ୍ଚି ଯାଆନ୍ତି...ସେ ଯୋ ଲୋକନା...ବାଢ଼ ବାଢ଼ କହି ବସି ପଡ଼ିବେ । ତରକାରୀ ନ ହେଇଥିଲେ ଗାଳି ଯେ ଗାଳି ! ଏ ଯୋ କାଠ ନା...ଟିକିଏ ଭଲକରି ଜଳନ୍ତା ହେଲେ !

 

ତରକାରୀ ହୁଏ...

 

ଦାସେ ଆସନ୍ତିନି ।

 

ରାତି ଦଶ ବାଜେ ।

 

ରିନାଦେବୀ ଦାଣ୍ଡ ଦୁଆରେ ଠିଆହେଇ ବାଟକୁ ଚାହାଁନ୍ତି । ସେ ଆସିବାଭଳି କୌଣସି ସୂଚନା ନପାଇ ପୁଣି ଫେରିଆସନ୍ତି ଘରକୁ । ପୂଳି ଚାରୋଟିକୁ ଓଲଟ ପାଲଟ କରନ୍ତି, ତରକାରୀତଳକୁ ଚାହାନ୍ତି । ପୁଣି ମନେ ମନେ ଭାବନା ଖେଳେ...ଖାଇଲେ କେଡ଼େ ଖୁସି ହୁଅନ୍ତେ ସେ ।

 

ରିନାଦେବୀ ସେଇ ଚୁଲି ମୁଣ୍ଡରେ ।

 

ତାଙ୍କ ଆଖିକି ନିଦ ମାଡ଼ିଆସେ । ନିଦ ଭାଙ୍ଗେ । ଧଡ଼ପଡ଼ ହେଇ ଉଠି ବସି ପ୍ରଥମେ ଶେଯଟାକୁ ଆସି ଦେଖନ୍ତି । ହୁଏତ ଡାକିଥିବେ, ନ ଶୁଣିଥିଲେ ଆସି ଶୋଇପଡ଼ିଥିବେ ପରା !

 

ଶେଯ ଖାଲି ।

 

କ’ଣ ଆଜି ଆଉ ଆସିବେନି ? ମନେ ମନେ ଭାବନ୍ତି ରିନାଦେବୀ—ନା ଆସିବେନି କିମିତି, କହିଯାଇଛନ୍ତି । ଯେତେବେଳେ..... । ପୋଡ଼ପାଡ଼ କି ଅଫିସ ଗୋଟାଏ କେଜାଣି । ସମସ୍ତଙ୍କର ଦଶରୁ ଚାରିଯାଏ ଡିଉଟି । ଏମାନଙ୍କର ରାତି ନାଇଁ ଦିନ ନାଇଁ ସବୁବେଳେ କଲମ ଘୋରା । କେତେ ଯେ କହିଲିଣି, ପାଠ ତ ପଢ଼ିଚ ବୁଦ୍ଧି ତ ଅଛି, ଏ ଅଫିସରେ ଚାକିରି ନ କରି କ’ଣ ଆଉ କୋଉ ଅଫିସରେ କଲେ ହବନି ? ଟଙ୍କା ଦିକୋଡ଼ି କମିଲେ କମୁ...ଦରକାର ପଡ଼ିଲେ ମୁଁ ଚାକିରି କରିବି । ବାହା ନ ହୋଇଥିଲେ, ଚାକିରି ତ ପୁଣି କରିଥାଆନ୍ତି ।

ଅତି ବିବ୍ରତ ହୋଇପଡ଼ନ୍ତି ସେ ।

ରାତି ତିନି ବାଜେ ।

ଦୁଆର ଖଡ଼ ଖଡ଼ ଶୁଭେନା । ସାଇକେଲ ଙ୍ଘଟିର ଟିନ୍ ଟିନ୍ ଶବ୍ଦ କାନରେ ପଡ଼େନା ।

ପୃଥିବୀଟା ନିସ୍ତବ୍ଧ । ଚାରିଆଡ଼ ଅନ୍ଧାର—କେବଳ ଏଇ ଗୋଟିକ ଘରେ ଗୋଟିଏ ମାତ୍ର ଇଲେକଟ୍ରି ବଲ୍‍ବ ଆଲୁଅ । ଆଉ ଦୁଇଟି ଆଖିରେ ଲୁହ, ମନରେ କୋହ, ହୃଦୟରେ ଦାହ ।

ସକାଳ ପାହିଯାଏ...

ଅଫିସର ଜଣେ ସହକର୍ମୀ ଆଣି ଘରେ ଖଣ୍ଡିଏ ଚିଠି ଦେଇ ଯାଆନ୍ତି—କହନ୍ତି, କାଲି ଦୀନବନ୍ଧୁ ଦେଇଥିଲେ ଦେଇ ଦେବାପାଇଁ । ମୁଁ ଆସିଲାବେଳକୁ ରାତି ହୋଇଗଲା । ଏତେ ରାତିରେ ଦୁଆର ବାଡ଼େଇ ଚିଠି ଦେବା ଠିକ୍ ହେବନାହିଁ ବୋଲି ଭାବି ଦେଇପାରି ନ ଥିଲି ।

ରିନାଦେବୀ ରାତି ଉଜାଗର ହେତୁ ଅତି କାନ୍ତ ହୋଇ ପଡ଼ିଥିଲେ । ପେଟରେ ଭୋକ, ମନରେ ଏକ ବିରାଟ ବିଦ୍ରୋହ ।

ଚିଠିଟି ଖୋଲି ପଢ଼ିଲେ—ଲେଖାଅଛି—

ରିନା;

ହଠାତ୍ ମତେ ଗୋଟିଏ ସଭାରେ ଯୋଗ ଦେବାପାଇଁ ଗୋଟିଏ ମଫସଲକୁ ଯିବାକୁ ପଡ଼ୁଛି । ପୁଳି କରିବ ବୋଲି କହି ଆସିଥିଲି । ଯାଇ ଖାଇ ଆସିବା ପାଇଁ ସମୟ ନାହିଁ । ଭାରି ବ୍ୟଥିତ ହେବ ତୁମେ । କ’ଣ କରିବି ? ନିରୁପାୟ । ୟା ନା ସରକାରୀ, ବେସରକାରୀ ଭାଷାରେ ‘ଡିଉଟି’ ।

ମତେ ଅପେକ୍ଷା କରିବନି, ଖାଇପିଇ ଶୋଇ ପଡ଼ିବ ।

। ଇତି ।

ଦୀନବନ୍ଧୁବାବୁ ।

ଦୀନବନ୍ଧୁବାବୁ ତା ଆରଦିନ ସନ୍ଧ୍ୟାବେଳେ ଆସି ପହଞ୍ଚିଲେ । କିମିତି ଗଲେ, ସଭାରେ ଯେତେ ଲୋକ ହୋଇଥିଲେ, ସେ ବକ୍ତୃତା ଦେଲାବେଳେ ତାଳି କିମିତି ବାଜୁଥିଲା, ହେଇଟି ଏଇ ଫୁଲାହାରଟି ମିଳିଥିଲା, ବଢ଼ିଆ ଗାଁଟିଏ, ଲୋକଗୁଡ଼ିକ ଭାରି ସରଳ—ଇତ୍ୟାଦି ନାନା କଥା କହିଗଲେ ସେ ରିନାଦେବୀଙ୍କି ।

ସବାଶେଷରେ କହିଲେ, ଚିଠି ଦେଇ ପଠେଇଥିଲି, ପାଇଥିଲ ?

 

ରିନା ଦେବୀ ହଁ କଲେ ।

 

ଦୀନବନ୍ଧୁ ଦାସେ ଜାଣିଲେ, ରିନାଦେବୀ ସେଦିନ ପୁଳି ଖାଇ, ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ । ଚିଠିଟି ଯେତେବେଳେ ସେ ଦେଇଛନ୍ତି, ରିନାଦେବୀ ଯେତେବେଳେ ପାଇଚନ୍ତି, ତାଙ୍କର ଦାୟିତ୍ଵ ତୁଲେଇବାରେ କିଛି ବାକି ରହିନି । ନିର୍ଦ୍ଦୋଷ ସେ ।

 

ପଚାରନ୍ତି—କିଛି ଚିଠିପତ୍ର ଆସିଚି ?

 

ରିନାଦେବୀ ଟେବୁଲ ଉପରକୁ ଆଙ୍ଗୁଠି ଠାରି କହନ୍ତି, ଗୋଟିଏ କାହିଁକି ସାତ ଆଠଟି । ଚିଠି ତୁମେ କାହା ପାଖକୁ ଲେଖ ଯେ ଆସିବ । ଆସି ଆସି ସେଇ ଗୁଡ଼ାଏ ନିମନ୍ତ୍ରଣ କାର୍ଡ । ଏ ଗୁଡ଼ାକ ଦେଖିଲେ ରିନାଦେବୀଙ୍କ ହାଡ଼ ଜଳି ଉଠେ ।

 

ଦାସେ ଗୋଟିକ ପରେ ଗୋଟିଏ ଲଫାଫା ଖୋଲି ଦେଖନ୍ତି...ପ୍ରେସ କନଫେରନସ୍‍, ଟିପାର୍ଟି, ଡିନର, ଏକ୍‍ଜିକ୍ୟୁଟିଭ୍ ମିଟିଂ ଇତ୍ୟାଦି । ସବା ଶେଷ କାର୍ଡଟା ତଟିନୀ ଦେବୀଙ୍କର ।

 

“...ବିନୀତ ଅନୁରୋଧ ଆପଣ ଆସିବେ...ଆପଣଙ୍କୁ ନ ପଚାରି ଆପଣଙ୍କ ନାଁ କାର୍ଯ୍ୟକାରୀ କମିଟିରେ ରଖିଦେଇଛି । ଆଜି ପ୍ରଥମ ବୈଠକ । ଉପସ୍ଥିତି ନିତାନ୍ତ ଆବଶ୍ୟକ ।”

 

ନିତାନ୍ତ ଆବଶ୍ୟକ ଦୁଇଟା ଶବ୍ଦ ଯେତେ ତାଙ୍କୁ ଯିବାକୁ ବାଧ୍ୟ କଲାନି, ବାଧ୍ୟ କଲା ତଟିନୀ ଦେବୀଙ୍କ ବିନୀତ ଅନୁରୋଧ ବୋଲି ଦୁଇଟା ଶବ୍ଦ ।

 

ଘଣ୍ଟାକୁ ଦେଖିଲେ, ଆଉ ପନ୍ଦର ମିନିଟ ବାକି । ନାଚ ସ୍କୁଲଟା ଏଠୁ ମାଇଲିଏ ବାଟ । ତରତର ହୋଇ ଲୁଗାପଟା ପିନ୍ଧି ବାହାରିପଡ଼ିଲେ ସେ...

 

ଗଲାବେଳେ ରିନାଦେବୀ ପଚାରିଲେ, ରାନ୍ଧିବି ?

 

ରାନ୍ଧି ଥା

 

କିଛି ବାଟ ଗଲାପରେ ଦାସେ ପୁଣି ଫେରିଆସି କହିଦେଇଗଲେ, ଯଦି ସେଠି ଖାଇବାକୁ ପଡ଼େ, ତାହାହେଲେ...ବୃଥାରେ ନଷ୍ଟ ହେବ ସିନା...ୟା ଛଡ଼ା ସେ ଆଉ କିଛି କହିନଥିଲେ ।

 

ନଷ୍ଟ ହେବାଟା ତ ଏ ଘରର ପରମ୍ପରା । ତେଣୁ ରିନାଦେବୀ ନ ରାନ୍ଧି ରହି ପାରିଲେନି, ରାନ୍ଧିଲେ । ହୁଏତ ରାତିରେ ଉଠି ହାଣ୍ଡି ଦରାଣ୍ଡି ପାରନ୍ତି ଏଇ ଭୟରେ ।

 

ସେଦିନ ତଟିନୀ ଦେବୀଙ୍କ ନାଚସ୍କୁଲଟି ବଡ଼ ସୁନ୍ଦର ଭାବରେ ସଜା ହୋଇଥିଲା—ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ନା । ଦେଖିଲେ ନନ୍ଦିତା ବି ଆସିଚି, ସିଏ ବି ଏଇ କାର୍ଯ୍ୟକାରୀ କମିଟିର ସଭ୍ୟା । ଖାଲି ନାଚକ୍ଲାସ ନ ରଖ, ଗୀତକ୍ଲାସ ମଧ୍ୟ ଖୋଲିବା କଥା ସ୍ଥିର ହେଲା । ପିଲା ସଂଖ୍ୟା ବି ବଢ଼ିଗଲେଣି–ରିକ୍ସା ଦୁଇଟି ଦରକାର । ଶେଷରେ ସ୍ଥିର ହେଲା ଯେ ପାଣ୍ଠି ସଂଗ୍ରହ କରାଯିବ । କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟ କିଛି କିଛି ସଂଗ୍ରହ ନ କଲେ ହବନି । ତଟିନୀ ଦେବୀ ଆଗରୁ ଚାନ୍ଦାଖାତା ଛପେଇ ଆଣିଥିଲେ । କାହାକୁ ଗୋଟିଏ, କାହାକୁ ଦିଓଟି ଦେଇ ସାରିବା ପରେ, ଦୀନବନ୍ଧୁ ବାବୁଙ୍କୁ ଦିଆ ହୋଇନଥିବା ଦେଖି କମିଟିର ଅନ୍ୟ ସଭ୍ୟମାନେ ପାଟିତୁଣ୍ଡ କଲେ ।

 

ତଟିନୀ ଦେବୀ ସମସ୍ତଙ୍କୁ ବୁଝେଇ ଦେଇ କହିଲେ, ସେ ଯାହା ଚାନ୍ଦା ଦେବେ, ଆପଣମାନେ ଦେଇ ପାରିବେନି । ତାଙ୍କ କଲମଗାରରେ ଯେଉଁ ପ୍ରଚାର ହେଇ ପାରିବ ସେଥିରେ ଆପଣମାନେ ଯେଉଁଠିକି ଯିବେ ସେଇଠି ଚାନ୍ଦା ମିଳିବ । ଶହେ ଜାଗାରେ ଦୁଇଶ, ଦୁଇଶ ଜାଗାରେ ଚାରିଶ ।

 

ସମସ୍ତେ ଚାଲିଯିବା ପରେ ତଟିନୀ ଦେବୀ ଦୀନବନ୍ଧୁ ଦାସଙ୍କ ସହିତ ବହୁତ ଆଲୋଚନା କଲେ । ଦୀନବନ୍ଧୁଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ । ତା ଛଡ଼ା ଦାସେ ତାଙ୍କୁ ପ୍ରତି କଥାରେ ସମର୍ଥନ କରନ୍ତି ବୋଲି, ଏ ପ୍ରଗାଢ଼ ବିଶ୍ଵାସଟା ତାଙ୍କର ପ୍ରଗାଢ଼ତର ହୋଇ ଉଠିଥିଲା ଏଇ କେତେଦିନ ମଧ୍ୟରେ ।

 

ତଟିନୀ ଦେବୀ କହିଲେ—ବାଦ୍ୟଯନ୍ତ୍ର, ପୋଷାକପତ୍ରର ଭଡ଼ା ଆମକୁ ଖାଉଚି । ଗୋଟିଏ ଭେରାଇଟି ସୋରେ ପାଞ୍ଚ ଶହ ଟଙ୍କା ଲାଗୁଚି ଏଇ ପୋଷାକ ଭଡ଼ା ଆଣିବାରେ । ସେଦିନ “ଶକୁନ୍ତଳା” ନୃତ୍ୟନାଟ୍ୟ କଲୁ । ଦୁଷ୍ମନ୍ତଙ୍କ ପୋଷାକର ଭଡ଼ା କେତେ ଜାଣନ୍ତି ? ଦିନକୁ କୋଡ଼ିଏ ଟଙ୍କା । ଭାବିଚି, ଏଣିକି ନିଜେ ଗୋଟେ ଦୋକାନ ଦେବି । କ’ଣ କିଛି ଭୁଲ ହେବ ?

 

ପ୍ରସ୍ତାବଟି ଦାସଙ୍କ ମନକୁ ଭାରି ମାନିଥିଲା । ସେ ହଁ କଲେ ।

 

ସ୍କୁଲ ପାଇଁ ରେଡ଼ିଓଟିଏ ଦରକାର—ନୁହେଁ କି ?

 

ହଁ ।

 

ସ୍କୁଲପାଇଁ ମାଇକ୍ ଟିଏ ଦରକାର—ନୁହେଁ ?

 

ହଁ ।

 

ମଝିମଝିରେ ଖାଲି କମିଟି ସଭ୍ୟମାନଙ୍କ ସ୍ଵୀକୃତି, ସମର୍ଥନ ପାଇବାପାଇଁ ତଟିନୀ ଦେବୀ ବୈଠକ ବସାନ୍ତି । ହିସାବ କିତାବରେ କିଏ ମୁଣ୍ଡ ପୂରାଉଚି ଭାବି ବିରୋଧ ନ କରି ସମସ୍ତେ ସମର୍ଥନ ଜଣାନ୍ତି ।

 

ଯେଉଁମାନେ ବୁଝିସୁଝି ବିରୋଧ କରନ୍ତି, ତଟିନୀ ଦେବୀ ନାନା କଥା ଦର୍ଶେଇ, ନାନା ଅଭିଯୋଗ କରି ଗଣତନ୍ତ୍ରର ମହାଦାନ ‘ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ’ କ୍ରମେ ଏଇ ବିରୋଧୀ ଲୋକଙ୍କୁ କମିଟିରୁ ସହଜେ କଟେଇ ଦେଇ ପାରନ୍ତି ।

 

କିଏ କେତେବେଳେ ବଦଳନ୍ତି, ଦାସେ ଜାଣିବାର ସୁଯୋଗ ପାଆନ୍ତି ସେତିକିବେଳେ ଯେତେବେଳେ ତଟିନୀ ଦେବୀ କହନ୍ତି, ଭାବିଥିଲି—ପରେଶଟା ଭଲ ଲୋକ, କିନ୍ତୁ ଦେଖିଲି, ତୁମ ମୋ ବିରୁଦ୍ଧରେ ରୀତିମତ ଗୋଟାଏ ପ୍ରୋପାଗାଣ୍ଡା ଚଳେଇଚି । ମୁଁ କ’ଣ କରିବି, କାର୍ଯ୍ୟକାରୀ କମିଟି ତାକୁ ଭଲ ପାଇଲା ନାଇଁ ତଡ଼ିଦେଲା ।

 

ଦାସେ ସେଇ ହଁ ଟି ଛଡ଼ା କିଛି କହନ୍ତି ନାହିଁ ।

 

ତଟିନୀ ଦେବୀ ସେଇ ହଁ ଟି ଭିତରୁ ବହୁ ଶକ୍ତି ସଂଗ୍ରହ କରି କହନ୍ତି, ଏଥର ସ୍କୁଲ ପାଇଁ ଘର ଭଡ଼ା ଦେଇ ଚଳି ହେବନି । ନିଜେ ନିଜର ଆସ୍ଥାନ କରିବା ଉଚିତ । ଆପଣ ଟିକିଏ ଉଦ୍ୟମ କଲେ ହୁଅନ୍ତା । ମନ୍ତ୍ରୀଙ୍କ ସହିତ ତ ଆପଣଙ୍କ ପରିଚୟ ଅଛି । ଖାସମାହାଲର ସେଇ ଜାଗାଟା ପଡ଼ିଚି । ଅଧ ଏକରରୁ ବେଶି ହବ । କରିଦେଇ ପାରିଲେ, ଦେଶ ଓ ଓଡ଼ିଆ ଜାତିଟା ପାଇଁ ବହୁତ କିଛି କଲେ ବୋଲି କିଏ କହୁ ନ କହୁ, ଲୋକେ କହନ୍ତେ ।”

 

X X X

 

ଚାହୁଁ ଚାହୁଁ ବର୍ଷକ ଭିତରେ ସ୍କୁଲଘର ଠିଆ ହୋଇଯାଏ । ଚାନ୍ଦାଦାତାମାନଙ୍କ ନାଁ ବୋର୍ଡରେ ଟଙ୍ଗା ହେଇ ରହେ, ଫଟୋ ମଧ୍ୟ । ସେଥିରେ କିନ୍ତୁ ଦାସଙ୍କ ନାଁ ନ ଥାଏ...ଗୁଜରାତି, ମାରୱ୍ୟାଡ଼ି, ବଙ୍ଗାଳୀ ନଚେତ୍ ମନ୍ତ୍ରୀ, ଉପମନ୍ତ୍ରୀ କଣ୍ଟ୍ରାକ୍ଟର ଏଇମାନଙ୍କର ନାଁ ଓ ଫଟୋ ।

 

ତଟିନୀ ଦେବୀ ଅବିବାହିତା....ଘରେ କେବଳ ନିଜର ଭାଇ ବୋଲି ଜଣେ ଦାଢ଼ିଆ ବାବାଜୀ ବେଶଧାରୀ ଯୁବକକୁ ଥାପି ଥାଆନ୍ତି ।

 

ଲୋକେ କହନ୍ତି, ମାଇପି ଲୋକଟାଏ, ନିଜ ଉଦ୍ୟମରେ ଜାତିପାଇଁ ବଡ଼ କଥାଟାଏ କଲା । ଅନ୍ତତଃ ପିଲାଗୁଡ଼ାକ ନାଚ ଗୀତ ଟିକିଏ ଟିକିଏ ଶିଖିପାରିଲେ ତ !

 

ପରେ ଦାସେ ଜାଣିଲେ ଯେ, ତଟିନୀ ଦେବୀଙ୍କର ନିଜର ବୋଲି ସହରରେ ଚାରିଟି ଦୋକାନ—ଗୋଟିଏ ଲୁଗାପଟା, ଗୋଟିଏ ଅଳଙ୍କାର, ଗୋଟିଏ ମନୋହାରୀ ଆଉ ଗୋଟିଏ ଯାତ୍ରାପୋଷାକ ଓ ଯନ୍ତ୍ରବାଦ୍ୟର ଦୋକାନ ।

 

ତଟିନୀ ଦେବୀଙ୍କ ସହିତ ବହୁ ଲୋକଙ୍କ ପରିଚୟ । କଥା କହନ୍ତି ଯେ ପାଣିରେ ସର ପକେଇଲା ଭଳି । ବ୍ୟବହାର ଅତି ଅମାୟିକ । ନୃତ୍ୟ ଗୀତ ପାଇଁ ଶହୀଦ ହେବାକୁ ମଧ୍ୟ ତିଆର । ଯେ କୌଣସି ସାମାଜିକ କାମରେ ତଟିନୀ ଦେବୀଙ୍କୁ ଡାକ । ଚାନ୍ଦାସଂଗ୍ରହ କଥା ଉଠିଲେ ତ ସଂଗ୍ରହକାରୀ ତାଲିକାରେ ତାଙ୍କରି ନାଁ ଆଗରେ ରହିଥାଏ । ଚାନ୍ଦାଦାତାମାନଙ୍କର ତାଙ୍କୁ ଚାନ୍ଦାଦେବାଟା ଯିମିତି ଗୋଟାଏ ଅଭ୍ୟାସରେ ପଡ଼ିଯାଇଚି !

 

ଆଜି ବନ୍ୟାପାଣ୍ଠି ପାଇଁ ତ କାଲି ବିଶ୍ଵମହାଯଜ୍ଞ ପାଇଁ, ପଅରଦିନ ଆଉ କୋଅଥିପାଇଁ । ସବୁବେଳେ ଚାନ୍ଦା । ପ୍ରତ୍ୟେକ ବ୍ୟବସାୟୀଙ୍କ ବାର୍ଷିକ ବଜେଟରେ ତଟିନୀ ଦେବୀଙ୍କ ଲାଗି ଚାନ୍ଦା ପରିମାଣଟା ଧାର୍ଯ୍ୟ ହୋଇ ରହି ଯାଇଥାଏ ।

 

ଲୋକଙ୍କ ଧାରଣା—ତଟିନୀ ଦେବୀଙ୍କ ଦୋକାନରୁ ଜିନିଷ କିଣିଲେ ଭଲ ପଡ଼େ । ଘରେ ଗୃହିଣୀ ନିଜ ସ୍ୱାମୀଙ୍କୁ ଗଲାବେଳେ କହିଥାଆନ୍ତି, କିଓ କିଣିବ ଯଦି ସେଇଠିକି ଯିବ । ତୁମେ ଏକା ଗଲେ ହବନି, ନୀନାକୁ ଧରି ଯ । ସେ ସେଇ ଦୋକାନ ଚିହ୍ନିଚି ଦୋକାନରେ ବିକୁଥିବା ଲୋକ ମଧ୍ୟ ନୀନାକୁ ଚିହ୍ନନ୍ତି । ନାଚ ସ୍କୁଲରେ କୁଆଡ଼େ ତାଙ୍କ ସହିତ ନୀନାର ସବୁବେଳେ ଦେଖାସାକ୍ଷାତ । ନୀନା ହାତରେ କିଣେଇବ ଯେ ଠକରେ ପଡ଼ିବନି ।

 

ସବୁଠାରୁ ବଡ଼ ଦୋକାନ ହେଲା, ତଟିନୀ ଦେବୀଙ୍କର ଏଇ ନାଚସ୍କୁଲଟି । ସାରା ଭାରତରେ ଏ ସ୍କୁଲର ନାଁ । ଓଡ଼ିଶାକୁ ଯିଏ ଯେତେବେଳେ ଆସିଲା, ତଟିନୀ ଦେବୀ ତାଙ୍କୁ ସ୍କୁଲକୁ ଡାକି ଆଣନ୍ତି; ନାଚଗୀତ ଦେଖେଇ ଆପ୍ୟାୟିତ କରାନ୍ତି—ସେମାନେ ଗଲାବେଳେ ସାର୍ଟିଫିକେଟ ଦେଇ ଯାଆନ୍ତି, ଏଭଳି ସ୍କୁଲ ଭାରତରେ ବିରଳ । ଏଠାରେ ଯେଉଁ ନାଚ ଶିଖାଯାଏ, ଉଚ୍ଚକୋଟିର-। ଏହାର ଉତ୍ତରୋତ୍ତର ଉନ୍ନତି କାମ୍ୟ ।

 

ଏହି ସାର୍ଟିଫିକେଟକୁ ଅତି ଯତ୍ନରେ ବନ୍ଧେଇ ରଖିଥାଆନ୍ତି ତଟିନୀ ଦେବୀ ।

 

ରେଟ ଚାର୍ଟ ବନ୍ଧା ହୋଇ ବହିଯାଏ...ଏକକ ନୃତ୍ୟପାଇଁ ଘଣ୍ଟାକୁ ଶହେ ଟଙ୍କା, ସମବେତ ନୃତ୍ୟପାଇଁ ପାଞ୍ଚଶହ...ନୃତ୍ୟନାଟ୍ୟ ପାଇଁ ହଜାରେ । ଓଡ଼ିଶା ଭିତରେ ଏତିକି । ବାହାରକୁ ଗଲେ ଏହାର ଦୁଇଗୁଣ । ଗ୍ରାହକମାନେ ବହୁତ ହେଇଯାଉଚି, ଟିକିଏ କମାନ୍ତୁ ବୋଲି ଅନୁରୋଧ କଲେ ତଟିନୀ ଦେବୀ ଖର୍ଚ୍ଚ ହିସାବ ଅତି ଚମତ୍କାର ଭାବରେ ଲମ୍ଵେଇ ଯାଆନ୍ତି ।

 

ଯଥା—ଗୋଟିଏ ନାଚପାଇଁ ରିହର୍ସାଲ ଖର୍ଚ୍ଚ ଏତିକି, ପିଲାଙ୍କ ରିକ୍ସାଭଡ଼ା ଜଳଖିଆ ଏତିକି ଏତିକି, ମ୍ୟୁଜିକ୍‍ହାଣ୍ଡ ନେବେ ଏତିକି, ଯିବା ଆସିବା ଖର୍ଚ୍ଚ ଏତେ—। ମୋଟରେ ସେ ଯେଉଁ ହିସାବ ଦିଅନ୍ତି ସେଥିରେ ଲାଭାଂଶ ରହେ ଦଶ କି ପନ୍ଦର ଟଙ୍କା । ଗ୍ରାହକମାନଙ୍କର ଏହି ହିସାବ ଫେଡ଼ାଣ ଗୁଣାଣ, ହରଣରେ ମୁଣ୍ଡ ବୁଲେଇ ହୋଇଯାଏ । ନାଚଗୀତ ନ ହେଲେ ତ ସଭାରେ ଲୋକ ହେବେନି, ସେକ୍ରେଟେରୀଙ୍କୁ ପ୍ରଶଂସା ମିଳିବନି—ତେଣୁ ସେମାନେ ହଉ ପଛେ ଚାଲନ୍ତୁ କହି ବହିଣା ଦେଢ଼ଶହ ଦୁଇଶ ଦେଇ ସ୍ଵସ୍ଥାନକୁ ଫେରନ୍ତି ।

 

ତଟିନୀ ଦେବୀଙ୍କ ମଝିମଝିରେ ଟିକିଏ ରୋଗ ବାହାରେ । ବାହାରେ ଟିକିଏ ବେଶିକରି ସମାଲୋଚନା ହେଇଗଲେ, ସଙ୍ଗେ ସଙ୍ଗେ ଜେନରାଲବଡ଼ି ବୈଠକ ଡାକି କହନ୍ତି, ମୁଁ ଆଉ ପାରିବିନି । ଆପଣମାନେ ଆଉ କାହାକୁ ଏ ଦାୟିତ୍ଵ ଦିଅନ୍ତୁ । ଏକେ ତ ମୋର ଦେହ ଖରାପ । ଦ୍ଵିତୀୟରେ ନିଃସ୍ୱାର୍ଥପର ଭାବରେ କାମ କରି କରି ସମାଲୋଚନା ସହିପାରିବିନି ।

 

ସଭ୍ୟମାନେ ତାଙ୍କର ହାତଗୋଡ଼ଧରି ଭାରି ଖୋସାମତ କରନ୍ତି—କିଏ ନାନୀ, କିଏ ଅପା, କିଏ ଦିଦି ବୋଲି ସଂବୋଧନ କରି କହନ୍ତି, ସମାଲୋଚନାଗୁଡ଼ାକ ବୃଥା କଥା—ଯୁଗଟା ସେୟା । କିଏ ଭଲକାମ କଲେ ଲୋକଙ୍କ ଦେହ ସହେନି । ସମାଜରେ ଏଭଳି ସମାଲୋଚକ ଗୋଠୁଟେ ସବୁବେଳେ ରହିଥାଆନ୍ତି, ସେମାନଙ୍କ ମୁହଁକୁ ବନ୍ଦ କରି ହେବନି । ୟାବୋଲି ଆପଣ ଇମିତି ଆଡ଼ରୁଷା ହେଲେ ଚଳିବନି ।

 

ଶେଷରେ ତଟିନୀ ଦେବୀ କହନ୍ତି, ଆପଣମାନଙ୍କ ଅନୁରୋଧରେ ଏହି ବର୍ଷଟାହିଁ ରହିବି-। ଆର ବର୍ଷକୁ କିନ୍ତୁ କହିବେନି । ଆଉ ଜଣେ କାହାକୁ ଠିକ୍ କରନ୍ତୁ, ଦାୟିତ୍ଵ ସେ ନେଉ ।

 

ତା ଆର ବର୍ଷ—ତା ଆର ବର୍ଷ ଇମିତି ବର୍ଷକୁ ବର୍ଷ ବିତିଯାଏ—ଜେନରାଲବଡ଼ି ବହୁଥର ବସେ । ନୂତନ ନିର୍ବାଚନ ହୁଏ—ଯିଏ ରହିବା କଥା ରହନ୍ତି...ତଟିନୀ ଦେବୀଙ୍କର ଇସ୍ତପା ଦେବାକଥା ଆଉ ମନେ ପଡ଼େନି ।

 

“ତୋ ହାତକାଚ ବଜର ରହୁ” ଆଶୀର୍ବାଦ ଭଳି ତଟିନୀ ଦେବୀଙ୍କ ନାଚସ୍କୁଲରେ ଏକନାୟିକାତ୍ଵ ପଦ ବଜର ରହେ ।

 

ଦାସେ ଇମିତି କେତେ ଅନୁଷ୍ଠାନର କର୍ମୀ, କାର୍ଯ୍ୟକାରୀ କମିଟିର ସଭ୍ୟ । ତାଙ୍କ ଡାଏରୀ ଖାତାଟାରେ ଏସବୁ ଅନୁଷ୍ଠାନରେ ଯୋଗଦେବା ପ୍ରୋଗ୍ରାମଗୁଡ଼ାକହିଁ ବେଶି ଟିପା ହୋଇ ରହିଥିବା ଦେଖାଯାଏ । ଖାଇବାକୁ, ପିଇବାକୁ, ରିନାଦେବୀଙ୍କ ପାଖରେ ବସି ଦି’ପଦ ଦୁଃଖସୁଖ ହେବାପାଇଁ ମଧ୍ୟ ତାଙ୍କୁ ସମୟ ମିଳେ ନା ।

 

ସହରକୁ ବହୁତ ସିନେମା ଆସେ । ଥିଏଟରକୁ ନିମନ୍ତ୍ରଣ ମିଳେ । ପୂର୍ବଦିନ ଦାସେ ଯେଉଁ ସିନେମା ଦେଖି ଆସିଥାଆନ୍ତି ଆଜି ରିନାଦେବୀ, ଭଲ ସିନେମା ଆସିଚି, ଟିକିଏ ଦେଖେଇ ନିଅନ୍ତିନି ବୋଲି କହିଲେ, ଦାସେ ନିହାତି ବାଜେ ହେଇଚି କହି ସିନେମା–ଦେଖା ବିରୁଦ୍ଧରେ ଗୁଡ଼ାଏ ଗପି ଯାଆନ୍ତି । ଭଲ ଜିନିଷକୁ କଦର୍ଥ କରନ୍ତି, ଟିକିଏ ଖରାପ ହୋଇଥିଲେ ତାକୁ ଇମିତି ଖରାପ କରି କହନ୍ତି ଯେ କୌଣସି ଲୋକର ଭୁଲରେ ସୁଦ୍ଧା ଇଚ୍ଛା ହେବନି ଦେଖିଯିବା ପାଇଁ । ସେଇ ସିନେମାଗୁଡ଼ିକର ସେ ପ୍ରଶଂସା କରନ୍ତି, ଯୋଉ ଛବିଗୁଡ଼ିକ ଚାଲିଯାଇଥାଏ, ବର୍ଷେ ଦି ବର୍ଷ ଭିତରେ ପୁଣି ଆସି ପଡ଼ିବାର ସମ୍ଭାବନା ନ ଥାଏ ।

 

ହଁ, ଥରେ ଥରେ ଥିଏଟରକୁ ନିଅନ୍ତି ସେ । ରିନାଦେବୀ ଗୋଟିଏ ରିକ୍ସାରେ ଏକା ବସନ୍ତି, ଦାସେ ପଛରେ ସାଇକେଲରେ ବସି ଯାଆନ୍ତି ଥିଏଟର ହଲରେ ତାଙ୍କୁ ବସେଇ ଦେଇ, ତୁମେ ବସି ଦେଖୁଥ କି, ମୋର ଟିକିଏ କାମ ଅଛି କହି କୁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଆନ୍ତି । ଥିଏଟର ଭାଙ୍ଗେ । ରିନାଦେବୀ ଚାରିଆଡ଼େ ଆଖିକି ବୁଲେଇ, ଖୋଜ ଖବର ନ ପାଇ, ନିଜେ ରିକ୍ସାଟିଏ ଭଡ଼ାକରି ଦଶଟା ରାତିରେ ଭୟରେ ଥରହର ହୋଇ ଘରକୁ ଫେରନ୍ତି । ଘରକୁ ଫେରି ଦେଖନ୍ତି, ଦାସେ ଆସି ନାହାନ୍ତି ।

 

ଟିକକ ପରେ ଆସି କହନ୍ତି...ତୁମ ପଛେ ପଛେ ଆସୁଥିଲି, ତୁମେ ମତେ ହୁଏତ ଦେଖି ନ ଥିବ ।

 

ରିନାଦେବୀ ମନକୁ ବୁଝାଇ ରୁହନ୍ତି ।

 

ସେ ଦିନ ମେଡ଼ିକାଲ କଲେଜର ନାଟକବେଳେ, ଯାହାକଲେ ନା, ରିନାଦେବୀ ଏକାବେଳେ କାନ୍ଦକାନ୍ଦ ତାଙ୍କର କିଏ ଜଣେ ଭଉଣୀ ଲେଖା ହବ, ମେଡ଼ିକାଲ କଲେଜର ଛାତ୍ରୀ—ସକାଳେ ଫୋନ କଲା—ଭାଇନା, ଭାଉଜକୁ ଧରିଆସିବ, ମୁଁ ଗେଟରେ ଥିବି, କିଛି ଅସୁବିଧା ହବନି । କାର୍ଡ ପଠେଇବାକୁ ସମୟ ହେବନି, କିଛି ମନେ ନ କରି ଚାଲିଆସିବ ।

 

ମେଡ଼ିକାଲ କଲେଜରେ ଡ୍ରାମା ଭଲ ହୁଏବୋଲି ଦାସେ ନିଜେ ରିନା ଦେବୀଙ୍କର ଆଗରେ ବହୁତ କହିଥାନ୍ତି । ରିନା ଦେବୀଙ୍କର ସେସବୁ ମନେଥାଏ । ତେଣୁ ଦାସେ ଆସି ଗୀତା ଡାକିଚି ଯିବ, କିଛି ଅସୁବିଧା ହବନି, ଏକା ଏକା ଯିବାକୁ ଭୟ କାହିଁକି, ତୁମଭଳି ବହୁତ ଭିଆଡ଼ି ଅଭିଆଡ଼ି ଝିଅ ପୁଣି ଯାଉଚନ୍ତି ତ କହି ରିନା ଦେବୀଙ୍କୁ ବୁଝେଇଥିଲେ ।

 

ତୁମେ ସାଙ୍ଗରେ ଯିବଟି କି ବୋଲି ରିନାଦେବୀ ପଚାରିବାରୁ ସେ କହିଥିଲେ, କହିଲି ପରା ତୁମେ ଚାଲିଯିବ । ମୋର ଗୋଟାଏ କାମ ଅଛି, ସାରି ପରେ ଯିବି, ଆସିଲାବେଳେ କିନ୍ତୁ ନେଇ ଆସିବି ।

 

ଏକା ଏକା ଯିବାକୁ ପଡ଼ିବ ଜାଣି ରିନା ଦେବୀଙ୍କ ମନ ଭାଙ୍ଗିଗଲା । ମେଡ଼ିକାଲ କଲେଜ କଥା ସେ ଜାଣନ୍ତି । ଯେଉଁଠି ଝିଅଗୁଡ଼ାକୁ ପୁଅ କି ଝିଅ ଚିହ୍ନିବା ମୁସ୍କିଲ, ଯେଉଁଠି ଜହ୍ନ ଆଲୁଅରେ ପୁଅଝିଅଗୁଡ଼ାକ ଲାଗାଲଗି ହେଇ ଠିଆ ହେଇ ଥାଆନ୍ତି, ଯେଉଁଠି ଝିଅ ହେଉ ବା ପୁଅଙ୍କର ହେଉ ହଷ୍ଟେଲରେ ରେଷ୍ଟ୍ରିକ୍‍ସନ ବୋଲି ଗୋଟାଏ ଜିନିଷ ନାଁକୁ ମାତ୍ର ଥାଏ, ସେଇଠିକି ସେ ଯିବେ । ରାତିରେ ଫେରିଲାବେଳେ ଯଦି ଇଏ ସେ ଦିନ ଥିଏଟରରେ ଦେଖା ନ ଗଲା ଭଳି ଦେଖା ନ ଦିଅନ୍ତି, ତାହାହେଲେ...ତାହାହେଲେ ତାଙ୍କ ଅବସ୍ଥା କ’ଣ ହେବ ?

 

ରିନାଦେବୀ ରୋକଠୋକ ମନା କରିଦେଲେ...ନାଁ ସେ ଯାଇପାରିବେ ନାହିଁ । ଶେଷରେ ସ୍ଥିର ହେଲା ଯେ ସେ ଏକା ଯିବେନି, ଝିଆରୀକି ସାଙ୍ଗରେ ଧରିଯିବେ । ଆସିଲାବେଳେ ଦାସେ ସାଙ୍ଗରେ ଆସିବେ ।

 

...ରିନାଦେବୀ ଗଲେ । ନାଟକ ଦେଖିଲେ... । ଦାସଙ୍କ ତଥାକଥିତ ଭଉଣୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ସହକାରେ ପାଛୋଟି ନେଇ ଭଲ ସ୍ଥାନରେ ବସେଇଥିଲେ । ମଝିମଝିରେ ଭାଉଜ, ପାଣି ଆଣି ଦେବି କି, ଚାହା ଦରକାର କି ଆଦି ବିଷୟ ସେ ସମୟେ ସମୟେ ବୁଝୁଥିଲେ ।

 

ଦାସେ ପଂଝାଏ ସାଙ୍ଗସାଥିଙ୍କ ସହିତ ଗଲେ—ରିନା ଦେବୀ ଯେଉଁ ଦୃଷ୍ଟିକୋଣରୁ ଥିଏଟରଟାକୁ ଦେଖୁଥିଲେ, ଦାସେ ତାର ଓଲଟା ଦୃଷ୍ଟି କୋଣରୁ ଦେଖୁଥିଲେ ।

 

ରିନାଦେବୀ ମଝିମଝିରେ ଠିଆ ହେଇ ଦାସେ ଆସିଚନ୍ତି କି ନା, କୁଉଠି ବସିଚନ୍ତି ଜାଣିବା ପାଇଁ ଚାରିଆଡ଼କୁ ଆଖି ଖେଳଉଥିଲେ । ତଥାକଥିତ ଡାକ୍ତରୀ–ଛାତ୍ରୀ ନଣନ୍ଦକୁ କହୁଥିଲେ–ଦେଖିଲ, ଭାଇନା ଆସିଚନ୍ତି କି ନା ?

 

—ନାଇଁ କୁଉଠି ତ ଦେଖାଯାଉ ନାହାନ୍ତି । ଆସିନାହାନ୍ତି ବୋଧହୁଏ ।

 

ରିନା ଦେବୀଙ୍କ ହାଲୁକା ଶୁଖିଯାଏ...ଖାଲି ସେ ଗୀତାକୁ ପଚାରନ୍ତି, କେଇଟା ବାଜିଲାଣି-?

 

ଗୀତା କହେ—ଦଶ ।

 

ରିନାଦେବୀଙ୍କ ବୁକୁତଳଟା ଭୟରେ ଥରି ଉଠେ ।

 

—ଡ୍ରାମା କେତେବେଳେ ସରିବ ?

 

ଗୀତା କହେ...ଆଉ ଘଣ୍ଟାକ ପରେ...ଅର୍ଥାତ୍ ରାତି ଏଗାରରେ ।

 

ରିନାଦେବୀ ଆହୁରି ଆତଙ୍କିତ ହୋଇ ଉଠନ୍ତି ।

 

ଇତିମଧ୍ୟରେ ଦାସେ ସାଥିପିଲାଙ୍କ ସାଥିରେ ହଲ ଛାଡ଼ି ଚାଲିଆସନ୍ତି । ଅଭିନେତ୍ରୀଙ୍କ ରୂପ ତାଙ୍କ ଆଖିକି ଭଲ ଲାଗେନି ବୋଲି ବେଶି ସମୟ ବସିବାକୁ ତାଙ୍କର ଇଚ୍ଛା ହୁଏନି । ରିନାଦେବୀ ଯେ ସେଇ ଡ୍ରାମା ଦେଖି ଯାଇଛନ୍ତି, ତାଙ୍କର ମନେ ପଡ଼େନା ।

 

ଘରକୁ ଫେରିଆସି ରିନାଦେବୀଙ୍କି ନ ଦେଖି ତାଙ୍କର ସବୁ କଥା ମନେପଡ଼େ । ଏତେ ରାତି ହେଲାଣି, ନାଟ ଦେଖାସରିନି ବୋଲି କହି ହେଇ ମନେ ମନେ ରିନାଦେବୀଙ୍କ ଉପରେ ଚିଡ଼ି ଉଠନ୍ତି । ମୁଣ୍ଡ ତାଙ୍କର ପାଗଳ ହୋଇଉଠେ । ସାଇକେଲ ଧରି ଦୌଡ଼ନ୍ତି ସେ, ପୁଣି ସେଇ ମେଡ଼ିକାଲ କଲେଜକୁ ।

 

...ନାଟକ ଶେଷ ହୁଏ । ରିନାଦେବୀ ଛୋଟ ଝିଆରୀଟିକି ଧରି ଭିତରେ ବାହାରେ ଦାସଙ୍କୁ ବହୁତ ଖୋଜନ୍ତି–ପାଆନ୍ତିନି । ଗୀତା କହେ—ଭାଉଜ, ବହୁତ ରାତି ହେଇଗଲାଣି ଚାଲ ହଷ୍ଟେଲରେ ରହିଯିବ, କାଆଲି ଯିବ ।

 

ହଷ୍ଟେଲ ନାଁ ଧରିଲେ ରିନାଦେବୀଙ୍କ ଦେହ ଜଳି ଉଠେ । କହନ୍ତି, ଯେତେ ରାତି ହେଉ ପଛେ, ଚାଲିଯିବି । ଖାଲି ଖଣ୍ଡିଏ ରିକ୍ସା କରିଦିଅ ।

 

କିଟି କିଟି ଅନ୍ଧାର ।

 

ରିକ୍ସାର ଘୋର ଅଭାବ । ହଠାତ୍ ରିକ୍ସା ଖଣ୍ଡେ ମିଳେ । ଭଡ଼ା କରି ଆସନ୍ତି ରିନାଦେବୀ-। ବାଟରେ ଦେଖାହୁଏ ଦାସଙ୍କ ସହିତ । କହନ୍ତି, ଭାବିଥିଲି ତୁମେ ଯାଇନ ବୋଲି ।

 

ରିନାଦେବୀଙ୍କ ଦାନ୍ତ କଡ଼ମଡ଼ ହୋଇଉଠେ...ରାଗରେ କହନ୍ତି, ଘରକୁ ଚାଲ, ବାଟଟା ।

 

ଘରକୁ ଆସି, ରିନାଦେବୀ କିଛି କହିପାରନ୍ତିନି, ଖାଲି ଭୋ ଭୋ କାନ୍ଦନ୍ତି ।

 

ତାପରେ ଆରମ୍ଭ ହୁଏ ତାଙ୍କର ଅନଶନ...ରାତିରେ ଖିଆପିଆ ବନ୍ଦ । ତା ଆରଦିନ ବି ବନ୍ଦ । ପେଟର କ୍ଷୁଧାରେ ହିଁ ସେ ମନର ଅବସାଦକୁ ଘୋଡ଼େଇ ରଖନ୍ତି ।

 

ଦାସେ ତାଙ୍କ ମନର କଷ୍ଟ ବୁଝନ୍ତି କିନ୍ତୁ ରିନାଦେବୀଙ୍କୁ ବୁଝେଇ ପାରନ୍ତି ନାଇଁ ।

 

ଏ ଘରର ସୁଖ ବୋଇଲେ ମାତ୍ର ଗୋଟିଏ ବର୍ଷ । ଇଠିକି ଆସିବାର ଚାରିଦିନ ପରେ ଦାସେ ରିନାଙ୍କୁ ଟାକ୍ସିରେ ବସେଇ ଗୋପାଳପୁର ପର୍ଯ୍ୟନ୍ତ ବୁଲେଇ ନେଇଥିଲେ । ବାଟରେ କେତେ ଖୁସିଗପ । ଅସରନ୍ତି ସେ... ।

 

ଗୋପାଳପୁରରେ ପାମବିଚ୍ ହୋଟେଲେ ଭଳି ଅତି ମହାର୍ଘ୍ୟ ହୋଟେଲର ଗୋଟିଏ ବଖରାଘର ଭଡ଼ା ନିଆ ହୋଇଥିଲା । ଗଲାବେଳେ ଦାସେ କହିଥିଲେ...ହନିମୁନ ହବ । ଓଡ଼ିଆରେ ଅନୁବାଦ କରି କହିଥିଲେ ମଧୁଚନ୍ଦ୍ରିକା । ହନିମୁନ ଅପେକ୍ଷା ରିନାଦେବୀଙ୍କୁ ଏଇ ମଧୁଚନ୍ଦ୍ରିକା ଶଦ୍ଦଟା ଭଲ ଲାଗିଥିଲା । ଚନ୍ଦ୍ର ଶଦ୍ଦ ଥାଇ କେତୋଟି ଓଡ଼ିଆ ଶଦ୍ଦ ନିଜକୁ ଗୁରୁସ୍ଥାନରେ ରଖି ପଚାରିଥିଲେ-। ପରୀକ୍ଷା ହଲରେ ସାଙ୍ଗେ ସାଙ୍ଗେ ମାନସାଙ୍କ ପ୍ରଶ୍ନର ଉତ୍ତର ଦେଲା ଭଳି, ରିନାଦେବୀଙ୍କୁ ଉତ୍ତର ଦେବାକୁ ପଡ଼ିଥିଲା ।

 

କେଉଁଟା ଭୁଲ ହେଉଥିଲା, କେଉଁଟା ବା ଠିକ୍ ହେଉଥିଲା । ଥରେ ଥରେ ଇମିତି ଗୋଟିଏ ଗୋଟିଏ ଶଦ୍ଦ କହୁଥିଲେ ଯେଉଁଥିରେ ସେ ଅତି ଖୁସି ହୋଇଉଠନ୍ତି । ପୁରସ୍କାର ସ୍ୱରୂପ ରିନାଙ୍କୁ ସେ ଗୋଟିଏ ଗୋଟିଏ ସରୁ ଚୁମା ଦିଅନ୍ତି । ଆଗରେ ଡ୍ରାଇଭରଟା ଦେଖୁଥିବ ବୋଇଲେ କ’ଣ ଭାବୁଥିବ ? ଭାରି ଲାଜମାଡ଼େ ତାଙ୍କୁ ।

 

ରିନାଦେବୀ କହନ୍ତି...ଛି ମଟର ଭିତରଟାରେ ? ପ୍ରଶ୍ନତ ପଚାରିବ, ଉତ୍ତର ତ ଦେବୀ, ମୁହଁଟା ମୁହଁ ପାଖକୁ ଲାଗି ଆସୁଚି କାହିଁକି ? ଟିକିଏ ଆଡ଼େଇ ହେଇ ବସ ।

 

...ସେ ଚାରୋଟି ଦିନ ତାଙ୍କୁ ଲାଗିଥିଲା ଚାରି ମିନିଟ ପରି ।

 

ତାରି ଭିତରେ କେତେ କଥା । ସକାଳ ଠାରୁ ଯେ ଦଶଯାଏଁ ସମୁଦ୍ର ଗାଧୁଆ । ଦାସେ କହନ୍ତି, ଏଠି ଲୋକଗୁଡ଼ାକ ଅଛନ୍ତି, ଆସ ଦୂରକୁ ଯିବା...ବହୁ ଦୂରକୁ । ବାଲିରେ ବାଲିରେ ଚାଲି ଚାଲି ରିନାଦେବୀ ନାକେଦମ୍ । ଟିକିଏ ବାଟ ଗଲା ପରେ ରିନାଦେବୀ କହନ୍ତି, ଇଠି ଗାଧେଇଲେ କ’ଣ ଚଳିବନି ?

 

ଦାସେ କହନ୍ତି, ଭାରି ଗହରିଆ ଜାଗାଟା । ଅଣ୍ଡର କରେଣ୍ଟ ଟାଣି ନେଇଯିବ ।

 

ଚାଲି ନ ପାରି ରିନାଦେବୀ ଲଥକିନି ବାଲିରେ ବସି ପଡ଼ନ୍ତି ।

 

ଦାସେ ତାଙ୍କ ହାତକୁ ଧରି ଠିଆ କରେଇ କହନ୍ତି, ଚାଲି ନ ପାରୁଚ ଯଦି ହେଇ ମୋ କାନ୍ଧରେ ହାତ ଦେଇ ଚାଲ ।

 

ଏଣିକି ଚାଲିଟା ଏଇ ଢଙ୍ଗରେ ହୁଏ ।

 

କିଛି ବାଟ ଯିବା ପରେ ଦାସେ କହନ୍ତି...ଏଇଟା ଠିକ ଜାଗା । ଲୁଗାପଟା ପାଲଟାପାଲଟି ପରେ ଦୁହେଁ ଧରାଧରି ହୋଇ ସମୁଦ୍ର ଭିତରେ ପ୍ରଶନ୍ତି । ସମୁଦ୍ରର ଢେଉ ଭଳି ଉଭୟଙ୍କ ମନ ଓ ପ୍ରାଣରେ ବହୁ ତରଙ୍ଗ ସୃଷ୍ଟି ହୁଏ ।

 

କୂଳକୁ ଅସି ସିକ୍ତବସନା, ଚପଳଛନ୍ଦା ରିନାଦେବୀଙ୍କ ବୁକୁ ଉପରେ ଦାସେ ଶୋଇ ପଡ଼ନ୍ତି । ଉପରେ ସୂର୍ଯ୍ୟ, ତଳେ ପୃଥିବୀ ମଝିରେ ରିନାଦେବୀ...ରିନାଦେବୀଙ୍କ ଯୌବନ ।

 

ସ୍ନାନପର୍ବ ସରେ...ଉଭୟେ ଫେରିଆସନ୍ତି ହୋଟେଲକୁ ।

 

ଏ ବାବୁ ଆଗେ ଇଠିକି ବହୁଥର ଆସନ୍ତି । ଗଲାବେଳେ ପିଅନ ଦରଓ୍ୱାନ, ଖାନସାମାଙ୍କୁ କାହାକୁ ପାଞ୍ଚ, କାହାକୁ ତିନି, ଟଙ୍କେ ମସେ ଦେଇ ଯାଆନ୍ତି । ସେଇଥିପାଇଁ ଦୀନବନ୍ଧୁ ଦାସେ ଘର ଭିତରେ ପଶୁ ପଶୁ, ବାବୁ ଚାହା ନା କଫି ପଚାରି ପଚାରି ବିରକ୍ତ କରିଦିଅନ୍ତି ତାଙ୍କୁ । ଦାସଙ୍କର କଫି ଖାଇବାକୁ ଇଚ୍ଛା ଥିଲେ ସୁଦ୍ଧା ବିରକ୍ତିର ପ୍ରକୋପରେ କଫି ନ ମାଗି କହନ୍ତି, କୁଚ୍ଛ ଜରୁରତ୍ ନେହିଁ, ପାନି ଲାଓ ।

 

ଇଠି ପାନିର ଅର୍ଥ ପାନୀୟ ।

 

ତେଣୁ ପୂର୍ବଅଭ୍ୟାସ ମତେ ଦାସେ ସେ ଦିନ ବି ପାନି ଲାଓ କହି ଦେଉ ଦେଉ, ଖାନସମା ପଚାରିଥିଲା, ବାବୁ ! ମେମ୍ ସାହେବକେ ଲିୟେ ?

 

ହଠାତ୍ ତାଙ୍କ ଅଭ୍ୟାସ ଭାଙ୍ଗି ଯାଇଥିଲା । ସେ ପ୍ରକୃତିସ୍ଥ ହୋଇ ଉଠିଥିଲେ । କହିଥିଲେ, ବୁଡ଼ବକ୍, ମାଲୁମ ନେହିଁ ଅଭି ଲଞ୍ଚ ଖାନେ କା ବକ୍ତ । ଲଞ୍ଚ ଲେ ଆଓ ।

 

ସେ କେଡ଼େ ମଜା । ଆଗରେ ଟେବୁଲ ଉପରେ ନାନା ରକମର ଖାନା । ଦାସେ ରିନା ଦେବୀଙ୍କୁ କଣ୍ଟାଚାମଚରେ ଖାଇବା ଏଇଠି ଶିଖେଇ ଦେଇଥିଲେ । ଆଗେ ଚାମଚରେ ଟିକିଏ ଟିକିଏ ସୁପ୍ ଖାଇସାରିବା ପରେ, ଅନ୍ୟ କିଛି ଖିଆ ହୁଏ । ଗୁଡ଼ାଏ ମାଂସ ଖାଇଗଲେ, ଦାସେ ରିନାଦେବୀଙ୍କ ଖିଆକୁ ବନ୍ଦ କରି କହନ୍ତି, ଖାଲି ମାଂସ ଖାଅନି ରିନା ! କିଛି ଭେଜିଟେବଲ ଖାଇବା ଦରକାର ।

 

ଖାଇସାରିବା ପରେ ଫଳ ଖିଆ । ତା’ପରେ କପେ କପେ କଫି । ସବୁ ଭିତରୁ ଚିଂଗୁଡ଼ି ମାଛର ଝୋଳଟି ଭାରି ଭଲ ଲାଗିଥିଲା ରିନାଦେବୀଙ୍କି । କିମିତି ରାନ୍ଧୁଚନ୍ତି ଜାଣିବାପାଇଁ ଆଗ୍ରହ ହୋଇଥିଲା ତାଙ୍କର । ଦାସଙ୍କୁ କହିଥିଲେ, ଯିବା ପୂର୍ବରୁ ଏଠା ରନ୍ଧାବାଲା କୁକ୍କୁ ଟିକିଏ କହିବ, ମୁଁ ତା ସାଥିରେ ରୋଷେଇ ଶାଳକୁ ଯାଇ, ଦିନେ ତାଠୁ ତିନି ଚାରି ପ୍ରକାର ତରକାରୀ ଶିଖି ଆସିବି । ଘରକୁ ଗଲେ ରାନ୍ଧିବି । ଦେଖିବି ମୋ ହାତରେ ହେଉଚି କି ନାଇଁ ।

 

ଦାସେ କହିଥିଲେ, କହିଲେ ସମ୍ମାନହାନି ହବ । ବଡ଼ ବଡ଼ ଲୋକେ ଆସି ଏଠି ରହିଥାଆନ୍ତି । ଜାଣିଲେ କ’ଣ କହିବେ ? ତୁମେ ତ ଆମର ମର୍ଯ୍ୟାଦା କ’ଣ ବୁଝନି ।

 

କହିବାଟା ଗୋଟାଏ ମସ୍ତବଡ଼ ଭୁଲ ହୋଇଗଲା ବୋଲି ଭାବି ଭାରି ଅନୁତାପ କରନ୍ତି ସେ । ତାଙ୍କ ମୁହଁଟି ଶୁଖିଯାଏ । ସାଂଧ୍ୟ ଭ୍ରମଣ ପାଇଁ ଯେତେ ଗେଲେଇ ଗେଲେଇ ଓଠରେ ହାତ ମାରି ଡାକିଲେ ମଧ୍ୟ ରିନାଦେବୀ ଯିବାକୁ ମନା କରନ୍ତି । ଅତି ବଳେଇଲେ କହନ୍ତି, କୁହ ମତେ କ୍ଷମା କରିବ ?

 

ଦାସେ କହନ୍ତି, କ୍ଷମା କ’ଣ ? କୋଥିପାଇଁ ?

 

କୁକ୍କୁ ଟିକିଏ କହିଦିଅ ବୋଲି କହିଲି ବୋଲି...

 

—ଓଃ ସେଇକଥା–କିଛି ନୁହେଁ । ଆସ ସମୟ ହୋଇଗଲା ବୋଲି କହି ଦାସେ ତାଙ୍କୁ ଟାଣି ନିଅନ୍ତି ।

 

ଖୋଲା ସମୁଦ୍ର ହାୱାରେ ଚାଲି ଚାଲି ବହୁତ ବାଟ ବୁଲନ୍ତି । ଭାରି ଆରାମ ଲାଗେ । ମଝିରେ ଗୋଟିଏ ଜାଗାରେ ବସି ନାନା ଆଡ଼ୁ ନାନା ଗପସପ ହୁଏ ।

 

ଦାସେ ରିନାଦେବୀଙ୍କୁ କହନ୍ତି—ସମୁଦ୍ର କିଂବା ନିର୍ମଳ ଆକାଶକୁ କିଛି ସମୟ ଏକାଗ୍ରଭାବରେ ଚାହିଁ ରହିଲେ, ମନ ପ୍ରସନ୍ନ, ପ୍ରଶାନ୍ତ ହୋଇ ଉଠେ । ଏହି ନୀଳିମା ସହିତ ମନର ଯେପରି କିଛି ଘନିଷ୍ଠ ସଂପର୍କ ରହିଛି । ମନରେ ନାନା କଳ୍ପନା, ନାନା ସ୍ଵପ୍ନ ଜାଗେ । ସମସ୍ତ ଅବସାଦ କୁଆଡ଼େ ପୋଛି ହୋଇଯାଏ ।

 

ଗୋଧୂଳି ଆଲୋକରେ ରିନାର ମନଟା ଅତି ସଜୀବ ହୋଇଉଠେ । ସେ ଖାଲି ପ୍ରଶ୍ନ କରନ୍ତି, ଏତେ ପାଣି, ଏତେ ବାଲି କୁଆଡ଼ୁ ଆସିଲା ? ଏ ସମୁଦ୍ରଟା କୁଉଠି ଛିଣ୍ଡିଚି ? ଢେଉଗୁଡ଼ାକ କିମିତି ହୁଏ–ଶେଷରେ ପଚାରନ୍ତି; ତୁମେ କ’ଣ ତୁମ କବିତା, ଗଳ୍ପରେ ଠିକ ଏଇ ସମୁଦ୍ରକୁ ବର୍ଣ୍ଣନା କରିପାରିବ ?

 

ଦାସେ କହନ୍ତି—ଚଟପଟ ସବୁ କିଛି ହୋଇ ଯାଏ ନା । ପ୍ରଥମେ ଲକ୍ଷ୍ୟ କରିବାକୁ ହୁଏ–ତା ପରେ ଏହି ସମୁଦ୍ରର ଚିତ୍ରଟା ମନ ଭିତରେ ଲାଖି ରହିଯାଏ । ପିଲାମାନେ ଜଳଛବିରେ ପାଣି ଟିକିଏ ଲଗାଇ କାଗଜ ଦିହରେ ଯେମିତି ଛବିଟି ଆଙ୍କିଯାଆନ୍ତି—ଆମ ମନ ଉପରେ ପଡ଼ିଥିବା ଏଇ ଛାପାଟିକୁ କାଗଜ, କଲମ, କାଳିରେ ଆଙ୍କୁ ।

 

ଏହି ‘ଅଙ୍କୁ’ ଶବ୍ଦଟି ରିନାଦେବୀଙ୍କ କାନରେ ଏକ ମଧୁର ଝଙ୍କାର ତୋଳେ ।

 

ମାମୁଁଙ୍କ ବସାରେ, ମାମୁଁଙ୍କ ତୀକ୍ଷ୍ଣ ଦୃଷ୍ଟିକୁ ଆଡ଼େଇ ଦିନେ ଏଇ ଦାସେ ତାଙ୍କୁ ଅଙ୍କ ପଢ଼ଉ ପଢ଼ଉ, ଅଙ୍କର ଅର୍ଥ କ’ଣ ଜାଣ ରିନା, କହୁ କହୁ ରିନାଦେବୀ ଦାସଙ୍କ ଅଙ୍କରେ ଢଳି ପଡ଼ିଥିଲେ। ଅଙ୍କର ଅର୍ଥ ତୁଣ୍ଡରେ ନ କହି, କାର୍ଯ୍ୟରେ ଦେଖେଇ ଦେଇଥିଲେ ସେ ।

 

ମୁଣ୍ଡରେ ମସ୍ତ ଗୋଟାଏ ବେଣୀ ଲୋଟି ପଡ଼ିଥିଲା । ବ୍ଲାଉଜର ଫାଙ୍କ ଦେଇ ପିଠି ଓ ଭିତରର କିଛିଟା ନରମ ତ୍ଵକ୍ ଦାସଙ୍କ ଆଖିକି ଦେଖାଯାଉଥିଲା । ଦାସଙ୍କ ରକ୍ତ ଟିକିଏ ଚହଲି ଉଠିଥିଲା ସେତେବେଳେ । ବୁକୁଟା ପଡ଼ିଥିଲା ଉଠିଥିଲା । ଦିବର୍ଷ ହେଲା ସେ ରିନାକୁ ପାଠ ପଢ଼େଇ ଆସୁଥିଲେ । ପ୍ରଥମେ ଏ ଘରକୁ ଆସିଲା ବେଳେ ସେ ଯେଉଁ ନିରାଭରଣ ପୁଷ୍ପର ସାମନା ଭାଗଟାକୁ ଦେଖିଥିଲେ, ସେ ଫୁଲଟାରେ ଏତେଗୁଡ଼ାଏ ପାଖୁଡ଼ା ଯେ ୟା ଭିତରେ ହୋଇଯାଇଛି, ସେ କଳ୍ପନା ସୁଦ୍ଧା କରି ପାରିନଥିଲେ ।

 

ରିନାଦେବୀଙ୍କ ଚିବୁକକୁ ଧରି ଉଠେଇ ନେଇଥିଲେ ଦାସେ—କହିଥିଲେ ରିନା, ଏ ବୟସରେ ଏତେଟା ଠିକ୍ ନୁହେଁ । ଅନ୍ତତଃ ଆଉ ବର୍ଷେ ଅଧେ ଯାଉ ।

 

ବର୍ଷେ ? ବହୁତ ସମୟ ପରି ବୋଧ ହୋଇଥିଲା ରିନାକୁ ।

 

—ସିପ୍ରା ଗପସପ ସାରି ତା ଘରକୁ ଫେରି ସନ୍ଧ୍ୟା ସାତରେ ଗଲାବେଳେ ଘରେ ଖଣ୍ଡିଆ ସିଗାରେଟ ଫୋପାଡ଼ି ଦେଇଥାଏ । ଭାରି ଅସନା ଦେଖାଯାଏ ଘରଟା ।

 

ଦାସେ ଆସନ୍ତି ସିପ୍ରା ଯିବାର ଅଳ୍ପ ସମୟ ପରେ ପରେ । ଥରେ ଥରେ ଜଲଦି ଚାଲି ଆସନ୍ତି । ଝରକାବାଟେ ସିପ୍ରାକୁ ଦେଖି ଫେରିଯାଇ ଟିକିଏ ଦୂରରେ ତାଳତାଟିର ଚାହା ଦୋକାନଟାରେ ବସି ରହନ୍ତି । ଦାସଙ୍କୁ ବରା ଗୁଲୁଗୁଲା ଭାରି ଭଲ ଲାଗେ । ଦୋକାନଦାର ନଟକୁ କିଛି ବରାଦ ନ ଦଉଣୁ ଗୋଟିଏ ପତ୍ରରେ ଦିଟା ବରା, ଦିଟି ପିଆଜି ଆଉ ଦୁଇଟି ଗୁଲୁଗୁଲା ଦେଇଯାଏ । ଗୋଟିଏ ବରା ଖାଇବାକୁ ଦାସଙ୍କୁ ପାଞ୍ଚ ମିନିଟରୁ କମ୍ ସମୟ ଲାଗେନା । ସବୁଗୁଡ଼ାକୁ ଶେଷ କଲାବେଳକୁ ଅନ୍ତତଃ ଅଧଘଣ୍ଟାକରୁ କମ ସମୟ ଲାଗେନା । ଇତିମଧ୍ୟରେ ସିପ୍ରା ରିନାଦେବୀଙ୍କ ଘର ଗେଟ ପାରିହୋଇ ଦାଣ୍ଡକୁ ବାହାରି ଆସିବାର ଦେଖିଲେ, ଦାସଙ୍କୁ ଖିଆର ବେଗଟା ବଢ଼ିଯାଏ । ଗୋଟିଏ ଚୁମାରେ ସବୁ ଶେଷ । ନଟ ଚାହା ଆଣି ଦେଲାବେଳକୁ ଦାସେ କହନ୍ତି, ସମୟ ହୋଇ ଗଲାଣି, ଆଉ କୋଉ ଗ୍ରାହକକୁ ଦେଇ ଦେ । ଫେରିଲାବେଳେ ପିଇଯିବି ।

 

ନଟ କହେଁ, ପିଅନ୍ତୁ, ନ ପିଅନ୍ତୁ ବାବୁ, ହିସାବ ଖାତାରେ ଚଢ଼େଇ ଦେବି ।

 

—ଚଢ଼ା ପଛେ–କହି ଦାସେ ସେ ସ୍ଥାନରୁ ପ୍ରସ୍ଥାନ କରନ୍ତି । ଶହେ ଗଜ ବାଟକୁ ଦାସଙ୍କୁ ଲାଗେ ଗଜେବାଟ ଭଳି । ଗଲାବେଳେ ରିନାଦେବୀ ଘରେ ନ ଥାଆନ୍ତି...ଘର ଭିତରେ ଘର, ଘର ଭିତରୁ ଗୋଟିଏ ଘରକୁ ଯାଇ ଥାଆନ୍ତି ସେ ।

 

ଘରେ ପହଞ୍ଚି ପ୍ରଥମେ ଦାସେ ଚୌକି ଟେବୁଲଗୁଡ଼ାକୁ ଟିକିଏ ଧଡ଼ ଧଡ଼ କରନ୍ତି, ଗଳାଖଙ୍କାର ମାରନ୍ତି । ସେତେବେଳକୁ ରିନାଦେବୀ ପୋଛାପୋଛି ହେବାକୁ ଗାଧୁଆଘରେ ପଶିଥାଆନ୍ତି । ଇଲାଗେ ବ୍ଲାଉଜଟା ଖୋଲି ଦେହରେ ଟିକିଏ ପାଣିବୋଳି ହେଉଥିଲେ । ବ୍ଲାଉଜଟା ପିନ୍ଧିଯିବାକୁ ତର ସହେନା । ପ୍ରଥମେ ଧାଇଁ ଆସି ପଢ଼ାଘର ଦୁଆର ମୁହଁରେ ଠିଆ ହୋଇ କହନ୍ତି ମୁଁ ଭାବିଥିଲି, ଆପଣ ଆସିବେନି ବୋଲି । ଖଣ୍ଡିଆ ସିଗାରେଟଗୁଡ଼ାକୁ ଦେଖେଇ କହନ୍ତି...ଭାବନି ମୁଁ ଖାଏ ବୋଲି । ମୋର ଜଣେ ସାଙ୍ଗପିଲାର କେତେଦିନ ହେଲା ଏ ବଦଭ୍ୟାସ ହେଇଯାଉଚି । ପ୍ରାୟ ପ୍ରତି ସନ୍ଧ୍ୟାରେ ଆସେ, ଗୁଡ଼ାଏ ଫୁଙ୍କିଦେଇ, ଏଗୁଡ଼ାକୁ ଫୋପାଡ଼ିଦେଇ ଚାଲିଯାଏ ।

 

ଆପଣ ଟିକିଏ ବସନ୍ତୁ, ମୁଁ ଛାଞ୍ଚୁଣିଟା ନେଇ ଆସୁଚି ଓଳେଇଦେବି ।

 

ଦାସେ ବସୁ ନ ବସୁଣୁ ରିନାଦେବୀ ଛାଞ୍ଚୁଣି ଧରି ପହଁଚନ୍ତି ।

 

ଘର ଗୋଟାକ ଯାକ ଅଳିଆ ଓଳାଇବାକୁ ଆରମ୍ଭ କରନ୍ତି ସେ । ରିନାଦେବୀ ନିଃଶବ୍ଦରେ, ନିଃସଂକୋଚ ଭାବରେ କାମ କରିଯାଆନ୍ତି । ଛାଞ୍ଚୁଣିଟା କେତେବେଳେ ଏ ହାତରୁ ସେ ହାତକୁ–ବେଣୀ ଦିଇଟା କେତେବେଳେ ତଳକୁ, କେତେବେଳେ ଉପରକୁ । ଦାସେ ଲକ୍ଷ୍ୟ କରନ୍ତି, ଦେହ ସଂପର୍କରେ ଝିଅପିଲାଙ୍କର ଯେଉଁ ସଚେତନତା ଓ ଲଜ୍ଜାବୋଧ ଥାଏ, ରିନାଦେବୀଙ୍କର ଆଦୌ ନାଇଁ । ଭାରି କ୍ୟାରଲେସ, କ୍ୟାର ଫ୍ରି, ଅଯତ୍ନ ସେ । ଦେହରୁ କେତେଥର ଲୁଗା ଖସି ପଡ଼ିଲାଣି; ପିଠି ଉପରେ, ଛାତି ଉପରେ ଲୁଗା ଠିକମତେ ରହୁଚି କି ନା, ରାନିଦେବୀ ଚିନ୍ତା ସୁଦ୍ଧା କରନ୍ତିନି । ରିନାଦେବୀଙ୍କ ଅନେକ ଗୋପନୀୟତା ଦାସଙ୍କ ଆଖିରେ ଅନାବୃତ ଭାବରେ ପଡ଼େ ।

 

ମନେ ମନେ ଭାବନ୍ତି ଦୀନବନ୍ଧୁ ଦାସେ । ବର୍ଷେ ସମୟ ଦେଇ ବଡ଼ ଭୁଲ କରିଚନ୍ତି ସେ-। ରିନାଦେବୀଙ୍କ ଦେହଟା କି ଚିକ୍କଣ ! ନିଟୋଳ ଗଠଣ । ଏଭଳି ସୁଗଠିତ ଅବୟବ ଖୁବ କମ ଝିଅଙ୍କଠି ଦେଖାଯାଏ ।

 

ମଝି ମଝିରେ ରିନାଦେବୀ ଠିଆ ହୋଇପଡ଼ି କୁହନ୍ତି, ଆଉ କୁଠି କିଛି ମଇଳା ରହିଲା ?

 

ଦାସେ କହନ୍ତି, ମନରେ ।

 

—ଏଁ, ମନରେ ? ତୁମର ନାଁ ମୋର ?

 

—ବୋଧହୁଏ ଉଭୟଙ୍କର ।

 

—ନାଁ, ମୋ ମନରେ ଆଦୌ ନାଇଁ କହି, ଅଧା ଅଧା ହସରେ ରିନାଦେବୀ ଘରୁ ବାହାରି ଯାଆନ୍ତି । ଗଲାବେଳେ କହନ୍ତି, ଟିକିଏ ଡେରି ହେବ, ଅପେକ୍ଷା କରିଥିବେ । ନିଜ ଦେହକୁ ଦେଖି ବିସ୍ମୟ ପ୍ରକାଶ କରି କହନ୍ତି, ଆରେ ଦେହରେ କ’ଣ ବ୍ଲାଉଜ ନାହିଁ ! ଓଃ, ଏଇଥିପାଇଁ ଖାଲି ଦିହକୁ ଦେଖି ତୁମ ବୁକୁଟା ଇମିତି ପଡ଼ୁଚି ଉଠୁଚି ନା । ଭୁଲ ହୋଇଗଲା ବୋଲି ଇମିତି ନିରିଖି ଦେଖିଲେ ଚଳିବ ? ପୁଅପିଲାଗୁଡ଼ାକଙ୍କର ତ ଏଇ ରୋଗ ଗଲାନି । ମାମୁଁ କହୁଥିଲେ ପରା—ପଇସାତ ଦେବା, କୌଣସି ଅଧ୍ୟାପିକା କିମ୍ଵା ଏମ.ଏ. ପାଶ ମହିଳାଙ୍କୁ ଡାକିଲେ ଭଲ ହ’ନ୍ତା । ଇଂରେଜୀରେ ଟିକିଏ ଯାହା ଦୁର୍ବଳ । ପରୀକ୍ଷା ପୂର୍ବରୁ ଦି ତିନିମାସ ପଢ଼େଇ ଦେଲେ ଠିକ୍ ହୋଇଯିବ ।

 

କିନ୍ତୁ ମାଇଁଙ୍କର ଏକାଜିଦ୍—ସେଇ ଦୀନବନ୍ଧୁ ଦାସ । ତୁମ ପଢ଼ାରେ କୁଆଡ଼େ ଝିଅମାନେ ଫେଲ ହେବାକୁ ଥିଲେ ମଧ୍ୟ ପାସ କରିଯାଆନ୍ତି । ଦି ମାସ ହେଲା ତ ପଢ଼େଇଲଣି, କ’ଣ ମୁଁ ଶିଖିଚି ? କୋଉ ବିଷୟରେ ମୋର ଦୁର୍ବଳତା, ନିଜେ ତ ବୁଝିପାରୁ ନାଇଁ ।

 

ଦାସେ କହନ୍ତି, ଯାହା ବା ଦୁର୍ବଳତା ଥିଲା ତାକୁ ଏ ଦି ମାସ ଭିତରେ ତୁମେ ଅତିକ୍ରମ କରିଗଲଣି । ତୁମକୁ ପାଠ ପଢ଼େଇ ପଢ଼େଇ ମୁଁ କାଠ ପାଲଟି ଯାଇଚି ମୂର୍ଚ୍ଚନା । ତୁମକୁ ଦେଖିବାପରେ ଯେଉଁ ଆନନ୍ଦ ପାଉଚି, ଚାଖିବାର ସେ ଆନନ୍ଦ ପାଇବି କି ନା ଜାଣେନା । ମତେ ଖାଲି ଭଲ ଲାଗୁଚି କିନ୍ତୁ ଭଲ ପାଇ ପାରୁନି । ତୁମର ସାନ୍ନିଧ୍ୟ ବହୁଥର ପାଇଚି, କିନ୍ତୁ ମୁଁ କୌଣସି ଚାଞ୍ଚଲ୍ୟ କିଂବା ଅସ୍ଥିରତା ବୋଧ କରିପାରୁନଥିଲି । ମୋର ନିଃସଙ୍ଗତର ଯନ୍ତ୍ରଣା ୟା ମଧ୍ୟରେ ବହୁତ ଉପଶମ କରି ପାରିଚ ତମେ ।

 

ରିନାଦେବୀ କହିଥିଲେ, ଖାଲି ବ୍ଲାଉଜରେ ଠିଆ ହେଲେଣି ବହୁ ସମୟ ଧରି–ବହୁତ ଶୁଣେଇଲଣି ମଧ୍ୟ । ବେସ, ଖାଲି ବ୍ଲାଉଜଟା ପିନ୍ଧ, ଲୁଗାଟା ପାଲଟି ଚାଲିଆସେ । ଚାଲିଯିବାପରେ ପୁଣି ଫେରିଆସି ରିନାଦେବୀ’ କହନ୍ତି, କ’ଣ କିଛି ଖାଇବେ ? ଆପଣ ତ ଦକ୍ଷିଣ ଓଡ଼ିଶାର ଲୋକ । ଦୋଷା, ଇଡ଼ଲି, ଚଟଣି ଛଡ଼ା ଯାହା କହିବେ ଆଣି ଦେଇ ପାରିବି । ଡାଲଡ଼ା ନୁହେଁ, ଖାଣ୍ଟି ଘିଅରେ-। କ’ଣ ଆଣିବି କୁହନ୍ତୁ । ଦାସେ ଚୁପ ରହିବା ଦେଖି ରିନାଦେବୀ କହନ୍ତି, ଆରେ ଡେରି ହୋଇଯାଇଚି ଯେ ଶୀଘ୍ର କୁହନ୍ତୁ ।

 

ଦାସେ କହନ୍ତି, ପାଣି ଗ୍ଲାସେ ଆଉ କପେ କଫି ।

 

—କଫି ? କଫି ହେଇ ପାରିବନି । ଚାହା ?

 

—କଡ଼ା ଚାହା ।

 

—ବେଶ, ସିମିତି ଧଡ଼ଧାଡ଼ କହିଲେ ସୁନା ପିଲା । ଗୁଁ ମାରି ବସିଲେ ଭାରି ରାଗ ଲାଗେ । ଏଇ ଲାଜ ସରମ ହେତୁ ଜାଣ, ଅନେକେ ଭୋକରେ ରହିଯାନ୍ତି ।

 

ୟା ପୂର୍ବରୁ କେତେବେଳେ ଖିଆ ହୋଇଥିଲା ବୋଲି ପଚାରିଥିଲି ରିନାଦେବୀ ।

 

ଏଇ ଟିକକ ପୂର୍ବରୁ ନଟ ଦୋକାନରୁ ବରା, ପିଆଜି, ଗୁଲୁଗୁଲା ଖାଇ ଆସିଚି କହିବାକୁ ଭାରି ସଙ୍କୋଚ ଲାଗିଥିଲା ଦାସଙ୍କୁ । କହିଲେ, ଦିପହର ଖିଆଟା ଟିକିଏ ବେଶି ହେଇଯାଇଚି, ଜୀର୍ଣ୍ଣ ହେଇନି ।

 

—ଏଠୁ ଗଲେ କ’ଣ ଖାଇବେ ?

 

ଭାବିଚି ଆଜି ଆଉ କିଛି ଖାଇବିନି, ଲେଖାଲେଖି ଟିକିଏ ଅଛି, କରିଦେଇ ଶୋଇପଡ଼ିବି-

 

ୟା ପରେ ଆଉ ବେଶି ସମୟ କଥାବାର୍ତ୍ତା କରିପାରି ନଥିଲେ ରିନାଦେବୀ । ହଠାତ୍ ତାଙ୍କର “ଦେହରେ ବ୍ଲାଉଜ ନାହିଁ” କଥା ମନେ ପଡ଼ି ଯାଇଥିଲା । ହଉ...କହି ସେ ଏଥର ଭିତରକୁ ପଶି ଯାଇଥିଲେ... ।

 

ଠିକ୍ ଅଧଘଣ୍ଟାକ ପରେ ଯେଉଁ ରିନାଦେବୀ ଏ ଘରକୁ ଆସିଲେ, ସେ ଦେଖାଯାଉଥିଲେ ଅନ୍ୟ ଜଣେ ପରି । ଦେହର ଚତୁର୍ଦ୍ଦିଗରେ ଆଭରଣ । କିନ୍ତୁ ଏଇ ଅଳ୍ପ କେତେ ସମୟ ପୂର୍ବରୁ ଦାସଙ୍କ ଆଖିରେ ଯେଉଁ ରିନାଦେବୀ ଧରା ଦେଇଥିଲେ, ତାଠୁ ସୁନ୍ଦର ଦେଖାଯାଉ ନ ଥିଲେ ସେ ।

 

ରିନାଦେବୀଙ୍କ ମୁଖମଣ୍ଡଳରେ ଦୀପ୍ତିହୀନ ଗମ୍ଭୀରତା । ଗୋଟିଏ ପ୍ଳେଟରେ କିଛିଟା ଉପମା ଆଉ ଗୋଟିଏ ପ୍ଲେଟ ଉପରେ କଫି କପେ ଧରି ଧୀରେ ଧୀରେ ପଶି ଆସିଲେ ସେ ଭିତରକୁ । ସେତେକ ଟେବୁଲ ଉପରେ ଥୋଇଦେଇ କହିଲେ, ଆପଣ ଏତକ ଖାଆନ୍ତୁ କି ମୁଁ ପାଣି ନେଇ ଆସୁଛି । ...ହୁଏତ ଆସିବାକୁ ଟିକିଏ ଡେରି ହୋଇ ଯାଇପାରେ...ଅପେକ୍ଷା କରିବେନି, ଖାଇଦେବେ...ଏଁ । ନଇଲେ ଥଣ୍ଡା ହେଇଯିବ ।

 

ଦାସେ କହିଥିଲେ—ଉପମା ଖାଇସାରିବା ପରେ କଫି ପିଇ, କିଏ ପାଣି ପିଏନି । ଆଗ ପାଣି ପିଇ ତା ପରେ କଫି ଖିଆଯାଏ ।

 

ଓଃ ! ରିନାଦେବୀ ଭାରି ଲଜ୍ଜିତ ହୋଇ ପଡ଼ିଥିଲେ । ତାହାହେଲେ ସାଙ୍ଗେ ସାଙ୍ଗେ ନେଇ ଆସୁଛି, ଆପଣ ଉପମାତକ ଖାଇପକାନ୍ତୁ ।

 

....ରିନାଦେବୀ ପାଣି ଆଣି ଦାସଙ୍କ ହାତକୁ ବଢ଼େଇବା ମାତ୍ରେ ଦାସେ ଟେବୁଲ ଉପରକୁ ଆଙ୍ଗୁଠି ଦେଖେଇ ଏଇଠି ଥୁଅ ବୋଲି ନିର୍ଦ୍ଦେଶ ଦେଲେ । ରିନାଦେବୀ କିନ୍ତୁ ନଛୋଡ଼ବନ୍ଦା-। କାହିଁକି ମୋ ହାତରୁ ନେଇଗଲେ ଜାତ ଚାଲିଯିବ ? ମୁଁ ବି ବ୍ରାହ୍ମଣ ଘରର ଝିଅ ମ-!

 

ପାଣି ଗ୍ଲାସଟା ନେଉ ନେଉ ଦାସଙ୍କ ଆଙ୍ଗୁଠି ବାଜିଥିଲା ରିନାଦେବୀଙ୍କ ଆଙ୍ଗୁଠିରେ । ରିନାଦେବୀଙ୍କ ଆଖି ଦିଟା ଚିକ୍ ଚିକ୍ କରି ହସିଉଠିଲା । ସେ ଯେମିତି ଦାସଙ୍କ କାନରେ କହିଲେ, ଏଡ଼େ ଲାଜକୁଳା ହେଲେ ଚଳିବ ? ଇମିତି ଆରମ୍ଭ ହୋଇଥାଏ । ଦେହର ବିଦ୍ୟୁତଶକ୍ତିର କରେଣ୍ଟ ଖେଳିଗଲା ଭଳି ଅନୁଭବ କରିଥିଲେ ଦାସେ । ଶୋଷରେ ଦାସଙ୍କ ଗଳା ଶୁଖି ଶୁଖି ଆସୁଥିଲା....ତାଙ୍କ ମନ ଭିତରେ କିଏ ଯେମିତି କହୁଥିଲା, କିଓ ଦାସେ ! ଏଇ ଟିକକରେ ଏତେ ବିପର୍ଯ୍ୟୟ !

 

ଏଡ଼େ ବଡ଼ ଘରଟା–ଛାତ ତଳେ ଏକା ରିନାଦେବୀ ଆଉ ଦୀନବନ୍ଧୁ ଦାସ । ଘର ବାହାରକୁ ଚାଲିଯିବାକୁ ଚେଷ୍ଟା କରିଥିଲେ ସେ, ପାରିନଥିଲେ । ଦାସଙ୍କ ରକ୍ତରେ ଆଜି ପ୍ରଥମେ ଝଡ଼ ସୃଷ୍ଟି କଲେ ରିନାଦେବୀ ।

 

ତା ପରେ ଯେଉଁ ଝଡ଼ଗୁଡ଼ାକ ହୋଇଥିଲା, ସେ ଗୁଡ଼ାକ ଦୀନବନ୍ଧୁ ଦାସଙ୍କ ଆଡ଼ୁ । କେତେବେଳେ ନଦୀ କୂଳରେ, କେତେବେଳେ ଜଙ୍ଗଲ ଭିତରେ, ପିକିନିକ୍ ବେଳେ–ବେଣୀ ଟଣାଟଣି, କଟାକ୍ଷପାତ, ଗପସପ, କବିତା ପାଠ, ଉପନ୍ୟାସ ଡିକ୍ଟେସନରୁ ।

 

ଥରେ ଥରେ ରିନାଦେବୀ ଦାସଙ୍କୁ କହନ୍ତି, ବୟସ ତ ହେଇଗଲାଣି, ବାହା ହଉ ନାହାନ୍ତି-? ମତେ ବାହା ହବାକୁ ଇଚ୍ଛା କି କୁହନ୍ତୁ, ଚେଷ୍ଟା କରିବି ମାମୁଁ ଓ ବାପା, ମାଆଙ୍କୁ ପ୍ରଭାବିତ କରିବାକୁ ।

 

ଦାସେ କହନ୍ତି, ମତେ ବାହାହେଲେ ସୁଖୀ ହେଇପାରିବ ?

 

ରିନାଦେବୀ କହନ୍ତି—ସୁଖ ନଇଲେ ଦୁଃଖ, ସେଇଥିରୁ ଗୋଟେ କିଛି ହବ । ସମସ୍ତେ କ’ଣ ୟାକୁ ବାହାହେଲେ ସୁଖୀ ହେଇପାରିବି ବୋଲି ମନରେ ଗୋଟାଏ ମାଇଲଖୁଣ୍ଟ ପୋତି ବାହାହେଇ ଥାଆନ୍ତି ? ସୁଖ ଦୁଃଖଟା ତ କାହାର ହାତର କଥା ନୁହେଁ । ଜୀବନଟା ତ ସଂଗ୍ରାମ । କିଏ ହାରେ କିଏ ଜିତେ । ସୁଯୋଗ ଦୁର୍ଯୋଗ ନାନା କଥା ରହିଚି ।

 

ତୁଣ୍ଡରେ ସୁନା ଚାମଚ ଧରି ଯିଏ ଜନ୍ମ ହେଇଥାଏ, ସିଏ ତ ପୁଣି ଦାଣ୍ଡରେ ଭିକାରୀ ହେଇ ବୁଲୁଚି । ଏ ଉଦାହରଣ ତ ତୁମେ ଦେଖିଚ, ମୁଁ ଦେଖିଚି...ଦେଖି ଆସୁଚେ ।

 

...“ମତେ ବାହା ହବ କି” ଏଇଟା ଗୋଟାଏ ଆକସ୍ମିକ ଦୁରୂହ ପ୍ରଶ୍ନ ପରି ବୋଧ ହେଇଥିଲା ଦାସଙ୍କୁ । ସଠିକ ଭାବରେ କୌଣସି ଜବାବ ଦେଇପାରି ନଥିଲେ ସେ... ।

 

ଦାସଙ୍କ ଅସ୍ଥିରତାକୁ ଦେଖି ରିନାଦେବୀ କହିଥିଲେ—କହିଦେଲି ବୋଲି ଭାବୁଚ କ’ଣ ମୁଁ ସତେ ତମକୁ ବିବାହ କରିବାପାଇଁ ବ୍ୟଗ୍ର । ମୁଁ ତୁମକୁ ଭିଡ଼ିଧରି ରଖିବାକୁ ଚାହେଁ ନା । ...ତୁମର ଶିକ୍ଷା, ତୁମର ଜାତି ଗୋତ୍ର, ପେଶା, ଚାକିରି ଆଦିକୁ ଦେଖି ମୁଁ ଜଣେ ଯୋଗ୍ୟପାତ୍ର ବାଛିଚି ବୋଲି କହିଲେ, ବାପା ମା ଖୁସିରେ ରାଜି ହେବେ ବୋଲି ଇମିତି ଖାଲି କହୁ କହୁ କହିଦେଲି । ତୁମର ଅନ୍ୟ କୌଣସିଠି ଯଦି ବାହାହେବାର ପ୍ରସ୍ତାବ ଥାଏ, ତାହାହେଲେ ମୁଁ ତାର ପ୍ରତିବନ୍ଧକ ହେବାକୁ ଚାହେଁନା ।

 

ପ୍ରକୃତିରେ ଦାସଙ୍କର ଅନ୍ୟଠି ବାହାହବାର ପ୍ରସ୍ତାବ ପଡ଼ିଥିଲା ଜଣେ ବନ୍ଧୁଙ୍କ ଭଉଣୀଙ୍କୁ-। ଦେଖିବାକୁ ଅବଶ୍ୟ ରିନାଦେବୀଙ୍କଠୁ ସୁନ୍ଦରୀ ନୁହଁ କି ଶିକ୍ଷିତା ନୁହଁ । ବନ୍ଧୁ ଜଣେ ଉଚ୍ଚ ସରକାରୀ ଅଫିସର । ଘରେ ମୁମୂର୍ଷୁ ବୁଢ଼ୀମା । ସାତ ଆଠ ମାସ ତଳେ ବାପାଙ୍କର ଏକ ଜିପ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ବିଧବା ବୁଢ଼ୀମାଙ୍କ କଥାକୁ ଏଡ଼ିଚାଲିବା ବନ୍ଧୁଙ୍କ ପକ୍ଷରେ ସମ୍ଭବ ନୁହେଁ-। ବାପା ମରିଯିବା ଦିନଠୁ ସେ ଲଗେଇଚନ୍ତି—ପରଶୁ, ଚୁନିଟିକି ସେଇ ପିଲାଟି ସହିତ ବାହା କରେଇ ଦେ । ମୋରବା ଆଉ କେଇଦିନ ରହିଲା ?

 

ସେଇ ପିଲାଟି ହେଉଚନ୍ତି ଦାସେ । ବୁଢ଼ୀ ତାଙ୍କୁ ଭାରି ଭଲପାଆନ୍ତି । ପିଲାଦିନୁ ପରଶୁ ଆଉ ଦାସଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ଏକାଠି ପଢ଼ୁଥିଲେ, ଏକାଠି ଖାଉଥିଲେ । ପରୀକ୍ଷା ସମୟରେ ତ ଦାସେ ଆଉ ନିଜ ଘରକୁ ଯାଉ ନଥିଲେ । ମାସ ମାସ ଧରି ଏଇଠି ରହୁଥିଲେ ସେ ।

 

ଚୁନି ଥିଲା ସେତେବେଳେ ଆଠ ଦଶ ବର୍ଷର ଛୁଆ । ଦୀନବନ୍ଧୁ ଦାସଙ୍କ କଥାବାର୍ତ୍ତା, ଚାଲିଚଳଣରୁ ବୁଢ଼ୀ ଠଉରେଇ ନେଇଥିଲେ, ୟା ବୁଦ୍ଧି ଯିମିତି, କେବେହେଲେ ପେଟ ଅପୋଷା ରହିବନି । ବୁଦ୍ଧି ଥିଲେ ନିଧି ଆପେ ଆପେ ଆସେ । ତେଣୁ ସେ ମନେ ମନେ ଚୁନି ପାଇଁ ଏଇ ପିଲାଟିକି ବର ବୋଲି ବାଛି ନେଇଥିଲେ ।

 

...ମାଟ୍ରିକ ପରେ ପରଶୁ ଓ ଦାସେ ପରସ୍ପରଠୁଁ ଅଲଗା ହେଇଗଲେ—କିଏ କୁଆଡ଼େ ଯାଇ ରହିଲେ । ତଥାପି ମଝି ମଝିରେ ଚୁନିକି ଦେଖିବା ଆଶାରେ ଦାସେ ପରଶୁ ଘରକୁ ଆସନ୍ତି । ଚୁନି ପାଇଁ ଆସିଲାବେଳେ ନାନା ରକମର ଜିନିଷ ଧରି ଆସନ୍ତି । ପରଶୁକୁ ଏସବୁ ଭଲ ଲାଗେନା-। କିନ୍ତୁ ମା ଡରରେ ପରଶୁକୁ ଗୃହ ପ୍ରବେଶ ନିଷେଧ ଆଦେଶ ଦେଇପାରେନା ସେ ।

 

ମା ଟିକିଏ ରକ୍ଷଣଶୀଳ । ଚୁନିକି ପାଠ ପଢ଼େଇବା ପାଇଁ, ଟିକିଏ ନାଚଗୀତ ଶିଖେଇବାପାଇଁ ପରଶୁର ଇଚ୍ଛା । ଥରେ ଅଧେ ବୁଢ଼ୀ ପାଖରେ ପରଶୁ ନିଜ ସ୍ତ୍ରୀ ଜରିଆରେ ଏ ପ୍ରସ୍ତାବ ପକେଇଥିଲା । କିନ୍ତୁ ମା ତୁଣ୍ଡରୁ ଯୋ ଜବାବ ପାଇଲା, ସେଥିରେ ସେ ଏକାବେଳକେ ସାବାଡ଼ । ପାଟିବନ୍ଦ । ଚୁନି ସେଇ ଯାହା ଅପରପ୍ରାଇମେରୀ ଯାଏଁ ଗାଁ ସ୍କୁଲରେ ପଢ଼ିଥିଲା, ସେତିକି-

 

ସହରରେ ଅଫିସରଙ୍କ ଘରେ ରହୁଥିଲେ ମଧ୍ୟ ଚୁନି ଦେହରେ ସହରୀହାୱା ବାଜିବାକୁ ଦେଇନଥିଲେ ପରଶୁରାମ ମା । ଗୋଟିଏ ଘରେ ରହିଥିଲେ ମଧ୍ୟ ଏ ମା ପୁଅ ଦୁହେଁ ଅଲଗା ଘରେ ରହିଲାଭଳି ଚଳୁଥିଲେ । ଏ ଭଳି କି ଇଲେକଟ୍ରିକ ଆଲୁଅ ସୁଦ୍ଧା ତାଙ୍କ ଘରକୁ ନେବା ପାଇଁ ପରୁଶୁମା ପରଶୁକୁ ମନା କରିଦେଇଥିଲେ । ସେ ରହୁଥିବା ଘରଟି ଆଗରେ ଗୋଟିଏ ତୁଳସୀ ଚଉରା । ବୁଢ଼ୀ ସଞ୍ଜବେଳେ ଏଇଠି ବଳିତା ଦେଇ ଘଡ଼ିଏ କାଳ ମୁଣ୍ଡିଆ ମାରନ୍ତି ।

 

ରାତି ହେଲେ ଘିଅ ବଳିତା ଲଗେଇ ଚୁନିକି କହନ୍ତି, ମା ଭାଗବତ ପଢ଼ । ଚୁନି ମାଙ୍କ ରୋଷେଇରେ ଦିଓଳି ଅରୁଆ ଖାଏ ।

 

ଏ ପଟ ଘରେ ଡାଇନିଂ ଟେବୁଲ, ପଠାଣ ଖାନସାମାଙ୍କ ରନ୍ଧାପରଶା ଚାଲେ । ପରଶୁରାମ ସ୍ତ୍ରୀଙ୍କୁ ଧରି ଏକାଠି ଚୌକିରେ ବସି ଖାଆନ୍ତି । କୁକୁଡ଼ା ମାଂସ, ଅଣ୍ଡା ନ ହେଲେ ପର୍ଶୁରାମ ଓ ପରଶୁରାମଙ୍କ ସ୍ତ୍ରୀ ନିର୍ମଳାଦେବୀଙ୍କ ହାତ ଚଳେ ନା । କେତେଲୋକ ଯିବାଆସିବା କରନ୍ତି, ଅତିଥି ଅଭ୍ୟର୍ଥନା ଚାଲେ, ଦାଣ୍ଡଘରେ ଥରେ ଥରେ ଗାଉଣା ବାଜଣା ହୁଏ ।

 

ଚୁନିର ଥରେ ଥରେ ଇଚ୍ଛା ହୁଏ, ସେ ଘରକୁ ଯାଇ ଦେଖି ଆସିବାପାଇଁ । ଭାଇ, ଭାଉଜଙ୍କ ସାଥିରେ ମଟରରେ ବୁଲାବୁଲି କରିବାପାଇଁ, ଶୀତଦିନ ସଞ୍ଜବେଳେ ଭାଇଭାଉଜଙ୍କ ସାଙ୍ଗରେ ବାଡ଼ିଆଡ଼େ ବ୍ୟାଡମିନଟନ ଖେଳିବାପାଇଁ । କିନ୍ତୁ ମାଙ୍କ କଡ଼ା ନଜରରେ ସେ ସବୁ ହେଇପାରେନା ।

 

ସଞ୍ଜହେଲେ ସେଇ ଭାଗବତ ପଢ଼ା—ଶୁଣ ପରୀକ୍ଷ ନରନାଥ, କୃଷ୍ଣଚରିତ ଭାଗବତ ।

 

କାର୍ତ୍ତିକମାସ ‘ଆସିଲେ ମା ପୁରୀକି ଯାଆନ୍ତି ହବିଷ କରିବା ପାଇଁ । ଥରେ ଚୁନିକି ଘରେ ଛାଡ଼ି ଯାଇଥିଲେ । ଆସିଲାବେଳକୁ ଦେଖିଲେ—ଚୁନି ବସି ଭାଇଭାଉଜଙ୍କ ସାଥିରେ ତାସ ଖେଳୁଚି । ପୁଅକୁ ତ କିଛି କହି ପାରନ୍ତିନି । ଚୁନି ଉପରେ ରାଗ ଯେ କହିଲେ ନ ସରେ । ବୋହୂକୁ କହନ୍ତି, ମୁଁ ମରିଗଲେ, ମୋ ଚୁନିକି ଚୁଲିରେ ମୁହିଁଦବ ପଛେ, ଜିଇଁଥିବା ଯାକ, ମୋ ଆଖିରେ ଏସବୁ ପଧିମ ଦେଖାଅନି ।

 

...ସେଦିନ ଏକଜିଦ୍ ଧରି ବସିଲେ ପରଶୁମ । ନୂଆପାଞ୍ଜିରେ ମାଘ ମାସରେ ତିଥିଅଛି । ଦୀନବନ୍ଧୁକୁ ଡାକି ନିର୍ବନ୍ଧଟା କରିଦେ ପରଶୁ । ପରଶୁ ଅନିଚ୍ଛାସତ୍ୱେ ଦୀନବନ୍ଧୁଙ୍କୁ ନିଜର ପରମ ବନ୍ଧୁର ସଂବର୍ଦ୍ଧନା ଜଣାଇ ଯିବାଆସିବା ବାଟଖର୍ଚ୍ଚ ଦେଇ ଡାକି ଆଣିଥିଲା ।

 

...ଦୀନବନ୍ଧୁ ପରଶୁକୁ କହିଥିଲା, ନା ଭାଇ, ନିର୍ବନ୍ଧ ଫିର୍ବନ୍ଧ କିଛି ଦରକାର ନାହିଁ । ଚୁନିକି ନିଶ୍ଚୟ ବାହାହେବି, ତୋ ମା’କୁ କଥା ଦେଇଛି ଯେତେବେଳେ, କଥାକୁ ତ ଫେରାଇ ନେଇଯିବିନି ।

 

ଜଣେ ପୁରୁଖା ଅଭିଭାବକଙ୍କ ଭଳି ପରଶୁ ଲୋକାଚାର, ହିନ୍ଦୁଧର୍ମର ନୀତିନିୟମ ବଖାଣି, ମାଙ୍କୁ ଡକେଇ ସେଦିନ ନିର୍ବନ୍ଧ ଘରଟା ନ କରେଇ ଛାଡ଼ିନଥିଲା ।

 

ଏଇ ନିର୍ବନ୍ଧହିଁ ବାଧା ଦେଉଥିଲା ଦାସଙ୍କୁ । ତେଣୁ ସେ ରିନାଦେବୀଙ୍କ ରୋକଠୋକ ପ୍ରଶ୍ନର ଉତ୍ତର ସାଙ୍ଗେ ସାଙ୍ଗେ ଦେଇପାରି ନଥିଲେ ।

 

XXX ଦାସଙ୍କ ଭାଇଭଉଣୀ, ମାମୁଁମାଇଁ ବୋଲି ଲେଖା ହେଉ ବା ଯୋଖା ହେଉ ଯେତେଜଣ ବନ୍ଧୁବାନ୍ଧବ (ସ୍ୱକୁଟୁମ୍ବ ନୁହନ୍ତି) ଥିଲେ, ସେମାନେ ସବୁବେଳେ ଲଗେଇଲେ, କିରେ ଦୀନୁ, ବାହା ବଅସ ଗଡ଼ବା ଉପରେ । ବାହା ନ ହୋଇ ଆଉ କେତେଦିନ ରହିବୁ ? ଦାସଙ୍କ ମୌନତାକୁ ସମ୍ମତିର ଲକ୍ଷଣ ବୋଲି ସେମାନେ ଭାବନ୍ତି । ଏଇ ବନ୍ଧୁବାନ୍ଧବଙ୍କ ଘରେ ଅନେକ ଅଭିଆଡ଼ି ଝିଅ ଥାଆନ୍ତି । ତେଣୁ ପ୍ରସ୍ତାବ ଦେଲାବେଳେ, ଅମୂକଙ୍କ ଝିଅଟି ଦେଖିବାକୁ ସୁନ୍ଦର, ପାଠ ବି ପଢ଼ିଚି, ଜମିବାଡ଼ି ସବୁ ଦେବେ ବୋଲି କୁହନ୍ତି—

 

ଯୌତୁକ ନାଁ ଧରିଲେ ଦାସଙ୍କ ମନରେ ଘୃଣାଭାବ ଜନ୍ମେ । ତାଙ୍କ ମୌନତା ଭାଙ୍ଗିଯାଏ...ନାହିଁ କରି ଦିଅନ୍ତି ।

 

ଚୁନିକି ବାହାହବା ପ୍ରସ୍ତାବ କଥା କେବଳ ଚୁନିର ଜଣେ ମାମୁଁ ଲେଖା ବ୍ୟକ୍ତି ଯିଏ କି ଦାସଙ୍କର ମଧ୍ୟ ଲେଖାରେ ଭିଣୋଇ, ସେଇ ଜାଣି ଥାଆନ୍ତି । ସେ କେବଳ ଚୁନି ଚୁନି ହୋଇ ଦାସଙ୍କ ଆଗରେ, ଦାସେ ନ ଜାଣିଥିଲା ପରି ନାନା କଥା ବଖାଣନ୍ତି ।

 

ସେଇ ବ୍ୟକ୍ତିହିଁ ଦିନେ ଅର୍ଥାତ୍ ଚୁନିର ବାହାଘର ହେବାର ବୋଧହୁଏ ଆଠଦିନ ପୂର୍ବରୁ ଆସି ଦାସଙ୍କୁ କହିଲେ, ବୁଝିଲୁ ଦିନୁ, ପରଶୁଟାର ମୁଣ୍ଡ ପାଗଳା ହୋଇଗଲା । ତୋ ନିର୍ବନ୍ଧ ଭାଙ୍ଗି ଜଣେ ଓଭରସିଅର ସାଥିରେ ଚୁନିକୁ ଛନ୍ଦିବାକୁ ବସିଲାଣି ।

 

...ସେଇଦିନ ହିଁ ଦାସେ ଚିଠି ଲେଖିଲେ ରିନା ପାଖକୁ । ମୂର୍ଚ୍ଛନା, ମୁଁ ତମକୁ ବାହାହେବାକୁ ପ୍ରସ୍ତୁତ । ଜୁନ ୨୧ ତାରିଖ ଦିନ ମୁଁ ଯିବି, ତୁମକୁ ନେଇଆସିବି । ହୋମ ଫୋମ କ୍ରୀୟାପ୍ରକ୍ରିୟା ସହିତ ଆମର କୌଣସି ସଂପର୍କ ନାଇଁ । ପ୍ରଗତିଶୀଳ ଦୁନିଆରେ ଏଗୁଡ଼ାକ ଅନ୍ଧବିଶ୍ୱାସ ।

 

ଠିକ ସେଇଦିନ କରି ଦାସେ ପହଞ୍ଚିଲେ ରିନା ପାଖରେ । ରିନା ଥିଲା, ଉତ୍ତର ଓଡ଼ିଶାର କୌଣସି ଏକ ସହରରେ ।

 

ଶହେଟି ଟଙ୍କାର ଶହେ ଜଣକିଆ ଗୋଟିଏ ଚାହା ଭୋଜି, ବିଶିଷ୍ଟ ବ୍ୟକ୍ତିଙ୍କର ଆଶୀର୍ବାଦ, ନାଚ ଗୀତ ତାମସା ମଧ୍ୟରେ ଦାସେ ବାହା ହୋଇଥିଲେ ରିନାଦେବୀଙ୍କୁ ।

 

ସେଇ ତଥାକଥିତ ଭିଣୋଇଙ୍କ ଛଡ଼ା ସେଦିନ ଟିପାର୍ଟି ସାରି ଦାସଙ୍କର ସମସ୍ତ ବନ୍ଧୁ ଯୋଗ ଦେଇଥିଲେ । ଶଳା ଓ ଶଳା ଭାଉଜ ଟିପାର୍ଟି ସାରି ଆସିଲେ କୁଉଠି ରହିବେ, ଖଟରେ ଶୋଇବେ କି ତଳେ ଶୋଇବେ, ସେଇ କଥାହିଁ ଭାବୁଥିଲେ । ହାତରେ ପଇସା ନ ଥିଲା ବୋଲି ଧାର କରି ଗୋଟିଏ ଦଶଟଙ୍କିଆ ଘର (ଛାତ ଥିବା ଘର) ଉଡ଼ା ନେଇଥିଲେ । ମାୟାଧର ବଢ଼େଇଠୁ ଦିଟା ଛୋଟ ଛୋଟ ଖଟ ଆଣି ସେ ଘରେ ପକେଇଥିଲେ ।

 

ଟିପାର୍ଟି ଭାଙ୍ଗିବାପରେ ରିନାଦେବୀଙ୍କୁ ଧରି ରିକ୍ସାରେ ବସିବା ପର୍ଯ୍ୟନ୍ତ, କୁଉଠିକି ଯିବେ, କୁଉଠି ରହିବେ, ଦାସଙ୍କ ମୁଣ୍ଡରେ ସେ ଭାବନା ନଥିଲା । ଏ ପର୍ଯ୍ୟନ୍ତ ସେ ଅଫିସଘର ବାରଣ୍ଡାରେ ହିଁ ଶୋଉଥିଲେ; ହୋଟେଲରେ, ମେସରେ ଖାଉଥିଲେ ।

 

ରିକ୍ସାରେ ବସିବା ପରେ ରିନାଦେବୀ ପଚାରିଥିଲେ, କ’ଣ ଧର୍ମଶାଳାକୁ ଯିବା ?

 

ଦାସେ କ’ଣ କିଛି କହିବାକୁ ଯାଉଥିଲେ, ଭିଣୋଇ କହିଲେ, କାହିଁକି ଆମର କ’ଣ ଘର ନାଇଁ ?

 

ରିକ୍ସା ବାଲାକୁ କହିଲେ—ଚଲାରେ, କେନାଲ କୂଳ ବଡ଼ ସାହିକୁ ଚଲା ।

 

ଦାସେ କ’ଣ ପଚାରିବାକୁ ଯାଉ ଯାଉ ଭିଣୋଇ କହିଲେ, ଚୁପକର ଦିନୁ । ମୁଁ ଯାହା କରୁଚି, ଠିକ୍ କରୁଚି । ତା’ ସଙ୍ଗେ ସଙ୍ଗେ କହିଲେ, କାଲି ଚୁନିର ବାହାଘର । ପରଶୁ ତୁମ ଦିହିଁକି ନିମନ୍ତ୍ରଣ କରିଚି, ତୁ ଯା ନ ଯା—ମୁଁ କିନ୍ତୁ ଶଳାଭାଉଜଙ୍କୁ ନେଇଯିବି ।

 

ଦାସେ କହିଥିଲେ—ସେଥିରେ କ’ଣ ଅଛି, ପରଶୁ ନିମନ୍ତ୍ରଣ ଯେତେବେଳେ କରିଚି, ମୁଁ ବି ଯିବି । ଚୁନିକୁ ମୋ ସହିତ ବାହା ଦେଲାନି ବୋଲି କ’ଣ ମୁଁ ଅଭିଆଡ଼ି ରହିଗଲି ନା ଚୁନିଠୁ ଖରାପ ପାତ୍ରୀକୁ ମୁଁ ପାଇଲି ? ପରଶୁର ଇଚ୍ଛା ହେଲା ନାଇଁ, ତା’ ବୋଲି ତ ମୁଁ ତା’ର ଶତ୍ରୁ ନୁହେଁ କି ମୋର ସେ ଶତ୍ରୁ ନୁହେଁ । ଦୁହେଁ ପରସ୍ପର ବନ୍ଧୁ । ମୁଁ ଖାଲି ଜାଣିବାକୁ ଚାହେଁ, ଚୁନି ମା ଏ ବାହାଘରେ ଖୁସି କି ନା ? ସେ ଏଇ ବାହାଘରେ ଉପସ୍ଥିତ ଅଛନ୍ତି କି ନା ?

 

ଭିଣୋଇ କହିଥିଲେ, ପରଶୁ ଯାହା କଲାନା, ରୀନା ଆମର ଅମଙ୍ଗ ହେବାପାଇଁ ବାଟ ନ ଥିଲା-

 

ଠିକ ଅଛି କହି ତା’ପରେ ଦାସେ ରିନାଦେବୀଙ୍କ ସହିତ କଥାବାର୍ତ୍ତା କରିଥିଲେ ।

 

ଭିଣୋଇ ଘର ଦେଖେଇ ଦେଇ ତାଲା ଫିଟେଇ ଘରେ ଆଲୁଅ ଲଗେଇଦେଇ କହିଥିଲେ, ଏଥର ହଳକ ଆସ । ଏଇ ହେଲା ତୁମର ଆବାସସ୍ଥଳ । ମୁଁ ଯାଉଚି, କାଲି ଚାରିଟାବେଳେ ଆସିବି ।

 

ତା’ ଆରଦିନ ବଡ଼ିଭୋରରୁ ଦାସେ କବାଟ ଖୋଲି ଚାରିଆଡ଼କୁ ଚାହିଁଥିଲେ । ଦାଣ୍ଡରେ ଗୁଡ଼ାଏ ମାଇପି ।

 

ଏ ଘରକୁ ଲକ୍ଷ୍ୟ କରି ଟୁପୁରୁ ଟାପର ହେଉଥିଲେ । କାହା ତୁଣ୍ଡରେ—ନୂଆ ହେଇ ବାହାହେଇ ଆସିଚନ୍ତି, କାହା ତୁଣ୍ଡରେ ନୂଆ ବାହାହେଲା ଭଳି ତ ଦେଖାଯାଉ ନାହାନ୍ତି, ଆଉ କୁଠି ବୋଧେ ଚାକିରି କରୁଥିଲେ, ଏବେ ବଦଳି ହୋଇ ଆସିଚନ୍ତି, ମରଦଟି ପତଳାକୁ ଇସ୍ତ୍ରୀଟି ବି ପତଳା, ବେଶ ସାଜୁଚି; ଆଉ କାହା କାହା ମୁହଁରେ—ନାଇଁଲୋ ଶଶିବୋଉ, ହଳୁଟା ଭାଇଭଉଣୀ......ଇମିତ ନାନାକଥା ଶୁଣିଥିଲେ ସେ ।

 

ଠିକ ଏଠିକି ଆସିବାର ତୃତୀୟ ଦିନ ରାତିଗାଡ଼ିରେ ସେମାନେ ବାହାରିଲେ ହନିମୁନ ପାଇଁ ଗୋପାଳପୁରକୁ ।

 

ଗୋପାଳପୁରଠୁ ଦାସଙ୍କ ନିଜ ଗାଁ ବୋଲି ଯେଉଁ ଗାଁଟି ବଣ ଜଙ୍ଗଲର ଘେର ଭିତରେ ଥିଲା, ସିଠିକି ସେମାନେ ବାହାରି ଥିଲେ । ଟାକ୍ସି ସେ ରାସ୍ତାରେ ଯାଇପାରିନଥିଲା । ଶଗଡ଼ଗାଡ଼ି ଭଡ଼ା କରି ସେମାନେ ଦୁର୍ଗମ ରାସ୍ତାକୁ ପାରି ହୋଇଥିଲେ । ଶଗଡ଼କୁ ଯେଉଁ ଜନ୍ତୁ ଦିଓଟି ଟାଣୁଥିଲେ, ସେଗୁଡ଼ାକ ଗୋରୁ ନୁହଁନ୍ତି, ପୋଢ଼ । ଏଡ଼େଟାମାନ ସିଂଘ । ରିନାଦେବୀ ପ୍ରଥମେ ୟାଙ୍କୁ ଦେଖି ଚମକି ପଡ଼ିଥିଲେ । ଏଗୁଡ଼ାକ କ’ଣ, ପ୍ରଶ୍ନର ଉତ୍ତର ଦେଇ ଦାସେ “ମହିଷାସୁର ମର୍ଦ୍ଦିନୀ ମା ଦୁର୍ଗା”ଙ୍କ କଥା କହିଥିଲେ ଏ ଯେଉଁ ମହିଷମାନଙ୍କ ଅସୁର, ସେଇ ମହିଷ ଜାତୀୟ ଏଇ ଜନ୍ତୁ । ମହିଁଷି ପୁଂଲିଙ୍ଗରେ ପୋଢ଼ । ରିନାଦେବୀ ମା ଦୁର୍ଗାଭଳି ଶଗଡ଼ ଗାଡ଼ି ଭିତରେ ବସି ପାହାଡ଼ପର୍ବତର ସବୁଜ ଶିରା ଉପଭୋଗ କରୁଥିଲେ ।

 

......ଶାଶୁଘର ଗାଁରେ ରିନାଦେବୀ ରହିଥିଲେ ମାତ୍ର ଦୁଇଟି ଦିନ । ଆସୁ ଆସୁ ପଡ଼ିଶା ଘର ଟଭି ଗଉଡ଼ୁଣି, ହେଇତିଲୋ ଦୀନାର ମାଇକିନିଆଁ କହି ଗୋଠୁଟେ ମାଇକିନିଆଁଙ୍କୁ କୋଡ଼ିରେ ମାଟି ରାଂପି ଆଣିଲାଭଳି ରାଂପି ଆଣିଥିଲା । ରିନାଙ୍କ ହାତ, ଗୋଡ଼, ନାକ, କାନକୁ ଦେଖି ସମସ୍ତଙ୍କ ତୁଣ୍ଡରୁ ଶୁଣା ଯାଇଥିଲା...ଆଲୋ କିଛି ନାଇଁ ଲୋ । କାନ ଲଙ୍ଗଳା, ବେକ ପୁଙ୍ଗୁଳା, ନାକ କଥା ତ ଛାଡ଼......ହଇରେ ଦିନା । ଇଏ କି ମାଇକିନିଆଁ କିରେ ?

 

ବୋହୂକୁ ଦେଖି ଶାଶୁଙ୍କର ବୁକୁ କୁଣ୍ଢେ ମୋଟ । ପୁଅ ବାହାଘରକୁ ନ ଡାକୁ ପଛେ, ବାହାହେଲା, ବୋହୂଟିଏ ବୋଲି ଘରକୁ ଆସିଲା, ସେତିକି ତାଙ୍କଠି ଅଧିକ ।

 

ଭାଉଜ ବୋଲି ଡାକିବା ଝିଏ ଆସି, ରିନାଦେବୀଙ୍କ ପାଖରେ ଘେରି ବସିଲେ । ସଙ୍ଗାତ ମଇତର ଘର ପିଲାମାନଙ୍କ ଆଦର କହିଲେ ନ ସରେ । କିଏ ଡାକିଲା ମାଇଁ, କିଏ ଡାକିଲା ଖୁଡ଼ି । ଭାଉଜ ଡାକଟା କିନ୍ତୁ ବେଶି । ମଝିରେ ବୁ ଦେଈ ଘର ଭାମାଟା ଥାଇ ଟିକିଏ ଟିକିଏ ଥଟ୍ଟା ଟାପରା କରି କହେ, ଇଏ କିସ ବା, ବୋହୂଟା ନୁକୁନି । ମୁଣ୍ଡରେ ପଣତ ଦଉନି ।

 

ସିଏ ଶାଶୁଘରୁ ପ୍ରଥମ ପାଳିରେ ବାପଘରକୁ ଫେରିଥାଏ । ତେଣୁ ତା ଅନୁଭୂତିଟା ସଜ-। ଶାଶୁଘରକୁ ଗଲାବେଳେ ସେ ତା ମା ଖୁଡ଼ୀଠୁ ଏଇ ପଣତଦିଆ, ନ ଦିଆ ଲାଗି କେତେ ଗାଳିମାଡ଼ ଖାଇଚି । ବହୁଦିନ ଧରି ଟ୍ରେନିଂ ନବାକୁ ପଡ଼ିଥିଲା ତାକୁ । କାନରେ ଝୁଂପି, ଗୋଡ଼କୁ ପାଞ୍ଜୁ, ନାକରେ ଦିଇ ଦିଇଟା ଡିମ୍ବ, ଆଙ୍ଗୁଠିରେ ମୁଦି ପିନ୍ଧି ଯାଇ ମଧ୍ୟ ଶାଶୁଙ୍କଠାରୁ ଏତେ ବାହୁନା-। ଆଉ ଏ ଦିନାଭାଇନା କନିଆଁ...ବୋହୂ ଭଳି କ’ଣ ଦେଖାଯାଉଚି ?

 

ବୋହୂକୁ ଦେଖି ଶାଶୁ ଭାବୁଥିଲେ ସତେ କି ଲକ୍ଷ୍ମୀ ଠାକୁରାଣୀ ଆସିଚନ୍ତି । ଶ୍ଵଶୁରତ ଖାଲି ଦୋକାନ ହାଟକୁ ଦଉଡ଼ି ଦଉଡ଼ି ନାକେଦମ । ମାତ୍ର ଦିଟି ଦିନ । ଆଉ ତିନି ଚାରି ଦିନ ରହିଲେ ସଂସାରରେ ଯେତେ ପିଠାପଣା ଅଛି, ସବୁ ଯିମିତି କରି ପୁଅବୋହୂଙ୍କ ମେଣ୍ଢେଇ ଦିଅନ୍ତେ-। ଆରିଷା, କାକରା, ଲଡ଼ୁ, ମୁଗପୁଳିଠାରୁ ଆରମ୍ଭକରି ଅତୁଟେଇ ଚକୁଳି ପର୍ଯ୍ୟନ୍ତ ସବୁ ପିଠାପଣା କରିଦେବାକୁ ଶାଶୁ ଶ୍ଵଶୁରଙ୍କ ଇଚ୍ଛା ।

 

ରାମ କେଉଟକୁ ଶ୍ୱଶୁର ଡାକି କହିନ୍ତି, ଭାଇ । ଟିକିଏ ପୋଖରୀରେ ଜାଲଟା ନେଇ ପକାନ୍ତୁ, ମାଛ ଦିଟା ହେଲେ ତୁଣ୍ଡରେ ଲଗାନ୍ତେ ।

 

ଦୀନବନ୍ଧୁ ଦାସଙ୍କ ନାଁ ଶୁଣିଲେ ଗାଁର ଯେ କୌଣସି ଲୋକଙ୍କର ତୁଣ୍ଡରୁ କେଉଁ କଥାରେ ହେଲେ ନାହିଁ ଶବ୍ଦ ବାହାରେନି । ତେଣୁ ରାମ କେଉଟର ଯେତେ କାମ ଥିଲେ ମଧ୍ୟ ନାହିଁ କରେନା-। ଜାଲ ଧରି ପୋଖରୀକୁ ବାହାରେ ।

 

କିଏ ପରିବା ଦିଏ, କିଏ ଶାଗ ଦିଏ, କିଏ ବା ଦୁଧ, ଘିଅ ଟିକିଏ ଦେଇଯାଆନ୍ତି ।

 

ଦାସେ ଆଉ ରିନାଦେବୀ ଦାଣ୍ଡରେ ଏକା ସାଙ୍ଗରେ ବାହାରିଲେ, ପୁରୁଷମାନେ ଲାଜରେ ଘର ଭିତରେ ପଶିଯାଆନ୍ତି । ନଇଲେ ଦଶବାର ହାତ ଦୂରରେ ଆଡ଼େଇ ହେଇ ଠିଆ ହୁଅନ୍ତି । କିଏ କିଏ ଆଖି ବୁଜି ଦିଅନ୍ତି । ରିନାଦେବୀ ତାଙ୍କ ବାଟ ଦେଇ କିଛି ବାଟ ଚାଲିଗଲା ପରେ, ଆଖିକି ଫିଟେଇ, କଣେଇ କଣେଇ ଚାହାଁନ୍ତି ।

 

ଆଜି ସବୁ କଥା ମନେପଡ଼ୁଚି ରିନାଦେବୀଙ୍କର । ଏକଥା ବି ମନେ ପଡ଼ୁଚି, ଠିକ ଆସିବାଦିନ ପାବନା କନ୍ଧର ସ୍ତ୍ରୀ ଆସି କହିଲା, ନାଇଁ ଗୋସେଇଁ, ମୋ ଘରକୁ ବୋହୂ ନ ଗଲେ ଛାଡ଼ିବିନି । ମୋ ଘରେ କିଛି ନ ଖାଅ ପଛେ, ଚାଉଳ ଭଜା ରାଶି ଭଜା ଖଣ୍ଡେ ଖାଇଯିବେ । ମୋ ଲାଗି ସେତକ ସରଗଠୁ ବଳି ।

 

ବର୍ଷକ ପରେ ରିନାଦେବୀଙ୍କ କାନରେ ଥିବା ଝୁ°ପିର ଝରାଗୁଡ଼ିକ ଗୋଟିକ ପରେ ଗୋଟିଏ ଛିଣ୍ଡି କଉଠି କିମିତି ପଡ଼ିଗଲା ଭଳି, ରିନାଦେବୀ ଜୀବନର ଛନ୍ଦ ସେହିଭଳି ହରେଇ ବସନ୍ତା । ତାଙ୍କ ବକ୍ଷଜର ବର୍ତ୍ତୁଳତା, ବାହୁଯୁଗର ବଳୟ, ନିତମ୍ବ ଦୋଳନର ଆକର୍ଷଣ, ନେତ୍ରାନ୍ତର କଟାକ୍ଷ ସବୁ ଯିମିତି ମନେହୁଏ ସେ କ୍ରମେ କ୍ରମେ ହରେଇ ବସୁଚନ୍ତି ।

 

ରତନି ବୋଉଠୁ ଆରମ୍ଭ କରି ସାଇପଡ଼ିଶା ସମସ୍ତେ ଆସି କହନ୍ତି, କିଲୋ ସୁନି, କ’ଣ ତୋର ହାଡ଼ ଦେଖାଗଲାଣି । ଖାଉନୁ କି ?

 

ରିନାଦେବୀ ମନର ବେଦନାକୁ ମନରେ ଲୁଚେଇ କଥାକୁ ବାଆଁରେଇ କହନ୍ତି, ମାସେ ହେଲା ଝାଡ଼ା ହେଉଚି ନାନୀ, ଯେତେ ଔଷଧ ଖାଇଲେ ବନ୍ଦ ହେଉନି । ଝାଡ଼ା ନାଁ ଧରିଲେ, ଝଡ଼ି ଯିବାର କାରଣ ଯଥେଷ୍ଟ ଅଛି ବୋଲି ରତନି ବୋଉ ହେରିକା ଆଉ କିଛି ନ ପଚାରି କହନ୍ତି, ହଁ ଲୋ ମା, ମଳ ଗଲେ ବଳ ଯାଏ । ଡାକ୍ତରୀ ଔଷଧ ଖାଆନା ବୋହୂ, ସିଥିରେ କିଛି ହବନି । ଆମ ଦେଶୀ ଅଉଷଧକୁ ଧର । ଚୂଡ଼ା କଦଳି କରି ଦି ଦିନ ଖାଇଲୁ ଦେଖି ଝାଡ଼ା ବନ୍ଦ ହବନି ? ବାପା ଯିଏ ସିଏ ବନ୍ଦ ହବ । ନଇଲେ ବୋହୂ, ଗୋଟିଏ କାମକର । କଞ୍ଚା କଷିବେଲକୁ ଆଣି ପୋଡ଼ି ତାକୁ ପାଣିରେ ଗୋଳେଇ ପିଇ ଦେ କି ସବୁ ବନ୍ଦ । ସନେଇ ବୋଉ କହନ୍ତି, ନା ମ ଖୁଡ଼ୀ, ମତେ ବି ଇମିତିବା ହେଉଥିଲା । ତା’ ବାପା ଆଣିକି ଦିଟା ବଟିକା ଦେଲେ କେଜାଣି, ତା ଆର ଦିନକୁ କିଛି ନାଇଁ । ଆଜି ଆସନ୍ତୁ, ତାଙ୍କୁ ପଚାରିବି ।

 

କିଏ ଗିନା, କିଏ ତେଲ ଶିଶି ଧରି ଆସିଥାଆନ୍ତି । ରିନାଦେବୀଙ୍କ ଦେହର ଅବସ୍ଥା ଦେଖି, ମାଗିବାଟା ଅସୁନ୍ଦର ହବ ବୋଲି ଭାବି ଫେରି ଯାଆନ୍ତି ।

 

ଇତିମଧ୍ୟରେ ରିନାଦେବୀଙ୍କ ଗାଁ ଆଡ଼ର ଜଣେ ଲୋକ, ରିନାଦେବୀ ଯାହାକୁ କକା ବୋଲି ଡାକନ୍ତି, ସେ ଆସିଥିଲେ । ମୂର୍ଚ୍ଛାନାକୁ ଦେଖି ସେ ବିସ୍ମିତ ହୋଇଉଠିଲେ । ଦୀନବନ୍ଧୁ ଦାସଙ୍କ ଆଗରେ ଆରମ୍ଭ କଲେ ରିନାଦେବୀଙ୍କ ପିଲାଦିନର ସ୍ୱାସ୍ଥ୍ୟ କଥା । ତାକୁ ଯେବେଳେକେ ପାଞ୍ଚବର୍ଷ, ଦେହଟା ତାର ଏଡ଼େ ମୋଟା ଦେଖାଯାଉଥିଲା । ତା ବୁଢ଼ାବାପା ତାକୁ କହୁଥିଲେ, ରାଣ୍ଡି କି ଓଜନ ହେଇଚି କିରେ । ଏଡ଼େ ଏଡ଼େ ହାତ, ଏଡ଼ଟାମାନ ଗୋଡ଼ । ବାହାହେଲା ବେଳକୁ ଦିହ କିମିତି ଥିଲା କହି ପାରିବିନି, ଆଠବର୍ଷ ହେଲା ତାକୁ ଦେଖି ନ ଥିଲା । ଆଠବର୍ଷ ତଳେ କିନ୍ତୁ ଇଏତ ବେଶ ମୋଟା ଥିଲା ।

 

ଦାସେ କହନ୍ତି, ଉପରଟା ମୋଟା ପତଳାରେ କିଛି ଯାଏ ଆସେନା, ଭିତରର ଶକ୍ତି ଯାହାକୁ କହନ୍ତି ସେଇ “ଭାଇଟାଲିଟି” ଥିଲେ ଗଲା । ଘରେ ଖାଇବାର ତ ଊଣାନାହିଁ । ଧଡ଼କିନି ଟଂଗା ହେଇଥିବା ଖାଦ୍ୟପେୟରେ ରୁଟିନ୍‍ଟାକୁ ଦେଖେଇ ଦିଅନ୍ତି । ଏଇ ଦେଖନ୍ତୁ ଏଥିରେ ଆଇରନ୍, ଏଥିରେ କାଲସିୟମ୍, ଏଥିରେ ଚର୍ବି, ଏଥିରେ ପ୍ରୋଟିନ୍ । କ’ଣ ନ ଅଛି, ସବୁ ଅଛି । ଘରକୁ ସବୁ ତ ଆସୁଛି । ଆପଣ ତାକୁ ନିଜେ ପଚାରୁ ନାହାନ୍ତି । ସବୁ ରନ୍ଧାବଢ଼ା କରି ନିଜେ ଦିଅନ୍ତି ସେ । ପରକୁ ଖୁଆଇ, ନିଜେ ଖାଏ ନା, ତା ଭଳି ମୃର୍ଖ ଦୁନିଆଁରେ ନାଇଁ । ତୁମ ମୂର୍ଚ୍ଛନା ତ ଅଶିକ୍ଷିତା ନୁହନ୍ତିଁ, ସୁଶକ୍ଷିତା । ଶିକ୍ଷିତ ବାପମାଆଙ୍କ ପାଖରେ ବଢ଼ି ଆସିଚନ୍ତି । ସ୍କୁଲରେ ଡୋମେଷ୍ଟିକ୍ ସାଏନ୍‍ସ (ଗୃହବିଜ୍ଞାନ) ବିଷୟରେ ଭଲ ନମ୍ବର ରଖିଥିଲେ ବୋଲି ସିଏ ନିଜେ ସାଙ୍ଗ ପିଲାଙ୍କ ଆଗରେ କହିବାର ଶୁଣିଚି । ତଥାପି ଯଦି ନିଜ ଶରୀରକୁ ନିଜେ ନ ଗଢ଼ନ୍ତି, ସେଥିରେ ମୋର ଦୋଷ କ’ଣ ?

 

କକାଲେଖା ବ୍ୟକ୍ତିଜଣକ ଏ ସବୁ ହିସାବ କିତାବର ଫର୍ଦ୍ଦ ପଢ଼ି ସାରିବାପରେ, ଆଉ କୈଣସି ଯୁକ୍ତି ନକରି, ଜଳବାୟୁକୁ ଦୋଷ ଦେଇ କହନ୍ତି, “କେବଳ ମୂର୍ଚ୍ଛନା ନୁହେଁ ଦାସବାବୁ, ଆମ ଆଡ଼ର ଯେତେ ଝିଅ ଇଆଡ଼ିକି ଆସିଚନ୍ତି, ବର୍ଷେ ଦିବର୍ଷ ପରେ କାହିଁକି କେଜାଣି ଇମିତି ହେଇ ଯାଉଚନ୍ତି । ଏଠା ପଣିରେ ସେମାନଙ୍କର କିଛି ଜୀର୍ଣ୍ଣ ହେଉନି ।” ମୂର୍ଚ୍ଛନାକୁ ଲକ୍ଷ୍ୟ କରି କହନ୍ତି—ମୂର୍ଚ୍ଛନା, ତୁ ଆଜିଠୁ ଗୋଟେ କାମ କର । ପ୍ରତିଦିନ ଡେକ୍‍ଚିଏ ପାଣି ଗରମ କରି ତାକୁ ସୁରେଇ ଭିତରେ ରଖି ଦେଉଥିବୁ । ସେଇଥିରୁ ମନ୍ଦେ ମନ୍ଦେ ଖାଇ ସାରିଲେ ପିଉଥିବୁ । କିଛି ଦିନ ଇମିତି କରତ ଦେଖି...ମୁଁ ଭାବୁଚି ତା ପରେ ତୋର ଜୀର୍ଣ୍ଣଶକ୍ତି ବଢ଼ିବା । ଯାହା ବା ଖାଅ, ଯଦି ଜୀର୍ଣ୍ଣ ହୋଇ ଦିହରେ ନ ଲାଗେ ତାହାହେଲେ ସେ ସବୁ ଗିଳିବାରେ ଲାଭ କ’ଣ ?

 

ଦାସେ ଜଣେ ଛୋଟକାଟିଆ ଡାକ୍ତର...ପାଠ ପଢ଼ିଲାବେଳେ ଅର୍ଥାତ୍ ହାଇସ୍କୁଲ ଛାତ୍ର ଥିଲାବେଳେ ସେ ସ୍କୁଲଠୁ ତିନିମାଇଲ ବାଟରେ ଥିବା ଜଣେ ଚିକିତ୍ସକଙ୍କ ଘରେ ଭ୍ରାତୃବନ୍ଧନରେ ନିଜକୁ ବାନ୍ଧି ରଖିଥିଲେ ସେ । କୋଉ ଏକ ଡ୍ରାମାରେ ଏଇ ଚିକିତ୍ସକ ତଥାକଥିତ ଡାକ୍ତର ଜଣକ ବଡ଼ ଭାଇ ଭାବରେ ଅଭିନୟ କରିଥିଲେ । ଦାସେ ଛୋଟ ଥିଲେ, ତେଣୁ ତାଙ୍କର ଛୋଟ ଭାଇ ଭାବରେ ଅଭିନୟ କରିଥିଲେ । ଭାଇ ଭାଇ ଡାକିବାଟା ସେଇ ମଞ୍ଚ ଉପରେ ସରିଯିବା କଥା, କିନ୍ତୁ ଡାକ୍ତର ଜଣଙ୍କ ତାଙ୍କୁ ଜୀବନରେ ମଧ୍ୟ ଛୋଟ ଭାଇ ଭାବରେ ଗ୍ରହଣ କରିନେଲେ ।

 

ଚିକିତ୍ସାଶାସ୍ତ୍ରରେ ଚାରୋଟି ପ୍ରଣାଳୀ ଯଥା—ଏଲୋପ୍ୟାଥି, ହୋମିଓପ୍ୟାଥି, ଆୟୁର୍ବେଦ, ୟୁନାନୀ ଅଛି ବୋଲି ଏବେ ସିନା ସେ ଜାଣିଲେ, ସେତେବେଳେ ସେ ଜାଣିଥିଲେ, ଔଷଧ ତ ଔଷଧ, ଚିକିତ୍ସା ତ ଚିକିତ୍ସା ।

 

ଏହି ଡାକ୍ତର ବଡ଼ଭାଇ ଥିଲେ ଜଣେ ହୋମିଓପ୍ୟାଥିଷ୍ଟ । ଖାଲି ତ ସିଏ ନ ଥିଲେ, ତାଙ୍କ ଘରର ସମସ୍ତେ ଥିଲେ ଏଇ ବିଦ୍ୟାରେ ଧୁରନ୍ଧର । ଚିନି ଗୁଣ୍ଡରେ, ଛୋଟ ଛୋଟ କାଚ ଶିଶିରୁ ଟୋପେ ଦିଟୋପା ପାଣି ଔଷଧ ମିଶେଇ ପୁଡ଼ା ବାନ୍ଧନ୍ତି, ଚିନି ଗୁଣ୍ଡ ନ ଥିଲେ ରୋଗୀକି କହନ୍ତି, କାଲି ଶିଶି ନେଇ ଆସିବୁ, ଔଷଧ ଦିଆଯିବା । ଶିଶି ଆଣିଲେ ମନ୍ଦେ ପାଣି ଉର୍ତ୍ତିକରି, ଶିଶି ବାହାରେ ଅଠାରେ ଗୋଟେ ଲମ୍ବା କାଗଜ ଲଗେଇ, ସକାଳେ ଏ ଶିଶିରୁ ଏତିକି, ସନ୍ଧ୍ୟାରେ ଏତିକି ଖାଇବ ବୋଲି କହିବା ଥିଲା ଏଠା ଡାକ୍ତରଖାନାର କାମ । ଦାଣ୍ଡରୁ ଛୋଟ ପିଲେ ଆସି ଥରେ ଥରେ ୟାଙ୍କର ଡାକ୍ତରଖାନାରୁ ଚିନି ଗୁଣ୍ଡ ନଚେତ୍ ଚିନିରେ ତିଆରି ଗୋଲ ଗୋଲ ବଟିକା ହରଣଚାଲ କରିନେଇ ଯାଆନ୍ତି ।

 

ବଡ଼ଭାଇଙ୍କ ପାଖରେ ବସି ବସି ଦାସେ ଏଇ ଔଷଧରୁ ଗୁଡ଼ାଏ ମନେ ରଖିଥିଲେ । ନିଜ ଗାଁକୁ ଗଲେ, ଏଇଥିରୁ କିଛିଟା ଔଷଧ ନେଇ ଯାଇଥାଆନ୍ତି ।

 

ଥରେ ତାଙ୍କ ବୋଉର ଝାଡ଼ା ହେଉଥିଲା, ବୋଉ ଚୁଡ଼ା କଦଳୀ ଦହିକି ମିଶେଇ କିଛିଟା ଖାଇସାରିବା ପରେ ପରେ ପୁଅକୁ କହିଲେ, କ’ଣ କିଛି ଔଷଧ ଜାଣିଥିଲେ ଟିକିଏ ଦେ, ଆଜି ସକାଳୁ ତିନି ଚାରି ଥର ଝାଡ଼ା ଗଲେଣି । ଦାସେ ସେଇ ପାଣି ଔଷଧକୁ ଟିକିଏ ବୋଉ ପାଟିରେ ପକେଇ ଦେଇଥିଲେ, ତା ପରେ ବନ୍ଦ । ବୋଉମାନେ ସହଜେ ପୁଅମାନଙ୍କ ପ୍ରଶଂସା କରିଥାଆନ୍ତି । ଦାସଙ୍କ ବୋଉ ଚାରିଆଡ଼େ କହି ବୁଲିଲେ ଯେ ପୁଅ ଆମର ଭଲ ଚିକିତ୍ସା ଜାଣେ । କ’ଣ ଟୋପେ ଦେଲା, ସେଥିରେ ଏକାବେଳକେ ଝାଡ଼ା ବନ୍ଦ ।

 

ଦାସେ ଇମିତି ଗାଁ କୁ କେବେ କେବେ ଗଲେ, ଦଶ ଆଠଦିନ ରହନ୍ତି କିନ୍ତୁ ଦଶ ଆଠଦିନରେ ତାଙ୍କର ସବୁ ଔଷଧ ଶିଶି ଗାଁ ଟା ଯାକର ରୋଗୀ ଚିକିତ୍ସା କରି କରି ଶେଷ ହୋଇଯାଏ । ଯିଏ ଭଲ ହଉ ହଉ ହେଇଯାଏ ସେ ତାଙ୍କର ପ୍ରଚାର କରେ, ଯିଏ ଭଲ ନ ହୁଏ ସେ ତୁନି ରହେ । ଭଲ ହେବାବାଲାଙ୍କ ସୁପ୍ରଚାରରେ ସେମାନଙ୍କ କୁପ୍ରଚାର କାଟୁ କରିବନି ବୋଲି ସେମାନେ ମନେ ମନେ ଭାବି ନିଅନ୍ତି ।

 

ଦାସେ କିନ୍ତୁ ଭାବୁଥିଲେ, ସେ ଲୋକଙ୍କୁ ଏସବୁ ଔଷଧ ଦେଇ ଠକାଠକି କରୁ ନାହାନ୍ତି । ଭାଇ ଯାହା ଯାହା ଯେଉଁ ଲକ୍ଷଣ ଦେଖିଦିଅନ୍ତି, ସିଏ ବି ସେଇ ଲକ୍ଷଣ ଦେଖି ସେଇ ଔଷଧ ଦେଉଚନ୍ତି । ରୋଗୀ ଲକ୍ଷଣ ଜାଣିବା ମାତ୍ରେ ଦାସେ ବଙ୍ଗଳା ଭାଷାରେ ଲିଖିତ ମେଟେରିଆମେଡ଼ିକାକୁ ଖୋଲି ବସନ୍ତି । ଯେଉଁ ଔଷଧରେ ଲକ୍ଷଣଗୁଡ଼ାକ ବେଶି ଖାପ ଖାଇଯାଏ, ସେଇ ଔଷଧ ଦିଅନ୍ତି । ସେଇ ଏକ ହଜାର ଏକଶ ତିରିଶି ପୃଷ୍ଠାକିଆ ବହିଟି ହିଁ ଥିଲା ତାଙ୍କର ହୋମିଓପ୍ୟାଥିକ ପାଠ୍ୟପୁସ୍ତକ । ଥୁଜା, ନାର୍ସିସାସ, କୋଡ଼ିନାମ, ଇପିକାକ ଆଦି କେତୋଟି ଔଷଧ ତାଙ୍କର ଚମଡ଼ା ଛୋଟ ବାକ୍ସର ସମ୍ବଳ ହେଇ ରହିଥିଲା ବହୁଦିନ ଧରି ।

 

କଲେଜ ଛାତ୍ର ଥିଲାବେଳେ ସେ ଆଠ ଦଶ ମାସ ପାଇଁ ଏଲୋପ୍ୟାଥିଷ୍ଟ ମଧ୍ୟ ହୋଇଥିଲେ । ଜଣେ ଡାକ୍ତରଙ୍କ ଦୋକାନରେ ସେ ନିଇତି ଯାଇ ବସନ୍ତି—ଔଷଧ ଆଶାରେ ନୁହେଁ, ତାଙ୍କ ପାଖକୁ ତିନୋଟି ଖବରକାଗଜ ଆସେ ବୋଲି, ପଢ଼ିବା ପାଇଁ । ଇମିତି ବସୁ ବସୁ ଦୋସ୍ତି ହେଇଗଲା ତାଙ୍କ ସାଙ୍ଗରେ । ବନ୍ଧୁତ୍ୱ ଏତେଦୂର ବଢ଼ିଗଲା ଯେ ଡାକ୍ତର ରୋଗୀଙ୍କୁ ଦେଖିଗଲେ ଦାସଙ୍କୁ ଦୋକାନରେ ବସେଇ ଦେଇ, ଔଷଧ ବିକ୍ରି କରିବାର ଅଧିକାର ମଧ୍ୟ ଦେଇ ଘଣ୍ଟା ଘଣ୍ଟା ଧରି ଚାଲିଯାଆନ୍ତି । ଦାସେ ନିଶ୍ଚିନ୍ତରେ ବସି ରହନ୍ତି ଦୋକାନ ଭିତରେ । ଡାକ୍ତରଙ୍କ ପାଖରେ ଠିଆ ହେଇ ହେଇ ସେ ଏତିକି ମାତ୍ର ଜାଣିଥାଆନ୍ତି ଯେ ସିରପ ଗୁଡ଼ାକୁ ବିଭିନ୍ନ ଔଷଧରେ ମିଶେଇ ମିଠା ଓ ପାଟି ସୁଆଦିଆ କରାଯାଏ । ତେଲରେ ହ୍ଵାଇଟ ଅଏଲ ମିଶାଇଲା ଭଳି ୟାକୁ ମିଶାଯାଏ । ମିକ୍‍ଶ୍ଚର ଯେତିକି ବେଶି ହୁଏ, ତଦନୁଯାୟୀ ଦାମ ମଧ୍ୟ ବଢ଼େ । ଦାସେ ତିନୋଟି ଜିନିଷ ବିକ୍ରି କରିବାରେ ସିଦ୍ଧହସ୍ତ ଥିଲେ, ଗୋଟିଏ ମୁଣ୍ଡବଥା ବଟିକା, ଦ୍ୱିତୀୟଟି କୁଣ୍ଡିଆ ମଲମ, ତୃତୀୟ ଔଷଧଟି ସ୍ପିରିଟ ବୋତଲ । ଗ୍ରାହକ ଏ ଔଷଧ ମାଗିଲା ମାତ୍ରେ, ଦାସେ ଭିତରକୁ ପଶନ୍ତି, ସିରପ ବାସକ୍, ନଚେତ ସିରପ୍ ଲେମନରୁ ମନ୍ଦେ ମନ୍ଦେ ପାଟିରେ ଢାଳିଦେଇ, ହାତରେ ବଟିକା ଧରି ଫେରନ୍ତି । ବଟିକା ବିକ୍ରିରୁ ଦାସେ ଡାକ୍ତରଙ୍କର ଯେତିକି ଲାଭ କରେଇ ଥାଆନ୍ତି, ସିରପ ପିଆରେ ସେତିକି ଚାଲିଯାଏ । ଲାଭ କ୍ଷତି ପ୍ରାୟ ସମାନ ହୋଇଯାଏ ଏକାଉଣ୍ଟ ଠିକ୍ ବାଲାନ୍‍ସକୁ ଚାଲିଆସେ । ଦାସଙ୍କ ରୋଗୀମାନେ ଭାବନ୍ତି, ଇଏ ଡାକ୍ତରଙ୍କ କଂପାଉଣ୍ଡର ।

 

ରୋଗୀଙ୍କୁ ଦେଖିସାରି ଡାକ୍ତର କହି ଦେଇଥାନ୍ତି, ଦୋକାନକୁ ଆସିବ, ସେଇଠି ଇଂଜେକ‌୍‍ସନ ଦିଆଯିବ । ଡାକ୍ତର ଦୋକାନକୁ ନ ଆସୁଣୁ ଯେଉଁ ରୋଗୀମାନେ ଦୋକାନରେ ହାଜର ହୋଇଯାଆନ୍ତି, ସେମାନେ ଦାସଙ୍କୁ ରଖେଇ ଥୋଇ ଦିଅନ୍ତି ନାହିଁ–କହନ୍ତି, କିଓ କଂପାଉଣ୍ଡର ହେଇଚ, ଏ କାଗଜକୁ ଦେଖି ଔଷଧ ତ ଦବ, ଇଂଜେକ୍ସନ ତ ଫୋଡ଼ିବ, ଡାକ୍ତରଙ୍କୁ ଅପେକ୍ଷା କାହିଁକି-? ଦାସେ ଡାକ୍ତରଙ୍କ ଡାକ୍ତରୀ ଅଭିଧାନର ଭାଷା ବୁଝିପାରନ୍ତି ନାହିଁ କି ଇଞ୍ଜେକ୍ସନ କିମିତି ଦିଆଯାଏ ଜାଣନ୍ତି ନାହିଁ ।

 

ତେଣୁ ଜାଣିନିବୋଲି ନ କହି ଆରମ୍ଭ କରନ୍ତି ଡାକ୍ତର ବଡ଼ ରାଗୀ ଲୋକ, ନିଜେ ସବୁ କରିବେ, କାହାରିକି କିଛି କରିବାକୁ ଦେବେନି । ସେ ଚାହୁଛନ୍ତି, ମୋ ପଇସାରେ କେହି ହାତ ନଦେଉ । ଫିସ ନେବେ, ଔଷଧ ପଇସା ନେବେ, ଇଂଜେକ୍‍ସନ ଦିଆ ଖର୍ଚ୍ଚ ମଧ୍ୟ ନେବେ । ଆମକୁ କ’ଣ ଦିଆଇ ଦେବେ ଯେ ଦବୁ ? ଦାସେ ପୁଣି ରୋଗୀମାନଙ୍କୁ କହନ୍ତି, ଆରେ ଶଙ୍କର ଡାକ୍ତର ପାଖରେ ଥିଲି...ବଡ଼ ଭଲ ଲୋକ...ସବୁ ଇଂଜେକସନ ମୁଁ ନିଜେ ଦିଏ । ଦିନକୁ ଅନ୍ତତଃ ଦଶ ପନ୍ଦର ରୋଜଗାର ହେଉଥିଲା...ପ୍ରକୃତରେ ତାଙ୍କ ଦୋକାନରୁ ଆସି ଆଜି ବହୁତ ପସ୍ତେଇବାକୁ ପଡ଼ୁଚି ମତେ । ଏଣ୍ଟ୍ରାଭେନ୍‍ସ ଇଂଜେକ୍ସନ ଗୋଟାକୁ ତିନିଟଙ୍କା, ଏଣ୍ଟ୍ରାମସ୍କୁଲାର ଗୋଟାକୁ ଏକ ଟଙ୍କା କରି ମିଳୁଥିଲା ।

 

ଇମିତି କଥାବାର୍ତ୍ତା କରି କରି ରୋଗୀମାନଙ୍କୁ ଦାସେ ଦୋକାନରେ ଡାକ୍ତର ଆସିବାଯାଏଁ ବସେଇ ରଖନ୍ତି । ଡାକ୍ତର ଆସିଲେ, ଚୁପ୍ ଚାପ୍ । ଡାକ୍ତର ରୋଗୀ ଚିକିତ୍ସା କରୁ କରୁ ଆରମ୍ଭ କରନ୍ତି ରାଜନୀତି ଚର୍ଚ୍ଚା । ବଡ଼ ଶ୍ରୋତା ଓ ପାଳିଆ ଦାସେ ।

 

ଡାକ୍ତର କହନ୍ତି, ଭାବିଚି ଏଥର ଏମ୍. ଏଲ୍. ଏ. ପାଇଁ ଠିଆ ହେବି । ଜଣେ ରୋଗୀକୁ ଲକ୍ଷ୍ୟକରି କହନ୍ତି, କିରେ ତୁମ ସାହି ଲୋକେ ଭୋଟ ଦେବେନି ?

 

ରୋଗୀମାନେ ଟେକାଟେକି କହନ୍ତି ଆପଣ ? ଆପଣ ଯଦି ଠିଆ ହେବେ ନା, ହେଇ କହି ରଖୁଚୁ ବାବୁ, ଗୋଟେ ଭୋଟ ଇଆଡ଼କୁ ସିଆଡ଼କୁ ହବନି । ଖାଲି ଆମର ଦିହଟାମନେ ଭଲ ଥିଲେ ହେଲା ।

 

ଡାକ୍ତର କହନ୍ତି, ପରୁଆ ନାଇଁ । ଦିହକଥା ମୁଁ ବୁଝିବି । କିଣିବାକୁ ପଇସା ନ ଥିଲେ, ମତେ କହିବ, ସାମ୍ପଲ ଔଷଧ ଦେବି । ଦାସଙ୍କୁ କହନ୍ତି, କିହୋ ପ୍ରଚାର କରିବ ତ ?

 

ଦାସେ କହନ୍ତି....ପ୍ରଚାର ? ସେଇଟା କ’ଣ ବାକି ଅଛି ? ଆପଣଙ୍କୁ କିଏ ନ ଜାଣିଚି, ନ ଚିହ୍ନିଚି ଯେ...ଯୁଠି ରୋଗୀ ଆପଣ ତ ସେଇଠି । ଆପଣଙ୍କ ବିରୁଦ୍ଧରେ କିଏ କ’ଣ ଠିଆ ହେବାକୁ ସାହସ କରିବ ? ମୋର ମନେ ହେଉଚି, କାହାରି ସାହାସ ହେବନି । କାହାରି କ’ଣ ପଇସା ମାହାଳିଆ ପଡ଼ିଛି ?

 

କ୍ରମେ କ୍ରମେ ଦୋକାନରେ ରୋଗୀଙ୍କ ସଂଖ୍ୟା ବଢ଼େ, କିନ୍ତୁ ଡାକ୍ତରବାବୁଙ୍କ ଗପ ସରେନି ।

 

ସାତ ଆଠଟି ଛୁଆର ବାପା ତଥାପି ସେ ଯୁବକ । ରାଜନୀତି ଚର୍ଚ୍ଚା ଭିତରେ ଥରେ ଥରେ ଟୋକି ଗପ ମଧ୍ୟ ପଡ଼େ । ସେତିକ ମଧ୍ୟ ଆରମ୍ଭ ହୁଏ ଡାକ୍ତରବାବୁଙ୍କ ଆଡ଼ୁ । ଦାସେ କେବଳ ମଝି ମଝିରେ ହଁ ତ, ସତେତ ଆଦି କେତୋଟି ଶବ୍ଦ ପ୍ରୟୋଗ କରି ଡାକ୍ତରବାବୁଙ୍କ କଥାକୁ ସମର୍ଥନ କରନ୍ତି, ତାଙ୍କୁ ଉତ୍ସାହିତ କରାନ୍ତି । ଡାକ୍ତରବାବୁ ମାତିଯାଆନ୍ତି କଥାରେ । ରୋଗୀମାନେ ଟିକିଏ ବ୍ୟସ୍ତ, ହୋଇପଡ଼ିଲେ, ହଁ, ତୋ ନାଁ କ’ଣ କହିଲୁ ବୋଲି ପଚାରି ଦେଇ କାଗଜ କଲମ ଧରି ପ୍ରେସ୍କ୍ରିପସନ୍ ଟିପିବାକୁ ଉଦ୍ୟତ ହୁଅନ୍ତି । ରୋଗୀ ଉନ୍ମୁଖ ହୋଇ ନାଁ କହିଦେଇ ସାରି କେବଳ ତାଙ୍କର ହାତକୁ ଚାହିଁ ରହି ରହି ମୂକ ପାଲଟିଯାଏ ।

 

ପୁଣି କଥା—ଦେଖି ଏଥର । ଆରଥର ହଟେଇ ଦେଲା ବୋଲି ଭାବିଚି ଏଥର ହେଟେଇ ଦବ ନା ? ଏଥର ତାକୁ ଇମିତି ଘଣାରେ ଯୋଚିଦେବି ଯେ ଖାଲି ପେଲୁଥିବ । ଆରଥର ତ ବାପ ଖାଇଚି ।

 

ଦାସେ ପଚାରନ୍ତି—କ’ଣ ଖାଇଚି ?

 

—ଆଉ କ’ଣ ଖାଇବ ? ଯୋତା ମାଡ଼ । ନଈ ବାଲିରେ ମୋର ସଭା ହବ ବୋଲି ମୁଁ ଲିଫଲେଟ ବାଣ୍ଟି, ମାଇକ ବୁଲେଇ ପ୍ରଚାର କଲି, ସେ ଶଳା ଯାଇ ମୋ ଲୋକଙ୍କୁ ନେଇ, ଦେଖିଲି ସଭାରେ ବକ୍ତୃତା କରି ଲାଗିଚି । ମୁଁ ପହଁଚିଲା ବେଳକୁ, ମୋରି ବିରୁଦ୍ଧରେ କହୁଚି । ରାଗ ତ ଉଠିଲା, ସାଙ୍ଗେ ସାଙ୍ଗେ ସଭା ଉପରକୁ ଉଠି ପାଦରୁ ଯୋତା ଖୋଲି ଶଳାକୁ ଚଟାଲ ଚଟାଲ ସେକି ଦେଇଗଲି । ଅବଶ୍ୟ ପ୍ରତିକ୍ରିୟାଟା ଖରାପ ହେଲା, ତେବେ ଚେତିଗଲା ସେ । ସେଇଟା ପୁଣି ଏଥର ଅଣ୍ଟା ଭିଡ଼ିଚି ମୋ ବିରୁଦ୍ଧରେ ଠିଆ ହେବ ! ହଉ, ଆଉ ଥରେ ଭଲକରି ଚେତେଇ ଦେବି ।

 

ରୋଗୀ ଗୁଡ଼ାକ ଏଥର ଡାକ୍ତର ଉପରେ ବିରକ୍ତ ନ ହେଇ ବିରକ୍ତ ହୁଅନ୍ତି ଦାସଙ୍କ ଉପରେ । ଏ ଲୋକଟା ଯୋଗୁହିଁ ଡାକ୍ତରଙ୍କ ଗପ ସରୁନି । ଦାସେ ରୋଗୀଙ୍କ ମନୋଭାବ ବେଶ୍ ଠଉରେଇ ପାରି ଡାକ୍ତରକୁ କହନ୍ତି, ରୋଗୀମାନଙ୍କ କାମ ସାରି ଦିଅନ୍ତୁ, ମୁଁ ପାନ ଖଣ୍ଡେ ପାଟିରେ ପକେଇ ଆସୁଚି । ପାଟିଟା ଶୁଖିଲା ଶୁଖିଲା ଲାଗୁଚି ।

 

ଦାସେ ପାନଖିଆ ସାରି ଆସିଲା ବେଳକୁ ରାତି ଦଶ ବାଜି ଯାଇଥାଏ । ଡାକ୍ତର ଦାସଙ୍କୁ ଅପେକ୍ଷା କରି ଦୋକାନରେ ବସି ରହିଥାଆନ୍ତି । ଗପ କରିବା ତାଙ୍କର ସବୁଠାରୁ ବଡ଼ ସଉକ ।

 

ଦାସେ ଆସନ୍ତି, ପୁଣି ବୈଠକ ଆରମ୍ଭ ହୁଏ—ଅମୁକ ଡାକ୍ତର ଡାକ୍ତରଖାନାରେ ରାତିରେ ରୋଗୀ ଦେଖିଲାବେଳେ କି କୁକର୍ମ କରିଥିଲା, ଅମୁକ ଡାକ୍ତର ସହିତ ସମୁକ ନର୍ସ ଓ ସମୁକ ଡାକ୍ତରାଣୀର କିମିତି ଚୋରା ପୀରତି ହେଉଥିଲା ରାତି ଦଶଟା ପରେ, ପଲଟିକ୍‍ସକୁ ଛାଡ଼ି ଡାକ୍ତରବାବୁ ସେଇକଥା ଆରମ୍ଭ କରନ୍ତି । ଯାହା କାନରେ ଏସବୁ କଥା ପଡ଼େ, ସେ ଟାଣିହୋଇ ଟିକିଏ ରହିଯାଏ ।

 

ୟାରି ଭିତରୁ ଆରମ୍ଭ ହୁଏ ଖିଆପିଆ କଥା—ବାଳିହା, ଭାକୁଡ଼, ଇଲିଶ, କାଳିଆଖଡ଼ା ଚିଂଗୁଡ଼ି ପ୍ରଭୃତି କାହାକୁ କିମିତି ରାନ୍ଧିଲେ କିମିତି ଲାଗେ, କାହା ଭୋଜି ଘରର ମାଛମୁଣ୍ଡ ପାଟିକି ଭଲ ଲାଗିଥିଲା, ସେ କଥା ଡାକ୍ତରବାବୁ ବଡ଼ ଚମତ୍କାର ଭାବରେ ବର୍ଣ୍ଣନା କରନ୍ତି ।

 

ଦାସେ କହନ୍ତି, ରାତି ବାର ବାଜିଲାଣି, ଏଥର ଉଠିବା ହୁଅନ୍ତୁ ।

 

ଡାକ୍ତରବାବୁ କହନ୍ତି, ବାରଟା ତ ବାଜିଚି ? ବେଶି କ’ଣ ହେଇଚି... ? ତା ପରେ ଆରମ୍ଭ ହୁଏ ରାତି ଅନିଦ୍ରା ହେବା କଥା...ସେ ଚାକିରି କରୁଥିଲାବେଳେ ଥରେ ମାସେକାଳ ଏକାଦିକ୍ରମେ ରାତ୍ରି ଅନିଦ୍ରା ହୋଇ ରହିଥିଲେ । କିଛି ତ ଲାଗି ନ ଥିଲା । ରାତି ଅନିଦ୍ରା ହେଲେ, ସମସ୍ତଙ୍କ ଧାରଣା ହୃଦ୍‍ଯନ୍ତ୍ର କ୍ରିୟାରେ ବାଧା ଆସେ ! ଏ ଧାରଣା ନିତାନ୍ତ ଭୁଲ । ମସ୍ତିଷ୍କର ପ୍ରକ୍ରିୟାରେ ବାଧା ଆସିଥାଏ । ଦିନକୁ ୩ । ୪ ଘଣ୍ଟା ଶୋଇଲେ ହେଲା ।

 

ଗୋଟାଏ ବାଜେ...ବୈଠକ ଭାଙ୍ଗେ ନା...

 

ଦାସେ କହନ୍ତି, ଘରେ ବିରକ୍ତ ହେବେଣି...ତା ଛଡ଼ା ଆମ ଘରର ବାଟଟା ଭଲ ନୁହେଁ...ମଦୁଆଙ୍କ ଆଡ୍‍ଡ଼ା ।

 

ଡାକ୍ତରବାବୁ ସଙ୍ଗେ ସଙ୍ଗ ଦୁଆର ବନ୍ଦ କରି ବାହାରନ୍ତି—ଦାସଙ୍କୁ ନିଜ ମଟରରେ ବସେଇ ତାଙ୍କ ଘରେ ଛାଡ଼ି ଦେଇ ଆସନ୍ତି ।

 

...ଏଇ ଦୋକାନରେ ବସି ବସି, ସିରପ ଖାଇ ଖାଇ, ମଲମ ତିଆରି କରି କରି ଏବଂ ଡାକ୍ତରୀ ଭାଷା ଶୁଣି ଶୁଣି ଦାସେ ନିଜକୁ ଏଲୋପାଥିଷ୍ଟ କରେଇ ନେଇଥିଲେ । ଜରକୁ କ’ଣ, ଖାସକୁ କ’ଣ, ମୁଣ୍ଡବଥାକୁ କ’ଣ ଔଷଧ ଦିଆଯାଏ ସେତକ ସିଏ ଭଲଭାବରେ ଜାଣନ୍ତି ।

 

ଦୋକାନକୁ ବହୁତ ଔଷଧ ଆସେ, ତା ସାଙ୍ଗକୁ ସାମ୍ପଲ ଔଷଧ ମଧ୍ୟ । ଉପରେ ଲେଖା ହୋଇଥିବା ନିର୍ଦ୍ଦେଶନାମାକୁ ପଢ଼ି ସେ ଥରେ ଥରେ ଉତ୍ସାହିତ ହୋଇ ଉଠୁଥିଲେ । ଏଇଟା ଖାଇଲେ ଏତେ ଓଜନ ବଢ଼ିବ, ସେଇଟା ଖାଇଲେ ଦେହର ରକ୍ତ ପରିଷ୍କାର ହୋଇଯିବ ଭାବି ଭାବି ଏକାବେଳକେ ତିନିଚାରେଟି ଔଷଧକୁ ମିଶେଇ ସେ ପିଇ ପକାନ୍ତି ।

 

ପେଟର ବାୟୁ କମିବାପାଇଁ ଦୋକାନଟା ଯାକର ସବୁ ଔଷଧ ଖାଇ ସାରି ଓ ଇଂଜେକ୍‍ସନ୍ ଫୋଡ଼ିସାରିବା ପରେ ସେ ଏଇ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏଲୋପ୍ୟାଥିଟା ଖାଲି ଧପ୍ପାବାଜି । ଇଆଡ଼ୁ ସିୟାଡ଼ୁ ଗୁଡ଼ାଏ ନାଁ ଲେଖି, ପ୍ରଚାର କରି ବିଜ୍ଞାନର ଦ୍ଵାହି ଦେଇ ଲୋକଙ୍କୁ ଠକିବା ଛଡ଼ା କିଛି ନୁହଁ... ।

 

...ତା ପରେ ଦାସେ ଡାକ୍ତରବାବୁଙ୍କ ଦୋକାନବୈଠକୀରୁ ଇସ୍ତଫା ଦେଇ କବିରାଜି—ସାଧନାରେ ଲାଗନ୍ତି । ସାଧନା ଆରମ୍ଭ ହୁଏ ଦ୍ରାକ୍ଷାରିଷ୍ଟାରୁ...ବୋଧହୁଏ ସାଧନା ଔଷଧାଳୟର ପୁରାତନ ଦ୍ରାକ୍ଷାରିଷ୍ଟା ସାଥିରେ ମୃତସଞ୍ଜବନୀ ସୁରା ମିଶେଇ ଖାଇଲେ ମାସକ ଭିତରେ ମଣିଷର ତିନି ଚାରି ପାଉଣ୍ଡ ଓଜନ ବଢ଼ିବ ବୋଲି ବିଜ୍ଞାପନ ଯେଉଁଦିନ ପଢ଼ିଲେ, ସେଇ ଦିନଠୁ ।

 

ସେ ଦିନ ଅଫିସରେ ସେ ବେଶିକାମ କରିଥିଲେ ବୋଲି ଅଧିକା ମଜୁରୀ ପାଇଥିଲେ ଦଶଟଙ୍କା । ଏହି ଅଧିକା ରୋଜଗାରଟା ଦେହକୁ ଅଧିକ ବଢ଼େଇବା ପାଇଁ ଖର୍ଚ୍ଚ ହେଉ ବୋଲି ମନେ ମନେ ଭାବି ସେତକ ଧରି ସାଧନା ଔଷଧାଳୟର ଦୋକାନରେ ପହଞ୍ଚିଥିଲେ । ତାଙ୍କର ଧାରଣା ଥିଲା, ଯିଏ କବିରାଜ ଔଷଧ ବିକ୍ରି କରେ ସେ ନିଶ୍ଚୟ ଜଣେ ଆୟୁର୍ବେଦାଚାର୍ଯ୍ୟ ହୋଇଥିବେ । ତେଣୁ ପ୍ରଥମେ ଦୋକାନ ଭିତରେ ପଶି, ବିକ୍ରେତାକୁ ଆରିଷ୍ଟର ଅର୍ଥ କଣ ପଚାରିଥିଲେ । କାରଣ ଦ୍ରକ୍ଷା ନାଁ ରେ ସେ ଦେଖିଥିଲେ ଦୁଇଟି ଔଷଧ ଅଛି, ଗୋଟିଏ ଦ୍ରାକ୍ଷାରିଷ୍ଟ, ଗୋଟିଏ ଦ୍ରାକ୍ଷାସବ । ବିଜ୍ଞାପନରେ କିନ୍ତୁ ସେ ଏହି ଦ୍ରାକ୍ଷାରିଷ୍ଟକୁ ହିଁ ପଢ଼ିଥିଲେ । ଏହି ଅସବ ଓ ଅରିଷ୍ଟ ଦୁଇଟି ଶବ୍ଦର ଅର୍ଥ ବୁଝୁ ବୁଝୁ ଦୋକାନରେ ରାତି ଆଠରୁ ଦଶ ବାଜି ଯାଉଥିଲା ।

 

ବିକ୍ରେତା ଇଆଡ଼ୁ ସିଆଡ଼ୁ ଗୁଡ଼ାଏ କଥା ପଢ଼େଇ ଅସଲ କଥାଟିକୁ ବାଆଁରେଇ ଦେଲାପରେ ଦାସେ ଔଷଧ କିଣିବା ପାଇଁ ନାମଙ୍ଗ ହେଇ ଫେରି ଆସିଥିଲେ । ତା ପରଦିନ କମ୍ପାନି ପାଖକୁ ଏକ ଲମ୍ବା ଚିଠି ଲେଖି ଆସିଥିଲେ ଯେଉଁ ଲୋକ ଅରିଷ୍ଟ ଓ ଅସବ କଣ କହିପାରେନା, ସେଭଳି ଲୋକକୁ ଏ ସବୁ ଦୋକାନରେ ରଖିବା ଉଚିତ ନୁହେଁ । ଅଫିସରୁ ଜବାବ୍ ଆସିଥିଲା, ଆମେ ଦୋକାନରେ ବିକ୍ରେତାଙ୍କୁ ରୋଗୀଙ୍କୁ ଔଷଧର ଅର୍ଥ ବୁଝେଇବା ପାଇଁ ରଖିନୁ, ଅର୍ଥ ପାଇବା ପାଇଁ ରଖିଚୁ, ତେଣୁ ଆପଣଙ୍କ ପ୍ରସ୍ତାବ ବିଚାର୍ଯ୍ୟ ନୁହେଁ । ଆପଣ ଯେଉଁ ଶାଖାର ବିକ୍ରେତାଙ୍କ ସମ୍ବନ୍ଧରେ ଲେଖିଛନ୍ତି, ସେ ଆମର ଜଣେ ପୁରୁଖା ଲୋକ...ତାଙ୍କୁ ସେଇଠି ରଖି ଆମେ ବହୁତ୍ ଲାଭବାନ୍ ହେଉଚୁ ।

 

ଚଠିଟି ଯେଉଁ ପ୍ୟାଡ ଉପରେ ଲେଖାହୋଇ ଆସିଥିଲା, ତା ଉପରେ ଦୁଇଟି ମଣିଷ ଦେହର ଛବି ଛାପାଥିଲା, ଜଣେ ଠିକ ଦାସଙ୍କ ଭଳି ଆଉ ଜଣେ ଦାସଙ୍କ ପରମ ବନ୍ଧୁଙ୍କ ଭଳି ପୃଥୁଳକାୟ, ସୁସ୍ଥ ସବଳ । ସେଥିରେ ଛପା ଅକ୍ଷରରେ ଲେଖାଥିଲା, ଦ୍ରାକ୍ଷାରିଷ୍ଟ ଖାଇବା ପୂର୍ବରୁ ଏ ଲୋକଟି ଇମିତି ପତଳା ଥିଲା, ଦ୍ରାକ୍ଷାରିଷ୍ଟ ଖାଇବାପରେ ଇମିତି ମୋଟା ହୋଇ ପାରିଚି । ଆଗ ଦାସେ ଯେଉଁ ବିଜ୍ଞାପନ ଦେଖିଲେ, ସେଥିରେ କେବଳ ଦ୍ରାକ୍ଷାରିଷ୍ଟ ଶିଶିର ଛବିଥିଲା...ଏଥରେ ସେ ନିଜର ପ୍ରତିରୂପକୁ ଦେଖି ଭାରି ମୁଗ୍ଧ ହୋଇ ପଡ଼ିଥିଲା । ପୁଣି ସାଧନା ଔଷଧାଳୟ ଦ୍ରାକ୍ଷାରିଷ୍ଟ ପ୍ରତି ତାଙ୍କ ମନ ଆକୃଷ୍ଟ ହୋଇ ପଡ଼ିଥିଲା । ସେ ନିଜେ ନ ପାଇ ଅନ୍ୟ ହାତରେ ସେ ଔଷଧ ମଗେଇ ଦିନକୁ ଦିଓଳା ଦି ଦି ଚାମଚ କରି ପିଇଥିଲେ ।

 

ଔଷଧ ନ ଖାଉଣୁ ରିନାଦେବୀ ଔଷଧକୁ ଦେଖି କ’ଣ ଏଥିରେ ଉପକାର ମିଳେ ବୋଲି ଥରେ ପଚାରିଥିଲେ । ଦାସେ ବିଜ୍ଞାପନରେ ଯାହା ଯାହା ପଢ଼ିଥିଲେ, ମନରେ ଘୋଷି ରଖିଥିବା ଭଳି ସତ କହି ତାର ପ୍ରଶଂସାରେ ମୁଖର ହୋଇ ଉଠିଥିଲେ । ତେଣୁ ସାତ ଆଠଦିନ ଖାଇସାରିବା ପରେ, କିଛି ଉପକାର ନ ପାଇଥିଲେ ମଧ୍ୟ ରିନାଦେବୀ ପଚାରିବା ସଙ୍ଗେ ସଙ୍ଗେ, ଅତି ଉତ୍ତମ ଔଷଧ ବୋଲି କହି ଯେତିକି ଆଗରୁ ପ୍ରଶଂସା କରିଥିଲେ, ତାର ଦିଗୁଣରୁ ଟିକିଏ ଅଧିକ ପ୍ରଶଂସା କରି କହିଥିଲେ ସିନା, ତାଠୁ କମ୍ କରି କହିନଥିଲେ ।

 

...ଥରେ ଦାସଙ୍କ ଅନୁପସ୍ଥିତିରେ ରିନାଦେବୀ ଇଥିରୁ ଟିକିଏ ପିଇଦେଇ ବେଶି ଆରାମରେ ମନର ସମସ୍ତ ଅବସାଦକୁ ଭୁଲି ଦିନ ଚାରିରୁ ସକାଳ ଆଠଯାଏଁ ନିଘୋଡ଼ ନିଦରେ ଶୋଇ ପାରିଥିଲେ...ଉଠିସାରିବା ପରେ ଦାସଙ୍କୁ କହିଥିଲେ, ହଇହେ ଏଗୁଡ଼ାକରେ ଏଡ଼େ ନିଶା ? ସେଇଥିପାଇଁ ଢକ ଢକ କିନି ଦିନକୁ ଦି ଚାରିଥର ପିଆ ହେଉଚି ନା ?

 

ଥରେ ଦାସଙ୍କ ସହିତ ଜଣେ କବିରାଜଙ୍କର ଦେଖା ହୋଇଥିଲା ବାଲୁଗାଁ ଷ୍ଟେସନରେ । କବିରାଜ ଜଣଙ୍କ କୁଆଡ଼େ ପନ୍ଦରଦିନ ହେଲା ବାଣପୁର ଅଞ୍ଚଳରେ ଗୋଟାଏ ଛାଗଳ ଖୋଜୁଥିଲେ, ନ ପାଇ ଫେରି ଯାଉଚନ୍ତି । ଦାସେ ତୁମ ଗାଁ ପାଖରେ କ’ଣ ଛାଗଳ ବା ଛେଳିର ଅଭାବ କି ବୋଲି ପଚାରିବାରେ କବିରାଜେ ଛାଗଳାଦି ଘୃତ କରିବା ପାଇଁ ଯେଉଁ ଛାଗଳ ଦରକାର ହୁଏ, ତାର ଏକ ସୁନ୍ଦର ବର୍ଣ୍ଣନା ଶୁଣାଇଥିଲେ । ମୋଟାମୋଟି ଭାବରେ ଦାସେ ବୁଝିଲେ ଯେ ଛାଗଳାଦି ଘୃତ ତିଆରି ଲାଗି, ଚଣ୍ଡୀମାନଙ୍କ ପାଖରେ ବଳି ପଡ଼ିବା ପାଇଁ ଯେପରି ଏକ ନିଖୁଣ ଛାଗଳ ଦରକାର, ସେହିଭଳି ଏକ ଛାଗଳ ଆବଶ୍ୟକ । କବିରାଜେ ସିମିତ ଗୋଟାଏ ଛେଳିର ସନ୍ଧାନରେ ବୁଲୁଚନ୍ତି ।

 

ଏହି ଛାଗଳାଦି ଘୃତ ସମ୍ବନ୍ଧରେ କବିରାଜେ ଦାସେଙ୍କୁ ଯାହା ଯାହା ଶୁଣାଇଥିଲେ, ରୋଗର ଯେଉଁ ଯେଉଁ ଲକ୍ଷଣର ଅବତାରଣା କରିଥିଲେ, ଦାସେ ଭାବିଲେ, ତାଙ୍କ ରୋଗରେ ବି ସିମିତି ଲକ୍ଷଣ ରହିଚି । କବିରାଜଙ୍କ ଆଗରେ ନିଜର ପରିଚୟ ପ୍ରଦାନ କରି, ନିଜ ପେଟ, ମୁଣ୍ଡ, ଦେହ, ହାତର ଖବର ଅନ୍ତର ଦେଇ କହିଲେ, ଯଦି ଔଷଧ ଦେଇ ଏ ଗୁଡ଼ାକ ଭଲ କରିଦେଇ ପାରିବ, ତାହାହେଲେ ଧରିନିଅ ତୁମର ଓଡ଼ିଶାରେ ନାଁ ହେଇଗଲା । କୃତଜ୍ଞତାଜ୍ଞାପନ ଶିରୋନାମାରେ ତୁମର ପ୍ରଶଂସା ସହିତ ଏକ ଲମ୍ବା ସମ୍ବାଦ ଓଡ଼ିଶାର ସବୁ କାଗଜରେ ଛାପିଦେବି । ଇଚ୍ଛା ଯଦି ଥାଏ, ଫଟୋ ପଠାଇବ, ବ୍ଲକ କରି ମଧ୍ୟ ବିନା ପଇସାରେ ଛାପି ଦେବାର ବ୍ୟବସ୍ଥା କରିବି ।

 

ଖବର କାଗଜରେ ନାମୋଲ୍ଲେଖ ସଙ୍ଗେ ସଙ୍ଗେ ପ୍ରଶଂସା ଓ ପ୍ରଚାରର କଥା ଶୁଣି କବିରାଜେ ଅତି ଉତ୍ସାହିତ ହୋଇ ଉଠିଥିଲେ—ଲକ୍ଷଣଗୁଡ଼ାକୁ ଗୋଟାଏ ମାନ୍ଧାତା ଅମଳର ଟିପାଖାତାରେ ଟିପି ରଖି ସଭାତଳେ ଦାସଙ୍କ ଠିକଣାଟା ଲେଖି କହିଲେ, ସଙ୍ଗେ ସଙ୍ଗେ ପାର୍ସୁଲୁ କରି ପଠେଇ ଦେବି । ଆପଣଙ୍କୁ କିଛିହେଲେ ଦେବାକୁ ପଡ଼ିବ ନାହିଁ ।

 

ଦାସେ କୁଆଡ଼େ କିମିତି ବୁଲାବୁଲି ସାରି ଘରେ ଆଠ ଦଶଦିନ ପରେ ପହଞ୍ଚି ଦେଖିଲେ ଗୋଟେ କାଠବାକ୍ସରେ ବାକ୍ସେ ହବ ଔଷଧ । ପାଣିଆ ପାଣିଆ, କାଠୁଆ କାଠୁଆ, ଟାଣୁଆ ଟାଣୁଆ ସବୁ ରକମର ଜିନିଷ । ଭିତରେ ଥିବା କାଗଜ ଫର୍ଦ୍ଦ ଖୋଲି ଦେଖିଲେ, ସକାଳ ଛଅଟାରୁ ରାତି ବାରଯାଏଁ ପ୍ରତି ଘଣ୍ଟାରେ ଏ ଔଷଧରୁ ପାନେ, ସେ ଔଷଧରୁ ଦିଟା ବଟିକା, ଇମିତି କେତେ କଥା ଲେଖା ହେଇଚି । ଔଷଧ ଖାଇବାବେଳେ ଦିନକୁ ସେରେ ଦୁଧ, ଘିଅ ଛଟାଙ୍କିଏ, ବେଦନା, କମଳା କରି ସାତ ଆଠଟା ଖାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଚି ସେଥିରେ ।

 

“ଶୁତ୍ରରିବର୍ଦ୍ଧନ ରସ” ବୋଲି ଯେଉଁ ଔଷଧଟିରେ ଲେଖାଅଛି, ଦାସେ ତାକୁ ଚାଖି ଦେଖିଲେ, ବେଶ୍ ପାଟି କି ମିଠା । ଘିଅ ଆଉ ଗୁଡ଼ରେ କି ଗୋଟାଏ ଚେରକୁ କୁଟି ତା ଭିତରେ ଗୋଳେଇ ପୋଳେଇ ଗୋଟାଏ ମିଠେଇଜାତୀୟ ଖାଦ୍ୟ ତିଆରି କରାଗଲା ଭଳି ବୋଧକରେ ସେ-

 

ସୁପ୍ରଚାର ଆଶାରେ କବିରାଜେ ତାଙ୍କ ପାଖରେ ଯେତେ ଔଷଧ ଥିଲା ଘରେ ପହଞ୍ଚୁ ପହଞ୍ଚୁ ସଂଭବତଃ ତରବରରେ ପଠେଇଦେଉଛନ୍ତି । ଦାସେ ବାକ୍ସ ଖୋଲି ଦେଖିଲେ ବାକ୍ସରେ କବିରାଜଙ୍କ ରୁଦ୍ରାକ୍ଷ ମାଳଟି ବି ରହିଯାଇଚି ।

 

ରିନାଦେବୀଙ୍କୁ କହିଲେ, ଏଇଟିକୁ ସାଇତି ରଖ । ଖ୍ରୀଷ୍ଟାନରୁ ହିନ୍ଦୁ ପାଲଟିବା ପରେ ଏଇଟି ହୁଏତ ବ୍ୟବହାରରେ ଲାଗିବ । ରିନାଦେବୀ ଦାସଙ୍କ ହାତରୁ ରୁଦ୍ରାକ୍ଷ ମାଳିଟି ନେଇ ଭାବିଲେ ଆହା ବିଚାରି ବହୁତ ଗାଳି ଶୁଣିଥିବ ! କବିରାଜେ ପୂଜା ବସୁଦ୍ୟ କଲାବେଳେ ଏଇଟିକି ନିଶ୍ଚୟ ଖୋଜୁଥିବେ, ନ ପାଇଥିଲେ, ଘରଣୀଟି ଉପରେ ବହୁତ ରହିଥିବେ । ୟାଙ୍କ ଭଳି ନ ହେଇଥିଲେ ତ ଭଲ; ହୋଇଥିଲେ, ବିଚାରୀର ଅବସ୍ଥା କାୟଲ ହୋଇ ଯାଇଥିବ । ଦିନଯାକ ମୋ ଭଳି କାହାକୁ ନ ଜଣାଇ ଅନଶନ ଧର୍ମଘଟ କରିଥିବ ।

 

ଶିଶି ପରେ ଶିଶି, ଔଷଧ ପରେ ଔଷଧ ଯଥା—ବସନ୍ତ କୁସୁମାକର, ଚନ୍ଦୋଦୟ ମକରଧ୍ଵଜ, ସୁବର୍ଣ୍ଣ ପୁଷ୍ପାଶଗ, ନାରୀକେଳ ଖଣ୍ଡ, ଚ୍ୟବନପ୍ରାସ । ଔଷଧ ଯାହା ହେଉନା କାହିଁକି ଦାସଙ୍କୁ ଏଇ ନାଁ ଗୁଡ଼ିକ ଭାରି ଭଲ ଲାଗେ । ନାଁ ଯାହାର ଏତେ ସୁନ୍ଦର, ବ୍ୟାକରଣସିଦ୍ଧ, ତାର ଶକ୍ତି ମଧ୍ୟ ସେହିଭଳି ହୋଇଥିବ ବୋଲି ସେ ଧରି ନେଇଥିଲେ ।

 

ଔଷଧଖିଆ ଆରମ୍ଭ କରି ଦାସେ ପ୍ରଥମେ କବିରାଜଙ୍କ ପାଖକୁ ଖିଆ ଆରମ୍ଭ ହେଲାବୋଲି ଚିଠି ଲେଖି ଜଣାଇ ଦେବାମାତ୍ରେ, କବିରାଜେ ଉତ୍ତରରେ ଲେଖିଥିଲେ, ଅନୁପାନ ଓ ପଥ୍ୟ ଠିକ ରଖିଥିବେ, ନଇଲେ ଔଷଧଗୁଡ଼ାକ ଗୁଣ କରିବନି ।

 

ଦୁଧ, ଦହି, ଘିଅ ଓ ଫଳ ଖାଇ ଦାସେ ମାସଟାଯାକ ଦୁଇଦିନରେ ଥରେ କରି ଷ୍ଟେସନପାଖ ଓଜନ ଯନ୍ତ୍ରଟାରେ ଅଣେ ଅଣେ ଗଳେଇ ଓଜନ ହୋଇ ଆସନ୍ତି । ମାସକ ପରେ ଦେଖନ୍ତି ତ ଯାହାଥିଲା ସେୟା... ।

 

ସବୁ ଚାଖି ଚାଖି ଦାସେ ଶେଷରେ ସ୍ଥିର କଲେ ଯେ କବିରାଜ ଔଷଧ ଭିତରେ ଦ୍ରାକ୍ଷାରିଷ୍ଟ ହିଁ ସର୍ବଶ୍ରେଷ୍ଠ ଔଷଧ । କାଶ ସର୍ଦ୍ଦି ଭଲ ହୁଏ, ଦେହକୁ ଗରମ ରଖେ, କାମ କରିବାକୁ ସ୍ପୃହା ଦିଏ, ଆଖିକି ନିଦ ଦିଏ, ଖାଦ୍ୟକୁ ଜୀର୍ଣ୍ଣ କରାଏ । ତେଣୁ ସର୍ବରୋଗ ଉପଶମକାରୀ ଏଇ ଔଷଧଟି ବୋଲି ମନେ ମନେ ସେ ଧରି ନେଇଥିଲେ ।

 

X X X

 

ତଥାକଥିତ କକା ସେ ଦିନ ସବୁକଥା ପଚାରିସାରିବା ପରେ, ଆଚ୍ଛା ମୂର୍ଚ୍ଛନା ପାଇଁ ଔଷଧପତ୍ର କିଛି ବ୍ୟବସ୍ଥା କରିଚ କି ବୋଲି ପଚାରିଥିଲେ । ଦାସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ଔଷଧ ? ଔଷଧରେ ଘର ଭର୍ତ୍ତି । କବିରାଜ ଶାସ୍ତ୍ରରେ ଯେତେ ଔଷଧ, ସବୁଗୁଡ଼ାକର ନାଁ ଗାଇଯାଇ ଶେଷରେ ପହଞ୍ଚିଥିଲେ, ସେଇ ଦ୍ରାକ୍ଷାରିଷ୍ଟ ପାଖରେ । ଟେବୁଲ ଉପରେ ସେଇଥିରୁ ତିନିଚାରିଟା ଶିଶି । ତାକୁ ଦେଖେଇ କହିଲେ, ଏଇ ଦେଖନ୍ତୁ, ଇଥିରୁ ଦିନକୁ ପାନେ ଦିପାନ ପିଇଲେ ହନ୍ତାନି ? କହି କହି ବୁଝେଇ ବୁଝେଇ ମୋର ପାର୍ଥୁକ ସରିଗଲାଣି । ଅତିରାଗ ହେଲେ, ପାନେ, ନଇଲେ ଦିପାନ...ମୋର ମନେ ନ ପଡ଼ିଲେ, ସିଏ ସେତିକିରେ ରହିଲା ।

 

କକାଜଣଙ୍କ କ’ଣ କହିବାକୁ ଚାହୁଁଥିଲେ ଦାସେ କିନ୍ତୁ ତାଙ୍କୁ କୁହାଇ ଦେଲେନି । କହି ଚାଲିଲେ, ଏଇତ ସେଦିନ ଧନୁଶର ଧରି ଯେଉଁ ଶବରଗୁଡ଼ାକ ରାମଗିରି, ଦଣ୍ଡକାରଣ୍ୟରୁ ଆସନ୍ତି ନି, ସେମାନେ କ’ଣ ଗୁଣ୍ଡ ଔଷଧ ଦଉଥିଲେ, ସାହିଯାକ ମାଇପେ ରଖିଲେ, ଆମର ୟାଙ୍କୁ ଯେତେ କହିଲି, ଯାଅ ଟିକିଏ, କ’ଣ ଗଲେ ? ଏକାଜିଦ୍, ଯଦି ଖାଇବି ଏଲୋପ୍ୟାଥିକ, ନଇଲେ ନାଇଁ । କିନ୍ତୁ ତୁମର ସେଇ ମୁର୍ଚ୍ଛନା, ପୁଣି ଆଉଦିନେ କୁଉଠି ଗୋଟେ ଗୁପ୍ତଗଙ୍ଗା ବାହାରିଥିଲା, ସେଇଠୁ ପାଣି ପିଇଲେ, କୁଆଡ଼େ ସବୁରୋଗ ଚାଲିଯାଏ ବୋଲି ସାଇପଡ଼ିଶାଙ୍କଠୁ ଶୁଣି, ଲଗେଇ ବସିଲେ, ନା ଯିବାକୁ ହିଁ ହବ । ଅମୁକର ବୋଉ, ଅମୁକର ଖୁଡ଼ୀ, କଳାହାଣ୍ଡି, କୋରାପୁଟ ଆଡ଼ୁ ଏତେ ଖର୍ଚ୍ଚ କରି, ଏଇ ପାଣି ଟିକକ ପାଇଁ ଆସିଚନ୍ତି, ଆଉ ଆମେ ଏଇ ପାଖରେ ଆଉ ଯିବାନି ? —ମୁଁ ସିନା ଗଲିନି, କୋଉବାଟେ କିମିତି ଖସି ପଳେଇଗଲେ ନା, ରହିପାରିଲେନି । ଏଇ ଯେଉଁ ଶିଶିଟାରେ ପାଣି ଭର୍ତ୍ତିହେଇ ରହିଚି, ସେତକ ସେଇ ଗୁପ୍ତଗଙ୍ଗା ପାଣି । ମାଆ ପାଖକୁ ପଠେଇବା ପାଇଁ ରଖିଛନ୍ତି । ଆପଣ ତ ଆସିଚନ୍ତି, ନେଇଯିବେ । ନଇଲେ ହଠାତ୍ କେବେ ମନେପଡ଼ିବ, କହିବେ ହଇ ହେ, କାହା ହାତରେ ପଠେଇ ନ ପାରୁଚ ଯଦି, ପାର୍ଶଲ୍ କରିଦଉନ କାହିଁକି ବୋଲି । ମୁହଁକୁ ଇଣ୍ଡୁରୀ ଅଥାର ଭଳି ଏଡ଼ିକିଟେ କରି ବସିବେ ।

 

କକା ହୁଏ ତ ଆଉ କ’ଣ କହିଥାଆନ୍ତେ, ଦାସଙ୍କ କଥାରେ ମଜିଯାଇ ସବୁ ଭୁଲିଗଲେ । ଦାସଙ୍କ ଆଗରେ ମୂର୍ଚ୍ଛନା, ମୂଷାଟିଏ ଭଳି ଚୁପ୍‍ଚାପ୍, ତୁନିତାନ ରହିଥିବା ଦେଖି ସେ ବଡ଼ ବିସ୍ମିତ ହୋଇ ପଡ଼ିଥିଲେ । ଏଇ କେତେବର୍ଷ ତଳେ ଯିଏ ଗ୍ରାମ ସେବିକା ହେବାପାଇଁ ବାହାରି ପଡ଼ୁଥିଲା, ଏକା ଏକା ଶହେ ଦୁଇଶ ମାଇଲବାଟ ବସରେ ଯାତାୟାତ କରୁଥିଲା, ଭୂଦାନ ସଭାରେ ଭାଷଣ ଦେଉଥିଲା, ଗୀତ ବି ବୋଲୁଥିଲା, ଇଏ କଣ ସେଇ ମୂର୍ଚ୍ଛନା !

 

ହାତରେ କପେ ଚା ଧରି ଆସୁ ଆସୁ ମୂର୍ଚ୍ଛନା ଚାରିଆଡ଼କୁ ଚାହିଁଥିଲେ କୁଉଠି ଟିକିଏ ଅଠିକଣା ହେଇଗଲେ, ଇଲେ ଏଡ଼ିକି ପାଟି କରିଉଠିବେ ।

 

ଇମିତି ଇମିତିରେ ଚାହୁଁ ଚାହୁଁ ତିନୋଟି ବର୍ଷ ବିତିଯାଇଚି । ତଟିନୀଦେବୀଙ୍କ କଳାକେନ୍ଦ୍ରର ତିନୋଟି ବାର୍ଷିକୋତ୍ସବ ହୋଇଗଲାଣି । କାର୍ଯ୍ୟକାରୀ କମିଟିର ସଭ୍ୟଗୁଡ଼ାକ ଇମିତି ବଦଳିଯିବେ ବୋଲି ତାଙ୍କର ଧାରଣା ନଥିଲା । ଖୋଷାମତ ପାଇବା, ତଟିନୀଦେବୀଙ୍କ ଛଡ଼ା କଳାକେନ୍ଦ୍ର ଚାଲି ନ ପାରେ ବୋଲି ସାତ ଆଠ ତୁଣ୍ଡରୁ ଶୁଣିବା ଆଶାରେ ଗତବର୍ଷ ବାର୍ଷିକୋତ୍ସବ ପୂର୍ବରୁ ଜେନରାଲବଡ଼ି ମିଟିଂରେ ତଟିନୀଦେବୀ ନିଜ ଇସ୍ତଫାପତ୍ରଟି ଆଗତ କରି ବସିଲେ । ୟା ଭିତରେ ରୁଦ୍ରବାବୁ ସଭ୍ୟଗୁଡ଼ାକୁ ଇମିତି ମତେଇ ପାରିଛନ୍ତି ବୋଲି ତଟିନୀଦେବୀଙ୍କ ଧାରଣା ନ ଥିଲା । ଚୌକିରେ ବସି ମଝି ମଝିରେ ମୁହଁକୁ ଟିକିଏ ଶୁଖେଇ ଦେହରେ ଅସୁସ୍ଥତା ଦର୍ଶାଇ ଇସ୍ତଫାପତ୍ର ଦେବାମୂଳରେ ଥିବା ଯୁକ୍ତିକ ଗୋଟି ଗୋଟି କରି ବାଢ଼ୁଥିଲେ ସେ ।

 

ତାଙ୍କର ବକ୍ତବ୍ୟ ସରିବାମାତ୍ରେ ରୁଦ୍ରବାବୁ ହଠାତ୍ କହି ଉଠିଲେ, ନା, ପ୍ରକୃତରେ ତଟିନୀଦେବୀ ଅସୁସ୍ଥ । ତାଙ୍କ ଉପରେ ଆମେମାନେ ଚାପଦେବା ଉଚିତ୍ ନୁହେଁ । ଧର, ତଟିନୀଦେବୀ ଆଜି ମରିଯିବେ, ତାହାହେଲେ କେନ୍ଦ୍ରଟାକୁ ତ ଭାଙ୍ଗି ଦେବା ନାହିଁ, ଆମେହିଁ ଚଳେଇବା । ଏଇଟା ତ କାର ବାପର ସମ୍ପତ୍ତି ନୁହେଁ—ଏକ ସାଧାରଣ ଅନୁଷ୍ଠାନ ।

 

ଦାସେ କୌଣସି ରାଜନୀତିରେ ପଶନ୍ତି ନାହିଁ । ଗଣତାନ୍ତ୍ରିକ ଅନୁଷ୍ଠାନରେ ଦାୟିତ୍ୱର ବଣ୍ଟନ ଓ ବ୍ୟକ୍ତିର ପରିବର୍ତ୍ତନ ଆବଶ୍ୟକ—ସେଇ ଦୃଷ୍ଟିରୁ ସେ କାହାରି ଉପରକୁ ଦୃଷ୍ଟି ନ ଦେଇ, ମୁହଁକୁ ତଳକୁ କରି ସଙ୍ଗେ ସଙ୍ଗେ ପ୍ରସ୍ତାବ ଦେଲେ, ତାହାହେଲେ ରୁଦ୍ରବାବୁ ସଂପାଦକ ହୁଅନ୍ତୁ । ତାଙ୍କର ଯଥେଷ୍ଟ ଉତ୍ସାହ ଓ ସମୟ ମଧ୍ୟ ଅଛି । ଏ କାମକୁ ସେ ଜଣେ ଉପଯୁକ୍ତ ବ୍ୟକ୍ତି । ଖାଲି ସଂପାଦକ ରହିଲେ ଚଳିବନି, କୋଷାଧ୍ୟକ୍ଷ ମଧ୍ୟ ହୁଅନ୍ତୁ । ସୋରିଷ ତେଲର ହୋଲସେଲରେ ସେ, ବହୁ ବ୍ୟବସାୟୀ, କଂଟ୍ରାକ୍ଟରଙ୍କ ସହିତ ପରିଚିତ । ଚାନ୍ଦାପତ୍ର ଅସୁଲ ମଧ୍ୟ କରିପାରିବେ । ତଟିନୀଦେବୀଙ୍କୁ ବିଶ୍ରାମ ଦିଆଯାଉ । କେନ୍ଦ୍ର ଲାଗି ତାଙ୍କର ତ୍ୟାଗ, ଦାନ ଅତିରିକ୍ତ ହୋଇ ପଡ଼ିଲାଣି, ପ୍ରଶଂସାର ବୋଝ ବୋହିପାରିବା ହୁଏତ ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ପ୍ରଶଂସା ଅଧିକ ହୋଇ ପଡ଼ିଲେ, ହୁଏତ ବୋହି ନ ପାରି, ସବୁତକ ଅଜାଡ଼ି ଦେବେ । ଯେତେକ ପାଇଚନ୍ତି, ସେତକ ଯିବ । ତଳୁ ପ୍ରଶଂସାତକକୁ ଗୋଟଉ ଗୋଟଉ ନିନ୍ଦା ବି ଗୁଡ଼ିଏ ଗୋଟେଇ ପୋଟେଇ ଧରିବେ । ସେଇକଥା ବୁଝି ପାରିଛନ୍ତି ବୋଲି ହୁଏତ ତଟିନୀଦେବୀ ଆଜି ଇସ୍ତଫାପତ୍ର ନିଜ ହାତରେ ଲେଖି ଆଣିଚନ୍ତି । (ଆଗେ ସେ ମୌଖିକରେ ଇସ୍ତଫା ଦେବି ବୋଲି କହୁଥିଲେ ।)

 

ଏଭଳି ପରୋକ୍ଷ ସମାଲୋଚନାରେ ତଟିନୀଦେବୀ ଅତି ବିବ୍ରତ ହୋଇପଡ଼ିଲା ଭଳି ମନେ ହେଲା । ସେ ସଙ୍ଗେ ସଙ୍ଗେ ସଭାଗୃହ ଛାଡ଼ି ଚାଲିଗଲେ । କୋରମ ଲାଗି ଯେତେ ସଭ୍ୟଙ୍କ ଉପସ୍ଥିତି ଆବଶ୍ୟକ, ତାଠୁ ବହୁ ଅଧିକ ସଭ୍ୟ ଉପସ୍ଥିତ ଥିବା ହେତୁ ଗଣତାନ୍ତ୍ରିକ ପଦ୍ଧତିରେ ବୈଠକ ଯିମିତି ଚାଲିବା କଥା ସେମିତି ଚାଲିଥିଲା ।

 

ରୁଦ୍ରବାବୁ ସେକ୍ରେଟେରୀ ଓ ଟ୍ରେଜରର ଭାବରେ ନିର୍ବାଚିତ ହେଲେ । ପ୍ରତି ମାସରେ କାର୍ଯ୍ୟକାରୀ କମିଟି ବସି କେନ୍ଦ୍ରର ପରିଚାଳନା ସଂପର୍କରେ, ଆଲୋଚନା କରାଯିବ ବୋଲି ମଧ୍ୟ ସ୍ଥିର ହେଲା । ତଟିନୀଦେବୀଙ୍କ ବିରୋଧୀ ଲୋକେ ବଡ଼ ଖୁସି ହେଲେ । କିଏ କିଏ ସେଦିନ ଭୋଜିଭାତ କରି ଆନନ୍ଦ ମଉଛବ କରିଥିବା କଥା ମଧ୍ୟ ଶୁଣାଗଲା ।

 

ତଟିନୀଦେବୀ ତା ଆରଦିନଠୁ ଘରେ ତାଲାଚାବି ପକେଇ ଦୋକାନ ଭାର ଦୋକାନଦାରମାନଙ୍କୁ ଦେଇ ଦାର୍ଜିଲିଂକୁ ବିଶ୍ରାମ ଗ୍ରହଣ ଲାଗି ଚାଲିଗଲେ ।

 

ସହରରେ ତଟିନୀଦେବୀଙ୍କୁ ଯେଉଁମାନେ ଭଲଭାବରେ ଜାଣନ୍ତି ସେମାନେ କହିଲେ, ତଟିନୀଦେବୀ ? ଦେଖିବ ବର୍ଷେ ଦିବର୍ଷ ଭିତରେ ପୁଣି ସେଇ ଅନୁଷ୍ଠାନକୁ କରଗତ କରିନେବେ। ତା ଭଳି ଚାଲାକ, ଚତୁର ଲୋକ ଖୁବ୍ କମ୍ । ସେ ତ ମାଇପି ଲୋକ ନୁହେଁ, ଗୋଟିଏ ମରଦ । ଶକତ୍ ମରଦ । ଯାହା କରିବା କଥା ତ କରିଗଲା, ଖାଲି ମର୍ଯ୍ୟାଦାଟା ! ସେତକ କିମିତି ଟିକିଏ ଖସୁ ଖସୁ ଖସିଗଲା ବୋଲି, ସେ ଯେ ହଟିଯିବ, ତା ଭାବିବା ଠିକ୍ ନୁହେଁ । କ’ଣ ହଉଚି ଦେଖ... ।

 

ଦାସେ ବି ସେଇକଥା ଭାବୁଥିଲେ ।

 

କିନ୍ତୁ ରୁଦ୍ର କହେ, ଦେଖ ମୁଁ କ’ଣ କରୁଚି...ସବୁ ହିସାବ କିତାବ ବାହାର କରି ତାକୁ ପଦାରେ ପକେଇଦେବି । ହଜାର ହଜାର ଟଙ୍କା ଖାଉଚି । ଭାଉଚର ପତ୍ର କିଛିନାହିଁ । ଏବେ ଯୋ ଆକାଉଣ୍ଟାଣ୍ଟଟା ଅଛି, ତାକୁ ନ ତଡ଼ିଲେ ଏ କେନ୍ଦ୍ରର କୌଣସି ଉନ୍ନତି ହୋଇପାରିବ ନାହିଁ । ସିଏ ସବୁ ନାଟର ଗୋବର୍ଦ୍ଧନ । ତାକୁଇ ହାତ କରି ତଟିନୀ ଦେବୀ ସବୁ ଲୁଚାଛପା କାରବାର ଚଳାଉଥିଲା । ସମସ୍ତଙ୍କୁ ସାବାଡ଼ କରିଦେବି ।

 

ରୁଦ୍ରବାବୁଙ୍କ ଯୋଜନାଗୁଡ଼ାକ କାନ୍ଥରେ ଶୁଣିବାକୁ ଭାରି ଭଲ ଲାଗେ । କୋଠା ଉପରେ କୋଠା ଉପରେ କୋଠା, ସର୍ବାଧିକ ଘୂର୍ଣ୍ଣାୟମାନ ରଙ୍ଗମଞ୍ଚ, ଚଳଚ୍ଚିତ୍ର ନିର୍ମାଣ, ଡାନ୍‍ସଟ୍ରୁପ୍ ଧରି ସାରା ଭାରତ ପରିକ୍ରମଣ, ଓଡ଼ିଶୀ ସଙ୍ଗୀତ ପୁନରୁଦ୍ଧାର, ପଲ୍ଲୀନୃତ୍ୟଗୀତର ଗବେଷଣା, ଶାନ୍ତିନିକେତନ ଭଳି ଏକ ରେସିଡ଼େନ୍‍ସିଆଲ ବିଶ୍ଵବିଦ୍ୟାଳୟ ସ୍ଥାପନ ଇତ୍ୟାଦି ଥିଲା ତାଙ୍କ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଭୁକ୍ତ ।

 

ଟଙ୍କା କୁଉଠୁ ଆସିବ ବୋଲି ଯଦି କେହି ପଚାରେ ରୁଦ୍ରବାବୁ କହନ୍ତି, ମୁଁ ତଟିନୀଦେବୀ ନୁହେଁ, ରୁଦ୍ରଚରଣ ସାମଲ । ଟଙ୍କା ? ଟଙ୍କା ଅଭାବରେ କ’ଣ କିଛି ବନ୍ଦ ରହିପାରେ ? ତାପରେ ନିଜ ବ୍ୟବସାୟର ଯୋଜନା ସବୁ କହି ଯାଆନ୍ତି ସେ । ସୋରିଷ ତେଲରୁ ଆରମ୍ଭ ହୋଇ ଖାଣ୍ଟି ଘିଅରେ ଯାଇ ପହଞ୍ଚନ୍ତି । ବ୍ୟବସାୟର ବ ଅକ୍ଷର ସୁଦ୍ଧା ଜାଣି ନଥିବା ଦାସେ ତାଙ୍କ ଯୋଜନାକୁ ବେଳେ ବେଳେ ତାରିଫ କରନ୍ତି ।

 

ରୁଦ୍ରବାବୁ ଯେ ଇମିତି ଖାଲି କହନ୍ତି କିଛି କରନ୍ତିନି ତା ନୁହେଁ, କିଛି କିଛି କାମ କରନ୍ତି । ମାସକୁ ଯୋଡ଼ା ଯୋଡ଼ା ମନ୍ତ୍ରୀଙ୍କି ଡାକି ନାଚଗୀତ ଦେଖାନ୍ତି, ସାମ୍ବାଦିକମାନଙ୍କୁ ଡାକି ଚାହା-ବିଡ଼ି ସିଗାରେଟ ଖୁଆନ୍ତି । ସେମାନଙ୍କୁ ଗଲାବେଳେ ଗୋଟିଏ ଗୋଟିଏ ବିବୃତ୍ତିର କପି ଦେଇ, ହାତଯୋଡ଼ି ମୁରୁକି ମୁରୁକି ହସି କହନ୍ତି, କ’ଣ କାଲିକି କାଗଜରେ ଦେଖିପାରିବ ତ ?

 

ସାମ୍ବାଦିକମାନେ ସମସ୍ଵରରେ କହନ୍ତି, ଜରୁର ।

 

ରୁଦ୍ରବାବୁ ତା ଆରଦିନ ନିଜର ପ୍ରଶସ୍ତିକୁ ଖବର କାଗଜରେ ପଢ଼ି ଅପ୍ୟାୟିତ ହୋଇ ଉଠନ୍ତି । ଦରିଦ୍ର ସାମ୍ବାଦିକ ଗୋଷ୍ଠୀଙ୍କ ମଧ୍ୟରୁ କେତେଜଣ ଦରକାର ପଡ଼ିଲେ ଧାରଉଧାର ପାଇଁ ରୁଦ୍ରବାବୁଙ୍କର ଦ୍ୱାରସ୍ଥ ମଧ୍ୟ ହୋଇଥାଆନ୍ତି । ରୁଦ୍ରବାବୁ ସେ ସବୁ କଥାରେ କେବେ ନାସ୍ତିବାଣି ଶୁଣାନ୍ତି ନାହିଁ ।

 

ତଟିନୀଦେବୀଙ୍କ ଘରର ତାଲା ଖୋଲେ ନାହିଁ । ସେ ଦାର୍ଜିଲିଂରୁ ଡେରାଡୁନ, ଡେରାଡୁନ୍‍ରୁ କାଶ୍ମୀର ବୁଲୁଥାନ୍ତି ।

 

ହଠାତ୍ ଦିନେ ରୁଦ୍ରବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଡାକରା ଆସେ । ରୁଦ୍ରବାବୁ ଦାସଙ୍କ ପାଖକୁ ଦୌଡ଼ନ୍ତି, କଣ କରାଯିବ ? ଦୁହେଁ ମିଶି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତି । ମୁଖ୍ୟମନ୍ତ୍ରୀ ତଟିନୀ ଦେବୀଙ୍କ ପାଖରୁ ଆସିଥିବା ପାଞ୍ଚହଜାର ଟଙ୍କାର ଗୋଟିଏ ଚେକ୍ ଦେଖେଇ ରୁଦ୍ରବାବୁଙ୍କୁ କହନ୍ତି, ଦେଖନ୍ତୁ ରୂଦ୍ରବାବୁ, ଏଇଟି ତଟିନୀଦେବୀ ମାନ୍ଦ୍ରାଜରୁ ମୋ ଜରିଆରେ ତୁମ କେନ୍ଦ୍ରପାଇଁ ପଠାଇଛନ୍ତି । ତୁମେ ତଟିନୀଦେବୀଙ୍କ ସମ୍ବନ୍ଧରେ ମତେ ଯେଉଁ ଧାରଣା ଦେଇଥିଲ ଭୁଲ । ସେ ଗଲା ତିନି ମାସ ହେଲା, କେନ୍ଦ୍ରପାଇଁ ଚାନ୍ଦା ସଂଗ୍ରହ ଲାଗି ସାରା ଭାରତ ବୁଲୁଛନ୍ତି ବୋଲି ମୋ ପାଖକୁ ଲେଖିଛନ୍ତି । ବାସ୍ତବରେ ସେ ଜଣେ ଉତ୍ସାହୀ ମହିଳା । ବର୍ତ୍ତମାନ ଚାହିଁଲେ ମଧ୍ୟ ତୁମେ ଏ ଚେକ୍ ଖଣ୍ଡିକ ନେଇଯାଇପାର କିନ୍ତୁ ମୁଁ ଭାବୁଛି, ଗୋଟିଏ ଉତ୍ସବ ଅନୁଷ୍ଠାନ କରି, ସେଇଠି ଏ ଚେକ୍‍ଟି ତୁମକୁ ହସ୍ତାନ୍ତର କରିଦେବି । କ’ଣ ଦୀନବନ୍ଧୁ, ଏଇଟି ଭଲ ପ୍ରସ୍ତାବ ନୁହଁ ?

 

ଦାସେ କିଛି ନ ବୁଝି ଖାଲି ହଁ ମାରନ୍ତି । କାରଣ ନାହିଁ କହିଲେ, ସେଥିଲାଗି ଗୋଟାଏ କିଛି କୈଫିୟତ ମଧ୍ୟ ଦେବାକୁ ପଡ଼ିପାରେ । ମନ୍ତ୍ରୀମୁଣ୍ଡ, ସେ ମୁଣ୍ଡରୁ କେତେବେଳେ କୋଉ ପ୍ରଶ୍ନ ବାହାରିବ, ତାର କିଛି ଠିକଣା ନାହିଁ । ମନ୍ତ୍ରୀମାନଙ୍କ ପାଖରେ ଇମିତି ହଁ କହିବା ଟା ତାଙ୍କଭଳି ବହୁ ଲୋକଙ୍କର ଅଭ୍ୟାସ ।

 

ଦାସଙ୍କ ମୁହଁରୁ ହଁ ଶୁଣିବା ମାତ୍ରେ ମନ୍ତ୍ରୀ ମହୋଦୟ ସଙ୍ଗେ ସଙ୍ଗେ କହି ଉଠିଲେ, କେବଳ ମୋର ଏ ମତ ନୁହେଁ, ଦୀନବନ୍ଧୁଙ୍କର ବି । ତୁମେ ଏଠୁ ଆଜି ଯାଇ ଗୋଟିଏ ସଭାର ଯୋଗାଡ଼ କର, କେବେ କରୁଛ ମତେ ଜଣାଅ, ମୁଁ ତଦନୁଯାୟୀ କାର୍ଯ୍ୟ କରିବି । ଦରକାର ହେଲେ ତଟିନୀଦେବୀଙ୍କୁ ସେ ସଭାକୁ ଡକାଇ ଆଣିବା । ସେ ସେହି ଅନୁଷ୍ଠାନରେ ଉପସ୍ଥିତ ରହିବା ବାଞ୍ଛନୀୟ । କଣ କିଛି ମତଭେଦ ହୋଇଥିବ, ସେ ସବୁକୁ ଭୁଲିଯିବା ଉଚିତ୍ । କିଓ ! ତଟିନୀଦେବୀଙ୍କୁ ଛାଡ଼ି ତୁମେ ସେ କେନ୍ଦ୍ରକୁ ଚଲେଇ ପାରିବ ? ତା ଛଡା ମୁଁ ଗୋଟିଏ ଉତ୍ତମ ପ୍ରସ୍ତାବ କରିଛି, ସେ କଥା ତୁମେ ଆଉ ଦି ଦିନ ବାଦେ ଆସ, କହିବି । ମୋର ତ ଆଶା ହଉଚି, ତୁମେ ସେଥିରେ ଅମତ ହେବ ନାହିଁ ।

 

....ଦି ଦିନ ବାଦେ ରୁଦ୍ର ମନ୍ତ୍ରୀଙ୍କ ପାଖକୁ ଯାଇଥିଲା । ଉତ୍ତମ ପ୍ରସ୍ତାବଟି କଣ କିରେ ରୁଦ୍ର ବୋଲି ଆମେ ପଚାରିଥିଲୁ । ବିଚରା ରୁଦ୍ର, ସେଠୁ କି କର୍ଣ୍ଣମନ୍ତ୍ର ପାଇ ଆସିଥିଲା କେଜାଣି, ତା ମୁହଁଟି ବଡ଼ ଶୁଖିଲା ଦେଖାଯାଉଛି ।

 

ଆଠ ଦିନ ବାଦେ କେନ୍ଦ୍ର ପ୍ରାଙ୍ଗଣରେ ପାଞ୍ଚହଜାର ଟଙ୍କାର ଚେକ୍ ହସ୍ତାନ୍ତର ଉତ୍ସବ ହେଲା । ମନ୍ତ୍ରୀ ଆସିଲେ । ତଟିନୀଦେବୀ ମଧ୍ୟ ଆସି ମନ୍ତ୍ରୀଙ୍କ ବସିଥିଲେ । ମନ୍ତ୍ରୀ ତାଙ୍କ ଭାଷଣରେ ତଟିନୀଦେବୀଙ୍କର ବହୁ ପ୍ରଶଂସା କଲେ । ରୁଦ୍ରଚରଣଙ୍କୁ ସେଠି ବୁଲୁଚ କାହିଁକି, ଏଠିକି ଆସ କହି ଆରପାଖ ସିଟରେ ବସେଇଲେ । ବହୁ ହସ ଖୁସିରେ ଗପସପ ହେଲା । ଶେଷରେ ତଟିନୀଦେବୀ ଓ ରୁଦ୍ରଚରଣ ଏକା ରିକ୍ସାରେ ବସି ତଟିନୀଦେବୀଙ୍କ ଘରକୁ ଗଲେ ।

 

ଦୁଇଦିନ ବାଦେ ତଟିନୀଦେବୀଙ୍କ ଘରକୁ ଆଜି ସନ୍ଧ୍ୟାବେଳେ ଟିକିଏ ଯିବେ, ରୁଦ୍ରବାବୁ କହି ପଠେଇଛନ୍ତି ବୋଲି କେନ୍ଦ୍ରର ଜଣେ ପିଅନ ଦାସଙ୍କୁ ତାଙ୍କ ଅଫିସରେ କହି ଦେଇଗଲା....

 

ଦାସେ ସେଦିନ ଅଫିସରୁ ନିଜ ଘରକୁ ନ ଆସି ତଟିନୀଦେବୀଙ୍କ ଘରକୁ ଗଲେ । ଦୂରରୁ ଦେଖିଲେ ଛାତ ଉପରେ ଚାନ୍ଦୁଆ ଟଣା ହେଇଚି, ଘର ଆଗରେ ମନ୍ତ୍ରୀଙ୍କ ଗାଡ଼ି ବ୍ୟତୀତ ଆଉ ତିନି ଚାରିଟା ମଟରଗାଡ଼ି । ଘର ଭିତରକୁ ପଶି ସେ ଅବାକ୍ ହୋଇପଡ଼ିଲେ । ପ୍ରଥମେ ମନ୍ତ୍ରୀଙ୍କ ସହିତ ତାଙ୍କର ଦେଖାହେଲା । ମନ୍ତ୍ରୀମହାଶୟ କହିଲେ, ବୁଝିଲ ଦୀନବନ୍ଧୁ, ସେଦିନ ଉତ୍ତମ ପ୍ରସ୍ତାବ କଥା ଯାହା ରୁଦ୍ରକୁ କହୁଥିଲି, ସେଇଟି ଏଇ । ଭଲ ହେଲାନି ?

 

...ଦାସେ ହଠାତ୍ କିଛି ବୁଝି ପାରିଲେନି । କିନ୍ତୁ ପରେ ପରେ ବୁଝି ପାରିଲେ, ଯେତେବେଳେ ସେ ପଛକୁ ମୁହଁ ଘୂରେଇ ଦେଖିଲେ, ରୁଦ୍ର ଆଉ ତଟିନୀଦେବୀ ବରକନ୍ୟା ବେଶରେ ସଜ୍ଜିତ ହୋଇ ବସିଚନ୍ତି । ଏପଟେ ତଟିନୀଦେବୀ—ବୟସ ଅଠତିରିଶ—ଆଉ ସେପଟେ ରୁଦ୍ରଚରଣ ସାମଲ—ବୟସ ତେତିଶ ।

 

ତଟିନୀଦେବୀଙ୍କ ଇସ୍ତଫା ଗୃହୀତ ହେବା ପରଦିନ, ଦେଖ ତଟିନୀଦେବୀ ବର୍ଷକ ପରେ କେନ୍ଦ୍ରକୁ କରଗତ କରିନେବେ ବୋଲି ରୁଦ୍ରକୁ ଯେଉଁ ବ୍ୟବସାୟୀ ଜଣଙ୍କ କହୁଥିଲା, ସିଏ ଦାସଙ୍କ ଦେହରେ ଆଙ୍ଗୁଠି ମାରି କହିଲେ, ‚କ’ଣ କହୁଥିଲି ବାବୁ, ଦେଖୁଚ ତ ? ସେତେବେଳେ ଅଧେ ଥିଲା, ଏବେ ପୂରାପୂରି ।

 

ମିଠେଇ ଖିଆ ହେଲା, ନାଚ ଦେଖାହେଲା, ଗୀତ ଶୁଣାଗଲା...... ।

 

ଦାସେ ଫେରିଗଲାବେଳେ ବରକନ୍ୟାଙ୍କ ସହିତ କରମର୍ଦ୍ଦନ କରିଗଲେ । ରୁଦ୍ରବାବୁଙ୍କୁ ଟିକିଏ ଚାହିଁପାରିଲେ କିନ୍ତୁ ତଟିନୀଦେବୀଙ୍କ ଆଡ଼କି ସେ ଆଦୌ ଚାହିଁପାରିଲେ ନାହିଁ ।

 

ବାଟ ଯାକ ମନ ଭିତରେ ଗୁଡ଼ାଏ ହସ ହସି ସେ ଘରକୁ ଫେରନ୍ତି...ରିନାଦେବୀ ମନ ଭିତରେ ଗୁଡ଼ାଏ କାନ୍ଦକୁ ଚାପିଧରି ଚାହିଁ ରହିଥାଆନ୍ତି । ଦେହରେ ଜରର ତାତିକୁ ଦେଖିବାକୁ ସେ କେବେ କାହାକୁ କହନ୍ତି ନାହିଁ । ଏ ତାତି ଦେହରେ ଚମଡ଼ାରେ ଖାଲି ନ ଥାଏ, ମଜ୍ଜା ଭିତରେ ଥାଏ-

 

ଦୁଆର ଫିଟେଇ ଘର ଭିତରକୁ ପଶିଆସନ୍ତି ଦାସେ । ପଶୁ ପଶୁ କହିଚାଲନ୍ତି । ଆହେ ଶୁଣୁଚ, ତୁମ ରୁଦ୍ରବାବୁଙ୍କ ସହିତ ଆଜି ଆମର ତଟିନୀଦେବୀଙ୍କର ହଠାତ୍ ବିବାହ ହୋଇଗଲା । ରୁଦ୍ରବାବୁଙ୍କ ସହିତ ତଟିନୀଦେବୀ ମୁହୂର୍ତ୍ତକରେ କେନ୍ଦ୍ରଟାକୁ ନିଜର କରି ନେଇଗଲେ । ଆମେ ସବୁ ଜଳକା ଭଳି ଚାହିଁ ରହିଲୁ, ପାଟିରୁ କାହାର ପଦେ ହେଲେ କଥା ବାହାରିଲାନି ।

 

ରିନାଦେବୀ ମୁହଁରେ ଚାପା ହସକୁ ଫୁଟେଇ କହିଲେ, କାହିଁକି ଆମ ଭାଉଜ ? ସିଏ ପରା କେନ୍ଦ୍ରର ଜଣେ ସଭ୍ୟା, ସିଏ କିଛି କହିଲେ ନାହିଁ ? ମୋ ଆଗରେ, ଇମିତି କଲି ସିମିତି କଲି ବୋଲି କେତେ ହୁଅନ୍ତି...କ’ଣ ସବୁ ମିଛ ?

 

ଦାସେ କହିଲେ, ନନ୍ଦା କ’ଣ କରିବ, ମୁଁ କ’ଣ କରିବି ? ସେ ତ ଗୋଟାକଯାକ କେନ୍ଦ୍ରକୁ ବାହାହେଇ ଗଲେ । ଆଗରୁ ବରଣମାଳା ସଜାଡ଼ି ଆଣିଥିଲେ । ମନ୍ତ୍ରୀଙ୍କ ଉପସ୍ଥିତିରେ ସବୁ ହେଲା-। କାହାର କିଛି କହିବାର ନଥିଲା । ସବୁ ଯିମିତି ତା’ ମନକୁ ମନ ହେଇଗଲା । ଇଲେକ୍‍ଟ୍ରୀ ସୁଇଚ ଟିପି ଯିମିତି ନେହରୁ ମାଇଲିଏ ଦୂରରୁ ହୀରାକୁଦ ବନ୍ଧକୁ ଉଦଘାଟନ କରିଥିଲେ, ସିମିତିକା ତଟିନୀଦେବୀ ମାନ୍ଦ୍ରାଜରୁ ସୁଇଚି ଟିପି ରୁଦ୍ରବାବୁଙ୍କ ଗଳାକୁ ଚିପି ଧରିଥିଲେ...ବାହା ହବ ତୁ ହୁଅ ନଇଲେ... ।

 

...ସିପ୍ରା ବରଠୁ ଯିଏ ଯୋତା ମାଡ଼ ଖାଇଥିଲେ ସେଇ ରୁଦ୍ର ବାବୁଟିକି ? ରିନାଦେବୀ ପଚାରିଥିଲେ ।

 

...ହଁ ସେଇ ରୁଦ୍ରବାବୁ, ତୁମେ ଯାହାକଥା ସବୁବେଳେ କୁହ, ସେଇ ରୁଦ୍ରବାବୁ, ରୁଦ୍ର ଚରଣ ସାମଲ । ଲୁସି, ଲୁସି ପରେ ସିପ୍ରା । ଶେଷରେ ତଟିନୀଦେବୀ—ତଟିନୀ ସାମଲ । କଳା କେନ୍ଦ୍ରଟା ଅର୍ଦ୍ଧାଙ୍ଗ ଥିଲା, ଏଣିକି ପୂର୍ଣ୍ଣାଙ୍ଗ ହେଇଗଲା । ଏଣିକି ଏକକ ନୃତ୍ୟର ପ୍ରଦର୍ଶନ ହେବନି, ପୂରାପୂରୀ ଦ୍ଵୈତନୃତ୍ୟ । ତଟିନୀଦେବୀ ପାର୍ବତୀ ହେଲେ, ରୁଦ୍ରବାବୁ ଶିବ ହେବେ; ଇଏ. ରାଧା, ସିଏ କୃଷ୍ଣ; ଇଏ ରତି, ସିଏ କାମଦେବ । ତ୍ରିଶୂଳ, ବଂଶୀ ଓ ପୁଷ୍ପଧନୁ ଗୁଡ଼ାକ ବହୁ ଦିନ ପଡ଼ିରହିଛି । ଏଥର କାମରେ ଲାଗିବ ।

 

ବାହାଘରେ କ’ଣ କ’ଣ ହେଇଥିଲା ବୋଲି ପରୋକ୍ଷରେ ରିନାଦେବୀ ପଚାରିଥିଲେ । କ’ଣ କ’ଣ ଖାଇଆସିଚ ବୋଲି ବହୁ ଦିନୁଁ ପଚାରି ପଚାରି କିଛି ଉତ୍ତର ନ ପାଇବା ହେତୁ ରିନାଦେବୀ ଏଣିକି ଇମିତି ପରୋକ୍ଷରେ ଖିଆପିଆ କଥାଟାକୁ ପଚାରି, ସ୍ଵାମୀଙ୍କ ପେଟ ଖାଲି ଅଛି କି ପୂରା ଅଛି ବୁଝି ଥାଆନ୍ତି ।

 

ଦାସେ କହିଥିଲେ, ତଟିନୀଦେବୀଙ୍କ ଭଳି ଚୋଠା, କାଂପିଠୁ ଛେନା ପୋଡ଼ପିଠା ତ ଆଶା କରାଯାଇ ପାରେନା । ସେଇ ଚୂଡ଼ାଭଜା, ଗାଣ୍ଠିଆ ସେଉ ଦିଇ ଦିଇଟା, ଆଉ କପେ କପେ ଚାହା । ମନ୍ତ୍ରୀଙ୍କପାଇଁ କ’ଣ କରିଥିଲେ କେଜାଣି ଆମପାଇଁ କିନ୍ତୁ ଏୟା ।

 

ଦାସଙ୍କ ପେଟ ଖାଲି ଅଛି, ଘରେ ଆଜି ଖାଇବେ ବୋଲି ମନେ ମନେ ଭାବି ଭାରି ଖୁସି ହୋଇ ପଡ଼ିଥିଲେ ରିନାଦେବୀ । ବ୍ୟାଧିଗ୍ରସ୍ତ ଦେହର ସମସ୍ତ ଉତ୍ତାପକୁ ଫୋପାଡ଼ି ଦେଇ ସେ ରନ୍ଧା ଆରମ୍ଭ କରିଥିଲେ । ଦାସେ ଝାଡ଼ା ଝପଟ, ଦେହ ପୋଛାପୋଛି ସାରି ଘର ଭିତରକୁ ପଶି ଆସିଥିଲେ । ଟେବୁଲ ଉପରେ ଗୋଟାଏ ଥାଳିରେ କେଇଖଣ୍ଡ ଠୋଲାପୁରି, କିଛିଟା ଆଳୁ ଭଜାକୁ ଦେଖି ବିସ୍ମୟ ପ୍ରକାଶ କରି ପଚାରିଥିଲେ, କିଓ ଏସବୁ କାହା ପାଇଁ ? ମୋ ପାଇଁ ନୁହଁ ତ ?

 

ରିନାଦେବୀ ଥା ଥା ମା ମା ସ୍ୱରରେ କହିଲେ, କହିଲ ପରା କିଛି ଖାଇନ ବୋଲି ? କ’ଣ ଖାଲି ପେଟରେ ଶୋଇବ ? ଶୀତଦିନ । ରାତି ବଡ଼ । ମୋ ସୁନାଟାପରା, ସେତକ ଖାଇଦିଅ-। ଦେଖୁ ଦେଖୁ ପାଞ୍ଚବର୍ଷ ବିତିଗଲା । ଦିନେ ବି ଭଲ କରି ଖଣ୍ଡେ ଖାଇବାର ଦେଖିଲିନି । ମାସେ ଦି ମାସ ହେଲା, ବଡ଼ ଶୁଖିଲା ଦେଖାଯାଉଚ ତମେ । ଯିଏ ଦେଖୁଚି କହୁଚି, କିଲୋ ବରଟାକୁ ଗଣ୍ଡେ ଖାଇବାକୁ ବି ଦେଇପାରୁନୁ ? ଏଡ଼େ ସରୁ । ଖାଲି ହାଡ଼ ଖଣ୍ଡେ ଝୁଲୁଚି ।

 

ଦାସଙ୍କ ହୃଦୟକୁ ରିନାଦେବୀଙ୍କ କଥାଗୁଡ଼ାକ ଭାରି ଛୁଇଁଥିଲା । କହିଲେ ଭୋକ ଲାଗିଲା, ସଂଭାଳି ପାରିଲିନି, ମାଡ୍ରାସୀ ହୋଟେଲରୁ ଦିପଟ ଦୋଷା ପକେଇ ଦେଇଚି । ପେଟଟା ଭଲ ଲାଗୁନି । ଏତେ କରି କହିଲଣି, ଭୋକ ହଉଥିଲେ, ଖାଆନ୍ତିନି ? ରଖି ଥ, ରାତି ଅଧରେ ଭୋକ ହେଲେ, ଖାଇବି । ଯଦି ପାରିବ, କପେ କଫି କରିଦିଅ, ପିଇଦେବି । ଆଉ ଖଣ୍ଡିଏ ପାନ ।

 

ରିନାଦେବୀଙ୍କ ମୁହଁରୁ ବହୁଦିନର ଅନ୍ତର୍ଦାହର ଲେଲିହାନ ଶିଖାଗୁଡ଼ାକ ହଠାତ୍ ବାହାରିଆସେ । କହିପକାନ୍ତି, ଆଉ ପାରୁନି । ରାତି ଅଧରେ ଉଠିପାରିବା ଭଳି ଶକ୍ତି ନାହିଁ । ସେତେବେଳକୁ କାହିଁକି କେଜାଣି ଦେହଟା ଭାରି ଶୀତେଇ ଉଠୁଚି । ଠିକ ଜର ହେଲା ଭଳି ଲାଗୁଚି-। ପାଟି ଶୁଖିଯାଉଚି । ଆଖିରେ ନିଦ ହେଉନି । ସବୁଦିନ ଭାବୁଚି, ସକାଳୁ ଉଠିଲା ବେଳକୁ ପ୍ରାଣବାୟୁ ଉଡ଼ି ଯାଇଥିବ । ଇଲେ ବି ଦେହରେ ଜର ଅଛି । ସେଥିପାଇଁ କହୁଚି, ଯାହା ଖାଇବା କଥା ଥିଲେ ଖାଇଦିଅ, ଆଉ ରାତି ଅଧକୁ କିଛି ବାକି ରଖିନି । ଦାଦା କହୁଥିଲେ, ରାତିଜରଟା ଦେହ ପକ୍ଷରେ ଅତିଖରାପ । କାଲି ସେ ଆସିବେ; ତୁମକୁ କଣ କହିବେ ବୋଲି କହୁଥିଲେ ।

 

ଦାସେ ଏ କଥାରେ ଟିକିଏ ହେଲେ ବି ବିଚଳିତ ହୁଅନ୍ତି ନାହିଁ । କହନ୍ତି, ଜର, ସେଇଟା କିଛି ନୁହଁ । ଦାଦା କଣ କରିବେ ? ଦିଟା ବଟିକାରେ ସେ ସବୁ ଖତମ । ତାପରେ ବର୍ଣ୍ଣନା କରନ୍ତି, ଦି ତିନିଟା ଯୁଗର ଇତିହାସ । ଜରର ଉତ୍ପତ୍ତି, ଜରର ଗତି, ଜରର ଉପଶମ, ପରିସମାପ୍ତି ଆଦି ନାନା କଥା । ମନକୁ ଟାଣ ରଖିଲେ, ଭଲ କରି ମେଞ୍ଚେ ମେଞ୍ଚେ ଖାଇଲେ, ଜର କୁଆଡ଼େ ଚାଲିଯିବ । ମନ ତାତିଲେ, ଦେହରେ ତାପ ଦେଖାଦିଏ । ମନକୁ ତତାଅନି, ଥଣ୍ଡାରଖ । ତାଙ୍କ ଜୀବନରେ ଇମିତି ଜର, କେତେ ଆସିଚି, କୁଆଡ଼େ ଚାଲିଯାଇଚି । ଗଲା ଆଠବର୍ଷ ହେଲା, ସେ ଜର କଣ ଜାଣି ପାରିନାହାନ୍ତି । ଶେଯ ଉପରେ ଦେହକୁ ସଜାଡ଼ି ଦେଇ ଆଖିକୁ ଧିରେ ଧିରେ ବୁଜୁ ବୁଜୁ ଦାସେ ପୁଣି ମନେ ପକେଇ ଦେବାପାଇଁ ରିନାକୁ କହନ୍ତି, ମନକୁ ତତାଅନି ରିନା, ଥଣ୍ଡାରଖ ।

 

ସେଇ ଯାହା ବଷକର ସୁଖ, ସୌଭାଗ୍ୟ...। ହନିମୁନଠୁ ଆରମ୍ଭକରି ଗୋପାଳପୁର ସମୁଦ୍ର ସ୍ନାନ ପର୍ଯ୍ୟନ୍ତ, ସେଇ ବର୍ଷକରେ ହିଁ ରହିଗଲା । ସେଇ ସୀମାରେଖାର ଏପଟକୁ ଦିନହେଲେ ସୁଖର ପଦସ୍ପର୍ଶ ହେଇନି । ସେତେବେଳେ ଦେହରେ ଯେଉଁ ଉତ୍ତେଜନା ଥିଲା, ସେଇଟା ଜରର ଉତ୍ତେଜନା ନ ଥିଲା, ଥିଲା କାମର ଉତ୍ତେଜନା...ତା’ପରେ ଦେହର ଥଣ୍ଡାଯୁଗଟା ତା ମନକୁ ମନ ଆସିଯାଇଚି ରିନାଦେବୀଙ୍କ ମନ ଓ ଦେହରେ ।

 

ଛଦ୍ମ ଗାମ୍ଭୀର୍ଯ୍ୟ ମନ ଭିତରେ ପୂରେଇ ରିନାଦେବୀ ଦେହକୁ ଖଣ୍ଡିଏ ପାନଖିଲ ଭଳି ମୋଡ଼ାମୋଡ଼ି କରି ଭା°ଗି ରଖନ୍ତି । ନିହାତି ବିଡ଼ିଆପାନଟେ ବୋଲି ଦାସେ ତାଙ୍କୁ ଫୋପାଡ଼ି ଦିଅନ୍ତି, ବେଖାତିର କରନ୍ତି ।

 

ଶେଯର ଗୋଟିଏ ପାଖରେ ଏମିତି ରାତି ରାତି ବସୁ ବସୁ ରିନାଦେବୀ ଢୋଳେଇ ପଡ଼ନ୍ତି । ସ୍ଵପ୍ନ ବାଉଳାରେ ସ୍ୱାମୀଙ୍କୁ କୋଡ଼ଭିତରକୁ ଟାଣି ନେବାପାଇଁ ହାତ ପ୍ରସାରିଲା ମାତ୍ରେ ତାଙ୍କର ନିଦ ଭାଙ୍ଗିଯାଏ, ଦେଖନ୍ତି ଦାସେ ଆଉ ଶେଯ ଉପରେ ନାହାଁନ୍ତି, ନିକଟ ଟେବୁଲ ଚୌକିପାଖରେ । ରିନାଦେବୀଙ୍କ କାନକୁ ଆଲାରାମ ଘଡ଼ିଟାର ଟିକ୍ ଟିକ୍ ଶବ୍ଦ ଶୁଭେ, ଘଣ୍ଟାକଣ୍ଟା ଗୁଡ଼ାକ ଜକ୍ ଜକ୍ ହେଇ ଦିଶେ, କିନ୍ତୁ ଦାସଙ୍କୁ କିଛି ଶୁଭେନା କି ଦେଖାଯାଏନା

 

ଆଗରେ ଲେଥାଏ ହବ କାଗଜ । ରିନାଦେବୀ ଦେଖନ୍ତି, କଲମଟା ଖୁବ ଜୋରରେ କାଗଜ ଦେହରେ ଅକ୍ଷର ଚଷି ଚାଲିଚି । ଦାସଙ୍କ ପଛ ଆଡ଼ଟାହିଁ ତାଙ୍କୁ ବେଶୀ ଦେଖାଯାଏ । ସେ ଦେହଟା ନ ମିଳୁ ପଛେ, ମୁହଁଟି ହେଲେ ସେ ମୁହୂର୍ତ୍ତରେ ଦେଖିବାକୁ ମିଳୁ ବୋଲି ଯେତେ ଚାହାଁନ୍ତି, ମିଳେ ନାହିଁ । ପୁଣି ତାଙ୍କର ଆଖିପତା ବୁଜି ହେଇଆସେ, ପୁଣି ନିଦ, ପୁଣି ନିଦ, ପୁଣି ସ୍ୱପ୍ନ, ପୁଣି ଜାଗୃତି, ପୁଣି ଦେଖନ୍ତି, ତାଙ୍କ ପାଖ ଶେଯଟା ସିମିତି ଖାଲି ଖାଲି ।

 

ରାତି ପାହିଯାଏ...ରିନାଦେବୀ ଉଠି ଦେଖନ୍ତି ଦାସେ ଟେବୁଲ ଉପରେ ମୁଣ୍ଡ ଦେଇ ଶୋଇଛନ୍ତି । ଗୃହକର୍ମନିପୁଣା ରିନାଦେବୀଙ୍କ ଘରକାମ ଆରମ୍ଭ ହୁଏ । ବାଡ଼ିଆଡ଼ୁ ରିନାଦେବୀ ଫେରିଆସି ଦେଖନ୍ତି, ଯେଉଁ ଦେହଟା ରାତିରେ ଶେଯ ଉପରେ ନଥିଲା, ସେଇ ଦେହଟା ଶେଯ ଉପରେ ପଡ଼ିଚି । ତୋଳି ଧରିବା ପାଇଁ ଏ ଦିନବେଳଟାରେ ତାଙ୍କର ସାହସ ହୁଏନା । ଦାସେ ଉଠୁ ଉଠୁ ଦିନ ନଅ... ।

 

ମଝିରେ ଘଣ୍ଟାଏ ଫୁରସତ୍ ।

 

ତାରି ଭିତରେ ଝାଡ଼ା ଝପଟ, ଗାଧୁଆ ପାଧୁଆ ଖିଆପିଆ । ତା’ପରେ ପରେ ଅଫିସ ଅଭିମୁଖୀ ହୁଅନ୍ତି ରିନାଦେବୀଙ୍କ ସ୍ୱାମୀପଦବାଚ୍ୟ ଦୀନବନ୍ଧୁ ଦାସେ ।

 

ଏଠୁ ସେଇ ଦୀନବନ୍ଧୁ ଦାସେ—ଯାହାକୁ ଦେଖିଲେ ବଡ଼ ବଡ଼ିଆଙ୍କ ମୁଣ୍ଡ ନଇଁଯାଏଁ—ବଜାର ବାଟେ ଗଲେ ପ୍ରତି ପନ୍ଦର ଗଜରେ ଗୋଟିଏ ଗୋଟିଏ ନମସ୍କାର ମିଳେ, ଭକ୍ତି ଓ ଭୟରେ ଘରେ କେହି ପଶି ପାରନ୍ତି ନାହିଁ । ଏତେ କୃତୀତ୍ଵ, ଏତେ ମହତ୍ତ୍ୱ ଏତେ ପ୍ରତିଭା ବିରୁଦ୍ଧରେ ରିନାଦେବୀଙ୍କ ମନର ବିଦ୍ରୋହ ହାରମାନେ ।

 

ସେଇ ତ ଦିନେ ଏଇ ଦାସଙ୍କୁ କହିଥିଲେ, କିଏ ପୁଣି ତର୍କର ସାଙ୍ଗ ଜଣେ କହିଥିଲା, ଏଭଳି ସ୍ଵାମୀ ଶତ ତପସ୍ୟା କଲେ ମିଳେନା । ଯାହାର ମୁହଁଟି ଏଡ଼େ ସୁନ୍ଦର, ତା’ର ଓଠର ଚୁମା କେତେ ମିଠା ହେଇ ନଥିବ ?

 

ରିନାଦେବୀ ହସି ହସି ଗଡ଼ିଯାଇଥିଲେ, କହିଥିଲେ, ଇଚ୍ଛା ଯଦି ହଉଚି ଯାଉନୁ, ଘରେ କେହି ନାହାଁନ୍ତି, କହିବୁ ମୁଁ କହିଲି, ତୋ ଓଠରେ ଚୁମା ଦେବେ ।

 

ମନକୁ ତତଲା ରଖନି ରିନା । ଥଣ୍ଡା ରଖ–କହି କ୍ଳାନ୍ତ ଦେହକୁ ବିଶ୍ରାମ ଦିଅନ୍ତି ଦାସେ ।

 

...ଇଆଡ଼େ ରିନାଦେବୀ, ଅକ୍ଳାନ୍ତ ଯୌବନକୁ ମନ ଓ ପେଟର କ୍ଷୁଧାର ହୋମାଗ୍ନିରେ ଆହୁତି ଦେଇ ଦେଇ ରୋଷେଇଘର ସିମେଣ୍ଟ ଚଟାଣ ଦେହରେ ଗଡ଼ି ପଡ଼ନ୍ତି । ମହାବ୍ୟାଧିର କ୍ଷୟ ଶକ୍ତି ସହିତ ଲଢ଼େଇ କରିବାଭଳି ଦୈହିକଶକ୍ତି ହରେଇ ବସନ୍ତି ସେ । ସେ ମନେ କରନ୍ତି, ତାଙ୍କୁ ଯେମିତି ମୃତ୍ୟୁ ଟାଣି ନେଇଚି ପ୍ରତିଦିନ ରାତିରେ । କିନ୍ତୁ ଠିକ ରାତି ପାହିଲାବେଳକୁ ସେ ଭୈାତିକ ସୀମା ପାର ହୋଇନପାରି ଦେହଟାକୁ ଫୋପାଡ଼ି ଦେଇଯାଉଚି...ଯେଉଁ ଟିକକ ଜୀବନୀଶକ୍ତି ରହୁଚି, ସେତକରେ ରିନାଦେବୀ ଦିବାଯାପନ କରୁଚନ୍ତି । ପୁଣି ରାତିରେ ସେହି ମୃତ୍ୟୁ ସହିତ ତାଙ୍କର ଟଣାଟଣି ଚାଲିଚି

 

ଦାସଙ୍କ ସହିତ ରିନାଦେବୀଙ୍କର ସମଗ୍ର ଚବିଶ ଘଣ୍ଟାର ଦିନରାତି ମଧ୍ୟରେ ଘଣ୍ଟାଟିଏ ମାତ୍ର ପରିଚୟ, ଦେଖାସାକ୍ଷାତ । ତା’ରି ମଧ୍ୟରେ ତିନି ଚାରୋଟି ପଦର କଥାବାର୍ତ୍ତା । ସେ ପୁଣି ଅନ୍ୟ କିଛି ନୁହେଁ । ରାତିକୁ ରାନ୍ଧିବି କି ନାହିଁ, ଦୁଆର ମେଲା ରଖିବି କି ନାହିଁ, ଇମିତି କେତେଟି ଶବ୍ଦ ।

 

ମାତ୍ର କୋଡ଼ିଏ ବର୍ଷ ବୟସରେ, ରିନାଦେବୀ ମନେ କରନ୍ତି—ଗଲା ଦଶବର୍ଷ ହେଲା, ଯୈାବନକୁ ଭୁଲି ଗଲେଣି । ଆଖିତଳେ କଳା ଦାଗ, ଓଠ ଶୁଖିଲା ଶୁଖିଲା, ଗାଲ ପଶିଲା ପଶିଲା, ଦେହ ବ୍ଲାଉଜ ହୁଗୁଳା ହୁଗୁଳା । ହାତର ସୁନା କାଚଗୁଡ଼ାକ ବାହୁର ଶେଷାଂଶରେ ମଧ୍ୟ ଲଟକି ରହି ପାରୁନି ।

 

ବର୍ଷକତଳେ ରିନାଦେବୀଙ୍କୁ ଦେଖିଥିବା ସାଙ୍ଗ ପିଲାଏ ଘରକୁ ଆସି ରିନାଦେବୀକୁ ଚିହ୍ନି ନପାରି ଏ ଘରେ ରିନାଦେବୀ କିଏ ଅଛନ୍ତି କି ବୋଲି ରିନାଦେବୀଙ୍କୁ ହିଁ ପଚାରନ୍ତି । ମୁଁ ସେହି ରିନାଦେବୀ ବୋଲି କହିବାକୁ ତାଙ୍କୁ ଲାଜମାଡ଼େ । ଜଣେ କିଏ ରହୁଥିଲେ, ଏବେ ନାହାଁନ୍ତି କହି, ସେ ସେମାନଙ୍କୁ ଫେରେଇ ଦିଅନ୍ତି ।

 

ଛୋଟକାଟିଆ ଡାକ୍ତର ଦାସେ ଆଖିରେ ସବୁ ଦେଖି ମଧ୍ୟ ନ ଦେଖିଲା ଭଳି ରହନ୍ତି-। ...ଟେବୁଲ ଉପରେ କିଛିଟା ଦ୍ରାକ୍ଷାସବ, ବ୍ୟବନପ୍ରାସକୁ ସଜେଇ ରିନାଦେବୀଙ୍କୁ କହିଦେଇ ଯାଆନ୍ତି, ୟାକୁ ଖାଇଲେ ଜର ଛାଡ଼ିବ, ତାକୁ ଖାଇଲେ ଖାସ ଛାଡ଼ିବ । ପେଟ ଖାଲି ରଖିବନି-। ଭୋକ ନ ହେଉ ପଛେ ଭଲ କରି ମୁଠେ ଖାଇବ ।

 

ରିନାଦେବୀ କିଛି ଖାଆନ୍ତିନି, ଖାଲି ସେଇ ରୋଷେଇଘର ଚଟାଣରେ ପଡ଼ିରହନ୍ତି ।

 

X X X ୟା ଭିତରେ ଇମିତି ଛଅଟି ମାସ ବିତି ଗଲାଣି । ଦାସଙ୍କ ମନରେ ସହଧର୍ମିଣୀ ରିନାଦେବୀଙ୍କ ମୁମୂର୍ଷୁ ଶରୀରକୁ ଦେଖି କୌଣସି ପ୍ରତିକ୍ରିୟା ସୃଷ୍ଟି ହୁଏନି । ସେ ଦେଖନ୍ତି, ରିନାଦେବୀଙ୍କ ଗୋଡ଼ ହଲୁଚି, ହାତ ଚାଲୁଚି, ଆଖି ଫିଟୁଚି, କାନକୁ ଶୁଭୁଚି । ଏ ସବୁର ସଚଳତାହିଁ ପ୍ରକୃତି ଜୀବନ । ଅତଏବ ରିନଦେବୀଙ୍କ ଜୀବନଟା ଅଛି, ଏ ବିଷୟରେ ସେ ନିଶ୍ଚିନ୍ତ ।

 

ଆଉ ଏ ସହରରେ ତ ଡାକ୍ତର ଶ୍ୟାମଳ ଦାଦା ନାହାଁନ୍ତି କି ନନ୍ଦା ଭାଉଜ ନାହଁନ୍ତି, କିଏ ଆସି ଦେଖିବ ?

 

ଖବର ପାଇ ବାପା ଓ ସ୍ୟାମଲଦାଦା ଚିଠି ଲେଖନ୍ତି, ରିନା ଦେହ କିମିତି ଅଛି ?

 

ଦାସେ ଲେଖନ୍ତି, କିଛି ତ ହେଇନି । କ’ଣ ଟିକିଏ ଜର ହେଉଚି । ଶହେ ଡିଗ୍ରୀରୁ କିନ୍ତୁ ବେଶି ନୁହେଁ ସ୍ଲୋ ଟେମ୍ପରେଚର୍ ।

 

ସ୍ଲୋ ଟେମ୍ପରେଚର୍ ନାଁ ଶୁଣି ବାପା ଚମକି ପଡ଼ନ୍ତି ।

 

…ଫୁଣି ଚିଠି ଆସେ, ଏମିତି କେତେଦିନ ହେଲା ହେଲାଣି ?

 

ଦାସେ ବିରକ୍ତରେ ଲେଖନ୍ତି, ଏଇ ଦି ତିନିମାସ ହେଲା ।

 

ବାପା ସଙ୍ଗେ ସଙ୍ଗେ ଆସି ପହଞ୍ଚନ୍ତି...ଦାସଙ୍କ ସମସ୍ତ ପ୍ରତିର୍ବାଦ ସତ୍ତ୍ୱେ ନେଇଯାଆନ୍ତି ରିନାଦେବୀଙ୍କୁ, ତାଙ୍କ ଝିଅ ମୂର୍ଚ୍ଛନାଙ୍କୁ ।

 

ଦୀର୍ଘ ଛ ମାସର ନୀରବତା ପରେ ରିନାଦେବୀ ଦାସଙ୍କ ପାଖକୁ ଲେଖନ୍ତି, ମୁଁ ବଞ୍ଚିଚି । ତୁମେ ତ ଆଉ ମତେ ଗ୍ରହଣ କରିବନି, ବଡ଼ କଷ୍ଟହେବ, ଆଉ କୁଉଠି ବାହା ହୋଇପଡ଼ ।

 

ଛଅ ମାସ ମଧ୍ୟରୁ ମାସେ ଖଣ୍ଡେ ଦାସଙ୍କର କଟିଥିଲା କ୍ରୋଧ ଆଉ ବିରକ୍ତିରେ । ପରେ ଏହି ସ୍ଲୋ ଟେମ୍ପରେଚର ରୋଗରେ ପଡ଼ି ଭଲ ହୋଇଥିବା ସାଙ୍ଗ ସାଥିଙ୍କଠାରୁ ସ୍ଲୋ ଟେମ୍ପରେଚରର କ୍ରମବିକାଶ, ପରିଣତିର ତଥ୍ୟ ସଂଗ୍ରହ କରି, ଭାବନ୍ତି ସେ ଯାହା କରିଛନ୍ତି, ଠିକ କରି ନାହାଁନ୍ତି । ରିନାଦେବୀଙ୍କ ମନ ଓ ପ୍ରାଣରେ ସେ ବହୁବର୍ଷ ଧରି କଠୋରଘାତ କରି ଆସିଛନ୍ତି ।

 

ଦିନେ ଦ୍ରାକ୍ଷାରିଷ୍ଟ ଓ ଚ୍ୟବନପ୍ରାସର ସାତ ଆଠଟି ‘ଶିଶିକୁ ଶିଳ ଦେହରେ ବାଡ଼େଇ ଚୂରମାର କରିଦେଇ, ତୁମପ୍ରତି ବଡ଼ ଅନ୍ୟାୟ କରିଚି, ରିନା ବୋଲି କହି ରିନାଦେବୀଙ୍କ ଫଟୋ ଆଗରେ ମୁଣ୍ଡ ବାଡ଼େଇ ହେଇଥିଲେ ଦାସେ । ନିର୍ଜୀବ ରିନାଦେବୀଙ୍କ ଫଟୋଟି ତାଙ୍କୁ ଯିମିତି କହୁଥିଲା, ସଜୀବ ରିନା ଆଗରେ ଦିନେ ହେଲେ ଏମିତି ଆଚରଣ କରିଥାଆନ୍ତି । କେଡ଼େ ଖୁସି ହୋଇ ନ ଥାଆନ୍ତା ସେ ।

 

ଚିଠି ପଢ଼ି ବଡ଼ ବ୍ୟସ୍ତ ହୋଇପଡ଼ନ୍ତି ଦାସେ । ଦୀର୍ଘ ଛ’ମାସର ବିଚ୍ଛେଦ ପରେ ପୂର୍ଣ୍ଣଚ୍ଛେଦ ପକେଇ ରିନାଦେବୀଙ୍କୁ ଫେରାଇ ଆଣିବାପାଇଁ ଦାସେ ଶଶୁରଘରକୁ ଦଉଡ଼ନ୍ତି ।

 

ଘରେ ପହଞ୍ଚୁ ପହଞ୍ଚୁ ସାତଟି ଶାଳୀ ଭିତରୁ ଜଣେ କୁହନ୍ତି, ନାନୀ ଘରେ ନାହିଁ ଡାକ୍ତରଖାନାରେ ।

 

ଦେହ ଭଲ ହୋଇଗଲାଣି ପରା, ପୁଣି ଡାକ୍ତରଖାନାରେ କାହିଁକି ?

 

…କ’ଣ କେଜାଣି ଷ୍ଟେରିଲାଇଜେସନ୍ ହେଇଚି ।

 

ଷ୍ଟେରିଲାଇଜେସନ୍ ! ଚମକି ପଡ଼ିଲେ ଦାସେ । ମାତୃତ୍ଵ ଲାଭ କରିବା ପୂର୍ବରୁ ମାତୃତ୍ୱରୁ ବଞ୍ଚିତା ରିନାଦେବୀ ! ମାତୃତ୍ଵ ଅପେକ୍ଷା “ବଞ୍ଚିବାକୁ ଚାହେଁ ମୁହିଁ ଏ ସୁନ୍ଦର ପୃଥିବୀରେ” କୁ ବଡ଼ ବୋଲି ଧରିନେଲେ ସେ ।

 

ଧାଇଁ ଯାଆନ୍ତି ଦାସେ ।

 

ପାଖରେ ଡାକ୍ତର ଦାଦା ଶ୍ୟାମଳ ଆଉ ନନ୍ଦିତା ଭାଉଜ । ରିନାଦେବୀଙ୍କ ଖଟ ଉପରେ ନନ୍ଦିତାଭାଉଜଙ୍କ ଝିଅ, ରିନାଦେବୀଙ୍କ ଝିଆରୀ, ଦାସଙ୍କ ଭାଣିଜୀ ତଥା ମାତୃତ୍ୱର ଏକ ନିର୍ଭୁଲ ପରିଚୟ ।

 

ଶ୍ୟାମଳ କହିଲା, ଦିନୁ ! ଆଉ କିଛି ଭୟ ନାହିଁ । ରିନା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ । କିନ୍ତୁ

 

ରିନାଦେବୀ ସେତେବେଳକୁ ବହୁଦିନୁ ସିଲେଇ କରିଥିବା ଜାମାଟି ନିନିକୁ ପିନ୍ଧେଇ ଦେଉଥିଲେ । ଦାସଙ୍କୁ ଦେଖି କହିଲେ, ନିନି ଟିକିଏ ମୋଟା ଦେଖାଯାଉଚି ନା ?

 

ଦାସେ ଦେଖିଲେ, ରିନାଦେବୀ ବଡ଼ ସୁନ୍ଦର ଦେଖାଯାଉଚନ୍ତି । ବ୍ୟାଧି ତାଙ୍କ ଦେହର ନିଧି ଫେରେଇ ଆଣିଚି କିନ୍ତୁ ମନର ନିଧିକୁ ହରାଇ ବସିଚନ୍ତି ସେ ।

Image